ହରିବଂଶ (ସପ୍ତମ ଖଣ୍ଡ)

 

 

 

 

 

 

 

 

 

 

ହରିବଂଶ (ସପ୍ତମ ଖଣ୍ଡ)

ମହାପୁରୁଷ ଅଚ୍ୟୁତାନନ୍ଦ ଦାସ

 

ସୂଚୀପତ୍ର

ଦଶ ଅବତାର ସ୍ତୁତି

ଦେବସଭାରେ ଯଦୁବଂଶ ବିନାଶର ପରାମର୍ଶ

ବ୍ରହ୍ମାଙ୍କ ଦ୍ଵାରା ବସ୍ତ୍ରାହରଣ

ଷୋଳସହସ୍ର ଗୋପାଳୁଣୀଙ୍କର ପୂର୍ବଜନ୍ମ ବିବରଣ

ରାଧିକାଙ୍କର ଜନ୍ମବୃତ୍ତାନ୍ତ ଓ ନାରଦଙ୍କର ଦେବକୀ ବସୁଦେବଙ୍କୁ ଆଶ୍ଵାସନା ଓ ଗୋପପୁରେ ଭ୍ରମଣ

ନନ୍ଦ, ଯଶୋଦା ଏବଂ ବସୁଦେବ, ଦେବକୀଙ୍କର ପୂର୍ବଜନ୍ମ ବିବରଣ

କୃଷ୍ଣଙ୍କର ଗୋପିକାଙ୍କ ରହସ୍ୟଦ୍ଵାରକାରେ ସ୍ଥାପନ ଓ ଅଷ୍ଟପାଟବଂଶୀଙ୍କୁ ମାୟା ପ୍ରଦର୍ଶନ

ବଳରାମ ଉଗ୍ରସେନ ଆଦି ଯାଦବମାନଙ୍କର ନନ୍ଦଙ୍କୁ ସଂଖୋଳିବା ପାଇଁ ରହସ୍ୟ ଦ୍ଵାରକାକୁ ଗମନ

କୃଷ୍ଣଙ୍କର ଅର୍ଜ୍ଜୁନଙ୍କୁ ଦ୍ଵାରକା ନୟନ

୧୦

ସୁଭଦ୍ରା ପରିଣୟ

୧୧

କୃଷ୍ଣ ପୁତ୍ରମାନଙ୍କୁ ଦୁର୍ବାସା ଋଷିଙ୍କର ଅଭିଶାପ ଓ ଦ୍ଵାରକା ଭୁବନରେ ଉତ୍ପାତ ଦର୍ଶନ

୧୨

କୃଷ୍ଣଙ୍କର ଆଦେଶରେ ଅକ୍ରୂର ଓ ଉଦ୍ଧବର ବଦରିକାଶ୍ରମ ଗମନ ଓ ଦ୍ଵାରକାପୁରେ କୋକୁଆ ଭୟ

୧୩

ଯଦୁବଂଶ ଧ୍ଵଂସ ଓ କୃଷ୍ଣଙ୍କର ଦେହତ୍ୟାଗ

୧୪

ସମୁଦ୍ର ଜଳରେ ଦ୍ଵାରକା ନିମଗ୍ନ ଓ ପ୍ରଭାସ ତୀର୍ଥରେ ଅଷ୍ଟପାଟବଂଶୀଙ୍କର ଦେହତ୍ୟାଗ

୧୫

ନୀଳାଚଳରେ ଶବର ବିଷ୍ଣୁପ୍ରତିମା ପୂଜା ଓ ଦାରୁବ୍ରହ୍ମରୂପେ ଜଗନ୍ନାଥଙ୍କର ଅବସ୍ଥିତି

 

ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ

ଦେବୀଂ ସରସ୍ଵତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍ ।

ମୁକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିଂ

ଯତ୍‌କୃପା ତମହଂ ବନ୍ଦେ ପରମାନନ୍ଦମାଧବଂ ।୧।

 

ନିଗମ କଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାମୃତଦ୍ରବସଂଯୁତଂ ।

ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକା ଭୁବି ଭାବୁକାଃ ।।

 

 

ଦଶ ଅବତାର ସ୍ତୁତି

ପର୍ଶୁରାମ ରୂପେ ଛିନ୍ନଛତ୍ର କଲୁ ମହୀ

କ୍ଷତ୍ରୀହୋଇ ତୁମ୍ଭ ପରି ସମ ନୋହେ କେହି ।

ମାଳତୀ କନ୍ୟାରୂପରେ ଜନ୍ମିଲୁ ଶ୍ରୀହରି

ବୈଲୋଚନକୁ ବଧିଲୁ ଭାର୍ଯ୍ୟା ରୂପ ଧରି ।

ପୁଣି ରାମଚନ୍ଦ୍ର ରୂପେ ହେଲୁ ଅବତାର

ତାଡ଼କାକୁ ବିନାଶିଲୁ ବାର ବରଷର ।

ସୀତା ଛଳେ ଲଙ୍କାପୁରେ ରାବଣକୁ ମାରି

ରାବଣାରି ନାମକୁ ତୁ ବହିଲୁ ଦୈତ୍ୟାରି ।

ରଙ୍ଗାବତାରେ ରମିଲୁ ମଧୁପୁରେ ଯାଇ

ବସୁଦେବ ଲୁଚାଇଲା କଂସ ଭୟ ପାଇ ।

ଅଷ୍ଟ ବର୍ଷ ଯାଏ ତହିଁ ବଢ଼ିଲୁ ଶ୍ରୀଧର

ଅଭିଶାପରୁ ମୂକତ କଲୁ ମୁନିବର ।

ସେଠାରୁ ଆସିଣ କଂସ କେଶୀ ନାଶ କଲୁ

ଅସୁରକୁ ମାରି ମହୀଭାରା ଉଶ୍ଵାସିଲୁ ।

ଜରା ଭୟରେ ପଶିଲୁ ଦ୍ଵାରକା ନଗରେ

ତହିଁ ବହୁକାଳ ତୁ ରହିଲୁ ଆନନ୍ଦରେ ।

ତହୁଁ ଆସି କଳିଯୁଗେ ଶ୍ରୀନୀଳକନ୍ଦରେ

ଦାରୂବ୍ରହ୍ମରୂପେ ବିଜେ କଲୁ ଚକ୍ରଧରେ ।

ଥୋକାଏ ଦିନ ଶବର ପାଦ ପୂଜୁଥିଲା

ଭୋଗ ଇଚ୍ଛା ଯେତେବେଳେ ତୋହର ହୋଇଲା ।

ପ୍ରାସାଦ ଅଟ୍ଟାଳୀକାମାନ ସବୁ ଗଲା ହୋଇ

ଚତୁର୍ଦ୍ଧାରୂପେ ବସିଲୁ ତୁହି ଭାବଗ୍ରାହୀ ।

କଳିଯୁଗର ଅନ୍ତରେ କଳ୍‌କି ରୂପ ଧରି

କଳାଘୋଡ଼ା ଚଢ଼ି କରି ବାହାରିବୁ ହରି ।

ଦୁଷ୍ଟଜନ ମାରି ସନ୍ଥ ଜନ ଉଦ୍ଧାରିବୁ

ତେଣୁକରି ପୃଥ୍ଵୀ ଭାରା ଉଶ୍ଵାସ କରିବୁ ।

ବେଳେବେଳେ ଅବତାର ହେଉ ରବିତଳେ

ପୃଥ୍ଵୀ ଦେବୀକି ଉଦ୍ଧାର କରୁ ନନ୍ଦବାଳେ ।

ନିରଛନନ୍ତରେ ସ୍ମର ନରେ ମଦନ ଗୋପାଳ

ଭକତବତ୍ସଳ ନାମ ଅଟଇ ତାଙ୍କର ।

ମୋ ନାମ ଅଚ୍ୟୁତ ଦାସ ଅରକ୍ଷ ଅଟଇ

ଅତିହିଁ ଅଧମ ମୁହିଁ ଅଟେ ଭାବଗ୍ରାହୀ ।

ଅନ୍ନ ବସ୍ତ୍ର ମୋକ୍ଷଦାତା କରୁଣା ସାଗର

ଖୋଜି ଖୋଜି ଭେଟିଲି ମୁଁ କମଳାର ବର ।

ରଣପୁର ସୀମା ମଝି ସେ ଗଣ୍ଡ ଗ୍ରାମରେ

ମୋହର ଘର ଅଟଇ ତହିଁର ମଧ୍ୟରେ ।

ତହିଁର ରାଜା ଅଟନ୍ତି ପଦ୍ମନ ନରେନ୍ଦ୍ର

ସେହୁ ଆଶ୍ରେ କରିଥାନ୍ତି ପ୍ରଭୁ ଆଦିକନ୍ଦ ।

ଖୋଜି ଖୋଜି ଅର୍ଥ ମୁହିଁ ପାଇଲଇଁ ଯାହା

ଦୟାକରି ମୋତେ ତାହା ଦେଲେ ଲକ୍ଷ୍ମୀନାହା ।

ଶ୍ରୀହରିବଂଶ ପୁରାଣ ମୋତେ ସେହୁ ଦେଲେ

ଆପଣେ ଶ୍ରୀଜଗନ୍ନାଥ ମୁଖେ ଆଜ୍ଞା କଲେ ।

ଷଡ଼ଖଣ୍ଡ ହରିବଂଶ ବିଚରିଲି ଆଣି

ସାତ ଖଣ୍ଡ ସମ୍ପୂର୍ଣ୍ଣେ ଭାଳଇ ପୁଣି ପୁଣି ।

ମଥୁରାମଙ୍ଗଳ ହରିବଂଶ କଲି ଗୀତେ

ସଂକୋଚଭାବରେ ତାହା ଭାଳଇ ମୁଁ ନିତ୍ୟେ ।

ଶ୍ରୀନାରାୟଣ ଯିବେ ସେ ବଇକୁଣ୍ଠ ଧାମେ

ପୃଥ୍ଵୀର ନିମନ୍ତେ ମୁଁ ଭାଳଇ ମନେ ମନେ ।

ସାଧୁ ଜନମାନଙ୍କୁ ମୁଁ ବହୁତ ଡରଇ

ନୋହିଲା ବୋଲି କହିବେ ସଂକୋଚ କରଇ ।

ପୁଣି ମୁଁ ବିଚାରଇଁ କହିଲେ ଭଗବାନ

ତାହାଙ୍କ ବ୍ୟତୀତ ମୁହିଁ ନ ଜାଣଇ ଆନ ।

ଅଧମ ଜନମାନଙ୍କୁ ଉଦ୍ଧାରିବା ପାଇଁ

ନୀଳଚକ୍ରେ ବାନା ନିରନ୍ତରେ ଉଡ଼ୁଥାଇ ।

ଆରତ ଭଞ୍ଜନ ତୁମ୍ଭେ ଅଟ ଜଗନ୍ନାଥ

ତୁମ୍ଭେ ଦୟା ନ କଲେ ମୁଁ ହୋଇବି ଅନାଥ ।

କଣ୍ଠରେ ବସିଣ ମୋର କହିବ ପୁରାଣ

ତେବେ ସିନା ଅରକ୍ଷିତ ପାଇବ କାରଣ ।

ଶ୍ରୀଜଗମୋହନକୁ ମୋ ଅଟେ ସଦା ଆଶ

ଅଚ୍ୟୁତ ଦାସକୁ ରକ୍ଷା କର ପୀତବାସ ।

 

ଦେବସଭାରେ ଯଦୁବଂଶ ବିନାଶର ପରାମର୍ଶ

ଏଥୁ ଅନନ୍ତରେ ପରୀକ୍ଷିତ ନାମେ ରାଜା

ଶୁକ ମୁନିଙ୍କ ଚରଣେ କଲେ ଦିବ୍ୟ ପୂଜା ।

ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଁ

ଅପୂର୍ବ କଥାଏ ଦେଖି ଅଇଲଇଁ ମୁହିଁ ।

କୃପାରେ ଶୁଣିଲି ଷଡ଼ଖଣ୍ଡ ହରିବଂଶ

ଏଥୁଅନ୍ତେ କିସ ହେଲା କହ ବ୍ରହ୍ମଶିଷ୍ୟ ।

ଅଷ୍ଟ ପାଟବଂଶୀ ଘେନି ପାତାଳକୁ ଗଲେ

ସେ ନିରାକାର ବିଷ୍ଣୁଙ୍କୁ ଦରଶନ କଲେ ।

ସମସ୍ତ ଚରିତ ତାଙ୍କୁ କହିଲେ ମଣାଇ

ଶୁଣି ସନ୍ତୋଷ ଲଭିଵେ ନିରାକାର ସାଇଁ ।

ବ୍ରାହ୍ମଣର ପୁତ୍ରକୁ ସେ ସମର୍ପିଲେ ଆଣି

ପୃଥ୍ୱୀଭାରା ଉଶ୍ଵାସି ଆସିବ ତତକ୍ଷଣି ।

ମେଲାଣି ପାଇ ଅଇଲେ ହରି ଅରଜୁନ

ଦ୍ଵାରକାରେ ପ୍ରବେଶ ହୋଇଲେ ଭଗବାନ ।

ବ୍ରାହ୍ମଣର ପୁତ୍ର ଅରଜୁନ ଘେନି ଗଲେ

ଚିହ୍ନି ଘେନ ବୋଲି କହି ସମର୍ପିଣ ଦେଲେ ।

 

ଥୋକାଏ ଦିନ ଅର୍ଜ୍ଜୁନ ସେଠାରେ ରହିଲେ

ଶ୍ରୀକୃଷ୍ଣଙ୍କୁ ଆଜ୍ଞାମାଗି ହସ୍ତିନାକୁ ଗଲେ ।

ଏଥୁ ଅନନ୍ତରେ କିସ କଲେ ଦାମୋଦର

ବଇକୁଣ୍ଠ କେମନ୍ତେ ଗଲେ ଚକ୍ରଧର ।

ଏହା ମୋତେ ବିସ୍ତାରିଣ କହ ମୁନିବର

ତୁମ୍ଭ କୃପାରେ କୃତାର୍ଥ ହୋଇବ ଶରୀର ।

ଏହା କହି ମୁନିଙ୍କର ଚରଣେ ନମିଲା

କୃତାଞ୍ଜଳି ହୋଇ ରାଜା ବିନୟୀ ହୋଇଲା ।

ରାଜାର ଭକତି ଦେଖି ଶୁକ ମହାଯତି

ବୋଇଲେ ରାଜନ ଶୁଣ ପୁରାଣର ରୀତି ।

ମଥୁରାମଙ୍ଗଳ ତୁମ୍ଭେ ଶୁଣ ସାବଧାନେ

ଯେଣୁ ଭାଗ୍ୟବନ୍ତ ତୁ ସେ କହିବା ଯତନେ ।

ଏକମନ ହୋଇ ଶୁଣ ଏ ମହାପୁରାଣ

ବୁଝାଇ କହିବା ତୋତେ ଆହେ ନୃପରାଣ ।

ପୁରାଣର ପୋଥିକି ଫେଡ଼ି କହେ ଶୁକ ଯତି

ଏକମନେ ଶୁଣ ତୁ ବିଚିତ୍ରବୀର୍ଯ୍ୟ ନାତି ।

ଦ୍ଵାରକାପୁରେ ଶ୍ରୀକୃଷ୍ଣ ରହି ବହୁକାଳ

ପୁତ୍ର ପୌତ୍ର ଦେଖି ହେଲେ ବହୁତ ବିହ୍ଵଳ ।

ନିରାକାର ପାସୋରିଲେ ଦେବ ହରି

ବୈକୁଣ୍ଠ ଯିବାର କଥା ମନରୁ ବିସ୍ମରି ।

ସୁଖଭୋଗ ପାଇଣ ସେ ମଞ୍ଚରେ ରହିଲେ

ସ୍ଵର୍ଗ ସମ୍ପଦକୁ ଇଚ୍ଛା କେବେହେଁ ନ କଲେ ।

ନିଶ୍ଚିନ୍ତ ହୋଇଣ ସେ ରହିଲେ ଦ୍ଵାରକାରେ

ଖୋଜି ମାଇଲେ ଯେତେକ ଅସୁର ପୃଥ୍ଵୀରେ ।

ହସ୍ତିନାପୁରେ ଅର୍ଜ୍ଜୁନ ରହିଲେ ନିର୍ଭରେ

ସୁଖେ ରାଜତ୍ଵ କରନ୍ତି ପାଣ୍ଡୁର କୁମରେ ।

ଏମନ୍ତ ପ୍ରକାରେ କାଳ ବଞ୍ଚାଇଣ ଥାନ୍ତି

ଦେବ ଦାନବ କାହାକୁ ମନେ ନ ଡରନ୍ତି ।

ଯାଙ୍କୁ ନାରାୟଣ ହୋଇଅଛନ୍ତି ସପକ୍ଷ

କୃଷ୍ଣ ବିନା ଆନେ ନ ଜାଣନ୍ତି ପାଣ୍ଡୁବତ୍ସ ।

ଶୁଣ ହେ ପରୀକ୍ଷ ରାଜା ଗୋବିନ୍ଦ କାହାଣୀ

ପଞ୍ଚ ମହାପାତକ ହରିବ ଯାହା ଶୁଣି ।

ବୈଶାଖ ଶୁକଳ ପକ୍ଷ ଏକାଦଶୀ ଦିନ

ସଭା ମଣ୍ଡାଇଣ ବସିଛନ୍ତି ସୁର-ରାଣ ।

ମରାଳପରେ ଚଢ଼ିଣ ବିଜେ ବେଦବର

ଆସି ପ୍ରବେଶିଲେ ତହୁଁ ସୁଧର୍ମା ସଭାର ।

ବ୍ରହ୍ମାଙ୍କୁ ଦେଖିଣ ଇନ୍ଦ୍ର ଶିରେ କର ଦେଲେ

ବସ ବସ ବୋଲିଣ ଆସନ ସେ ଦେଲେ ।

କପିଳାସ କନ୍ଦରରୁ ବିଜେ ଶୂଳଧର

କଳପାନ୍ତକ ବୃଷଭ ବାହନ ଯାଙ୍କର ।

ଡିବି ଡିବି ଡମ୍ବରୁ ଯେ ବାଜଇ ଶୂନ୍ୟରେ

ଦିଗମ୍ବର ବେଶ ହୋଇଛନ୍ତି ଶୂଳଧରେ ।

ସପ୍ତ ନାଗ ଆଭରଣ ତାହାଙ୍କ ଅଙ୍ଗରେ

ମୁଣ୍ଡମାଳ ଲମ୍ବି ପଡ଼ିଅଛି ଗଳାରେ ।

ଗଙ୍ଗା ଯମୁନା ଅଛନ୍ତି ତାହାଙ୍କ ମଥାର

ଶିରରେ ଶୋଭଇ ଅର୍ଦ୍ଧଚନ୍ଦ୍ର ତାହାଙ୍କର ।

ଏମନ୍ତ ପ୍ରକାରେ ବେଶ ହୋଇ ଦେବଦେବ

ସଭାମଧ୍ୟରେ ପ୍ରବେଶ ହେଲେ ସଦାଶିବ ।

ଇନ୍ଦ୍ର ବ୍ରହ୍ମା ଈଶ୍ଵରଙ୍କୁ ଦେଖିଣ ଉଠିଲେ

ମାନ୍ୟବିଧି କରିଣ ସେ ନେଇ ବସାଇଲେ ।

ଏମନ୍ତ ସମୟରେ ଅଇଲେ ବୃହସ୍ପତି

ଅମର ସଭାରେ ଆସି ବସିଲେ ତଡ଼ତି ।

ପବନ ଦେବ ଅଇଲେ ବେଳ କାଳ ଜାଣି

ତାହାଙ୍କ ପଛେ ଅଇଲେ ନବଗ୍ରହେ ପୁଣି ।

ଚନ୍ଦ୍ର ସୂର୍ଯ୍ୟ ବରୁଣ ଯେ ଅଇଲେ ବହନ

ସେମାନେ ମାନ୍ୟ ପାଇଣ ବସିଲେ ଆସ୍ଥାନ ।

ଅଶ୍ଵିନୀକୁମାର ସଙ୍ଗେ କୁବେର ଅଇଲେ

ତ୍ଵରିତେ ଯେଝା ସ୍ଥାନରେ ଯାଇଣ ବସିଲେ ।

ପାତାଳ ବୈକୁଣ୍ଠପୁରୁ ବାସୁକି ଅଇଲେ

ଗୌରବ ପାଇଣ ସେହୁ ସଭାରେ ବସିଲେ ।

ବସୁଧା ଦେବୀ ଆସିଣ ମିଳିଲେ ତଡ଼ତି

ଦେବସଭା ମଧ୍ୟରେ ସେ ଆନନ୍ଦେ ବସନ୍ତି ।

ନାନା ଦେବୀ ଏ ଅଇଲେ ଦିବ୍ୟରୂପ ହୋଇ

ବ୍ରହ୍ମାଙ୍କର ସନ୍ନିଧାନେ ମିଳିଲେକ ଯାଇ ।

ଦେବ ଦେବୀମାନେ ସର୍ବେ ସଭାର ଉପରେ

ସେ ସଭା ମଣ୍ଡାଇଣ ବସିଲେ ଯେ ଯାହାରେ ।

ଦେବଋଷି ବ୍ରହ୍ମଋଷି ରାଜଋଷିମାନେ

ଏକମୁଖ ହୋଇ ବସିଲେକ ବେହରଣେ ।

ନାରଦଋଷି ଅଇଲେ ବୀଣଯନ୍ତ୍ର ବାଇ

କନଡ଼ା ରାଗରେ କିନ୍ନରାଏ ଗୀତ ଗାଇ ।

ଗନ୍ଧର୍ବେ ନାଚନ୍ତି ବିଦ୍ୟାଧର ସୁଖ ପାଇ

ସୁଧର୍ମା ସଭା ମହିମା କେ ପାରିବ କହି ।

ଯେ ସଭାରେ ବସିଥିଲେ କ୍ଷୁଧା ତୃଷା ନାହିଁ

ହାଇ ଅଳସ କାହାକୁ କେବେ ନ ମାଡ଼ଇ ।

ଆନନ୍ଦରେ ନୃତ୍ୟ ରଙ୍ଗ ଦେଖୁଛନ୍ତି ବସି

ଇନ୍ଦ୍ରଙ୍କ ମୁଖକୁ ଚାହିଁ ବୃହସ୍ପତି ହସି ।

ବୃହସ୍ପତି ବୋଲନ୍ତି ହୋ ଶୁଣ ଦେବରାୟେ

କଥାଏକ କହିବି ମୁଁ କର ମୋତେ ଲୟେ ।

ବ୍ରହ୍ମାଦି ଶଙ୍କର ତୁମ୍ଭେ ଅଛ ପୁରନ୍ଦର

ବ୍ରହ୍ମଋଷି ରାଜଋଷି ବସିଛି ସଭାର ।

ଗନ୍ଧରବ ବିଦ୍ୟାଧର କାମ ସହିତେଣ

ସର୍ପାଧିପ ବାସୁକି ଯେ ବାୟବ୍ୟ ବରୁଣ ।

ଏ ସଭାରେ ଅନାଗତ ଜଣେ କେହି ନାହିଁ

ଏକା ଜଣେ ନ ଥିବାରୁ ଅଲଗା ଦିଶଇ ।

ଶୋଭା ପାଉନାହିଁ ଏହି ଦେବସଭା ଗୋଟି

ତୁମ୍ଭେ ଦେବଗଣ ହୋଇଅଛ ଏକଗୋଷ୍ଠି ।

ବ୍ରହ୍ମାଣ୍ଡନାଥ ଅଟନ୍ତି ପ୍ରଭୁ ନାରାୟଣ

ନ ଥିବାରୁ ନ ଶୋଭଇ ଏ ସ୍ଵର୍ଗ ଭୁବନ ।

କଂସର ବିନାଶ ପାଇଁ ମଞ୍ଚମଣ୍ଡଳରେ

ଆଣିବାକୁ ନ ବିଚାର କିପାଁ ଦେବାସୁରେ ।

ଅସୁରଙ୍କର ଭୟ ତ ପୃଥିବୀର ଗଲା

ପୃଥିବୀର ଭାରାଭର ଉଶ୍ଵାସ ତ ହେଲା ।

ଆଉ କିପାଁ ମର୍ତ୍ତ୍ୟପୁରେ ଥିବ ଭଗବାନ

ଏଥିର ନିମନ୍ତେ ତୁମ୍ଭେ କର ବିଚାରଣ ।

ବୃହସ୍ପତି ଯହୁଁ ଏହା ସଭାରେ କହିଲେ

ବ୍ରହ୍ମାଙ୍କମୁଖକୁ ଇନ୍ଦ୍ର ଦେବତା ଚାହିଁଲେ ।

ବୋଇଲେ ହୋ ବେଦବର ଅବଧାନ କର

ବୃହସ୍ପତି ଯା କହିଲେ ଏ ଦେବ ସଭାର ।

ବିଷ୍ଣୁ ନ ଥିବାରୁ ଶୋଭା ନ ପାଇଲା ସଭା

ଏଥିର ବିଚାର କର ଆହେ ସର୍ବଦେବା ।

ଏହି କଥା ଶୁଣି ବ୍ରହ୍ମା ଉଚ୍ଚେ ହାସ୍ୟ କଲେ

ପୁରନ୍ଦରଙ୍କୁ ଚାହିଁଣ ବଚନ ଭାଷିଲେ ।

ବୃହସ୍ପତି ପ୍ରକାଶିଲେ ଯେବଣ ବଚନ

ତହିଁର ଉତ୍ତର ଏବେ ଆମ୍ଭଠାରୁ ଶୁଣ ।

ଆଉ କିଛି ଦିନ ମଞ୍ଚେ ଥିବେ ନାରାୟଣ

ପୃଥିବୀର ଭାରା ହୋଇନାହିଁ ନିବାରଣ ।

ଯେ ପର୍ଯ୍ୟନ୍ତ ଯଦୁବଂଶ ପୃଥ୍ଵୀର ଅଛନ୍ତି

ସହିବି କି ତାହାଙ୍କର ଭରା ବସୁମତୀ ।

ଯେତେବେଳେ ଯଦୁବଂଶ ହେବ ବିନାଶନ

ସେତେବେଳେ ବୈକୁଣ୍ଠକୁ ଆସିବେ ମୋହନ ।

ଇନ୍ଦ୍ର ବୋଲେ ଅବଧାନ କର ବେଦବର

ଯଦୁବଂଶ ନାଶି କି କରିବେ ଚକ୍ରଧର ।

ସେହି ଅନ୍ତର୍ଯ୍ୟାମୀ ନାଥ ସମସ୍ତ ଜାଣନ୍ତି

ତାହାଙ୍କୁ ବା ଅଗୋଚର କେବଣ ହିଁ ରୀତି ।

ବେଦବର ଇନ୍ଦ୍ରଙ୍କର ବଚନ ଶୁଣିଲେ

ଦୃଷ୍ଟାନ୍ତର କଥାମାନ ଦେଖାଇ କହିଲେ ।

ରାମ ଅବତାରେ ପ୍ରଭୁ ଯେତେ କଷ୍ଟ ପାଇ

ରାବଣକୁ ବଧ କଲେ ବ୍ରହ୍ମାଣ୍ଡ ଗୋସାଇଁ ।

ବ୍ରହ୍ମହତ୍ୟାକାରୀ ବୋଲି ଲଗାଇଲ ବାଦ

ତାଙ୍କ ମୁଖ ନ ଚାହିଁଲ ଏହି ସଭା ମଧ୍ୟ ।

ସେହି କ୍ରୋଧେ ନାରାୟଣ କଂସ ଜନ୍ମ କରି

ଅନନ୍ତ ଶଯ୍ୟା ଉପରେ ଶୋଇଲେ ଶ୍ରୀହରି ।

ଯେଣୁ ନିଶ୍ଚିନ୍ତେ ଶୋଇଲେ ପ୍ରଭୁ ଜଗନ୍ନାଥ

କେତେ କଷ୍ଟ ଦେଲା ସେହି ଉଗ୍ରସେନ ସୁତ ।

ଏମନ୍ତ ହୋଇଣ କେତେ କାଳ ଗଲା ବହି

ନିଶ୍ଚିନ୍ତେ ଶୋଇଣ ତହିଁ ରହିଲେ ଗୋସାଇଁ ।

ତୁମ୍ଭର ବିକଳ ମୁଖେ କହି ନ ସରଇ

ସେଥିପାଇଁ ଘେନିଗଲି କ୍ଷୀରାବ୍‌ଧୀର ତହିଁ ।

ତାଙ୍କୁ ଯାଇ ଜଣାଇଲି ଅନନ୍ତ ଶଯ୍ୟାର

ଗୁହାରି କରନ୍ତେ ଦୟା କଲେ ଦାମୋଦର ।

ଧଳା କଳା ରୋମ ଦୁଇଗୋଟି ପ୍ରଭୁ ଦେଲେ

ନିଶ୍ଚିନ୍ତ ହୋଇଣ ତହିଁ ନିଦ୍ରାରେ ଶୋଇଲେ ।

ଯେ ଦୁଇ ରୋମରୁ ରାମ କୃଷ୍ଣ ଅବତାର

ନିରାକାର ବିଷ୍ଣୁଛନ୍ତି ଅନନ୍ତ ଶଯ୍ୟାର ।

ଆବର କଥାଏ ମୂହିଁ ପାଇଛି ବାରତା

ଦ୍ଵିଜପୁତ୍ରେ ହରି ନେଇଥିଲେ ବ୍ରହ୍ମବେତ୍ତା ।

ଅର୍ଜ୍ଜୁନ ପ୍ରତିଜ୍ଞା କରୁଁ କୃର୍ଷ୍ଣାର୍ଜ୍ଜୁନ ଗଲେ

କ୍ଷୀର ସମୁଦ୍ରରେ ନିରାକାରଙ୍କୁ ଭେଟିଲେ ।

ସେ ନିରାକାର ବୋଇଲେ ଏତେକାଳ ଯାଏ

ମଞ୍ଚମଣ୍ଡଳରେ କିପାଁ ଅଛ ଦେବରାୟେ ।

ପୃଥିବୀର ମହାଭାରା ଉଶ୍ଵାସ ହୋଇଲା

ଅସୁରମାନଙ୍କ ଭୟ ବସୁଧାରୁ ଗଲା ।

ସେ ଦୁହେଁ ବୋଇଲେ ଅଳ୍ପଦିନରେ ଆସିବୁ

ମଞ୍ଚମଣ୍ଡଳରେ ଆମ୍ଭେ କିପାଁ ରହିଥିବୁ ।

ଏମନ୍ତ ବଚନ କହି ହୋଇଲେ ବାହାର

ବ୍ରାହ୍ମଣ ପୁତ୍ରକୁ ଦେଲେ ଆଣି ତା ଆଗର ।

ଅଳ୍ପ ଦିନରେ ଆସିବେ ପ୍ରଭୁ ଭଗବାନ

ଚିନ୍ତା କିପାଇଁ କରୁଛ ଆହେ ଦେବଗଣ ।

ଆମ୍ଭମାନଙ୍କର କଷ୍ଟ ନିବାରଣ କଲେ

ସୁଖଭୋଗ ପାଇଁ ମଞ୍ଚମଣ୍ଡଳେ ରହିଲେ ।

ଲକ୍ଷେ ଷାଠିଏ ସହସ୍ର ତାଙ୍କର ନନ୍ଦନ

ଆପେ କେମନ୍ତେ କରିବେ ତାହାଙ୍କୁ ନିଧନ ।

ଆରବେଳ ଯିବେ କ୍ଷୀରସମୁଦ୍ର ମଧ୍ୟକୁ

ଏହି କଥା ଜଣାଇବେ ସେ ନିରାକାରଙ୍କୁ ।

ତହୁଁ ଆସି ଦ୍ଵାରକାରେ ହୋଇବେ ପ୍ରବେଶ

ନିଜ ହସ୍ତେ ବିନାଶିବେ ପ୍ରଭୁ ଯଦୂବଂଶ ।

ଏଥିପାଇଁ ତୁମ୍ଭେମାନେ ଚିନ୍ତା କର ନାହିଁ

ସେ ଯଦୁବଂଶ ନ ମଲେ ଭାରା ଥିବ ରହି ।

କୃଷ୍ଣର ବଂଶ ବଢ଼ିଲେ ପଦ୍ମବନ ଜାଣି

ଗୋବିନ୍ଦର ସମ୍ପଦ କେ କହୁ ପରିମାଣି ।

ଏତେ ସମ୍ପଦ ଛାଡ଼ିବେ କିପରି ଶ୍ରୀଧର

ଅମର ପୁରକୁ ଇଚ୍ଛା ହେବ କି ତାଙ୍କର ।

ଦେବସଭାରେ ଯା କହିଥିଲେ ବୃହସ୍ପତି

ତାହା ଶୁଣିଣ ହସିଲେ ଇନ୍ଦ୍ର ବେଦପତି ।

ଇନ୍ଦ୍ର ପଚାରିଲେ ବୃହସ୍ପତି ମୁଖ ଚାହିଁ

କେମନ୍ତେ ତେଜି ଆସିବେ ତ୍ରୈଲୋକ୍ୟ ଗୋସାଇଁ ।

ଏତେ ସମ୍ପଦ ତାଙ୍କର କେ କରିବ ନାଶ

କିପରି ସ୍ଵର୍ଗେ ଆସିବେ ଦେବ ପୀତବାସ ।

ବ୍ରହ୍ମା ବୋଇଲେ ଅପେକ୍ଷା କର କିଛି କାଳ

ସୁଖଭୋଗ କରନ୍ତୁ ସେ ମଦନ ଗୋପାଳ ।

ଇନ୍ଦ୍ର ବ୍ରହ୍ମା ବଚନରେ କହେ ବୃହସ୍ପତି

ମର୍ତ୍ତ୍ୟେ ଯାଆନ୍ତୁ ଦୁର୍ବାସା ନାମେ ବ୍ରହ୍ମଯତି ।

କପଟ ଭାବରେ ଦ୍ଵାରକାକୁ ଯାଉଥିବେ

କୃଷ୍ଣଙ୍କ କୁମରମାନେ ନୟନେ ଦେଖିବେ ।

ମୁନିଙ୍କି ଦେଖି ସେମାନେ ହୋଇବେ ଖତାଇ

ତାଙ୍କୁ ଅଭିଶାପ ଦେବେ ଋଷିଙ୍କ ତନୟି ।

ବୋଲିବେ ଆମ୍ଭଙ୍କୁ ତୁମ୍ଭେ କଲ ପରିହାସ

ଆମ୍ଭ ଅଭିଶାପେ ହେବ ଯଦୁବଂଶ ନାଶ ।

ସନ୍ତରା ବଣରେ ସର୍ବେ ହଣାହଣି ହୋଇ

ଯେ ଯାହା ହାତେ ମରିବେ କୃଷ୍ଣଙ୍କ ତନୟୀ ।

ଏତେକ ଶାପ ଦୁର୍ବାସା ମହାଋଷି ଦେବେ

ଗୋବିନ୍ଦ ଶୁଣି ଅନ୍ୟଥା କରି ନ ପାରିବେ ।

ଜରାଶବର ବାଣରେ କୃଷ୍ଣ ଯିବେ ନାଶ

ତେଣୁ ସ୍ଵର୍ଗକୁ ଆସିବେ ପ୍ରଭୁ ପୀତବାସ ।

ବୃହସ୍ପତି ଏହିକଥା ସଭାରେ କହିଲେ

ଦେବତାଏ ଶୁଣି ମନେ ଆନନ୍ଦିତ ହେଲେ ।

ମହର୍ଷି ଦୁର୍ବାସା ଏହା ସଭାରେ ଶୁଣିଲେ

ବୃହସ୍ପତିଙ୍କ ବଚନ ଅନ୍ୟଥା ନ କଲେ ।

ପୂର୍ବର ଆଦେଶ ହୋଇଛି ଯେ କଥା

କାହାର ବଳରେ ତାହା ହୋଇବ ଅନ୍ୟଥା ।

ଶୁଣ ଆହେ ପରୀକ୍ଷିତ ସୁଧାରସ ବାଣୀ

ପଞ୍ଚ ମହାପାପ ଯିବ ହରିବଂଶ ଶୁଣି ।

ଏଥୁ ଅନନ୍ତରେ ପୁଣ ଶୁଣ ଦିବ୍ୟରସ

ଦେବସଭା ମଧ୍ୟେ ଉପୁଜିଲା ଯେଉଁ ରସ ।

ସଭା ମଉଳିଲା ଦେବତାଏ ଉଠିଗଲେ

ଯେ ଯାହା ଯାନବାହନେ ସମସ୍ତେ ଚଢ଼ିଲେ ।

ଯଶୋବତୀ ଭୁବନକୁ ବ୍ରହ୍ମା ଚଳିଗଲେ

ଦେବତା ଯେ ଯାହାର ଭବନେ ଚଳିଲେ ।

ଏଥୁ ଅନନ୍ତରେ ପୁଣି କିଛିଦିନ ଗଲା

ଦ୍ଵାରକାରେ କୃଷ୍ଣଙ୍କର ସୁଖଭୋଗ ହେଲା ।

ନାତି ଅଣନାତି ପଣନାତିଙ୍କର ମୂଳେ

ଚନ୍ଦ୍ର ସୂର୍ଯ୍ୟଙ୍କ ପରାୟେ ଦିଶନ୍ତି ସକଳେ ।

ଦ୍ଵାରକାପୁର ମହିମା କହୁଁ ନ ସରଇ

ସୁଦର୍ଶନ ଚକ୍ର ଯହିଁ ନିରତେ ଭ୍ରମଇ ।

ଯହିଁରେ ମାଛି ପଡ଼ିଲେ ହୁଏ ନବଖଣ୍ଡ

ଯହିଁ ପ୍ରବେଶି ନ ପାରେ ଯମ କାଳଦଣ୍ଡ ।

ଦୁଃଖୀ ଦରିଦ୍ର ହୋଇଣ କେହି ଜଣେ ନାହିଁ

କୁବେର ସମାନେ ସର୍ବେ ଅଛନ୍ତି ଯେ ରହି ।

ଉଗ୍ରସେନ ମହାରାଜା ବଡ଼ଇ ଗରିଷ୍ଠ

ମନରେ ତାଙ୍କର ନାହିଁ ପୁତ୍ରଙ୍କର କଷ୍ଟ ।

ନିରନ୍ତରେ ଲକ୍ଷ୍ମୀ ଯହିଁ ଚରଚା କରଇ

ଅମୃତ ବରଷା ଯହିଁ ନିରନ୍ତରେ ହୋଇ ।

ଉଦ୍ଧବ ଅକ୍ରୁର ମୂଳେ ସମସ୍ତ ଯାଦବେ

ଗୋବିନ୍ଦଙ୍କ ଚରଣରେ ଖଟିଥାନ୍ତି ସର୍ବେ ।

କୃଷ୍ଣ ପାଦପଦ୍ମ ବିନା ନ ଜାଣନ୍ତି ଆନ

ନିରନ୍ତର ଭାବୁଥାନ୍ତି ପ୍ରଭୁ ଜନର୍ଦ୍ଦନ ।

ଶ୍ରୀକୃଷ୍ଣ କୁମରମାନେ ଖେଳ କଉତୁକେ

ଯେ ଯାହାର ଇଚ୍ଛାଏ ଥାଆନ୍ତି ମନସୁଖେ ।

ଯାଦବଂଶର କଥା ଅତି ଅନୁପମ

ଦୃଷ୍ଟାନ୍ତ ଦେବାକୁ ନାହିଁ ଏ ତିନିଭୁବନ ।

ଅମରପୁର ସମାନ ଅଟଇ ନଗର

ବିଶ୍ଵକର୍ମା ନିର୍ମାଣିଛି ରହିବାକୁ ଘର ।

ପଟାନ୍ତର ଦେବା ପାଇଁ ମୋର ଶକ୍ତି ନାହିଁ

ମନୁଷ୍ୟ ଯୋନିରେ ଯେଣୁ ଜନ୍ମ ଲଭିଛଇଁ ।

ଦୟା ଯହୁଁ କଲେ ମୋତେ କମଳାର ବର

ତେଣୁ କରି ପଦ ସ୍ଫୁରୁଅଛଇ ମନର ।

ଜୟ ଜୟ ମହାପ୍ରଭୁ ନୀଳଗିରି ନାଥ

ମୁନିଙ୍କର ଚରଣେ କରଇ ପ୍ରଣିପାତ ।

ଜୟ ଜୟ ଜଗନ୍ନାଥ ନୀଳଗିରିବାସୀ

ଚତୁର୍ଦ୍ଧା ମୂର୍ତ୍ତିରେ ତୁମ୍ଭେ ତହିଁ ଅଛ ବସି ।

ଦାରୁବ୍ରହ୍ମରୂପେ ତୁମ୍ଭେ ଅଛ ବିଜେକରି

ଭକତ ଜନଙ୍କ ହିତେ ଶଙ୍ଖଚକ୍ର ଧରି ।

ମୁଁ ହୀନ ଅରକ୍ଷ ଜନ ଶ୍ରୀଅଚ୍ୟୁତ ଦାସ

କଣ୍ଠେ ବସି ପଦ କହିଦିଅ ପୀତବାସ ।

 

ହରିବଂଶ (ସପ୍ତମ ଖଣ୍ଡ)

ବ୍ରହ୍ମାଙ୍କ ଦ୍ଵାରା ବତ୍ସାହରଣ

ଏଥୁଅନ୍ତେ ପରୀକ୍ଷିତ ନାମେ ନରନାଥ

ଶୁକମୁନି ଚରଣରେ କରି ପ୍ରଣିପାତ ।

ଅବଧାନ ହୋଇଣ ଶୁଣିମା ମୁନିବର

ହରିବଂଶ ପୁରାଣ ମୁଁ ଶୁଣିଲି କର୍ଣ୍ଣର ।

ମୋହର ଏହି ବଂଶରେ ଯେତେ ପାପ ଥିଲା

ହରିବଂଶ ଶୁଣନ୍ତେଣ ସର୍ବ ଧ୍ଵଂସ ହେଲା ।

ମୁହିଁ ନିସ୍ତରିଲି ମୁନି ତୁମ୍ଭର ପ୍ରସାଦେ

ସର୍ବଜ୍ଞ ପୁରୁଷ ଅଟ ବ୍ୟାସଙ୍କର ସୁତେ ।

ଏଥୁ ଅନନ୍ତରେ କିସ କଲେ ଚକ୍ରଧର

ସେହି କଥା ବିସ୍ତାରିଣ କହ ମୁନିବର ।

ରାଜାଙ୍କର ଭକତି ବିନୟ ଭାବ ଦେଖି

ପୁରାଣ ପୋଥି ଫେଡ଼ିଣ କହେ ଶୁକ ଯତି ।

ଏହିପରି କେତେ ଦିନ ଗତହେବା ପରେ

ଶ୍ରୀନାରାୟଣ ଉଚ୍ଚାଟ ହୋଇଲେ ମନରେ ।

ଯେଣୁକରି ଗୋପ କଥା ମନରେ ପଡ଼ିଲା

ଗୋପୀଙ୍କର କ୍ରୀଡ଼ାରସ ସ୍ମରଣ ହୋଇଲା ।

ନନ୍ଦ ଯେଶୋବତୀ ମୋତେ ପ୍ରତ୍ୟକ୍ଷେ ପାଳିଲେ

ବିଶେଷରେ ପ୍ରତିପାଳି ସେବା କରୁଥିଲେ ।

ଦୁଧ ଦହି ଛେନା ଆଦି ସର ଯେ ଲବଣୀ

ଅନେକ ପ୍ରକାର ମତେ ଦ୍ୟନ୍ତି ଗୋପାଳୁଣୀ ।

ସେମାନେ ମୋହର ବିନୁ ନ ଜାଣନ୍ତି ଆନ

ନିରନ୍ତରେ ସ୍ମରୁଥାନ୍ତି ମୋର ରୂପ ଗୁଣ ।

ଦଧି ମନ୍ଥନେ ମୋହର ନାମ ଗାଉଥାନ୍ତି

ଦଧି ବିକିଗଲେ ମୋର ନାମ ଉଚ୍ଚାରନ୍ତି ।

କୃଷ୍ଣ ନରହରି ଆଉ ମୁକୁନ୍ଦ ମୁରାରି

ଅଚ୍ୟୁତ କେଶବ ଆଦି ନାମ ଦଇତ୍ୟାରି ।

ନିରନ୍ତରେ ମୋର ନାମ କରନ୍ତି ଗାୟନ

ମୋହର ନାମ ବ୍ୟତୀତ ନ ଜାଣନ୍ତି ଆନ ।

ପ୍ରଭାବତୀ ରାଧିକାକୁ ଛାଣିଣ ଅଇଲି

ଏବେ ଆସି କୁଶସ୍ଥଳୀ ପୁରରେ ରହିଲି ।

ଯେତେବେଳେ ନିରାକାର ମୋତେ ଆଜ୍ଞାଦେଲେ

ରାଧିକାକୁ ମଞ୍ଚପୁରେ ଜନ୍ମ କରାଇଲେ ।

ରାଧାକୃଷ୍ଣ ନାମ ଗୋଟି ଜଗତେ ଜାଣନ୍ତି

ରାଧାକାନ୍ତ ବୋଲି ମୋତେ ସମସ୍ତେ କହନ୍ତି ।

ଏମାନଙ୍କୁ କଷ୍ଟ ଦେଇ ମଥୁରା ରହିଲି

ଏହି କଥା ମନମଧ୍ୟେ ବିଚାରି ଶ୍ରୀହରି ।

ଦିନୁଦିନ ପ୍ରଭୁଙ୍କର ଦେହ ହେଲା କ୍ଷୀଣ

ରାଧିକାର କଥା ମନେ ସ୍ମରି ନାରାୟଣ ।

ଏମନ୍ତେଣ ଚିନ୍ତା କରୁଥାନ୍ତି ନନ୍ଦବାଳ

ପ୍ରଭୁଙ୍କ ଶରୀର ଗୋଟି ହୋଇଲା ଦୁର୍ବଳ ।

ଦିନେ ଚନ୍ଦ୍ରଶାଳା ପୁରେ ବିଜେ ନାରାୟଣ

ସନ୍ନିଧେ ଖଟନ୍ତି ଅଷ୍ଟ ପାଟବଂଶୀ ଜାଣ ।

ରୁକ୍ମଣୀ କାଳିନ୍ଦୀ ସତ୍ୟଭାମା ଜମ୍ବୁବତୀ

ଏହିରୂପେ ଅଷ୍ଟ କନ୍ୟା ପାଶେ ଖଟିଥାନ୍ତି ।

ଖଟ ଦୋଳି ବାଙ୍କିୟାରେ ବିଜେ ଚକ୍ରଧର

ଅଷ୍ଟ ପାଟବଂଶୀ ଉଭା ଅଛନ୍ତି ଛାମୁର ।

କର୍ପୂର ବିଡ଼ିୟା ପାନ ଭୁଞ୍ଜି ପଦ୍ମମୁଖ

ହସିଣ କହନ୍ତି ବିମ୍ବାଧରେ ଧୀର ବାକ୍ୟ ।

ବୋଲନ୍ତି ସଖୀଏ ଶୁଣ ମୋର ଯେଉଁ ବାଣୀ

ତୁମ୍ଭେ ଅଷ୍ଟ ପାଟବଂଶୀ ପିଣ୍ଡରକାରିଣୀ ।

ଏସନ ବଚନ ଯହୁଁ କହି ଭଗବାନ

ଶୁଣି କନ୍ୟାମାନେ ହେଲେ ଆନନ୍ଦିତ ମନ ।

ରୁକ୍ମଣୀ ବିଚାର କଲେ ଆପଣା ମନକୁ

ତିନିଭୁବନରେ ଲକ୍ଷ୍ୟନାହିଁ ନା ଆମ୍ଭଙ୍କୁ ।

ଆମ୍ଭର ରୂପ ନିରେଖି ପ୍ରଭୁ ଭଗବାନ

କ୍ଷଣେ ପାଶ ନ ଛାଡ଼ନ୍ତି ପ୍ରଭୁ ନାରାୟଣ ।

ଏମନ୍ତେ ଗର୍ବର କଥା ବିଚାରନ୍ତି ମନେ

ଅନ୍ତର୍ଯ୍ୟାମୀନାଥ ତାହା ଜାଣିଲେ ତକ୍ଷଣେ ।

ରୁକ୍ମଣୀଙ୍କର ମନରେ ମାୟା ଲଗାଇଲେ ।

ଆପେ ନାରାୟଣ ତହୁଁ ବିରୂପ ହୋଇଲେ ।

ଗୋବିନ୍ଦ ରୂପ ଦେଖିଣ ସର୍ବ କାମିନୀଏ

ତହୁଁ କରପତ୍ର ଯୋଡ଼ି ଜଣାନ୍ତି ବାମାଏ ।

ସାବଧାନେ ହୋଇ ତୁମ୍ଭେ ଶୁଣ ଚକ୍ରଧର

ଶ୍ୟାମବର୍ଣ୍ଣ ରୂପ ତ ଦିଶଇ ଅସୁନ୍ଦର ।

ଏଥିର କାରଣ ତୁମ୍ଭେ କହ ଦାମୋଦର

ଦେଖିକରି ଆମ୍ଭ ମନ ହେଉଛି ଅସ୍ଥିର ।

ଭୋଜନର ଚରଚା କି ନ ହୋଇଲା ସୁସ୍ଥ

ସେବା କରି ନ ପାରିଲୁ ସ୍ତିରୀ ଛାର ମାତ୍ର ।

ଫୁଲ ଚନ୍ଦନେ ତୁମ୍ଭର ଅରୁଚି ଜନ୍ମିଲା

ତେଣୁ ଭାବନାରେ ମନ ଅସୁସ୍ଥ ହୋଇଲା ।

ତୁମ୍ଭ ଦେହ ଦେଖି ମନ ହେଉଛି ବିକଳ

ଏଥିର କାରଣ ବୋଲ ମଦନ ଗୋପାଳ ।

ରୁକ୍ମଣୀ ପଚାରନ୍ତେ ଯେ କୃଷ୍ଣ ତୁନି ହେଲେ

ଗରବ ଗଞ୍ଜିବା ପାଇଁ ମନେ ବିଚାରିଲେ ।

ବ୍ରହ୍ମା ଯାହାଙ୍କର ମାୟା ଜାଣି ନ ପାରିଲା

ବୃନ୍ଦାବନରୁ ଗୋବତ୍ସା ସବୁ ହରିନେଲା ।

କମଣ୍ଡଳେ ପୁରାଇଣ ରଖେ ଯତ୍ନକରି

ଏସନ କଥା ଜାଣିଲେ ଦେବ ନରହରି ।

ଗୋପାଳ ପୁଅଙ୍କ ସଙ୍ଗେ ଯତ୍ନେ ଥିଲେ ରହି

ମାୟାକରି ଗୋବତ୍ସା ଖୋଜନ୍ତି ଭାବଗ୍ରାହୀ ।

ନ ପାଇ ଗୋବିନ୍ଦ ତାହା ଆକୁଳ ହୋଇଲେ

ଆପଣା ଅଙ୍ଗୁ ବାଳକ ବତ୍ସା ଜନ୍ମାଇଲେ ।

ଯାହାର ଯେମନ୍ତେ ବତ୍ସା ସେହିରୂପେ କରି

ସେହି ପ୍ରକାରେ ଗୋପାଳ ପୁଏ ଅବତରି ।

ବତ୍ସା ଘେନିଣ ଗୃହକୁ ଗଲେ ଦାମୋଦର

ଏ ପ୍ରକାରେ ଗତ ହେଲା କେତେହେଁକ କାଳ ।

ବତ୍ସା ଘେନି ଯାଇ ବ୍ରହ୍ମା ନିଜ ଗୃହେ ଥିଲେ

ବତ୍ସା ବାଳକଙ୍କୁ ଘେନି ଆନନ୍ଦେ ରହିଲେ ।

ତାହାଙ୍କୁ ଦେବାର କଥା ମନୁ ପାସୋରିଲେ

ଗୋବିନ୍ଦଙ୍କ ମାୟାକଥା ଜାଣି ନ ପାରିଲେ ।

ଦିନେ ବ୍ରହ୍ମା ଦେଖିଲେକ ସ୍ଵର୍ଗପୁରେ ଥାଇ

ବତ୍ସା ଚରାଉଅଛନ୍ତି ପ୍ରଭୁ ଭାବଗ୍ରାହୀ ।

ସେହି ଗୋପାଳଙ୍କ ପୁଅ ବତ୍ସମାନ ଘେନି

କଉତୁକେ ଗୋପେ ବିହରନ୍ତି ଚକ୍ରପାଣି ।

ବ୍ରହ୍ମାଙ୍କର ଆସିବାର ଜାଣିଲେ ଶ୍ରୀଧର

ବସି ବିମ୍ବାଧରେ ବଂଶୀ ବଜାନ୍ତି ସୁସ୍ଵର ।

ବିଶ୍ଵମ୍ଭର ଦେହଗୋଟି ହେଲେ ନନ୍ଦବଳା

ସପ୍ତବ୍ରହ୍ମାଣ୍ଡ ଯାକରେ ତେଜ ବିକାଶିଲା ।

ଯେଉଁ ପ୍ରଭୁ ଜଗତରେ ଅଟନ୍ତି ଠାକୁର

ବ୍ରହ୍ମା ଅବା ତାଙ୍କଠାରେ କେତେକ ମାତର ।

କୃଷ୍ଣଙ୍କର ବିଶ୍ଵରୂପ ଦେଖି ବେଦବର

ପଞ୍ଚଭୂତ ଆତ୍ମାରେ ସେ କରନ୍ତି ବିଚାର ।

ଏକେ ପ୍ରଭୁଠାରେ ମୁହିଁ ଅପ୍ରାଧ ଅର୍ଜିଲି

ବିନାଶ କାରଣେ ବତ୍ସା ଗୋପାଳ ହରିଲି ।

ଏତେ ଗୋପବାଳକ ଗୋବତ୍ସା ଜାତ କଲା

କିବା କମଣ୍ଡଳମଧ୍ୟୁ ଚୋରାଇ ଆଣିଲା ।

କିବା ବଂଶୀରେ ଡାକିଲେ ବତ୍ସା ନାମ ଧରି

କମଣ୍ଡଳୁର ଭିତରୁ ଅଇଲେ ବାହାରି ।

ବିଚାରିଣ ବ୍ରହ୍ମା କମଣ୍ଡଳକୁ ଦେଖିଲା

ଗୋପାଳ ଗୋବତ୍ସା ତହିଁ କରୁଛନ୍ତି ଲୀଳା ।

ଦେଖିକରି ବେଦବର ମହାଭୟ କଲେ

ବୃନ୍ଦାବନର ନିକଟେ ଯାଇଣ ମିଳିଲେ ।

ଦୁଇ ହାତ ଦୂରେ ଛିଡ଼ା ହେଲେ କୁଶପାଣି

ବେଦବର ଚତୁର୍ମୁଖେ ସ୍ତୁତି କଲେ ପୁଣି ।

ହେ କୃଷ୍ଣ ଗୋବିନ୍ଦ ହରି ଗୋପ ଚୂଡ଼ାମଣି

ହେ ଶ୍ୟାମ ହେ ଦାମୋଦର ପ୍ରଭୁ ବେଣୁପାଣି ।

ରାଧାକାନ୍ତ ନଟବର ହେ ମୂରଲୀଧର

ହେ ଗୋପୀନାଥ ଗୋପାଳ ମୋହନ ଠାକୁର ।

ବ୍ରହ୍ମା ଆସିବା ଗୋପାଳ ପୋଏ ନ ଜାଣିଲେ

ଶ୍ରୀକୃଷ୍ଣଙ୍କ ମାୟାରେ ସେ ସର୍ବେ ମୋହଗଲେ ।

ଶୁଣ ଆହେ ପରୀକ୍ଷ ଅମୃତ ରସବାଣୀ

ଭାଗବତ ପୁରାଣ ଏ ସୁଧାମୟ ବାଣୀ ।

କରପତ୍ର ଯୋଡ଼ି ବ୍ରହ୍ମା କରନ୍ତି ଯେ ସ୍ତୁତି

ଜଗତର ନାଥ ତୁମ୍ଭେ ଅଟ ଲକ୍ଷ୍ମୀପତି ।

ଯାହାର ଗର୍ଭେ ଅଶେଷ ବ୍ରହ୍ମାଣ୍ଡ ପୁରିଛି

ଲକ୍ଷ୍ମୀ ସରସ୍ଵତୀ ତୋର ଅର୍ଦ୍ଧାଙ୍ଗ ଅଟନ୍ତି ।

ସେମାନେ ତୋହର ମାୟା ନ ପାରନ୍ତି ଜାଣି

ମୁହିଁ କାହୁଁ ଜାଣିବି ବା ଅଜ୍ଞ ମୂଢ଼ ପ୍ରାଣୀ ।

ତୋହର ଦୈବୀ ମାୟାରେ ଈଶ୍ଵର ପୁରୁଷ

କନ୍ୟାରୂପ ଦେଖାଇଣ କଲୁ ତାଙ୍କୁ ବଶ ।

କଳି ନାରାୟଣି ତୁହି ବାଲୁକା ସ୍ଵରୂପ

ଜଗତ ଜନର ହିତେ ଧରୁ ନାନା ରୂପ ।

ଅସୁର ନିଧନେ ପ୍ରଭୂ ନାନା ରୂପ ଧରି

ମଞ୍ଚରେ ଜନମିଅଛୁ ଶଙ୍ଖ ଚକ୍ରଧାରୀ ।

ହୀନ ଅରକ୍ଷିତ ମୁହିଁ ଶ୍ରୀ ଅଚ୍ୟୁତ ଦାସ

ଘୋର ନରକରୁ ମୋତେ ରଖ ପୀତବାସ ।

 

ଷୋଳ ସହସ୍ର ଗୋପାଳୁଣୀଙ୍କର ପୂର୍ବଜନ୍ମ ବିବରଣ

ଏସନକ ସ୍ତୁତି ଯହୁଁ କରେ ବେଦବର

ବୃନ୍ଦାବନେ ଥାଇ ତାହା ଜାଣିଲେ ଶ୍ରୀଧର ।

ଗୋପୀ ମୋହନ ମୁରଲୀ ଧରିଣ ଗୋସାଇଁ

ବ୍ରହ୍ମାର ଛାମୁରେ ଉଭା ହୋଇଲେ ସେ ଯାଇ ।

ଶୂନ୍ୟପଥେ ଥାଇ ଦେଖିଲେକ ବେଦବର

ଆପଣାର ଶିରେ ନେଇ ଦେଲେ ବେନି କର ।

ଦଶ ଦୋଷ କ୍ଷମା ମୋର କରିବା ଗୋସାଇଁ

ଅନ୍ତର୍ଯ୍ୟାମୀ ନାଥ ମୋତେ କର ପାରିତ୍ରାହି ।

ବେଦବର ମୂଖରୁ ଏସନ ବାକ୍ୟ ଶୁଣି

ହସିଣ ବୋଲନ୍ତି ତହୁଁ ପ୍ରଭୁ ଚକ୍ରପାଣି ।

ତୁମ୍ଭେ ଦେବତାଏ ମୋତେ ମଞ୍ଚେ ଜନ୍ମାଇଲେ

କଂସ କେଶୀ ଦୁଷ୍ଟ ଦୈତ ସଂହାର ବୋଇଲ ।

ସେଥିଯୋଗେ ମଧୁପୁରେ ହୋଇଲି ମୁଁ ଜାତ

କଂସଡ଼ରେ ଗୋପପୁରେ ଲୁଚାଇଲା ତାତ ।

ଗୋପାଳ ପୁଅଙ୍କ ସଙ୍ଗେ ଖେଳେ ନାନାରଙ୍ଗେ

ଯହିଁରେ ଅନ୍ତର ମୋତେ କଲ ଦେବ ବୃନ୍ଦେ ।

ଗୋପାଳ ପୁଅଙ୍କୁ ଘେନି ବନ ଭୋଜି କଲି

ତୁମ୍ଭେ ବେଦବର ମୋର ବତ୍ସା ନେଲ ହରି ।

ତେନ୍ତୁଳି ଛାଟ ଘେନି ପିଟିଲେ ମୋତେ ନନ୍ଦ

ତ୍ରିଭଙ୍ଗିମା ଚୂଳ ମୋର କଲେ ଖଣ୍ଡ ଖଣ୍ଡ ।

ତୁମ୍ଭେ ଦେବତାଏ ମିଳି ସବୁ କରିପାର

ନାନାଦି ପ୍ରକାରେ ଅସୁରଙ୍କୁ ଦିଅ ବର ।

ମାରି ନ ପାରି ପଳାଇଯାଅ ଏଣେ ତେଣେ

ଅସୁର ମାଇଲେ ହତ୍ୟାଦୋଷ ଦିଅ ଏଣେ ।

ଗୋବିନ୍ଦଙ୍କ ମୁଖୁ ଏସନକ ବାକ୍ୟ ଶୁଣି

କ୍ଷଣକାଳ ସ୍ତମ୍ଭୀଭୂତ ହେଲେ କୁଶପାଣି ।

ଏତେ ଦୋଷ କଲେ ମୁହିଁ ମୋତେ କର କ୍ଷମା

ଅଖିଳ କୋଟି ବ୍ରହ୍ମାଣ୍ଡେ ଉଡ଼େ ତୁମ୍ଭ ବାନା ।

ତୁମ୍ଭ ଶ୍ରୀଚରଣେ ମୁହିଁ ଅପ୍ରାଧ କଲଇଁ

ମୋହର ଏ ଅପରାଧ ଫେଡ଼ ଭାବଗ୍ରାହୀ ।

ବତ୍ସା ଗୋପାଳ ପୁଅଙ୍କୁ ନେଇଛି ମୁଁ ହରି

ସେମାନଙ୍କୁ ତୁମ୍ଭେ ଏବେ ନିଅ ଚକ୍ରଧାରୀ ।

ବ୍ରହ୍ମାର ବଚନେ ପ୍ରଭୁ ସନ୍ତୋଷ ଭଜିଲେ

ସନ୍ତୋଷରେ ବ୍ରହ୍ମାଙ୍କୁ ସେ ନିଜ ପଦ ଦେଲେ ।

ଯେ ବତ୍ସା ବାଳକ ଦେହୁଁ ଜାତ କରିଥିଲେ

ସେହି ବତ୍ସମାନଙ୍କୁ ସେ ଅଙ୍ଗେ ଲୀନ କଲେ ।

ବ୍ରହ୍ମା ହରିଥିବା ବତ୍ସା ବନରେ ଛାଡ଼ିଲେ

ନମସ୍କାର କରି ବେଦବର ଚଳିଗଲେ ।

ଯଶୋମତୀପୁରେ ଯାଇ ହୋଇଣ ପ୍ରବେଶ

ଗୋପାଳଙ୍କ ସଙ୍ଗରେ ରହିଲେ ପୀତବାସ ।

ଜଗତ୍ପିତାଙ୍କୁ ଏସନ କଲେ ଦାମୋଦର

ସ୍ତିରୀଙ୍କର ଜନମ ବା କେତେକ ମାତର ।

ଶୁଣ ପରୀକ୍ଷିତ ହରିବଂଶର ଚରିତ

ନାନାବିଧ ପାତକ ନ ଥବ ତୁମ୍ଭ ଗାତ୍ର ।

ଏଥୁଅନନ୍ତରେ ପରୀକ୍ଷିତ ନୃପବର

ଶୁକ ମୁନିଙ୍କ ଚରଣେ କଲେ ନମସ୍କାର ।

ବୋଇଲେ ତଦନ୍ତେ କିସ ହୋଇଲା ଗୋସାଇଁ

ସାବଧାନ ହୋଇ ମୋତେ କହିବା ବୁଝାଇ ।

ଗର୍ବକଥା ଯେଣୁକରି କହିଲେ ରୁକ୍ମିଣୀ

ଗରବଗଞ୍ଜନ ବାନା ଜାଣିଲେ ସେକ୍ଷଣି ।

ରୁକ୍ମିଣୀଦେବୀଙ୍କ କଥା ଛଟକେ ମୋହିଲେ

ଅନ୍ତର୍ଯ୍ୟାମୀ ନାଥ ତାଙ୍କ ମାୟା କରାଇଲେ ।

ରୁକ୍ମିଣୀ ବୋଇଲେ ତୁମ୍ଭେ ଶୁଣ ଭାବଗ୍ରାହୀ

ଯାହା ପଚାରିଲେ ତା ନ କହିଲ ଗୋସାଇଁ ।

ତହୁଁ ଗୋବିନ୍ଦ ବୋଇଲେ ଶୁଣ ଗୋ ରୁକ୍ମିଣୀ

ଯାହା ପଚାରିଲେ ତା କହିବୁ ଏହିକ୍ଷଣି ।

ଏକ ମନ ହୋଇ ତୁମ୍ଭେ ସର୍ବନାରୀ ଶୁଣ

ଷୋଳ ସହସ୍ର ନାୟିକା ମୂଳେ ଯେତ ଜଣ ।

ସମସ୍ତଙ୍କ ସମ୍ମୁଖେ କହିବୁ ଆମ୍ଭେ ଯାହା

ମୋହଠାରେ କେହି ଜାଣ ନ କରିବ ମାୟା ।

ମଥୁରାରେ ଜନ୍ମି ଗୋପେ ବଢ଼ିଲୁ ଯୋଗାଇ

କଂସଡରେ ବସୁଦେବ ନେଲାଟି ଚୋରାଇ ।

ସେହି ଗୋପପୁର ମଧ୍ୟେ ନବଲକ୍ଷ ଗୃହ

ଗୋପାଳ ଗୋପାଳୁଣୀଏ କରିଥାନ୍ତି ସ୍ନେହ ।

ତହିଁରେ ଅଛନ୍ତି ଷୋଳସସ୍ର ଗୋପାଳୁଣୀ

ପୁରୁଷମାନେ ତାଙ୍କର ନପୁଂସକ ଜାଣି ।

ମୋହର ରୂପରେ ଗୋପାଳୁଣି ମୋହ ଗଲେ

ତାଙ୍କ ପଞ୍ଚଭୂତ ଆତ୍ମା ମତେ ତହିଁ ଦେଲେ ।

ତାଙ୍କ ମନ ବଚନେ ମୋତେହିଁ ଅନ୍ୟ ନାହିଁ

ଚନ୍ଦ୍ରସେଣା ନାମେ ତହିଁ ଗୋପାଳ ଅଛଇ ।

ତାହାର ଭାରିଯା ଅଟେ ରାଧିକା ସୁନ୍ଦରୀ

ତିନି ଭୁବନରେ ନାହିଁ ତା ସମାନ ସ୍ତିରୀ ।

ତାହାର ରୂପ ସମାନ ତୁମ୍ଭେ ନୁହ କେହି

ଚନ୍ଦ୍ରସେଣା ରାଧିକାର ଭରତା ଅଟଇ ।

ନପୁଂସକ ସେ ଅଟଇ ପୁରୁଷତ୍ଵ ନାହିଁ

ନନ୍ଦ ଲେଖାରେ ସେ ମୋର ମାତୁଳ ଅଟଇ ।

ବୃଷଭାନୁର ନନ୍ଦିନୀ ଅଟଇ ରାଧିକା

ପଦ୍ମବନ ଭିତରୁ ସେ ଜନମିଲା ଏକା ।

ତେଣୁକରି ତାହାଙ୍କୁ ଗୋ ବୋଲି କମଳିନୀ

ଏକମନେ ଶୁଣ ଆଗୋ ଭୀଷ୍ମକ ନନ୍ଦିନୀ ।

ସେହି ରାଧିକାର ସଖୀ ଦୂତିକା ଅଟଇ

ମୋ ସଙ୍ଗତେ ରାଧିକାକୁ ଭୋଟାଇଲା ନେଇ ।

ରାଧିକା ବ୍ୟତୀତ ଅନ୍ୟେ ନ ବଳଇ ମନ

ମୂରୁଛି ନ ପାରେ ଷୋଳସସ୍ର ଗୋପୀଗଣ ।

ତାହାଙ୍କ ପ୍ରେମର ଭାବ ମନରେ ପଡ଼ିଲା

ତେଣୁକରି ଆମ୍ଭଦେହ ଦୁର୍ବଳ ହୋଇଲା ।

ଶୁଣି ଅଷ୍ଟ ପାଟବଂଶୀ ହେଲେ ସ୍ତମ୍ଭୀଭୂତ

କୃଷ୍ଣଙ୍କର କଥା ତାଙ୍କୁ ଲାଗେ ଆଚମ୍ବିତ ।

ସମସ୍ତେ ମିଳି ଗୋବିନ୍ଦଠାରେ ଦୁଃଖ କଲେ

ଆପଣା ହୃଦ ମଧ୍ୟରେ କଥାନ୍ତ ବାଣ୍ଟିଲେ ।

ରୁକ୍ମିଣୀ ସତ୍ୟଭାମା ଯେ କରନ୍ତି ବିଚାର

ଆମ୍ଭଠାରୁ ରାଧିକା କି ଅଟନ୍ତି ସୁନ୍ଦର ।

ଷୋଳସସ୍ର ଗୋପୀ ଏଡ଼େ ସୁନ୍ଦରୀ ହୋଇଲେ

ମାୟାଧର ପୁରୁଷ ମୂରୁଛି ନ ପାରିଲେ ।

ଧନ୍ୟ ଗୋପାଳୁଣୀ ଏ କି ଭାଗ୍ୟ କରିଥିଲେ

ତ୍ରିଭୁବନର ନାଥଙ୍କୁ ପ୍ରେମର ମୋହିଲେ ।

ଏସନକ ବିଚାରକୁ କରି ଦୁଇ ବାମା

ଡରେ ଉତ୍ତର ନ ଦ୍ୟନ୍ତି ଗୋବିନ୍ଦର ସୀମା ।

ଏମନ୍ତ ପ୍ରକାରେ ଥୋକେ କାଳ ଗଲା ବହି

ଦିନେ ପଶା ଖେଳେ ସକ୍ରାଜିତର ତନୟୀ ।

ପ୍ରେମରସେ ଭୋଳ ହୋଇ ପରମା ସୁନ୍ଦରୀ

ଗୋବିନ୍ଦ ଚରଣ ଧରି ନମସ୍କାର କରି ।

ବୋଇଲେ ଭୋ ନାରାୟଣ ସାବଧାନେ ଶୁଣ

କଥାଏଁ ପୁଛିବୁଁ ଆମ୍ଭେ ହୁଅ ସାବଧାନ ।

ରାଧାହୁଁ ସୁନ୍ଦରୀ ନାହିଁ ଆମ୍ଭଙ୍କୁ ବୋଇଲ

ଗୋପୀଙ୍କର ରୂପକୁ ଯେ ରତି ନୁହେଁ ତୁଲ୍ୟ ।

ସେହୁ ରାଧିକା ତୁମ୍ଭର ଅଟେ ମଉଳାଣୀ

କେସନେ ତାକୁ ରମଣ କଲ ଚକ୍ରପାଣି ।

ଯେଣୁ ମାୟାଧର ତୁମ୍ଭେ ଦେଲ ହୋ ଭୁଲାଇ

ଏଣୁ ଆମ୍ଭର ମନରେ ପ୍ରତେ ହେଉ ନାହିଁ ।

ଏକଥା ବିସ୍ତାରି ମୋତେ କହିବା ବୁଝାଇ

ତେବେ ମନରେ ପ୍ରତ୍ୟୟ ହେବ ଭାବଗ୍ରାହୀ

ଗୋବିନ୍ଦ ବୋଲନ୍ତି ତୁମ୍ଭେ ଯାଅ ଏହିକ୍ଷଣି ।

ସବୁଙ୍କୁ ଡକାଇ ଆଣ କହି ଏହି ବାଣୀ ।

କାଳିନ୍ଦୀ ଜମ୍ବୁବତୀକି ସଙ୍ଗେ ଘେନି ଆସ

ତେବେ ଯେ କହିବା ଆମ୍ଭେ ସକଳ ସନ୍ଦେଶ ।

ଗୋପାଳୁଣୀ କଥାମାନ ନ ଜାଣନ୍ତି କେହି

ପ୍ରେମରସ କଥା ସବୁ କହିବୁ ବୁଝାଇ ।

ଏତେ କହି କୃଷ୍ଣ ସିଂହାସନରେ ବସିଲେ

ସତ୍ୟଭାମା ଦେବୀ ଯାଇ ଭିତରେ ପଶିଲେ ।

ରୁକ୍ମିଣୀଙ୍କ ନିକଟରେ ହେଲେ ପରବେଶ

ଦେବକୀ ପାଶେ କହିଲେ ଶ୍ରୀକୃଷ୍ଣ ସନ୍ଦେଶ ।

ଆଜ୍ଞା ଦେଇଛନ୍ତି ମୋତେ ଆସିବ ଏକ୍ଷଣି

ସଙ୍ଗେ ଘେନି ଆସିବ ଗୋ କାଳିନ୍ଦୀ ତରୁଣୀ ।

ଏହାଙ୍କର ମୂଳେ ଯେତେ ଶ୍ରୀକୃଷ୍ଣ ଘରଣୀ

ସମସ୍ତଙ୍କୁ ହକାରିଣ ଛନ୍ତି ବେଣୁପାଣି ।

ତେଣୁ ସମସ୍ତ ତରୁଣୀ ବାହାର ହୋଇଲେ

ଶ୍ରୀକୃଷ୍ଣଙ୍କର ଚରଣ ଦରଶନ କଲେ ।

ନମସ୍କାର କରି ସର୍ବେ ଭଭା ହୋଇଛନ୍ତି

ମଦନମୋହନ ରୂପ ନୟନେ ଦେଖନ୍ତି ।

ତହୁଁ ଗୋବିନ୍ଦ ବୋଇଲେ ବସ ସର୍ବ ସଖି

ତୁମ୍ଭ ପ୍ରେମ ଭାବମାନ ନ ପାରୁ ମୁରୁଛି ।

ପଞ୍ଚଭୂତ ଆତ୍ମାର ଗୋ ତୁମ୍ଭେ ମୋର ସାକ୍ଷୀ

ତୁମ୍ଭ ବ୍ୟତୀତ ମୋହର କେହି ନାହିଁ ସାକ୍ଷୀ ।

ତାହାଙ୍କର ହସ୍ତ ଧରି ବସାଇଣ ପାଶେ

କଥାବାର୍ତ୍ତା ହୁଅନ୍ତି ସେ ପ୍ରେମର ହରଷେ ।

ଗୋବିନ୍ଦ ବୋଇଲେ ତାଙ୍କୁ ବସ ସର୍ବ ସଖୀ

ତୁମ୍ଭ ପ୍ରେମ ଭାବକୁ ସେ ନ ପାରୁ ମୂରୁଛି ।

ନାରାୟଣଙ୍କ ମୁଖରୁ ଏସନକ ଶୁଣି

କରପତ୍ର ଯୋଡ଼ି ତହୁଁ କହନ୍ତି ରୁକ୍ମିଣୀ ।

ସାବଧାନ ହୋଇ ଶୁଣ ମଦନ ଗୋପାଳ

ମାୟା କଥାମାନ କିଂପା କହ ଦାମୋଦର ।

ଏହି ମାୟା କରି ତୁମ୍ଭେ ଗୋପୀଙ୍କି ମୋହିଲ

ବୃନ୍ଦାବନରେ ରହିଣ ବଂଶୀ ବଜାଇଲ ।

ମୋହି ଘେନି ଯାଅ ଷୋଳସସ୍ର ଗୋପନାରୀ

ବଂଶୀସ୍ଵରେ ରାଧିକାକୁ ମୋହିଲ ଶ୍ରୀହରି ।

ସେ ତୁମ୍ଭର ମଉଳାଣୀ ଲାଜ ନ ପାଇଲ

ବୃନ୍ଦାବନରେ ମଧ୍ୟରେ ତାହାକୁ ହରିଲ ।

ଏବେ ଛଦ୍ରମର କଥା କହ ଚକ୍ରଧର

ବୁଝାଇ କହିବା ମୋତେ ଏଥିର ବେଭାର ।

ଏହି କନ୍ୟାମାନେ ଥିଲେ ପୂର୍ବେ ବ୍ରହ୍ମଋଷି

ସ୍ତିରୀରୂପେ ବୃନ୍ଦାବନେ ଜନମିଲେ ଆସି ।

ଏହା ଶୁଣିଣ ପୁଚ୍ଛନ୍ତି ଭୀଷ୍ମକ କୁମାରୀ

ଏହି ଚରିତ ଆମ୍ଭଙ୍କୁ କହ ଶିରୀହରି ।

ରୁକ୍ମିଣୀ ପୁଚ୍ଛା କରନ୍ତି ଶ୍ରୀହରି କହନ୍ତି

ଏକମତ ହୋଇ ଶୁଣ ପରୀକ୍ଷ ନୃପତି ।

ଏଥୁଅନନ୍ତରେ ତୁମ୍ଭେ ଶୁଣ ଦିବ୍ୟ ରସ

ଗୋବିନ୍ଦ ଲୀଳା ଆଖ୍ୟାନ ଶ୍ରୀହରିର ବଂଶ ।

ପୂର୍ବେ ତ୍ରେତୟା ଯୁଗରେ ରାମ ଅବତାରେ

ନାରାୟଣ ଅବତାର ହେଲେ ମର୍ତ୍ତ୍ୟପୁରେ ।

ଯେଣୁକରି ଅସୁର ହୋଇଲେ ବଳୀୟାର

ଦେବତାମାନଙ୍କୁ କଷ୍ଟ ଦେଲେକ ଅପାର ।

କ୍ଷୀର ସମୁଦ୍ରରେ ନାରାୟଣ ଶୋଇଥିଲେ

ଦେବତା ଗୁହାରି କରୁଁ ଉଠିଣ ବସିଲେ ।

ତୁମ୍ଭେମାନେଟି ଗୁହାରି କିଂପା ଆସି କର

ଦେବତା ବୋଇଲେ ଦୈତ ହେଲେ ବଳୀୟାର ।

ଅସୁରଙ୍କ ଭୟେ ସ୍ଵର୍ଗେ ନ ପାରିଲୁ ରହି

ବେଳେ ରକ୍ଷାକର ତୁମ୍ଭେ କମଳାର ସାଇଁ ।

ନାରାୟଣ ପୁଚ୍ଛାକଲେ କାହୁଁ ହେଲେ ଜାତ

କାହାର ବଳେ ସେମାନେ ଏଡ଼େ ବଳବନ୍ତ ।

ବିଶ୍ରବା ଋଷିର କୁଳେ ଲଭିଛନ୍ତି ଜନ୍ମ

ରାବଣ ନାମ ତାହାର ଅଟେ ଅନୁପମ ।

ଜଗତର ପିତା ତାକୁ ଦେଇଛନ୍ତି ବର

ଛପନଗଣ୍ଡା ଯୁଗକୁ ଆୟୁଷ ତାହାର ।

ଖଡ଼୍‌ଗେ ନ ଛିଡ଼ଇ ଅନଳରେ ନ ପୋଡ଼ଇ

ମୁଣ୍ଡ ଛିଡ଼ିଗଲେ ପୁଣି ଆସିଣ ଲାଗଇ ।

ଏସନ ପ୍ରକାର ତାର ନୁହଇ ମରଣ

ଏଥିର ଉପାୟ ତୁମ୍ଭେ କର ନାରାୟଣ ।

ଦେବତାଙ୍କର ବିକଳ ଦେଖି ଜଗନ୍ନାଥ

ମନର ଚିନ୍ତା ବହୁତ କଲେ ଆଦିନାଥ ।

ବୋଇଲେ ମର୍ତ୍ତ୍ୟପୁରରେ ଲଭିବୁ ଜନମ

ଅସୁରଙ୍କୁ ନିଶ୍ଚେ ଆମ୍ଭେ କରିବୁ ନିଧନ ।

ଦେବଗଣଙ୍କୁ ମେଲାଣି ଦେଲେ ନିରଞ୍ଚନ

ମର୍ତ୍ତ୍ୟପୁରେ ପ୍ରଭୁ ଆସି ଲଭିଲେ ଜନମ ।

ଅଯୋଧ୍ୟା କଟକେ ଦଶରଥ ରାଜା ଘରେ

ରାମ ଲକ୍ଷ୍ମଣ ଭରତ ଶତ୍ରୂଘ୍ନ ରୂପରେ ।

ଚତୁର୍ଦ୍ଧା ରୂପରେ ହରି ହେଲେ ଅବତାର

ବାଳକାଳେ ଯଜ୍ଞରକ୍ଷା କଲେ ଚକ୍ରଧର ।

ତଦନ୍ତରେ ମିଥିଳାକୁ ବିଭାହୋଇ ଗଲେ

ଜନକ ଗୃହରେ ଶିବଧନୁକୁ ଭାଙ୍ଗିଲେ ।

ଲକ୍ଷେ ନରପତିଙ୍କର ମୁଖେ କାଳି ଦେଇ

ସୀତା ସତୀଙ୍କି ବିବାହ ହେଲେ ଭାବଗ୍ରାହୀ ।

ତହୁଁ ଆସି ପର୍ଶୁରାମେ ବାଟରେ ଜିଣିଲେ

ବଇଷ୍ଣବା ଧନୁ ପର୍ଶୁରାମ ସମର୍ପିଲେ ।

ତଦନ୍ତରେ ଅଯୋଧ୍ୟାରେ ହୋଇଲେ ପ୍ରବେଶ

ସୀତା ଘେନି ଥୋକେ ଦିନ ରହି ରଘୁଶିଷ୍ୟ ।

ଏମନ୍ତେଣ ଦଶରଥ ପାତ୍ର ମନ୍ତ୍ରୀ ଘେନି

ରାମେ ରାଜା କରିବାକୁ ବିଚାରିଲେ ପୁଣି ।

ଜ୍ୟୋତିଷ ରାଇଣ ଶୁଭଲଗ୍ନ ଖୋଜାଇଲେ

ଖୋଜି ଖୋଜି ଶୁଭଦିନ କେବ ନ ପାଇଲେ ।

ରାମଚନ୍ଦ୍ର ରାଜା ହେବେ ଶୁଭିଲା ନଗ୍ରରେ

ଦେବଦୂତ ମନ୍ଥରା ଥିଲାକ ରାଜପୁରେ ।

କୈକେୟୀର ଅଟଇ ସେ ପ୍ରିୟ ସହଚରୀ

ରାମ ରାଜା ହେବା କଥା ଜଣାଏ ଚତୁରୀ ।

କୈକେୟୀ ଏ ବାଣୀ ଶୁଣି ଆନନ୍ଦିତ ହେଲେ

ବଧାଇ ରୂପେ ତାହାକୁ ଧନ ରତ୍ନ ଦେଲେ ।

ସତେ କଣ ରାମଚନ୍ଦ୍ର ହେବେ ନୃପବର

ଆହୁରି ବଧାଇ ତୋତେ ଦେବଇଁ ଅପାର ।

ଏହା ଶୁଣିଣ ତାହାର ସାହସ ଉଡ଼ିଲା

ଦେବଙ୍କ କାର୍ଯ୍ୟ ନୋହିବ ମନେ ବିଚାରିଲା ।

ବହୁତ ପ୍ରକାରେ ତାଙ୍କୁ କହିଲା ମଣାଇ

ସେ କଥାକୁ କାନ ଦେଲେ ନାହିଁ ମହାଦେଈ ।

ଯେଣୁକରି ମହାଦେଈ ସମ୍ମତ ନୋହିଲେ

ସ୍ଵର୍ଗେ ଶଚୀପତି ଥାଇ ସେ କଥା ଜାଣିଲେ ।

ସଭା ମଣ୍ଡାଇଣ ଇନ୍ଦ୍ର ବସିଲେ ସ୍ଵର୍ଗରେ

ମନ୍ଥରାକୁ ପଠାଇଲୁ ଦଶରଥ ଘରେ ।

ବହୁ ପ୍ରକାରେ ମଣାଇ କହିଲା ତରୁଣୀ

କେଭେ ନ ମାନଇ ଦଶରଥର ଘରଣୀ ।

ଅଧର୍ମର କଥା ସେ ନ ଜାଣଇ କୈକେୟୀ

ମନ୍ଥରାର ବୋଲ ସେହୁ କେଭେ ମାନଇ ।

କିସ ଉପାୟ କରିବା ଏବେ ଦେବତାଏ

ବିଚାର କରିଣ ବୋଲ ସକଳ ବିଷୟେ ।

ଇନ୍ଦ୍ରଙ୍କର ବଚନରେ କହେ ବୃହସ୍ପତି

ସାବଧାନ ହୋଇ ତୁମ୍ଭେ ଶୁଣ ସୁରପତି ।

ଆମ୍ଭର ପାଇଁ ମନ୍ଥରା କହିଲାକ ମିଛ

ତା କଥାରେ ଅନ୍ତର ନ ମଣଇ ପ୍ରତ୍ୟକ୍ଷ ।

ଏବେ ଖଳବଳ ତାଙ୍କଠାକୁ ଚଳିଯାନ୍ତୁ

କୈକେୟୀ ଦେହରେ ଦୁହେଁ ବିଶ୍ରାମ କରନ୍ତୁ ।

ଦେବତାଏ ଖଳ ବଳ ଦୁହିଁଙ୍କି ରାଇଲେ

ମଞ୍ଚପୁରେ ଯାଅ ବୋଲି ତାଙ୍କୁ ଆଜ୍ଞା ଦେଲେ ।

ଆଜ୍ଞା ପାଇଣ ଚଳିଲେ ସେହି ଖଳ ବଳେ

ଅଯୋଧ୍ୟା କଟକେ ଯାଇ ମିଳିଲେ ତତ୍କାଳେ ।

କୈକେୟୀ କଣ୍ଠରେ ଖଳ ଯାଇଣ ବସିଲା

ବଳ ଯାଇ ଦଶରଥ ହୃଦେ ସମ୍ଭାଇଲା ।

ନଗ୍ର ବୁଲି ଯାଇଥିଲା ମନ୍ଥରା ତରୁଣୀ

କୈକେୟୀ ଆଗରେ ଆସି ମିଳିଲା ତକ୍ଷଣି ।

କୈକେୟୀ ପୁଛିଲା ମନ୍ଥରାକୁ ଥିଲୁ କାହିଁ

ସେ ବୋଇଲା ତୋତେ ମୁହିଁ କିସ କହିବଇଁ ।

ଖାଇବାର ଭାତ ତୁ ପରକୁ ଦେଉ ଯାଚି

ନିଜେ ପୁତ୍ରେ ଛାଡ଼ି ପୁତ୍ର କାଖାଉ ମୃଗାକ୍ଷି ।

ଶ୍ରୀରାମ ଯଦ୍ୟପି ରାଜା ହେବେ ଅଯୋଧ୍ୟାରେ

ତୋର ପୁତ୍ର ରାମଙ୍କୁ ଖଟିବ ନିରନ୍ତରେ ।

ଦୋଷ ଦେଖି ରାମ ଭରତକୁ ଦଣ୍ଡ ଦେବେ

ତୋହର ପୁତ୍ର ପାଇକ ସଙ୍ଗତରେ ଥିବେ ।

ଯେଣୁ ଖଳ ପୁରୁଷ କେକେୟୀ ହୃଦେ ଥିଲା

ମନ୍ଥରା ବାକ୍ୟ ଅମୃତ ପରାୟେ ମଣିଲା ।

ଆଜ ରାତ୍ରେ ରାଜାଙ୍କୁ ମୁଁ ସତ୍ୟ କରାଇବି

ଭରତକୁ ଅଯୋଧ୍ୟାରେ ରାଜପଣ ଦେବି ।

ସୁମନ୍ତ୍ରକୁ ରାଇ ଦଶରଥ ଆଜ୍ଞା ଦେଲେ

ଅଭିଷେକ ଦ୍ରବ୍ୟମାନ ଅଣାଅ ବୋଇଲେ ।

ରାଜା ଆଜ୍ଞାରେ ସୁମନ୍ତ୍ର ତହୁଁ ଚଳିଗଲା

ଅଭିଷେକ ଦ୍ରବ୍ୟମାନ ସବୁ ଅଣାଇଲା ।

କାଲି ପ୍ରଭାତର ରାମ ହେବେ ନୃପବର

ନଗରେ ଘୋଷଣା ଦିଆଇଲେ ତତପର ।

ରାଜାର ଆଜ୍ଞାରେ ମନ୍ତ୍ରୀ ସବୁ ଭିଆଇଲା

ନଗର ପୁରଯାକରେ ଘୋଷଣା ଶୁଭିଲା ।

ଏଥୁ ଅନନ୍ତରେ ପୁଣି ଶୁଣ ହୋ ବିଧାନ

କୈକେୟୀ ପୁରେ ପ୍ରବେଶ ହେଲେ ନୃପରାଣ ।

ମଥାପୋତି କଇକେୟୀ ବସି କାନ୍ଦୁ ଅଛି

ନୃପତିକି ମଥା ଟେକି ନ କହଇ କିଛି ।

ମନ୍ଥରାକୁ ଡକାଇଣ ପୁଛେ ନୃପରାୟ

କଇକେୟୀର ଦୁଃଖରେ ଦେହ ମୋର କାୟ ।

ଦଶରଥ ପୁଚ୍ଛା କଲେ ମନ୍ଥରା ତୁ ଶୁଣ

ଭରତ ଜନନୀ କିପାଁ କରନ୍ତି କ୍ରନ୍ଦନ ।

ଶ୍ରୀରାମ ରାଜା ହୋଇବେ ଜାଣ ଆଜଦିନ

ଉତ୍ସବ କାଳେ ବିରସ କିପାଇଁ ବଦନ ।

ମନ୍ଥରା ବୋଲେ ଅନେକ ଦିନୁ କାନ୍ଦୁଅଛି

ଏଥିର କାରଣ ମୁଁ ତ ନ ଜାଣଇ କିଛି ।

ଦଶରଥ ବୋଇଲେ ଗୋ ତାହାଙ୍କୁ ପଚାର

କିପାଁ କ୍ରନ୍ଦନ କରନ୍ତି ଉତ୍ସବ ଦିନର ।

ମନ୍ଥରା ବୋଇଲା କିପାଁ କାନ୍ଦୁ ମହାରାଣୀ

ମଥା ଟେକି କଥା କିପାଁ ନ କହୁ ତରୁଣି ।

ତହୁଁ କୈକେୟୀ ବୋଇଲା ପୌରୁଷ ବଚନେ

କେଭେଁ ପ୍ରତେ ନ କରିବ ଆପଣାର ମନେ ।

ପୂର୍ବେ ତିନିବର ମୋତେ ରାଜା ଦେଇଥିଲା

ଏକବର ଆଜି ଯାଏ ମୋତେ ସେ ନ ଦେଲା ।

ଏକଥା ଶୁଣି ନୃପତି ବୋଲନ୍ତି ବଚନ

ଏବେ ଯାହା ମାଗିବ ତା ଦେବି ଏହିକ୍ଷଣ ।

ସତ୍ୟକରି ବଚନ ମୁଁ କହିଅଛି ଯାହା

କେବେହେଁ ଅନ୍ୟଥା ମୁହିଁ ନ କରିବି ତାହା ।

ନରପତିଙ୍କର ରାଣୀ ନିଷ୍ଠା ବାକ୍ୟ ଶୁଣି

ବୋଇଲା ଭରତେ ରାଜା କର ନୃପମଣି ।

ଶ୍ରୀରାମ ବନକୁ ଯିବେ ଚଉଦ ବରଷ

ଅଯୋଧ୍ୟା କଟକେ ରାଜା ହେବ ମୋର ଶିଷ ।

ଏସନକ ବର ମୋତେ ଦିଅ ନୃପବର

ତୋହର ବର ଦେବାର ହେବ ପୁରସ୍କାର ।

ଯେବଣ ବଳ ପୁରୁଷ ହୃଦେ ବସିଥିଲା

ଖଳ ପୁରୁଷ ତାହାକୁ ବେଗେ ଚେତାଇଲା ।

ଖଳବଳ ଦୁହେଁ ଯାକ ହେଲେ ଏକ ମେଳ

ତେଣୁକରି କାର୍ଯ୍ୟ ସିଦ୍ଧ ହେଲା ଦେବଙ୍କର ।

ରାଣୀର ବଚନେ ରଜା ସ୍ତବଧ ହୋଇଲା

କ୍ଷଣକାଳ ସ୍ତମ୍ଭୀଭୂତ ହୋଇଣ ରହିଲା ।

ତାଳୁରେ ପାଣି ପଶିଲେ ଯେହ୍ନେ ହୁଏ ପ୍ରାଣୀ

ତେସନକ ପରକାରେ ହେଲେ ନୃପମଣି ।

କୈକେୟୀକି ବୋଇଲେ ତୁ ମନ୍ଦକୃତ୍ୟ କଲୁ

ରାମଚନ୍ଦ୍ର ଭରତକୁ ଭିନ୍ନ କରାଇଲୁ ।

ଯାହା ହେବାର ତା ହେଲା ସତ୍ୟ କରିଛଇଁ

ଏତେବେଳେ ତାହା ନାସ୍ତି କରି ନ ପାରଇ ।

ରାମଚନ୍ଦ୍ର ଚଉଦ ବରଷ ବନେ ଯାଉ

ଭରତ ଅଯୋଧ୍ୟାପୁରେ ନୃପତି ବୋଲାଉ ।

ଏତେକ ବୋଲିଣ ରାଜା ପଲଙ୍କେ ବସିଲା

କଇକେୟୀ ରାଣୀ ଯାଇ ଚରଣେ ଖଟିଲା ।

ଏହି ପରକାରେ ତହୁଁ ରାତ୍ର ଗଲା ପାହି

ଅଭିଷେକ ଦ୍ରବ୍ୟମାନ ସୁମନ୍ତ୍ର ଅଣାଇ ।

ଦେଖିଲା ସେ ନରପତି ମୌନେ ଛନ୍ତି ବସି

କରପତ୍ର ଯୋଡ଼ି ମନ୍ତ୍ରୀ ବଚନ ପ୍ରକାଶି ।

ଅଭିଷେକର ବେଳ ଯେ ହେଉଛି ଉଛୁର

କାହିଁ ପାଇଁ ସମସ୍ୟା ନ ଦିଅ ନୃପବର ।

ମନ୍ତ୍ରୀର ବଚନେ ବୋଲେ କଇକେୟୀ ରାଣୀ

କାଲି ତିନିବର ଦେଇଛନ୍ତି ନୃପମଣି ।

ରାମଚନ୍ଦ୍ର ଚଉଦ ବରଷ ବନେ ଯିବ

ଭରତ ଅଯୋଧ୍ୟାପୁରେ ନୃପତି ହୋଇବ ।

ଉପରୋଧ କରି କଥା ନ ପାରନ୍ତି କହି

ମଉନ ହୋଇଣ ବସିଛନ୍ତି ନୃପସାଇଁ ।

ମନ୍ତ୍ରୀକି ଚାହିଁଣ ରାଜା ଏସନ କହିଲେ

ରାମଙ୍କୁ ହକାରିବାକୁ ମନ୍ତ୍ରୀକି ବୋଇଲେ ।

ଅତିବେଗେ ମନ୍ତ୍ରୀବର ତହୁଁ ଚଳିଗଲା

ବଶିଷ୍ଠ ଋଷିଙ୍କି ସବୁ ଚରିତ କହିଲା ।

ଶ୍ରୀରାମଚନ୍ଦ୍ରଙ୍କ ପାଶେ ପ୍ରବେଶିଲା ଯାଇ

ରାଜାଙ୍କ ଆଦେଶ ତୁମ୍ଭେ ଚଳ ବେଗ ହୋଇ ।

ଶୁଣିକରି ରାମଚନ୍ଦ୍ର ଉଠିଲେ ବହନ

ଦଶରଥଙ୍କ ଛାମୁରେ ମିଳିଲେ ତକ୍ଷଣ ।

ନୃପତିଙ୍କି ଦେଖି ରାମ ନମସ୍କାର କଲେ

ଆପଣାର ଶିରେ ନେଇ ପାଦଗୋଟି ଦେଲେ ।

ଦଶରଥ ବୋଲନ୍ତି ରେ ରାମଚନ୍ଦ୍ର ଶୁଣ

ଚଉଦ ବରଷ ତୁହି ଯିବୁ ଘୋରବନ ।

ଭରତ ଅଯୋଧ୍ୟାପୁରେ ନୃପତି ହୋଇବ

ଯାହା ତୋହର କର୍ମରେ ଲେଖିଛି ଦଇବ ।

ଏତେ କହି ନରପତି ମଉନ ହୋଇଲେ

ଦୁଃଖଭରେ ରାମଚନ୍ଦ୍ରେ ଏରୂପେ କହିଲେ ।

ଶ୍ରୀରାମଚନ୍ଦ୍ର ବୋଇଲେ ନ ଭାଳ ହୋ ରାୟେ

ଚଉଦ ବରଷ ବନେ ଯିବଇଁ ନିଶ୍ଚୟେ ।

ପିତାଙ୍କ ପୟରେ ନମି ହୋଇଲେ ବାହାର

ଯାଇଣ ମିଳିଲେ ବେଗେ କୌଶଲ୍ୟାର ପୁର ।

ମାତାଙ୍କର ମୁଖ ଚାହିଁ ଓଳଗି ହୋଇଲେ

ବନକୁ ଯିବାର କଥା ତାହାଙ୍କୁ ବୋଇଲେ ।

ଭରତ ଅଯୋଧ୍ୟାପୁରେ ହେବ ନୃପବର

କୈକେୟୀ ରାଣୀ ପିତାଙ୍କୁ ମାଗିଲେ ଏ ବର ।

ଶୁଣିକରି କଉଶଲ୍ୟା ହୋଇଲେ ବିକଳ

କାହିଁ ପାଇଁ ବନବାସ ଯିବୁ ରେ କୁମର ।

ରାମ ବୋଇଲେ ପିତାର ବାକ୍ୟ ନ ଲଙ୍ଘଇ

ଚୌଦବରଷ ବନକୁ ଅବଶ୍ୟ ଯିବଇଁ ।

ମାତାଙ୍କୁ ଓଳଗି ତହୁଁ ଶୀଘ୍ର ଚଳିଗଲେ

ସୀତାଙ୍କ ପୁରୀରେ ଯାଇ ପ୍ରବେଶ ହୋଇଲେ ।

ବୋଇଲେ ସଖି ଗୋ ଥାଅ ନିଶ୍ଚିନ୍ତରେ ରହି

ଚୌଦବର୍ଷ ପାଇଁ ମୁହିଁ ବନକୁ ଯିବଇଁ ।

ଏମନ୍ତ ବୋଲିଣ ପିତା ଆଜ୍ଞା ଦେଲେ ମୋତେ

କଳି ନ କରିବ ଶାଶୁମାନଙ୍କ ସଙ୍ଗତେ ।

ଏହି କଥା ଶୁଣି ସୀତା ଦୁଃଖିତ ହୋଇଲେ

ମୁହିଁ ତୁମ୍ଭ ସଙ୍ଗେ ଯିବି ଜାଣିଥାଅ ଭଲେ ।

ତୁମ୍ଭେଗଲେ ମୁହିଁ ନିଶ୍ଚେଁ ଛାଡ଼ିବି ଜୀବନ

ମୋତେ ଛାଡ଼ିକରି ତୁମ୍ଭେ ଯାଅନାହିଁ ବନ ।

ଜଳ ତେଜିଣ ମୀନ କି ବଞ୍ଚଇ ଭୋ ନାଥ

ତୁମ୍ଭେ ଛାଡ଼ିଗଲେ ମୁହିଁ ହୋଇବି ଅନାଥ ।

ସୀତାର ମୁଖରୁ ରାମ ଏସନକ ଶୁଣି

ତାଙ୍କ ହସ୍ତ ଧରିଣ କହନ୍ତି ରଘୁମଣି ।

ଏମନ୍ତେ ସୁମିତ୍ରା ମାତା ପାଇଲେ ବାରତା

ବୋଇଲେ ବନକୁ ନ ଯାଅ ତୁ ରଘୁଜିତା ।

ଶ୍ରୀରାମ ବୋଇଲେ ପିତା ବାକ୍ୟ ନ ଲଙ୍ଘଇ

ଆଗୋ ମାତ ନିଶ୍ଚେଁ ମୁହିଁ ବନକୁ ଯିବଇଁ ।

ବଚନ ନ ଲଙ୍ଘି ନିଶ୍ଚେଁ ଯିବି ଘୋର ବନ

ଚଉଦ ବରଷ ମୁହିଁ ରହିବି ଅରଣ୍ୟ ।

ଶ୍ରୀରାମ ବଚନ ଦୃଢ଼ କରି ରାଣୀ ଶୁଣି

ଭିତର ପୁରକୁ ଚଳିଗଲେ ଯୋଷାମଣି ।

ଲକ୍ଷ୍ମଣଙ୍କୁ ସଜକରି ତ୍ଵରିତ ଆଣିଲେ

ରାମ ସଙ୍ଗେ ଅରଣ୍ୟକୁ ଯିବାକୁ କହିଲେ ।

ସୀତା ଲକ୍ଷ୍ମଣ ଦୁହିଁଙ୍କୁ ସଙ୍ଗତରେ ଘେନି

ବନକୁ ଗମନ କଲେ ପ୍ରଭୁ ରଘୁମଣି ।

ସୁମନ୍ତ୍ର ସରଯୁ କୂଳେ ଛାଡ଼ିଣ ଅଇଲେ

ତୁଚ୍ଛା ରଥ ଘେନି ଅଯୋଧ୍ୟାରେ ପ୍ରବେଶିଲେ ।

ଦଶରଥ ନୃପତିଙ୍କୁ କଲେ ଦରଶନ

ହା ହା ରାମ ବୋଲି ପ୍ରାଣ ଛାଡ଼ିଲେ ରାଜନ ।

ଶୁଣ ଆଗୋ ଶଶୀମୁଖି ଭୀଷ୍ମକ ନନ୍ଦିନୀ

ସରଯୂ ପାର ହୋଇଣ ଗଲେ ରଘୁମଣି ।

ଗୁହକ ଶବରେ ଯାଇ ବାଟରେ ଭେଟିଲେ

ତାହାର ସହିତେ ରାମ ମିତ୍ରପଣ କଲେ ।

ବଟ କ୍ଷୀର ଘେନି ବାନ୍ଧିଲେକ ଜଟାଭାର

ତଦନ୍ତରେ ତହୁଁ ଚଳିଗଲେ ରଘୁବୀର ।

ଚିତ୍ରକୁଟ ଗିରିରେ ପ୍ରବେଶ ହେଲେ ଯାଇ

ଥୋକେଦିନ ସେଠାରେ ରହିଲେ ରଘୁସାଇଁ ।

ମୃଗ ମାରିଣ ପ୍ରତ୍ୟହ କରନ୍ତି ଆହାର

କନ୍ଦମୂଳ ଭକ୍ଷି ସୁସ୍ଥ ରଖନ୍ତି ଶରୀର ।

ରାମ ବନଯିବା ଭରତକୁ ଜଣା ନାହିଁ

ବେନି ସହୋଦର ଥିଲେ ଅଜାଘରେ ରହି ।

ଦଶରଥ ମୃତ୍ୟୁକଥା ବଶିଷ୍ଠ ଶୁଣିଲେ

ସୁମନ୍ତ୍ରକୁ ଡାକି ସେହୁ ବିଚାର କରିଲେ ।

ତଇଳ କୁଣ୍ଡରେ ଶବ ଦେହକୁ ପକାଇ

ଗୁପତ କରିଣ ତହିଁ ରଖିଲେ ଲୁଚାଇ ।

ଭରତେ ଆଣିବା ପାଇଁ ଚାର ପଠାଇଲେ

ତତ୍ପର ହୋଇ ବିଶିଷ୍ଠ ତାଙ୍କୁ ଅଣାଇଲେ ।

ସବୁକଥା ବୁଝାଇଣ ଦୁହିଁଙ୍କୁ କହିଲେ

ଶୁଣି ଭରତ ଶତ୍ରୁଘ୍ନ ବିକଳ ହୋଇଲେ ।

ମାତାଙ୍କୁ ଝିଙ୍ଗାସି ସେହୁ ବହୁତ କହିଲେ

ପୁଣି ମନ୍ତ୍ରରାକୁ ବହୁଦଣ୍ଡ ସେ ବିହିଲେ ।

ପିତାଙ୍କ ଶବକୁ ଅନଳରେ ଦାହ କରି

ଦଶଦିନ କ୍ରିୟାଯାକ ବିଧିମତେ ସାରି ।

ଅନେକ ଦାନ ଧ୍ୟାନ ଯେ କଲେ ଭ୍ରତବୀର

ବିଧି ବିଧାନରେ କ୍ରିୟା ସାରିଲେ ସକଳ ।

ଏମନ୍ତେ ଚଉଦ ଦିନ ଯହୁଁ ବହିଗଲା

ବଶିଷ୍ଠଙ୍କୁ ଘେନିଣ ଭରତ ବିଚାରିଲା ।

ବୋଇଲା ଭରତ ବୀର ରାମ ଛନ୍ତି କାହିଁ

ଏହି କଥା ମୋତେ କହ ବଶିଷ୍ଠ ଗୋସାଇଁ ।

ତହୁଁ ବଶିଷ୍ଠ ବୋଇଲେ ଶୁଣ ହୋ ଭରତ

ଚିତ୍ରକୂଟରେ ଅଛନ୍ତି ରଘୁକୁଳନାଥ ।

ଥାଟ ସଜକର ଆମ୍ଭେ ଯିବା ବେଗେ ଚଳି

ଲେଉଟାଇ ଆଣିବାକ ତହୁଁ ଚାପଧାରୀ ।

ସାଜସଜ୍ଜା କରି ଥାଟ ନେଲେ ତତକ୍ଷଣେ

ଚିତ୍ରକୂଟେ ଯାଇ ମିଳିଲେକ ତିନିଦିନେ ।

ଶ୍ରୀରାମଚନ୍ଦ୍ରଙ୍କୁ ତହିଁ ପାଇଲେକ ଭେଟ

ଆଗୁ ହୋଇ ତାଙ୍କଠାରେ ମିଳିଲେ ବଶିଷ୍ଠ ।

ପଛରେ ଯାଇ ଭରତ ଦରଶନ କଲେ

ଗଡ଼ଘାଲି ରାମଙ୍କର ଚରଣେ ଶୋଇଲେ ।

ପିତା ମୃତ୍ୟୁବାରତା ପାଇଣ ରଘୁସାଇଁ

ବହୁତ କ୍ରନ୍ଦନ କଲେ ଶିରେ ହସ୍ତେ ଦେଇ ।

ମନ୍ଦାକିନୀ ଜଳେ ଯାଇଁ କଲେକ ସ୍ନାହାନ

ଛତୁ ପିଣ୍ଡ ତହୁଁ ଦେଲେ ପ୍ରଭୁ ରଘୁରାଣ ।

ପିଣ୍ଡ ଦେଇଣ ସେଠାରୁ ଶ୍ରୀରାମ ଅଇଲେ

ରାଜ୍ୟ ଛାଡ଼ି କିପାଁ ଆସ ଭରତେ ପୁଛିଲେ ।

ବିଶିଷ୍ଠ ବୋଇଲେ ଶୁଣ ଆହେ ରଘୁନାଥ

ମାତାମାନେ ଆସିଛନ୍ତି ବେଗ ହୋଇ ଦେଖ ।

ମାତାଙ୍କୁ ଦେଖିଣ ରାମ ଓଳଗି ଶୋଇଲେ

ସେମାନେ ତାହାଙ୍କୁ ଦେଖି କଲ୍ୟାଣ ବାଞ୍ଛିଲେ ।

ସୁମନ୍ତ୍ର ବୋଇଲେ ଶୁଣ ଆହେ ରାମ ରାଣ

ଭରତ ଆସିଅଛନ୍ତି ଯେବଣ କାରଣ ।

ଅଯୋଧ୍ୟାକୁ ଫେରି ଚାଲ ଆହେ ରାମରାଣ

ନୃପତିପଣକୁ ତୁମ୍ଭେ ଅଟ ହେ ଭାଜନ ।

ଶ୍ରୀରାମ ବୋଇଲେ ଏହା କେବେହେଁ ନୁହଇ

ପିତାଙ୍କ ସତ୍ୟ ବଚନ ଲଙ୍ଘି ନ ପାରଇ ।

ଚୌଦ ବର୍ଷ ନ ପୁରିଲେ କେଭେ ଯିବି ନାହିଁ

ଏହି କଥା ଗୋଟି ମୋର ମନକୁ ନ ପାଇ ।

ଶ୍ରୀରାମଙ୍କ ଦୃଢ଼ ବାକ୍ୟ ଶୁଣି ଭ୍ରତବୀର

ତାଙ୍କୁ ବୁଝାଇ କହିଲେ ଅନେକ ପ୍ରକାର ।

କେବେହେଁ ସେ ରାମଚନ୍ଦ୍ର ସମ୍ମତ ନୋହିଲେ

ଦେବକାର୍ଯ୍ୟ ପାଇଁ ସେହୁ ନିଷ୍ଠୁର ହୋଇଲେ ।

ରାମ ବୋଇଲେ ଭରତ ବେଗେ ଏଥୁ ଯାଅ

ଅଯୋଧ୍ୟା କଟକେ ଯାଇ ନୃପତି ତୁ ହୁଅ ।

ଚଉଦ ବରଷ ମୁହିଁ ପିତା ସତ୍ୟ ପାଳି

ତଦନ୍ତରେ ନୃପତି ହୋଇବ ତପଶାଳି ।

ଶ୍ରୀରାମଙ୍କ ବଚନ ଜାଣିଣ ମୁନିବର

ବୋଲେ ଦେବକାର୍ଯ୍ୟ ଏଥେ ହୋଇବ ଅପାର ।

ଶ୍ରୀରାମ କାଷ୍ଠ ପାଦକୁ ଭରତକୁ ଦେଲେ

ଏହା ସ୍ଥାପି ରାଜ୍ୟ ତୁମ୍ଭେ କର ଯାଇ ଭଲେ ।

ସେ ପାଦୁକାକୁ ଘେନିଣ ଭରତ ଫେରିଲେ

ନନ୍ଦି ଗ୍ରାମରେ ଯାଇଣ ପ୍ରବେଶ ହୋଇଲେ ।

ଶ୍ରୀରାମଙ୍କର ପାଦୁକା ସିଂହାସନେ ଥୋଇ

ଉଦାସ ରୂପେ ଭରତ ରାଜତ୍ଵ କରଇ ।

ଚିତ୍ରକୂଟ ପର୍ବତରେ ଶ୍ରୀରାମ ରହିଲେ

ସୀତା ଲକ୍ଷ୍ମଣଙ୍କୁ ଘେନି ତହୁଁ ଚଳିଗଲେ ।

ଦଣ୍ଡକାରଣ୍ୟରେ ଯାଇ ହୋଇଲେ ପ୍ରବେଶ

ସେ ବନରେ ଦେଖିଲେକ ବହୁ ମୃଗଶିଷ ।

ନିତି ମୃଗ ଶମ୍ବରାଦି ମାରିଣ ଆଣନ୍ତି

ରନ୍ଧନ ଭୋଜନ କରି ଦିବସ ବଞ୍ଚନ୍ତି ।

କେତେକ ଦିନ ସେଠାରେ ରହି ରଘୁରାଣ

ଅତିସୁଖେ ଦିନ କଟାଇଲେ ତିନିଜଣ ।

ତହୁଁ ରାମ ଅରଣ୍ୟରେ ବୁଲିବାକୁ ଗଲେ

ଋଷିମାନଙ୍କ ମଢ଼ିୟା ଯାଇଣ ଦେଖିଲେ ।

ଦେଖିଲେ ଋଷିଏ ତହିଁ ଆନନ୍ଦରେ ଛନ୍ତି

ତାହା ଦେଖି ନିକଟେ ମିଳିଲେ ରଘୁପତି ।

ସେମାନଙ୍କୁ ରାମଚନ୍ଦ୍ର କଲେ ନମସ୍କାର

ସୀତା ଲକ୍ଷ୍ମଣଙ୍କୁ ଘେନି ବସିଲେ ପାଖର ।

ଶ୍ରୀରାମଙ୍କୁ ଦେଖିକରି ସର୍ବ ମୁନିମାନେ

ଆସନ ଛାଡ଼ିଣ ଛିଡ଼ା ହେଲେ ତତକ୍ଷଣେ ।

କୃତାଞ୍ଜଳି ହୋଇ ସେହୁ କଲ୍ୟାଣ କରିଲେ

ପୁଣି ସ୍ଵର୍ଣ୍ଣଦୀପ ଘେନି ତାହାଙ୍କୁ ବନ୍ଦିଲେ ।

ଷଡ଼ର୍ଘ୍ୟ ଦେଇଣ ରାମଚନ୍ଦ୍ରଙ୍କୁ ପୁଜିଲେ

ତାହାଙ୍କ ମସ୍ତକେ ନେଇ ଦୂର୍ବାକ୍ଷତ ଦେଲେ ।

ପରଂବ୍ରହ୍ମ ଅଟନ୍ତି ସେ ପ୍ରଭୁ ନାରାୟଣ

ଶ୍ୟାମଳ ବର୍ଣ୍ଣ ତାଙ୍କର କମଳ ଲୋଚନ ।

ତାଙ୍କ ରୂପ ଦେଖିକରି ସର୍ବ ଋଷିମାନେ

କନ୍ଦର୍ପ ଜ୍ଵରରେ ଘାରି ହୋଇଲେ ତକ୍ଷଣେ ।

ବୃକ୍ଷମାନଙ୍କ ମୂଳରେ ଆଉଜିଲେ ଯାଇ

କନ୍ଦର୍ପର ଜ୍ଵରରେ ବୁଡ଼ିଲା ତାଙ୍କ ଦେହୀ ।

ମୁନିଙ୍କର କାମଜ୍ଵର ଜାଣିଲେ ଶ୍ରୀରାମ

ବୋଇଲେ ମୋ ରୂପ ଦେଖି ହୋଇଲେ ଅଜ୍ଞାନ ।

ଶ୍ରୀରାମ ବୋଇଲେ ତୁମ୍ଭେ ଶୁଣ ତପୀଗଣେ

ତୁମ୍ଭର କଥା ସକଳ ଜାଣିଲୁ ସୁମନେ ।

ଆମ୍ଭରୂପ ଦେଖି ମଦନରେ ବଶ ହେଲ

କନ୍ଦର୍ପ ରସରେ ତୁମ୍ଭେ ଚିତ୍ତ ବୁଡ଼ାଇଲ ।

ଏଥିର କାରଣ ଆମ୍ଭେ କହିବା ଥୋକାଏ

କାମଭୋଗ ଇଚ୍ଛା ଯେବେ ହେଲା ତୁମ୍ଭ କାୟେ ।

ଯୁବତୀର ରୂପ ତୁମ୍ଭେ ଧରିବ ହେ ମୁନି

ତହିଁର ଉପାୟ କହିଦେବା ପରିମାଣି ।

ଦ୍ଵାପରଯୁଗରେ ତୁମ୍ଭେ ସ୍ତିରୀ ରୂପ ହୋଇ

ଗୋପେ ଜନମିବେ ଗୋପାଳୁଣି ନାମ ବହି ।

ଷୋଳସସ୍ର ମୁନି ତୁମ୍ଭେ ଗୋପାଳିଣୀ ହେବ

ଗୋପନଗରରେ ତୁମ୍ଭେ ଜନମ ଲଭିବ ।

ମଥୁରାରେ କଂସ ପାଇଁ ଜନମ ଲଭିବୁଁ

ପୃଥିବୀର ମହାଭାର ଉଶ୍ଵାସ କରିବୁଁ ।

କଂସ ଡରେ ବସୁଦେବ ମୋତେ ଘେନିଯିବ

ଗୋପପୁରେ ନନ୍ଦଘରେ ଛାଡ଼ିଣ ଆସିବ ।

ଅଷ୍ଟବର୍ଷ ଆମ୍ଭେ ଯାଇ ରହିବୁ ସେଠାରେ

ଅଷ୍ଟମଲ୍ଲ ବିନାଶିବୁ ମଥୁରା ପୁରରେ ।

ଗୋପରେ ତୁମ୍ଭେ ତରୁଣୀ ରୂପେ ଜନମିବ

ନିଜ ଭର୍ତ୍ତା ଗୋପାଳଙ୍କୁ ସେଠାରେ ପାଇବ ।

ସେ ଗୋପାଳମାନେ ତୁମ୍ଭ ଅଙ୍ଗ ନ ଛୁଇଁବେ

ନପୁଂସକ ରୂପଧରି ଦିନ ନେଉଥିବେ ।

ନନ୍ଦର ଗୃହରେ ଆମ୍ଭେ ବାଳରୂପ ଧରି

କ୍ରୀଡ଼ା ଛଳେ ଚରାଇବୁ ଆନନ୍ଦେ ବାଛୁରୀ ।

ଯମୁନା କଦମ୍ବ ମୂଳେ କରିଥିବୁ ଠଣା

ବୃନ୍ଦାବନେ କେଳି ଆମ୍ଭେ କରିବୁ ରଚନା ।

ମୋହନ ବଂଶୀ ବଜାଇ ତୁମ୍ଭଙ୍କୁ ମୋହିବୁ

ବୃନ୍ଦାବନେ ତୁମ୍ଭସଙ୍ଗେ କେଳି ଆରମ୍ଭିବୁ ।

ପ୍ରେମାଲିଙ୍ଗନ କରିବ ତୁମ୍ଭେ ଆମ୍ଭ ତୁଲେ

ନିଜ ଶରୀର ପାଇବ ତେବେ ଅନ୍ତଃକାଳେ ।

ଏସନ ପ୍ରକାରେ ବାକ୍ୟ କହି ଭଗବାନ

ସୀତା ଘେନି ଅରଣ୍ୟରେ ପଶିଲେ ଯାଇଣ ।

ତୁମ୍ଭେ ଶୁଣିଲଟିକି ଗୋ ଦେବୀ ମହାମାୟି

ଏସନକ ପ୍ରକାରେ ଗୋ ଥିଲେ ମୋର ତହିଁ ।

ଏଣୁକରି ଆମ୍ଭେ ତାଙ୍କୁ ନ ପାରୁ ମୁରୁଛି

ପ୍ରକୃତିଗତ ସେମାନେ ନ ପାରୁଁ ଉପେକ୍ଷି ।

ପୂର୍ବେ ବିଶ୍ଵନାଥ ତାଙ୍କୁ ଦେଇଥିଲେ ବର

ତହିଁର ପୂରୁବ କଥା ଶୁଣ ତୁ ବିଚାର ।

ସତ୍ୟଯୁଗର ବାରତା ଶୁଣ ସଙ୍ଗାତୁଣି

ଏକମନେ ଶୁଣ ତୁମ୍ଭେ ପ୍ରାଣର ମିତଣି।

ତହିଁ ଥାଆନ୍ତି ଷୋଡ଼ଶ ସସ୍ର ମୁନିମାନେ

ଗଙ୍ଗାକୂଳେ ତପ କରୁଛନ୍ତି ଅନୁକ୍ଷଣେ ।

ବାଲୁକାର ଲିଙ୍ଗ ସ୍ଥାପି ଧୂପଦୀପ ଦେଇ

ଗଇଶ ବିଲ୍ଵ ପତର ଦୁଦୁରା ଚଢ଼ାଇ ।

ଘଣ୍ଟାର ଶବଦକରି କରତାଳି ବାଇ

ଶ୍ରୀବିଶ୍ଵନାଥଙ୍କୁ ମନମଧ୍ୟେ ଥାନ୍ତି ଧ୍ୟାୟି ।

ତାହାଙ୍କର ତପସ୍ୟା ଦେଖିଣ ବିଶ୍ଵନାଥ

ପରସନ୍ନ ହୋଇଣ ବୋଇଲେ ଉମାକାନ୍ତ ।

ଏଡ଼େବଡ଼ ତପ ଗୋଟା କିପାଇଁ କରୁଛ

କାୟା କଦର୍ଥନ କରି ବ୍ୟଥା ପାଉଅଛ ।

ଏହା ଶୁଣି ତପୀମାନେ ବୋଲନ୍ତି ବଚନ

ଯେବେ ଆମ୍ଭଙ୍କୁ ପ୍ରସନ୍ନ ହେଲେ ତ୍ରିଲୋଚନ ।

ଏକ ବର ମାଗିବୁଁ ହୋ ଯେବେ ପାର ଦେଇ

ତେବେ ଆମ୍ଭମାନଙ୍କର କଷ୍ଟ ପାର ହୋଇ ।

ଆମ୍ଭମାନଙ୍କୁ ପୁଛିଲା କିପାଁ ତପ କର

ସାବଧାନ ହୋଇ ଶୁଣ ତହିଁର ବିଚାର ।

ଏଡ଼େ ତପ ଆମ୍ଭେମାନେ କରୁଛୁ ଯହିଁକି

ତପସ୍ୟା ଫଳରୁ ଆମ୍ଭେ ପାଉଁ ଯେପରିକି ।

ବିଶ୍ଵନାଥ ବୋଇଲେକ ନିଶ୍ଚେଁ ଦେବୁଁ ବର

ପ୍ରସନ୍ନ ଚିତ୍ତରେ ତୁମ୍ଭେ ମାଗ ଆମ୍ଭଠାର ।

ତପସ୍ଵୀମାନେ ତାଙ୍କର ଆଜ୍ଞାରେ କହନ୍ତି

ଏକମନ ହୋଇ ତୁମ୍ଭେ ଶୁଣ ପଶୁପତି ।

ମୋକ୍ଷଗତି ପାଇବୁଁ ଏସନ ବର ଦେବ

ତେବେ କୃତାର୍ଥ ହୋଇବୁ ଆହେ ମହାଦେବ ।

ମୁନିଙ୍କର ମୁଖରୁ ଏସନ ବାକ୍ୟ ଶୁଣି

ବିସ୍ମିତ ହୋଇ ରହିଲେ ପ୍ରଭୁ ଶୂଳପାଣି ।

ଯୋକ୍ଷଗତି ପାଇଁ ତୁମ୍ଭେ ଯେ ବର ମାଗିଲ

ଆମ୍ଭଯୋଗେ ସେହି କଥା ନୋହିବ ସଫଳ ।

ଯେ ନାରାୟଣ ଅଟନ୍ତି ଜଗତର ସାଇଁ

ସେହି ସିନା ମୋକ୍ଷ ବର ସବୁଙ୍କୁ ଦିଅଇ ।

ଭକତବତ୍ସଳ ସେହୁ କରୁଣା ସାଗର

ସମସ୍ତ ଦେବତାଙ୍କର ଅଟନ୍ତି ଠାକୁର ।

ଯେଣୁକରି ମୋତେ ତୁମ୍ଭେ ସେବା କଲ ମୁନି

ଏଥିର କାରଣ ଶୁଣ ଆହେ ତପୋଧନୀ ।

ସେବା କରିବା ତୁମ୍ଭର ବିଫଳ ନ ହେଉ

ସେବାରେ ଫଳ ତୁମ୍ଭଙ୍କୁ ନିଶ୍ଚେଁ ପ୍ରାପ୍ତ ହେଉ ।

ତ୍ରେତା ଅନ୍ତେ ଦ୍ୱାପରରେ କହ୍ନା ଅବତାରେ

ନାରାୟଣ ଅବତାର ହେବେ ମର୍ତ୍ତ୍ୟପୁରେ ।

ପୃଥିବୀର ମହାଭାର ଉଶ୍ଵାସିବା ପାଇଁ

ମଥୁରାପୁରେ ଜନ୍ମିବେ ଦେବ ଭାବଗ୍ରାହୀ ।

ବସୁଦେବଙ୍କ କୁଳରେ ହରି ହେବେ ଜାତ

କଂସ କେଶୀ ଅଷ୍ଟମଲ୍ଲ କରିବେ ନିପାତ ।

କଂସ ଡରେ ବସୁଦେବ ଚୋରାଇଣ ନେବ

ଗୋପେ ନନ୍ଦର ଗୃହରେ ଛାଡ଼ିଣ ଆସିବ ।

ଆଠବର୍ଷ ପରିଯନ୍ତେ ସେଠାରେ ରହିବେ

ତେବେ ସେ ଅସୁରବଳ ନିଧନ କରିବେ ।

ତୁମ୍ଭେ ଷୋଳସସ୍ର ମୁନି ଏମନ୍ତ କରିବ

ଗଉଡ଼ୁଣୀ ରୂପେ ଗୋପେ ଜନମ ଲଭିବ ।

ବ୍ରଜସ୍ତିରୀ ରୂପେ ତହିଁ ହେବ ତୁମ୍ଭେ ଜାତ

ନପୁଂସକ ହୋଇବେଟି ତୁମ୍ଭ ନିଜ କାନ୍ତ ।

ତୁମ୍ଭ ଅଙ୍ଗ କେବେହେଁ ନ ଛୁଇଁବେ ଗୋପାଳ

ନପୁଂସକ ହୋଇ ବଞ୍ଚୁଥିବେ ଦିନ କାଳ ।

ତୁମ୍ଭେମାନେ ସ୍ତିରୀରୂପେ ଗୋପେ ଜାତ ହେବ

ପ୍ରେମ ଭକତି ଭାବରେ କୃଷ୍ଣଙ୍କୁ ପାଇବ ।

ସର୍ବଦା ଭଜିବ ତୁମ୍ଭେ ଗୋବିନ୍ଦଙ୍କୁ ମନେ

ଭୋଜନ ଶୟନେ ଭଳୁଥିବ ଜନାର୍ଦ୍ଦନେ ।

ପ୍ରେମଭାବେ ସେ ତୁମ୍ଭଙ୍କୁ ମୂର୍ଚ୍ଛି ନ ପାରିବେ

ହାସ୍ୟ ପରିହାସରେ ସେ ଦିନ ବଞ୍ଚୁଥିବେ ।

ବେଣୁଧ୍ଵନି କରି ମୋହୁଥିବେ ତୁମ୍ଭ ଚିତ୍ତ

ଏକମନେ ଶୁଣ ତୁମ୍ଭେ ତହିଁର ବୃତ୍ତାନ୍ତ ।

ଶୁଣ ତୁ ହୋ ପରୀକ୍ଷିତ ଏ ପୁରାଣ ଧ୍ଵନି

ପଞ୍ଚ ମହାପାତକ ତୁ ଖଣ୍ଡ ଏହା ଶୁଣି ।

ଶ୍ରୀବାସୁଦେବ ରୁକ୍ମିଣୀ ଆଗରେ କହନ୍ତି

ଶୁଣିଲେ ମହାପାତକ ନ ଆସଇ କତି ।

ତୁ ଯେ ପୁଛିଲୁ ମଥୁରା ମଙ୍ଗଳ ଚରିତ

ଏକମନେ ଶୁଣ ତୁମ୍ଭେ ତହିଁର ବୃତ୍ତାନ୍ତ ।

ବନ୍ଦଇ ଶ୍ରୀଜଗନ୍ନାଥ ଜଗତର ପତି

ଜଗତଜନଙ୍କ ହିତେ ଚତୁର୍ଦ୍ଧା ମୂରତି ।

ରତନ ସିଂହାସନରେ ବିଜେ କରିଅଛ

ଭୃତ୍ୟଜନମାନଙ୍କର ଆରତ ନାଶୁଛ ।

ଅବିକାର ପୁରୁଷ ହେ ବିକାର ତୋ ନାହିଁ

କଇବଲ୍ୟଦାତା ତୁହି ଅଟୁ ଭାବଗ୍ରାହୀ ।

ଗୋପୀଙ୍କି ଘେନିଣ ଗୋପେ କରୁ ତୁ ରାହସ

ରାଧା ତୁମ୍ଭ ବାମପାର୍ଶ୍ଵେ ଥାନ୍ତି ପୀତବାସ ।

ଶତେକ ଫଣା ଉପରେ ବିଜେ ଦେବହରି

ଅଷ୍ଟଦଳ ଅଷ୍ଟକନ୍ୟା ଥାଆନ୍ତି ଆବୋରି ।

ସେ ସିଂହାସନ ମହିମା କେ କହି ପାରଇ

ପଟାନ୍ତର ଦେବା ପାଇଁ ଆଉ କିଛିନାହିଁ ।

କୋଟି ଯୁଗ ଧ୍ୟାୟି ଦେବେ ନ ପାଇଲେ ଯାହା

ମୋର କିବା ଶକ୍ୟ ଅଛି ବର୍ଣ୍ଣବାକୁ ତାହା ।

ମୁଁ ଅଚ୍ୟୁତଦାସ ଅଟେ ଦୀନହୀନ ଅତି

ଗୋବିନ୍ଦ ଚରଣବିନୁ ନାହିଁ ଅନ୍ୟଗତି ।

 

ହରିବଂଶ (ସପ୍ତମ ଖଣ୍ଡ)

ରାଧିକାର ଜନ୍ମ ବୃତ୍ତାନ୍ତ ଓ ନାରଦଙ୍କର ଦେବକୀବସୁଦେବଙ୍କୁ ଆଶ୍ଵାସନା ଓ ଗୋପପୁରେ ଭ୍ରମଣ

ଏଥୁଅନନ୍ତରେ ପରୀକ୍ଷିତ ନାମେ ରାଜା

ଶୁକମୁନି ଚରଣରେ କଲେ ଦିବ୍ୟ ପୂଜା ।

ତଦନ୍ତରେ କେଉଁ କଥା ହୋଇଲା ଗୋସାଇଁ

ଅପୂର୍ବ କଥା ଗୋଟିଏ ପଚାରିବି ମୁହିଁ ।

ତୁମ୍ଭେ ସର୍ବଜ୍ଞ ପୁରୁଷ ଅଟ ନାରାୟଣ

କଥାଏ ପୁଛିବି ମୁହିଁ କର ଅବଧାନ ।

ରାଧିକା ତୁମ୍ଭର ଲେଖାରେ ତ ମଉଳାଣୀ

ତାକୁ କେମନ୍ତେ ହରିଲ ଆହେ ଚକ୍ରପାଣି ।

ବୃଷଭାନୁ ନୃପଙ୍କର ଅଟନ୍ତି ସେ ଜେମା

ଗଉଡ଼ ଚନ୍ଦ୍ରସେଣାଙ୍କୁ ବିଭା ହେଲା ବାମା ।

ବିଭା ହେବାର ବୃତ୍ତାନ୍ତ କହ ଚକ୍ରପାଣି

ସେ କଥା ଶୁଣିଲେ ଭ୍ରାନ୍ତି ଯିବ ଏହିକ୍ଷଣି ।

ପୂର୍ବର କଥା କେମନ୍ତେ ଗୋପୀଏ ଜାଣିଲେ

ବିମ୍ବାଧରେ ମନ୍ଦ ମନ୍ଦ ହାସ୍ୟ ପ୍ରକାଶିଲେ ।

ମାୟାଧର ପୁରୁଷ ତୁ ଜାଣ ସର୍ବମାୟା

ଅଷ୍ଟପାଟରାଣୀ ଦେହେ ଲୁଚାଇଲୁ କାୟା ।

ତହୁଁ ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ସର୍ବ ନାରୀ

ଶ୍ରୀରାଧାଙ୍କର ଚରିତ କହିବା ବିସ୍ତାରି ।

ବ୍ରହ୍ମା କ୍ଷୀରାବ୍‌ଧି ନିକଟେ ଯାଇ ଜଣାଇଲେ

ଅସୁର ଭୟରୁ ରକ୍ଷା କର ତୁମ୍ଭେ ଭଲେ ।

ବ୍ରହ୍ମାଙ୍କର ସ୍ତୁତି ବାକ୍ୟ ଶୁଣି ଶ୍ରବଣରେ

ଚକ୍ଷୁ ଫେଡ଼ିଣ ତାହାଙ୍କୁ ଚାହିଁଲି ସତ୍ଵରେ ।

ଆମ୍ଭଙ୍କୁ ଦର୍ଶନ କରି ନମସ୍କାର କଲେ

ତେତିଶ କୋଟି ଦେବତା ପାଦରେ ଶୋଇଲେ ।

ମଥା ପୋତିଣ ବସିଲୁ ଆମ୍ଭେ ମୌନହୋଇ

ମୌନ ଦେଖି ବ୍ରହ୍ମାଙ୍କର କମ୍ପିଲାକ ଦେହୀ ।

ତହୁଁ ବହୁତ ବିକଳ ହୋଇଲେ ବେଦବର

ଦେବତାମାନେ ବିକଳ ହୋଇଲେ ଅପାର ।

ବହୁ ସ୍ତୁତି କଲେ ସର୍ବେ ଆମ୍ଭ ମୁଖ ଚାହିଁ

ନ ରଖିଲେ ନାଶ ଆମ୍ଭେ ଗଲୁ ଭାବଗ୍ରାହୀ ।

ଦେବତାଙ୍କର ଆତଙ୍କ ମନରେ ଜାଣିଲୁଁ

ପଞ୍ଚଭୂତ ଆତ୍ମାରେ ଯେ କଥାନ୍ତ ବଣ୍ଟିଲୁଁ ।

ବୋଇଲୁ ଦେବତାଗଣ ଅଟ ଅନ୍ଦମତି

ଅସୁରଙ୍କୁ ବର ଦିଅ ଏସନକ ରୀତି ।

ନ ନିବାରି ମୋ ପାଶରେ ଗୁହାରି ଯେ କର

ଏକଥା ତୁମ୍ଭର ପୁଣ କେବଣ ବେଭାର ।

ଇତି ପୂର୍ବେ ତ୍ରେତାଯୁଗେ ରାମ ଅବତାରେ

ଅମରବର ଯେ ଦେଲ ବିଶ୍ରବା କୁମରେ ।

ଚଉଦଭୁବନୁ ସେହୁ ଜିଣିଲାକ ବଳେ

ତହୁଁ ସେ ବାହିଲା ରଥ ଅମର ମଣ୍ଡଳେ ।

ତୁମ୍ଭେମାନେ ବଶୀଭୂତ ହୋଇଲ ତାହାର

ସେବାକଲ ଯାଇ ତାକୁ ଆସ୍ଥାନ ତଳର ।

ବେଦବର ତାହା ପାଶେ ବେଦ ପଢ଼ୁ ତୁହି

ଏହି ସୁରପତି ଦ୍ଵାରପାଳ ହୋଇଥାଇ ।

ଚନ୍ଦ୍ର ଦେବତା ତା ପାଶେ ରାନ୍ଧି ପରଷଇ

ବୈଦ୍ୟପଣେ ତାକୁ ଯମଦେବତା ଖଟଇ ।

ଅଗ୍ନି ଦେବତା ତାହାର ବସ୍ତ୍ର ପଖାଳଇ

ପବନ ଦେବତା ତାକୁ ଚାମର ବିଞ୍ଚଇ ।

ଏହିରୂପେ ରାବଣକୁ ସେବାକରି ନିତ୍ୟେ

ବୃହସ୍ପତି ଯାଇ ପାଞ୍ଜି କହଇ ନିରତେ ।

ମହାବଳବନ୍ତ ସେହି ଅଟଇ ଅସୁର

ଦେବତାଙ୍କଠାରୁ ସେହି ଅଟେ ବଳୀୟାର ।

ବିକଳେ ମୋ ପାଶେ ଯାଇ ଗୁହାରି କରିଲ

ରାବଣ ଭୟେ ଛାଡ଼ିଲୁଁ ଆମ୍ଭେ ସ୍ଵର୍ଗପୁର ।

ତୁମ୍ଭର ବିକଳେ ମୁହିଁ ମଞ୍ଚେ ଜନମିଲି

ଗରୁଡ଼ ନ ଚଢ଼ି ଶଙ୍ଖଚକ୍ର ନ ଧଇଲି ।

ମନୁଷ୍ୟ ରୂପ ଧରିଣ ମାଇଲି ରାବଣ

ଏଥକୁ ବିଚାର ଯେ ନ କଲ ସୁରଗଣ ।

ତୁମ୍ଭ ଛଳେ ମୁହିଁ ଯାଇ ଅସୁର ନାଶିଲି

ତୁମ୍ଭପାଇଁ ରାବଣକୁ ସଂହାର ମୁଁ କଲି ।

ସେକାଳରେ ବ୍ରହ୍ମହତ୍ୟା ଦୋଷକଲେ ମୋତେ

ମୁଖ ନ ଚାହିଁବ ବୋଲି ବୋଇଲ ସମସ୍ତେ ।

ରାମ ଅବତାରେ ମୁହିଁ ପାଇଲି ଯେ କଷ୍ଟ

ବହୁତର କଷ୍ଟ ମୋତେ ଦେଲା ସେ ପାପିଷ୍ଠ ।

ଦୁଃଖରେ ଆସିଣ ମୁହିଁ ଶୋଇଅଛି ଏଥେ

ପୁଣି ତୁମ୍ଭେମାନେ ଆସି ଜଣାଉଛ ମୋତେ ।

ମଞ୍ଚପୁରେ ମୁହିଁ ଆଉ ନୋହିବ ଜନମ

ରାକ୍ଷସ ନ ବଧିବି ମୁଁ ଭଲରୂପେ ଜାଣ ।

ଆମ୍ଭର ମୁଖରୁ ଏସନକ କଥା ଶୁଣି

କରପତ୍ର ଯୋଡ଼ି କହିଲେକ କୁଶପାଣି ।

ଏବେ କହ୍ନା ଅବତାର ତୁମ୍ଭର ହୋଇବ

ମଥୁରାରେ ଜନ୍ମ ଲଭି ଗୋପରେ ବଢ଼ିବ ।

ଷୋଳସସ୍ର ବ୍ରହ୍ମଋଷି ଗୋପୀ ରୂପ ଧରି

ଗୋପାଳୁଣୀ ରୂପେ ତହିଁ ଥିବେ ଅବତରି ।

କମଳିନୀ ଜାତ ହେବ ବୃଷଭାନୁ ଘର

ଜନ୍ମେ ଜନ୍ମେ ତୁମ୍ଭର ସେ ଅର୍ଦ୍ଧାଙ୍ଗ ଶରୀର ।

ଲକ୍ଷ୍ମୀ ଅଂଶେ ଅଷ୍ଟବଂଶୀ ଲଭିବେ ଜନମ

ପରଂବ୍ରହ୍ମ ରୂପେ ତାଙ୍କୁ କରିବ ରମଣ ।

ବିରହ ବଂଶୀଗୋଟିକ ବ୍ରହ୍ମା ମୋତେ ଦେଲେ

ସେଥିରେ ଗୋପୀମାନଙ୍କୁ ମୋହିବ ଯେ ଭଲେ ।

ଏତେକ କହିଣ ବ୍ରହ୍ମା ମଉନ ହୋଇଲେ

ସତ୍ୟ ବଚନ କହିଣ ମୋତେ ଭଣ୍ଡାଇଲେ ।

ତାଙ୍କ ବଚନରେ ମୁହିଁ ଗୋପରେ ବଢ଼ିଲି

ଗୋପାଳୁଣୀଙ୍କ ସଙ୍ଗତେ ପ୍ରିୟଭାବ କଲି ।

ନିତ୍ୟସ୍ଥଳେ ରାଧିକାଙ୍କୁ ବାମରେ ବସାଇ

ନିତ୍ୟ ରାହସ କରଇ କ୍ରୋଡ଼ ମଧ୍ୟେ ଥାଇ ।

କ୍ଷଣକାଳ ରାଧିକାଙ୍କୁ ନ ପାରେ ମୁରୁଛି

ନିତ୍ୟ ରାହାସରେ ବାଧା ନ ହୁଅଇ କିଛି ।

ରାଧା ନାମ ଗୋଟି ଆଗେ ପଛେ ମୋର ନାମ

ରାଧାପତି ବୋଲି ମୋତେ କରନ୍ତି ବ୍ୟାଖ୍ୟାନ ।

ତୁମ୍ଭେ ପଚାରୁଛ ମୋତେ ରାଧାରୂପ ଗୁଣ

ପଟାନ୍ତର ରୂପ ନାହିଁ ତିନି ଭୁବନେଣ ।

ତୁମ୍ଭର ରୂପ ନୁହଇ ରାଧାର ସମାନ

ଅଯୋନିସମ୍ଭୁତା ସେହୁ ଅଟେ ପ୍ରତ୍ୟକ୍ଷେଣ ।

ଶ୍ରୀକୃଷ୍ଣଙ୍କର ମୁଖରୁ ଏସନକ ଶୁଣି

ସ୍ତମ୍ଭୀଭୂତ ହୋଇ ରହିଲାକ ବୀରମଣି ।

ବୋଇଲେ ହେ ଅବଧାନ କର ଚକ୍ରଧର

ଅଯୋନିସମ୍ଭୁତା ତାଙ୍କୁ କହିଲ ମୁଖର ।

ବୃଷଭାନୁ ନନ୍ଦିନୀ ସେ ଅଟେ କମ୍ବୁପାଣି

ଭୁଲାଇ ଆମ୍ଭଙ୍କୁ କହୁଅଛ ଚକ୍ରପାଣି ।

ଶ୍ରୀମାୟାଧର ପୁରୁଷ ସବୁ ତୁମ୍ଭ ଜାଣ

ମାୟା ନ କରି ଆମ୍ଭଙ୍କୁ କହ ନାରାୟଣ ।

ରୁକ୍ମିଣୀ ସତ୍ୟଭାମା ଯେ ପଚାରନ୍ତି ହସି

ତାହାଙ୍କୁ କହନ୍ତି ମୃଦୁହାସେ ବ୍ରହ୍ମରାଶି ।

ଯେତେବେଳେ ମଞ୍ଚକୁ ମୁଁ ହୋଇଲି ବାହାର

ଲକ୍ଷ୍ମୀଙ୍କି ପଠାଇ ଦେଲି କରି ଆଗୁଁ ସାର ।

କାଳିନ୍ଦୀ ଯମୁନା ନଦୀ ଉତ୍ତର କୂଳରେ

ବୃଷଭାନୁ ରାଜପଣ କରଇ ତହିଁରେ ।

ପଦ୍ମ - ଫୁଲ ଗଛମାନ କାଳିନ୍ଦୀରେ ଥାଇ

ଅନେକ କମଳ ପୁଷ୍ପ ତହିଁରେ ଫୁଟଇ ।

କୌତୁକେ ଭ୍ରମରମାନେ କରୁଥାନ୍ତି ଖେଳା

ନାନାବିଧ ପକ୍ଷୀ ତହି କରୁଥାନ୍ତି ଲୀଳା ।

ଏମନ୍ତ ପ୍ରକାରେ ଲକ୍ଷ୍ମୀ ମଞ୍ଚକୁ ଅଇଲେ

ପଦ୍ମ ପତ୍ରର ଉପରେ ଶୟନ ସେ କଲେ ।

ଦେଖିକରି ପବନ ଯେ ବହେ ଖରତର

ମଳୟ ପବନେ ଦେହ ହୋଇଲା ଶୀତଳ ।

ବାଳିକାର ରୂପଗୋଟି ଧଇଲା ତରୁଣୀ

ସାକ୍ଷାତେ ରାଧିକା ଦେବୀ ଅଟଇ ପଦ୍ମିନୀ ।

ସୌରଭ ଘେନି ବହଇ ମଳୟ ସମୀର

କୃଷ୍ଣପକ୍ଷ ଚନ୍ଦ୍ରବାର ଅଟେ ସେ ଦିନର ।

ବାୟବ୍ୟ ନାମେ କରଣ ଅଟେ ସେ ଦିନର

ତହିଁ ପୁଣି ଆୟୁଷ୍ମାନ ଯୋଗଟି ଆବର ।

ଦ୍ଵିଜା ନାମରେ ନକ୍ଷତ୍ର ଶେଷ ଲଗ୍ନ ବେଳେ

ମୃଗୟାକୁ ଗଲେ ବୃଷଭାନୁ ନୃପବରେ ।

ଚଳି ଯାଉଥିଲେ ସେହି କାଳିନ୍ଦୀ ତଟରେ

ଦୃଷ୍ଟି ପଡ଼ିଲା କମଳ ବନର ଭିତରେ ।

ସୁରଙ୍ଗ କୁସୁମମାନ ଦେଖି ନୃପବର

ଆଣିବା ନିମନ୍ତେ ଶ୍ରଦ୍ଧା ବଳିଲା ତାଙ୍କର ।

ଭୃତ୍ୟମାନଙ୍କୁ ଚାହିଁଣ ବୋଲନ୍ତି ବଚନ

ଫୁଲ ଯୋଡ଼ିଏ ତୋଳିଣ ଆଣ ଏହିକ୍ଷଣ ।

ରାଜାଙ୍କର ଆଜ୍ଞା ପାଇ ଭୃତ୍ୟ ଚଳିଗଲା

କାଳିନ୍ଦୀ ଭିତରେ ଯାଇ ବହନ ପଶିଲା ।

ପୁଷ୍ପ ତୋଳୁ ତୋଳୁ ତାର ନୟନ ପଡ଼ିଲା

ପତ୍ର ଉପରେ ଦୁହିତା ଗୋଟିଏ ଦେଖିଲା ।

ଦଇବର କୃତ୍ୟ ତାହା କେ କରିବ ଆନ

ଭୃତ୍ୟ ତାକୁ ନିରେଖିଲା ହୋଇ ହର୍ଷ ମନ ।

ଦେଖିଲା କନ୍ୟା ଗୋଟିଏ ଶୋଇଛି ପତ୍ରରେ

କୃଷ୍ଣପକ୍ଷେ ଚନ୍ଦ୍ରମା କି ଉଇଁଛି ସେଠାରେ ।

କୋଟିଏ ରତି ତାହା ରୂପକୁ ନୋହେ ସରି

ପଟାନ୍ତର ଦେବାକୁ ଯେ ନାହିଁ ତିନିପୁରି ।

ଦେଖିକରି ଭୃତ୍ୟ ତହୁଁ ଅଇଲା ବହନ

ବେଗେ ଯାଇଁ ଜଣାଇଲା ରାଜା ସନ୍ନିଧାନ ।

ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଁ

ଅପୂର୍ବ କଥାଏ ଦେଖି ଅଇଲଇଁ ମୁହିଁ ।

ପଦ୍ମପତ୍ରେ ଶୋଇକରି ଦେଉଅଛି ରାବ

ସେ କନ୍ୟାକୁ ଦେଖିବ ଚାଲ ହୋ ନୃପଦେବ ।

ଚନ୍ଦ୍ରକିରଣ ପରାୟେ ତା ରୂପ ଦିଶଇ

ନିର୍ଧୂମ ଅନଳ ଜିଣି ତେଜ ବିକାଶଇ ।

ସ୍ଵଂୟ କମଳା ଦେବୀ କି ହୋଇଛନ୍ତି ଜାତ

କୋଟିଏ ରତି ନୁହଇ ତାହାର ସ୍ଵରୂପ ।

ଭୟରେ ତାହାର ପାଶେ ନ ପାରିଲି ଯାଇ

ଦଇବ ପୁରୁଷ ଯାହା ଅଛଇ ଭିଆଇ ।

ଆପଣା ନୟନେ ବୃଷଭାନୁ ନିରେଖିଲା

ହୃଦ - ପଦ୍ମ ମଧ୍ୟେ ସେହୁ କଥାନ୍ତ ବାଣ୍ଟିଲା ।

ରତି କିବା ସ୍ଵର୍ଗପୁରୁ ଅଇଲା ମଞ୍ଚକୁ

କମଳା ଆସେ କି ଲୋଭ କରିଣ ଫୁଲକୁ ।

ଏହା ରୂପ ଦେଖି ମନ ମୋହି ଯାଉଅଛି

ବହୁ ଉପକାର ହେବ ଚିତ୍ତିରେ ଭାବୁଛି ।

ଏତେକ ବିଚାର ରାଜା ମିଳିଲା ପାଶରେ

ଭୟକରି ତାହାକୁ ସେ ନ ଧରେ କୋଳରେ ।

ଦଇବର ବଶ ହୋଇ ରାଜା ଭୋଳ ହେଲା

ଦୁହିତା ଗୋଟିକୁ ହସ୍ତେ ଯାଇଣ ଧଇଲା ।

ଦୁଇହାତ ନେଇ ଲଗାଇଲା ହୃଦୟର

ପଦ୍ମବନୁ ଘେନିଣ ଅଇଲା ନୃପବର ।

ପୁତ୍ର କନ୍ୟା କିଛି ନାହିଁ ମୋହର କର୍ମରେ

ଦୈବେ କନ୍ୟାଗୋଟିଏ ମୁଁ ପାଇଲି ଏଠାରେ ।

ତାକୁ ଘେନି ନରପତି ଦୋଳାରେ ବସାଇ

ଆପଣା ଗୃହକୁ ଗଲା ବେଗ ବେଗ ହୋଇ ।

ନିଜର ମନ୍ଦିରେ ଯାଇ ହୋଇଲା ପ୍ରବେଶ

ଭାର୍ଯ୍ୟା ଚଞ୍ଚଳାକୁ ବେଗେ ରାଇଲାକ ପାଶ ।

ବୋଇଲା ଗୋ ରାଣୀ ମୋର କଥା ଏକ କର

ଏ ଦୁହିତା ଗୋଟି ନେଇ ତୁହି ପ୍ରତିପାଳ ।

ଦୁହିତାର ରୂପ ଦେଖି ରାଣୀ ପଚାରଇ

ଏମନ୍ତ ସୁନ୍ଦର ରୂପ ଦେଖିଛ କି କେହି ।

ଜାଣିଥାଅ ନିଶ୍ଚୟ ଏ ଅଟେ କମଳିନୀ

ନାରାୟଣଙ୍କ ଘରଣୀ କଷ୍ଟ ନିବାରିଣୀ ।

ଏହା ଯୋଗରେ ଅପୁତ୍ର ଦୋଷ ମୋର ଯିବ

ମୋହର କର୍ମକୁ ୟାକୁ ଦେଇଛି ଦଇବ ।

ପଦ୍ମବନରୁ ଜନ୍ମିଛି ଅଟେ ବଡ଼ ଶୋଭା

ନାମ ଗୋଟି ଯେ ଏହାର ଦେବି ମୁହିଁ ରାଧା ।

ଭିତର ପୁରକୁ ଘେନିଗଲେ ମହାଦେଈ

ଅତି ଯତନ କରିଣ କନ୍ୟାକୁ ପାଳଇ ।

ରତ୍ନ ଖଟର ଉପରେ ଶୁଆଇଲେ ନେଇ

ଚିତ୍ର ବିଚିତ୍ର ଚାନ୍ଦୁଆ ଟାଣିଲେକ ତହିଁ ।

ଉତ୍ତାନଶାୟୀ ହୋଇଣ ଶୋଇଲାକ ବାଳୀ

କ୍ଷୀର ନ ଛୁଅଇଁ ସେହି ଫୁଲର ଦୁଲାଳୀ ।

ମଳମୂତ୍ର ତାର ନାହିଁ ନିର୍ମଳ ଶରୀର

ଉତ୍ତାନଶାୟୀରେ ଶୋଇଅଛି ପଲଙ୍କର ।

ଚିତ୍ତବୃତ୍ତି ତାର ମୋର ଚରଣରେ ଦେଇ

ବିଚାରି ମର୍ତ୍ତ୍ୟେ ଜନ୍ମ ହେବେ ଭାବଗ୍ରାହୀ ।

ଯେତେବେଳେ କୃଷ୍ଣ ଜନ୍ମହେବେ ମର୍ତ୍ତ୍ୟପୁର

କର୍ଣ୍ଣରେ ଶୁଣିଲେ ମୁହିଁ ହୋଇବି ସୁସ୍ଥିର ।

କୃଷ୍ଣଚନ୍ଦ୍ର ଗୋପେ ଯେବେ ହେବେ ଅବତର

ତେବେ କ୍ଷୀର ଦିର ମୁହିଁ କରିବି ଆାହାର ।

ଏମନ୍ତ ବିଚାରି ଦେବୀ ମଉନ ହୋଇଲେ

କାହାରି ସଙ୍ଗରେ କଥା ଭାଷା ନ କହିଲେ ।

ବାଳୁତ ରୂପ ଗୋଟିକି ଦେବୀ ନ ଛାଡ଼ିଲା

ଜଡ଼ ସ୍ଵରୂପ ହୋଇଣ ମଉନେ ରହିଲା ।

ଯେଉଁ ଗୃହରେ ଦେବୀଙ୍କି ଶୁଆଇଲେ ନେଇ

ସେ ଗୃହେ ଜନ ମନୁଷ୍ୟ ନ ପଶିଲେ କେହି ।

ତହୁଁ ଏମନ୍ତେ ଥୋକାଏ କାଳ ବହିଗଲା

ଉତ୍ତାନଶାୟୀ ଅବସ୍ଥା ଦେବୀ ନ ଛାଡ଼ିଲା ।

ଶୁଣ ତୁହି ରୁକ୍ମଣୀ ଗୋ ଭୀଷ୍ମଙ୍କର ଜେମା

ଏକମନେ ରାଧିକାର ଜନ୍ମ ଶୁଣ କିନା ।

ଶ୍ରୀକୃଷ୍ଣଙ୍କର ମୁଖରୁ ଏସନକ ଶୁଣି

ସନ୍ତୋଷ ଚିତ୍ତେ ବିଚାରି ଭୀଷ୍ମଙ୍କ ନନ୍ଦିନୀ ।

ଏଥୁଅନ୍ତେ କିସ ହେଲା ବୋଲ ହେ ଗୋସାଇଁ

ଆନନ୍ଦରେ ସେହି କଥା ଶୁଣିବଇଁ ମୁହିଁ ।

ତହୁଁ ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ରାଜଜେମା

ଏଥିର ଚରିତ ଆମ୍ଭେ ବୁଝାଇ କହିବା ।

ଏସନ ପ୍ରକାର କେତେ କାଳ ବହିଗଲା

ସଭା ମଣ୍ଡାଇ ସ୍ଵର୍ଗରେ ମଘବା ବସିଲା ।

ବେନିରୁମ ପଠିଆଇ ଦେଲେ ନରହରି

ମଥୁରାର ଜନମ କି ହୋଇଲେ ମୁରାରି ।

ଅସୁରଙ୍କ ଭୟେ ରହି ନ ପାରିଲୁ ସ୍ଵର୍ଗେ

ଉପଦ୍ରବ କଲା କଂସ ବଇରତା ଭାବେ ।

କି ବୁଦ୍ଧି କରିବା ବୋଲି ଦେବତା ଭାଳନ୍ତି

ଚନ୍ଦ୍ରମା ଦେବତା ବୃହସ୍ପତିଙ୍କି ପୁଛନ୍ତି ।

ନାରଦଙ୍କୁ ପଠାଇଣ ଦେବା ତହୁଁ ଜବେ

ନାରଦ ଯାଇଣ ତହୁଁ ବୁଝିବେ ସେ କଥା  

ନାରଦଙ୍କୁ ପଠାଇଣ ତହୁଁ ବୁଝିବେ ସେ କଥା

ତେବେ ସିନା ଫିଟିଯିବ ଆମ୍ଭ ମନ ବ୍ୟଥା ।

ଏତେ ବୋଲି ବୃହସ୍ପତି ନାରଦଙ୍କୁ ରାଇ

ସକଳ ଚରିତ ତାଙ୍କୁ କହିଲେ ବୁଝାଇ ।

ଦେବତାଙ୍କ ବଚନରେ ସେ ନାରଦ ମୁନି

ଦଣ୍ଡ କମଣ୍ଡଳୁ ବୀଣା ସ୍ଵହସ୍ତରେ ଘେନି ।

ବିଭୂତି ଶରୀରେ ଲେପି ପିନ୍ଧ କଉପୀନ

ବେଦଧ୍ଵନି କରି ବାହିରିଲେ ତପୋଧନ ।

କଳି ଧୂକୁଡ଼ି ମୁଣିକୁ ଜାକିରେ କାଖର

ସ୍ଵର୍ଗପୁରୁ ଓହ୍ଲାଇ ଆସନ୍ତି ମୁନିବର ।

ମଥୁରାପୁରରେ ଯାଇ ହୋଇଲେ ପ୍ରବେଶ

ଆସ୍ଥାନରେ ବସିଛନ୍ତି ଉଗ୍ରସେନ ଶିଷ୍ୟ ।

ଦେଖି ନାରଦ ମୁନିଙ୍କ ତ୍ଵରିତ ଉଠିଲା

ଶିରେ କର ନିବେଶିଣ ନମସ୍କାର କଲା ।

ସ୍ତୁତି ଉଚ୍ଚାରି କଲ୍ୟାଣ କଲେ ତପୋଧନ

ଆରୋଗ୍ୟ ଶରୀର ତୋର ହେଉ ନୃପରାଣ ।

ସୁକଲ୍ୟାଣ ବାଞ୍ଛା ଯହୁଁ କଲେ ତପୋବନ୍ତ

ତହୁଁ ବସିବାକୁ ଆଜ୍ଞା ଦେଲେ ନୃପନାଥ ।

କୁଶଳ ବାରତା ତାଙ୍କୁ ନାରଦ ପୁଛନ୍ତି

ସୁସ୍ଥ ଶରୀରରେ ପୁତ୍ର ପୌତ୍ର କି ଅଛନ୍ତି ।

କଂସ ବୋଲଇ ଗୋସାଇଁ ତୁମ୍ଭ ଆଶୀର୍ବାଦେ

ସମସ୍ତେ ହିଁ କୁଶଳରେ ଅଛୁଁ ଅପ୍ରମାଦେ ।

ନରପତି ପଚାରିଲେ ଥିଲ ମୁନି କାହିଁ

ନାରଦ ବୋଇଲେ ସ୍ଵର୍ଗୁ ଅଇଲୁଁ ଓହ୍ଲାଇ ।

ତୋତେ ଶଙ୍ଖୁଳିବା ପାଇଁ ଅଇଲୁ ଏଥକୁ

ଭାବିଲୁଁ କଲ୍ୟାଣ କରି ଆସିବୁ ରାଜାକୁ ।

ଏବେ ଆମ୍ଭେ ଯାଉଅଛୁ ଗୋପପୁର ଯାଏ

ଥରେ ଶଙ୍ଖୁଳି ଆସିବୁ ନନ୍ଦ ନୃପରାୟେ ।

ଏତେ କହିଣ ନାରଦ ଆସ୍ଥାନୁ ଉଠିଲେ

ବସୁଦେବଙ୍କ ମନ୍ଦିରେ ଯାଇଣ ମିଳିଲେ ।

ବସୁଦେବ ତାଙ୍କୁ ଦେଖି ଓଳଗି ହୋଇଲେ

ମୋ କଷଣ ଦେଖ ବୋଲି ତାହାଙ୍କୁ କହିଲେ ।

ନାରଦ ବୋଇଲେ କିଛି ନ ଭାଳ ତୁ ବାବୁ

ଅଳପ ଦିନରେ ତୋର ଦୁଃଖ ଯିବ ସବୁ ।

ଦେବକୀ ବୋଇଲା ମୋର ଭାଇ କଂସାସୁର

ଅତି ନିଷ୍ଠୁର ଅଟଇ ସେହୁ ମହାବୀର ।

ସାତପୁତ୍ର ସେହୁ ମୋର ନିର୍ଦ୍ଦୟେ ମାଇଲା

ଅଷ୍ଟମ ଗର୍ଭରେ ବେଳ ପ୍ରବେଶ ହୋଇଲା ।

ଏହି ଗର୍ଭ ନାଶିବାକୁ ବିଚାରିଛି ଦେଖ

ତୁମ୍ଭେ ଅଟ ମହାମୁନି ସର୍ବଜ୍ଞ ବିବେକ ।

ପୁତ୍ର କଷ୍ଟ ବାରମ୍ବାର ଦେଲା ଭୋଜସାଇଁ

ଗର୍ଭର କଷ୍ଟ ତ ସହି କେବେ ନ ସରଇ ।

ନିର୍ମାଖି ଶରୀର ମୋର କିପାଇଁ ରହିଛି

ପଞ୍ଚଭୂତ ଆତ୍ମା ମୋର ବିକଳ ହେଉଛି ।

ଏତେ କହି ଦେବକୀ ଯେ ବିକଳେ କାନ୍ଦିଲେ

ହସ୍ତ ଧରିଣ ନାରଦ ତାଙ୍କୁ ପ୍ରବୋଧିଲେ ।

ବୋଇଲେ ବିକଳ ତୁହି ନ ହୁଅ ଦେବକୀ

ମୋହର ବାକ୍ୟ ଗୋଟିକ ଦୃଢ଼ ନୁହଇ କି ।

ପୁଣି ବସୁଦେବେ ଚାହିଁ ନାରଦ କହିଲେ

ମୋର କଥାଗୋଟି ଏବେ ଘେନ ତୁ ମନରେ ।

ଯେତେବେଳେ ପୁତ୍ର ଗୋଟି ଗର୍ଭରୁ ଜନ୍ମିବ

ଏଥିର ଚରିତ ତୋତେ ବୁଝାଇବା ସର୍ବ ।

କୁମାର ଜନ୍ମିବାବେଳେ ଯାଗରକୁ ଥିବୁ

ଖଟୁଲିରେ ଥୋଇଣ ତୁ ପୁତ୍ରେ ଘେନିଯିବୁ ।

ନନ୍ଦଘରେ ସେ ପୁତ୍ରକୁ ଆସିବୁ ତୁ ଥୋଇ

ଦଇବ ଘଟନା ଏହା ପୂର୍ବୁ ହୋଇଛଇଁ ।

ତହିଁ ଅଷ୍ଟ ବର୍ଷ ଯାଏ ବଢ଼ିବେ ମୋହନ

ତେବେ ପୃଥିବୀ ଉଶ୍ଵାସ ହୋଇବଟି ଜାଣ ।

ଅଷ୍ଟମଲ୍ଲଙ୍କ ସହିତ କଂସ ନାଶ ଯିବ

ତେବେ ପୃଥିବୀର ଭାରା ଉଶ୍ଵାସ ହୋଇବ ।

ଅଳ୍ପଦିନ ମାତ୍ରକ ତୁ ଦୁଃଖେ ରହିଥିବୁ

ତୋ ଘରେ ନାରାୟଣଙ୍କ ଜନମ ଦେଖିବୁ ।

ପୁନରପି କଥାଏ ତୁ ହେତୁ କରିଥିବୁ

ଆମ୍ଭର ବଚନ ହୃଦେ ଦୃଢ଼ ରଖିଥିବୁ ।

ଦଇବର ଭବିଷ୍ୟତ ଅଛଇ କଥାଏ

ସେଦିନ ନନ୍ଦର ଜନ୍ମିଥିବ ଦୁହିତାଏ ।

ନନ୍ଦ ଘରେ ପୁତ୍ର ଥୋଇ ଦୁହିତା ଆଣିବୁ

ଏହି ଗୁପ୍ତ କଥାଗୋଟି କାରେ ନ କହିବୁ ।

ଏତେ କହିଣ ନାରଦ ଗଲେ ଅନ୍ତର୍ଦ୍ଧାନେ

ଭବିଷ୍ୟତ କଥା କହିଦେଲେ ବିଦ୍ୟମାନେ ।

ଯମୁନା ନଦୀକି ମୁନି ପାର ହୋଇ ଗଲେ

ନଦୀର କୂଳରେ ଯାଇ ପ୍ରବେଶ ହୋଇଲେ ।

ଦଣ୍ଡ କମଣ୍ଡଳୁ ବୀଣା କୁଶ ବିଡ଼ି ଥୋଇ

ମନରେ ବିଚାର କଲେ ସ୍ନାନ କରିବଇଁ ।

ଅତି ପବିତ୍ର ଅଟଇ ଏ ଯମୁନା ଜଳ

ଏହା ଭାବି ତହିଁ ସ୍ନାନ କଲେ ତପୀବର ।

ନିତ୍ୟକର୍ମ କରି ତହୁଁ ଗଲେକ ବାହାରି

କଦମ୍ବ ତଳେ ମିଳିଲେ ଯାଇ ତପଚାରୀ ।

ତାହାକୁ ଦେଖିଣ ମୁନି ଅଳପ ହସିଲେ

ଏଥେ କୃଷ୍ଣ ରାହାସ କରିବେ ବିଚାରିଲେ ।

ଏହି ବୃନ୍ଦାବନ ଏହି ଯମୁନା ବାଲିରେ

ଶ୍ରୀକୃଷ୍ଣ ପାଦ ପଡ଼ିବ ଏଥିର ଉପରେ ।

ଏହି କୁଞ୍ଜ ଲତା ମଧ୍ୟେ ଦେବ ନାରାୟଣ

ଗୋପୀଙ୍କ ସଙ୍ଗେ କ୍ରୀଡ଼ିବେ ଆନନ୍ଦ ଭାବେଣ ।

ଏହା ବିଚାରି ନାରଦ ମୁନି ଚଳିଗଲେ

ଗୋପାଳଙ୍କ ସଙ୍ଗତରେ ଗୋଗୋଷ୍ଠେ ମିଳିଲେ ।

ଗାଈ ବାଛୁରୀ ଘେନିଣ ସର୍ବ ଗୋପରାଣ

ଚରାନ୍ତେ ବନେ ଦେଖିଲେ ଯାଇ ତପୋଧନ ।

ଧନ୍ୟ ଧନ୍ୟ ଏହାଙ୍କର ଅଟଇ ଜୀବନ

ଲୀଳା କରିବେ ଏହାଙ୍କ ସଙ୍ଗେ ଭଗବାନ ।

ଏହା ଭାବି ତହୁଁ ଚଳିଗଲେ ମହାମୁନି

ନନ୍ଦର ନବରେ ଯାଇ ମିଳିଲେ ତକ୍ଷଣି ।

ଭିତର ପୁରରେ ନନ୍ଦ ବିଜେ କରିଥିଲେ

ନାରଦଙ୍କ ଆଗମନ ବାରତା ପାଇଲେ ।

ତରତରେ ନନ୍ଦ ଘରୁ ବାହାର ହୋଇଣ

ଭକ୍ତିଭରେ ମୁନିଙ୍କର ବନ୍ଦିଲେ ଚରଣ ।

ନମସ୍କାର କରି ତାଙ୍କୁ କହଇ ବଚନ

କି ଭାଗ୍ୟରେ ମୁହିଁ ଆଜି ପାଇଲି ଦର୍ଶନ ।

ଦୀନ ହୀନର ପୁରକୁ ବିଜେ ତପୋବନ୍ତ

ଶୁଭକର୍ମେ ଆଜ ମୁହିଁ ହୋଇଲି ପ୍ରାପତ ।

ବ୍ରହ୍ମାଙ୍କର ନନ୍ଦନ ଯେ ବିଜେ ମୋର ପୁରେ

ଦେଖି କୃତାର୍ଥ ହୋଇଲି ଏ ପାପ ଶରୀରେ ।

ଏତେବୋଲି ନରପତି ଶୁଦ୍ଧ ଜଳ ଘେନି

ନାରଦଙ୍କର ଚରଣ ଧୋଇଲେ ସେକ୍ଷଣି ।

ଝୀନ ବସନ ଘେନିଣ ଚରଣ ପୋଛିଲେ

ପାଦୋଦକ ଘେନି ହସ୍ତେ ଗର୍ଭକୁ କ୍ଷେପିଲେ ।

ରତ୍ନ ପଲ୍ୟଙ୍କରେ ତାଙ୍କୁ ନେଇ ବସାଇଲେ

ହସ୍ତ ଯୋଡ଼ିକରି ନନ୍ଦ ଅଗ୍ରେ ଉଭା ହେଲେ ।

ନାରଦ ବୋଇଲେ ତୁମ୍ଭେ ବସ ନନ୍ଦରାଣ

ସକଳ କୁଶଳ କହ ଆମ୍ଭର ଆଗେଣ ।

ପରଜାଏ କୁଶଳରେ ଅଛନ୍ତିଟି ତୋର

ଏକଥା ସଂକ୍ଷେପି ମୋତେ ତୁ କହ ତୁ ସତ୍ଵର ।

ଗୋରୁ ଗାଈ ଦେଉଛନ୍ତିଟିକି କ୍ଷୀର ଭଲେ

ଇନ୍ଦ୍ରଦେବ ତୋ ରାଜ୍ୟରେ ବର୍ଷୁଛିଟି କାଳେ ।

ଏହା ଶୁଣି ନନ୍ଦ ବୋଲେ ଆହୋ ତପଚାରୀ

ତୁମ୍ଭ ଆଶୀର୍ବାଦେ ସର୍ବ କୁଶଳ ମୋହରି ।

ଆବର କଥାଏ ମୁହିଁ କହୁଛି ଛାମୁର

ସାତଶ ପଞ୍ଚାଶ ବର୍ଷ ହୋଇଲା ମୋହର ।

ଆଜି ଯାଏ ପୁତ୍ର କନ୍ୟା କିଛିହିଁ ନୋହିଲା

ବିଧାତା ପୁରୁଷ ମୋତେ ଏତେ କଷ୍ଟ ଦେଲା ।

ପୁତ୍ର ପାଇଁ ମନ ଦୁଃଖ କହିବଇଁ କେତେ

ଦୁହିତା ଗୋଟିଏ ସୁଦ୍ଧା ନ ମିଳିଲା ମୋତେ ।

ଆହେ ମହାମୁନି ତୁମ୍ଭେ ଦୟା ମୋତେ କଲ

ଶଙ୍ଖୁଳିବାର ନିମନ୍ତେ ମୋ ପୁରେ ଅଇଲ ।

ନାରଦ ବୋଇଲେ ତୋତେ କହୁଛି କଥାଏ

କର୍ମରେ ତୋହର ଅଛି ମିଳିବ ତନୟେ ।

ଜଗତ୍‌କର୍ତ୍ତା ତୋର ଗୃହେ ହେବେ ଅବତାର

ହରି ବଳରାମ ତୋର ହୋଇବେ କୁମର ।

ଗଉଡ଼ କୁଳରେ ତୁହି ହୋଇଅଛୁ ଜାତ

ବ୍ରହ୍ମାଣ୍ଡର ନାଥ ନିଶ୍ଚେ ହେବେ ତୋର ସୁତ ।

ନିରଞ୍ଜନ ପୁରୁଷକୁ ଘେନିବୁ ଯେ ତୁହି

ପୂର୍ବ ଜନମର ଭାଗ୍ୟ ତୋହର ଅଛଇ ।

ଅନ୍ତଃପୁରରେ ଥାଇଣ ଯଶୋଦା ଜାଣିଲେ

ଆସି ମୁନିଙ୍କର ପାଦେ ନମସ୍କାର କଲେ ।

ମୁନି ବୋଇଲେ କଲ୍ୟାଣ ହେଉ ମହାମାୟୀ

ପୁତ୍ର ଦୁହିତା ହୋଇବେ ସନ୍ଦେହ କିପାଇଁ ।

ଯଶୋଦା ବୋଇଲେ ଭାଗ୍ୟବତୀ ମୁଁ ଅଟଇ

ଭୋ ମୁନି ତୁମ୍ଭର ଦୟା ମୋଠାରେ ଅଛଇ ।

ତୁମ୍ଭର ଦୟା ଥିଲାକୁ ଶଙ୍ଖୁଳିଲ ଥରେ

ପୂର୍ବଭାଗ୍ୟ ମୋର ଦୃଶ୍ୟ ହେଲା ମୁନିବରେ ।

ତୁମ୍ଭର କଲ୍ୟାଣ ମୋତେ ହେଉ ପରାପତ

ମହର୍ଷି ବୋଇଲେ ପୂର୍ଣ୍ଣହେଉ ମନୋରଥ ।

କେଭେ ଜାଣ ଅନ୍ୟମତ ନୋହିବଟି ଏହା

ତୋର ଘରେ ଅବତାର ହେବେ ଚଉବାହା ।

ଏତେ କହିଣ ନାରଦ ବହନ ଉଠିଲେ

ଗୋପପୁର ଭିତରକୁ ବେଗେ ଚଳିଗଲେ ।

ପ୍ରଥମେ ମିଳିଲେ ଯାଇ ଦୂତିକା ମନ୍ଦିରେ

ତାହାର ଦୃଷ୍ଟି ପଡ଼ିଲା ନାରଦ ଉପରେ ।

ଦେଖିକରି ସହଚରୀ କରି ନମସ୍କାର

କିମର୍ଥେ ଏଥେ ବିଜୟ କଲ ମୁନିବର ।

କୃଷ୍ଣ ଆଜିଯାଏ ଗୋପେ ନୋହିଲେ ଜନମ

କିସ ଦେଖିବା ନିମନ୍ତେ ଆସ ତପୋଧନ ।

ନାରଦ ବୋଇଲେ ଚିନ୍ତା ନ କର ଏଥିକି

ଥୋକେ ଦିନ ରହ ତୁମ୍ଭେ ସକଳ ଉପେକ୍ଷି ।

ଅବଶ୍ୟହିଁ ନାରାୟଣ ଆସିବେଟି ଏଥେ

ଦଇବ ଭିଆଇଅଛି ଜାଣିଥାଅ ଚିତ୍ତେ ।

ଦୂତି ବୋଲେ କେତେଦିନ ଶ୍ରୀକୃଷ୍ଣ ଆସିବେ

କହ ତୁମ୍ଭେ ମୁନିବର ଜାଣିବୁଟି ଆମ୍ଭେ ।

ନାରଦ ବୋଇଲେ ତୁମ୍ଭେ ଶୁଣ ଗୋ ସୁମୁହିଁ

ଦେବକୀ ଗର୍ଭୁ ମିଳିବେ ଆସି ବେନିଭାଇ ।

ଏଥିରେ ତୁମ୍ଭେ ସନ୍ଦେହ ନ କର ଗୋ କିଛି

ଅବଶ୍ୟ ଶ୍ରୀକୃଷ୍ଣ ହେବେ ନନ୍ଦରାଜା ବତ୍ସି ।

ଏତେ କହି ମୁନିବର ହୋଇଲେ ବାହାର

ଲଳିତା ପୁରେ ମିଳିଲେ ବ୍ରହ୍ମାଙ୍କ କୁମର ।

ତହିଁ ଲଳିତା ସଙ୍ଗରେ ଛନ୍ତି ଦଶଗୋଈ

ସେଠାରେ ନାରଦ ମୁନି ପ୍ରବେଶିଲେ ଯାଇଁ ।

ଲଳିତା ଦେଖିଣ ତାଙ୍କୁ ଓଳଗି ବହନ

ନମସ୍କାର କଲା ମୁନିବରଙ୍କ ଚରଣ ।

ଚରଣ ଉଦକ ନେଇ ଗର୍ଭକୁ କ୍ଷେପିଲା

ନିସ୍ତରିଲି ବୋଲିଣ ସେ ଶିରେ କର ଦେଲା ।

କରପତ୍ର ଯୋଡ଼ିଣ ସେ କହଇ ବଚନ

ଦିବ୍ୟ ଆସନରେ ତାଙ୍କୁ ବସାଇ ବହନ ।

ଦଶଗୋଟି ଗୋପାଳୁଣୀ ଅଛନ୍ତି ସଙ୍ଗରେ

ସମସ୍ତେ ନମିଲେ ଆସି ମୁନିଙ୍କ ପୟରେ ।

ତାହାଙ୍କୁ କଲ୍ୟାଣ କଲେ ବ୍ରହ୍ମାଙ୍କ କୁମର

ପ୍ରାପତ ହେଉ ତୁମ୍ଭଙ୍କୁ ଶ୍ରୀକୃଷ୍ଣ ଯେ ବର ।

ନାରଦ ବଚନେ ହସିଲେକ ସର୍ବଗୋଈ

ବୋଇଲେ ଶ୍ରୀକୃଷ୍ଣବର ଭେଇଛ ଗୋସାଇଁ ।

ଗୁପ୍ତଭାବେ ପୂର୍ବଜନ୍ମ କଥା ପଚାରନ୍ତି

ସାବଧାନ ହୋଇ ତୁମ୍ଭେ ଶୁଣ ମହାଯତି ।

ଗୋପରେ ଜନ୍ମିବେ କୃଷ୍ଣ କରିଅଛୁଁ ଆଶ

ଏତେ ବିଳମ୍ବ କିପାଇଁ କଲେ ପୀତବାସ ।

ନାରଦ ବୋଇଲେ ଥାଅ ଅଳ୍ପଦିନ ରହି

ଅବଶ୍ୟ ପ୍ରାପ୍ତ ତୁମ୍ଭଙ୍କୁ ହୋଇବେ ଗୋସାଇଁ ।

ନାରଦଙ୍କ ବଚନରେ ସର୍ବେ ପ୍ରତେ ଗଲେ

କଲ୍ୟାଣ କରିଣ ତାଙ୍କୁ ନାରଦ ଉଠିଲେ ।

ବିରାୟୁଧ ବୋଲି ନାମ ସେ ଗୋପାଳଦ୍ଵାରେ

ନାରଦ ଯାଇଁ ମିଳିଲେ ତାହାଙ୍କ ପାଶରେ ।

ସେ ଗୋପାଳ ମୁନିଙ୍କର ପାଇଣ ବାରତା

ମୁନିପାଶେ ମିଳି ଜାଣିବାକୁ ତତ୍ତ୍ଵକଥା ।

ସୁବର୍ଣ୍ଣ ଝରିରେ ଯମୁନାର ଜଳ ଥୋଇ

ମୁନିଙ୍କ ଚରଣଦ୍ଵୟ ବେଗେ ପଖାଳଇ ।

ନମସ୍କାର କଲା ସେହି ମୁନିଙ୍କ ଚରଣ

ଭକତିରେ କରପତ୍ର ଯୋଡ଼ିଲା ଶିରେଣ ।

ଝୀବସନ ଘେନିଣ ଚରଣ ପୋଛିଲା

ରତ୍ନପଲ୍ୟଙ୍କ ଉପରେ ନେଇ ବସାଇଲା ।

କୃତାଞ୍ଜଳି ହୋଇଣ ସେ ବୋଲଇ ବଚନ

ବଡ଼ଭାଗ୍ୟ ଆଜି ମୋର ଅଟେ ତପୋଧନ ।

ବ୍ରହ୍ମାଙ୍କର ପୁତ୍ର ମୋର ପୁରରେ ଆଗତ

ପୂର୍ବଜନ୍ମ ଭାଗ୍ୟଫଳ ଫଳିଲା ଏବେତ ।

ତାଙ୍କୁ ନାରଦ ବୋଲନ୍ତି ଶୁଣ ହେ ଗୋପାଳ

କୁଶଳ ବାରତା କହ ଆମ୍ଭର ଆଗର ।

ମୁନିବର ପଚାରନ୍ତେ ଗଉଡ଼ କହଇ

ତୁମ୍ଭର କଲ୍ୟାଣେ ସବୁ କୁଶଳ ଅଟଇ ।

ଭିତରେ ଥାଇ ବିଶାଖା ସବୁ କଥା ଶୁଣି

ତତକ୍ଷଣେ ସେ ସ୍ଥାନକୁ ଅଇଲା ତରୁଣୀ ।

ଆବର ପଚିଶ ଗୋପୀ ଥିଲେ ତାର ସଖୀ

ପଛେ ପଛେ ଗୋଡ଼ାଇଲେ ସେ ଆସିବା ଦେଖି ।

ନାରଦମୁନିଙ୍କ ପାଦେ ଓଳଗି ହୋଇଲେ

ଅନେକ କାର୍ପଣ୍ୟ ହୋଇ ଚରଣ ବନ୍ଦିଲେ ।

ବୋଇଲେ ଆହେ ଗୋସାଇଁ କର ଅବଧାନ

କିପାଇଁ ଏଥକୁ କରିଅଛ ଆଗମନ ।

ଆଜି ଯାଏ କୃଷ୍ଣ ଗୋପେ ନୋହିଲେ ଉତ୍ପନ୍ନ

କେମନ୍ତେ ପ୍ରକାରେ ଆମ୍ଭେ ହୋଇବୁ କାରଣ ।

ଶ୍ରୀକୃଷ୍ଣ ବିହୀନେ ଆମ୍ଭେ ହୋଇଛୁଁ ଅନାଥ

ଅନାଥନାଥ କେମନ୍ତେ ଆସିବେଟି ଏଥ ।

ନାରଦ ବୋଇଲେ ତୁମ୍ଭେ ନ ଭାଳଗୋ କେହି

ଅବଶ୍ୟହିଁ ଏଥକୁ ଆସିବେ ଭାବଗ୍ରାହୀ ।

ଅଳ୍ପଦିନ ଆଉ ତୁମ୍ଭେ ଅପେକ୍ଷା ଗୋ କର

ଗୋବିନ୍ଦ ହୋଇବେ ଆସି ନନ୍ଦର କୁମର ।

ତାହାଙ୍କୁ ପ୍ରବୋଧ ଦେଇ ନାରଦ ଉଠିଲେ

ସୁଧାକାର ଗୋପାଳର ନବରେ ମିଳିଲେ ।

ଗୋରସ ଦୋହନ କାର୍ଯ୍ୟେ ଲାଗିଛି ଗଉଡ଼

ସ୍ଵହସ୍ତରେ ଛନ୍ଦିଅଛି ଗାଭୀକୁ ତାହାର ।

ଏମନ୍ତ ସମୟେ ଯାଇ ସେ ନାରଦ ମୁନି

ପ୍ରବେଶ ହୋଇଣ ତହିଁ କଲେ ବୀଣାଧ୍ଵନି ।

ନାରଦଙ୍କ ବୀଣାନାଦ ଶୁଣିଣ ଗୋପାଳ

ଧାଇଁ ଆସିଣ ମିଳିଲେ ମୁନି ପାଦତଳ ।

ନାରଦ ମୁନି ତାହାଙ୍କୁ ଆଶୀର୍ବାଦ କଲେ

ଚରଣରୁ ଧୂଳି ନେଇ ଶିରେ ବୋଳି ଦେଲେ ।

ପୁତ୍ର ପୌତ୍ର ଧନ ଧାନ୍ୟ ବଢ଼ିବ ତୋହର

ମୁନି ବୋଲନ୍ତେ ଗଉଡ଼ ଧୋଇଲା ପୟର ।

ଚରଣୋଦକ ନେଇଣ ଗର୍ଭକୁ କ୍ଷେପିଲା

ଝୀନବସନରେ ତାଙ୍କ ଚରଣ ପୋଛିଲା ।

ମସ୍ତକରେ କର ଦେଇ କୃତାଞ୍ଜଳି ହେଲା

ପ୍ରଣିପାତ କରିଣ ସେ ଭୂମିରେ ଶୋଇଲା ।

ନାରଦ ମୁନି ତାହାକୁ କୁଶଳ ପୁଛିଲେ

ଗୋପାଳ ବୋଇଲା ସର୍ବେ ଅଛନ୍ତି କୁଶଳେ ।

ଗଉରବ ଯାଇ ବସିଲେକ ମୁନିବର

ଦୁଃଖ ସୁଖ କଥାମାନ କରିଲେ ବିଚାର ।

ଭିତରେ ଥାଇ ସୁମେଧା ପାଇଲା ବାରତା

ବେଗୁ ବେଗ ହୋଇଣ ଯେ ଅଇଲା ପ୍ରମଦା ।

ପଞ୍ଚଷଠୀ ବାଳୀ ତାର ଅଟନ୍ତି ଯେ ସଖୀ

ତାହାଙ୍କୁ ଘେନି ପ୍ରବେଶ ହୋଇଲା ସୁମୁଖୀ ।

ନାରଦ ମୁନିଙ୍କି ଦେଖି ହସିଲେ କାମିନୀ

କାହିଁପାଇଁ ଆଗମନ କହ ମହାମୁନି  

ତାହାଙ୍କୁ ଦେଖି ନାରଦ କଲ୍ୟାଣ ବାଞ୍ଛିଲେ

ଅହ୍ୟ ସୁଲକ୍ଷଣୀ ହୋଇ ବଞ୍ଚିଥାଅ ଭଲେ ।

ଶ୍ରୀକୃଷ୍ଣ ତୁମ୍ଭର ଜନ୍ମେ ଜନ୍ମେ ହେଉ ପତି

ଆମ୍ଭର ଏ ଆଶୀର୍ବାଦ ତୁମ୍ଭେ ହୁଅ ସତୀ ।

ବିଷ୍ଣୁର ଭକତ ତୁମ୍ଭେ ଜନ୍ମେ ଜନ୍ମେ ଅଟ

ନିକଟରେ ନାରାୟଣ ସଙ୍ଗେ ହୁଅ ଭେଟ ।

ନାରଦ ବଚନେ ସର୍ବ ତରୁଣୀ ହସିଲେ

ତୁମ୍ଭ କଥା ସିଦ୍ଧ ହେଉ ସୁମେଧା ବୋଇଲେ ।

ଗୋପୀ ବୋଇଲେ ଶ୍ରୀକୃଷ୍ଣ ନୋହିଲେ ଜନମ

ଆମ୍ଭମାନଙ୍କର କଷ୍ଟ ଦେଖ ମୁନି ବ୍ରହ୍ମ ।

କେତେକାଳ କୃଷ୍ଣଚନ୍ଦ୍ର ଗୋପକୁ ଆସିବେ

ବିଶ୍ଵାସ ଜନମୁ ନାହିଁ ଆମ୍ଭ ମନେ କେବେ ।

ସୁମେଧାର ମନକଥା ନାରଦ ଜାଣିଲେ

ପୂର୍ବ କଥାମାନ ତାଙ୍କୁ ବୁଝାଇ କହିଲେ ।

ତୁମ୍ଭେମାନେ ହୃଦପଦ୍ମେ ନ କର ଗୋ ଖେଦ

ଅଳ୍ପଦିନ ପରେ ଏଥେ ଆସିବେ ଗୋବିନ୍ଦ ।

ଅଳ୍ପଦିନ ଅପେକ୍ଷା ଗୋ ତୁମ୍ଭେ କର କାଳ

ଗୋପାଳକୁଳେ ଜନ୍ମିବେ ମଦନ ଗୋପାଳ ।

ଏମନ୍ତ ପ୍ରବୋଧି ତାଙ୍କୁ ମୁନିଙ୍କ ପ୍ରବର

ତକ୍ଷଣେ ସେହି ଠାବରୂ ହୋଇଲେ ବାହାର ।

ତିଳୋତ୍ତମା ମନ୍ଦିରକୁ କଲେକ ଗମନ

ପ୍ରବେଶ ହୋଇଲେ ମୁନି ତାହାଙ୍କ ଦ୍ଵାରେଣ ।

ଅନ୍ତଃପୁରେ ଥାଇ ଜାଣିଲେକ ତିଳୋତ୍ତମା

ଆମ୍ଭ ମନ୍ଦିରେ ଅଇଲେ ମୁନି ମହାତମା ।

ଗଙ୍ଗାନୀର ସୁବର୍ଣ୍ଣର ପାତ୍ରରେ ପୁରାଇ

ଗୃହର ଭିତରୁ ସେହୁ ଅଇଲାକ ଧାଇଁ ।

ସହସ୍ର ବାଳିକା ଥାନ୍ତି ତିଳୋତ୍ତମା ମୂଳେ

ସୋମାନଙ୍କୁ ଘେନି ସେହୁ ଖେଳୁଥାଇ ଭୋଳେ ।

ମୁନିବରଙ୍କୁ ସମସ୍ତେ ନମସ୍କାର କଲେ

ସଲଜ୍ଜ ଭାବେଣ ଖଣ୍ଡଦୁରରେ ରହିଲେ ।

ତାହାଙ୍କ ଚରଣ ଧୋଇଲେକ ତିଳୋତ୍ତମା

ଚରଣୋଦକ ଗର୍ଭକୁ କ୍ଷେପିଲାକ ବାମା ।

ତାଙ୍କୁ ସୁକଲ୍ୟାଣ ବାଞ୍ଛା କଲେ ମୁନିବର

ଶ୍ରୀକୃଷ୍ଣ ହୁଅନ୍ତୁ ତୁମ୍ଭମାନଙ୍କର ବର ।

ମୁନିଙ୍କର କଲ୍ୟାଣରେ ହସି ସର୍ବ ଆଳୀ

ଲଜ୍ଜା ଭାବ ଘେନି ମଥା ନ ଟେକନ୍ତି ବାଳୀ ।

ତିଳୋତ୍ତମା ବୋଲେ କହିଲ ତ ଅସମ୍ଭବ

ଏ ଜନ୍ମରେ ପାଇବୁଁ କି ଏଡ଼େକ ବିଭବ ।

ଶ୍ରୀକୃଷ୍ଣଙ୍କ ଅଙ୍ଗସଙ୍ଗ ଆମ୍ଭେ କି ଲଭିବୁ

ଗୋବିନ୍ଦଙ୍କ ସୁଧାରସ ମୁଖରେ ପିଇବୁଁ ।

ଶ୍ରୀକୃଷ୍ଣ ଜନ୍ମ ଲଭିବେ ଆସି ଗୋପପୁରୀ

କେତେକାଳ ହେଲା ଆମ୍ଭେ ଅଛୁଁ ଆଶାକରି ।

ଏବେ ତୁମ୍ଭର ମୁଖରୁ ପାଇଲୁ ବାରତା

ତେଣୁ କରି ଆମ୍ଭ ମନୁ ଗଲା ସବୁ ଚିନ୍ତା ।

ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ବୋଲି ସ୍ମରି ଆମ୍ଭେ ନିତ୍ୟେ

କୃଷ୍ଣବିନୁ ଅନ୍ୟକଥା ନ ଭାଳୁଁ ଏ ଚିତ୍ତେ ।

କେତେକାଳେ କୃଷ୍ଣନାଥ ଆସିବେ ଏଥକୁ

ତହିଁର ଚରିତ ଫେଡ଼ କହିବା ଆମ୍ଭଙ୍କୁ ।

ନାରଦ ବୋଇଲେ ତୁମ୍ଭେ ନଭାଳଗୋ ଗୋଇ

ଅଳ୍ପଦିନେ ଆସିବେଟି ଏଥେଁ ଭାବଗ୍ରାହୀ ।

ତାହାଙ୍କୁ ପ୍ରବୋଧ ଦେଇ ତହୁଁ ଚଳିଗଲେ

ବୃନ୍ଦ ବତୀ ପୁରେ ଯାଇ ପ୍ରବେଶ ହୋଇଲେ ।

ଷଡ଼ର୍ଘ୍ୟ ଘେନିଣ ମୁନି ଚରଣେ ବନ୍ଦିଲା

ନିସ୍ତରିଲି ନିସ୍ତରିଲି ବୋଲିଣ ବୋଇଲା ।

ଦୁଇ ସସ୍ର ଗୋପାଳୁଣୀ ତାଙ୍କ ସଙ୍ଗେ ମିଳି

ଜଣେ ଜଣେ ସର୍ବେ ଯାଇ କଲେ ନିଉଛାଳି ।

ମୁନିବର ବୋଇଲେ ଗୋ ଉଠ ସର୍ବ ମାୟେ

ବିଷ୍ଣୁର ଭକତ ହୋଇ ଥାଅ ସର୍ବଦାୟେ ।

ଶ୍ରୀକୃଷ୍ଣ ବର ତୁମ୍ଭଙ୍କୁ ହେଉ ପରାପତ

ଜନ୍ମେ ଜନ୍ମେ ହୁଅ ତୁମ୍ଭେ ଶ୍ରୀକୃଷ୍ଣ ଭକତ ।

ନାରଦଙ୍କର ବଚନେ ସମସ୍ତେ ହସନ୍ତି

ମୁନିଙ୍କ ଚରଣେ ଶିର ଦେଇଣ ନମନ୍ତି ।

ତୁମ୍ଭେ ମହାମୁନି ଅଟ ସର୍ବଜ୍ଞ ପୁରୁଷ

ଆମ୍ଭମାନଙ୍କୁ କିପାଇଁ କଲ ଅବିଶ୍ଵାସ ।

କେଉଁ ଜନ୍ମରେ ଶ୍ରୀକୃଷ୍ଣ ଦର୍ଶନ ପାଇବୁଁ

କୃଷ୍ଣଙ୍କର ବର୍ଣ୍ଣ ଚିହ୍ନ କେମନ୍ତେ ଜାଣିବୁଁ ।

ଶ୍ରୀକୃଷ୍ଣ ଗୋପେ ଜନ୍ମିବେ ଏହା ବାର୍ତ୍ତା ଶୁଣି

ଆଶାକରି ରହିଅଛୁଁ ସବୁ ଗୋପାଳୁଣୀ ।

ନିରନ୍ତର କୃଷ୍ଣନାମ କରୁଛୁଁ ଗାୟନ

ଭୋଜନ ଶୟନ ବେଳେ ଭଜୁ କୃଷ୍ଣନାମ ।

ଯେଣିକି ଚାହିଁଲେ ଏକା ଗୋବିନ୍ଦ ଦିଶଇ

ନୀଳାବ୍‌ଜଦଳ ମୁରତି ମନରୁ ନ ଯାଇ ।

କେତେଦିନେ କୃଷ୍ଣଚନ୍ଦ୍ର ଆସିବେ ଏଥିକି

ନିଶ୍ଚୟ ଦେଖିବୁ ଆମ୍ଭେ କମଳ ମୁଖ କି ।

ଗୋପୀମାନଙ୍କର ମନ ଜାଣି ମୁନିବର

ଚିନ୍ତା ନ କର ନିକଟେ ଆସିବେ ଶ୍ରୀଧର ।

ମନ ପ୍ରକୃତି ତାଙ୍କର ପାଦପଦ୍ମେ ଦେଇ

ନିରନ୍ତର ଚିନ୍ତା କର ଜଗତ ଗୋସାଇଁ ।

ଏତେ କହି ନାରଦ ଯେ ତହୁଁ ଚଳିଗଲେ

ବୀଣା ବଜାଇ ପଶନ୍ତି ଯାଇ ପ୍ରତିଘରେ ।

ଷୋଳସସ୍ର ଗୋପାଳୁଣୀଠାରୁ ପୂଜା ପାଇ

ହରିଧ୍ଵନି ସମସ୍ତଙ୍କ ଗୃହରେ ଶୁଭଇ ।

ଶ୍ରୀକୃଷ୍ଣ ବିନୁ ସେମାନେ ନ ଜାଣନ୍ତି ଆନ

ଲୟ ଲଗାଇ ଅଛନ୍ତି ଗୋବିନ୍ଦ ଚରଣ ।

ଦଧିମନ୍ଥନେ କରନ୍ତି ଗୋବିନ୍ଦର ନାମ

କାର୍ଯ୍ୟ କରନ୍ତି ତୁଣ୍ଡରେ ଗାଇ କୃଷ୍ଣ ରାମ ।

ତାହାଙ୍କର ଭକ୍ତିଭାବ ନାରଦ ଜାଣିଲେ

ଗୋପପୁରର ଭକତି ନାହିଁ ତିନିପୁରେ ।

ଗୋବିନ୍ଦ ନାମ ସେମାନେ କ୍ଷଣେ ନ ଛାଡ଼ନ୍ତି

ମନ ପ୍ରକୃତିରେ କୃଷ୍ଣନାମ ଭଜୁଥାନ୍ତି ।

ପ୍ରେମ ଭାବ ଭକତିରେ କୃଷ୍ଣଙ୍କୁ ପାଇବେ

କୃଷ୍ଣଙ୍କର ଅଙ୍ଗସଙ୍ଗ ନିଶ୍ଚୟେ ଲଭିବେ ।

ଯେ ନାରାୟଣଙ୍କୁ ମୁନି ନ ପାବନ୍ତି ଭେଟ

ମଦନର ଆରତରେ କୃଷ୍ଣ ଦେବେ ଭେଟ ।

ଏହା ବିଚାରିଣ ମୁନି ହସି କର କର

ୟାଙ୍କପରି ଭକ୍ତ ନୁହନ୍ତି ତ ବେଦବର ।

ମହର୍ଷି ନାରଦ ଅତି ହର୍ଷେ ବୀଣା ବାଇ

ତହୁଁ ଖଣ୍ଡେଦୂର ଗଲେ ବେଗ ବେଗ ହୋଇ ।

ବୃଷଭାନୁ ପୁରେ ଯାଇ ହୋଇଲେ ପ୍ରବେଶ

ହରଷେ ତାଣ୍ଡବନୃତ୍ୟ କରି ବ୍ରହ୍ମଶିଷ୍ୟ ।

ବୃଷଭାନୁ ନାରଦଙ୍କ ଆସିବା ଜାଣିଲେ

କରପତ୍ର ଯୋଡ଼ି ତାଙ୍କ ଛାମୁରେ ମିଳିଲେ ।

ନମସ୍କାର କରି ତାଙ୍କୁ କହନ୍ତି ବଚନ

ବଡ଼ ଭାଗ୍ୟ ଆଜି ମୋର ଆହେ ତପୋଧନ ।

ଯମୁନାର ନୀର ସ୍ଵର୍ଣ୍ଣ ଝରୀରେ ପୁରାଇ

ମୁନିଙ୍କ ଚରଣ ରାଜା ଧୋଇଲାକ ନେଇ ।

ଚରଣୋଦକ ନେଇଣ ଗର୍ଭକୁ କ୍ଷେପିଲା

ଝୀନବସନରେ ତାଙ୍କ ଚରଣ ପୋଛିଲା ।

ଆପଣା ନବର ଭିତରକୁ ଘେନିଗଲା

ରତନ ଖଟ ଉପରେ ନେଇ ବସାଇଲା ।

ଷଡ଼ର୍ଘ୍ୟ ଦେଇଣ ମୁନିବରଙ୍କୁ ପୂଜିଲା

କୃତାଞ୍ଜଳି ହୋଇଣ ସେ ଆଗେ ଉଭା ହେଲା ।

ନାରଦ ମୁନି ତାଙ୍କର କଲ୍ୟାଣ ବାଞ୍ଛିଲେ

ପୁତ୍ର ପୁତ୍ରୀ ସହ ଆନନ୍ଦରେ ରହ ଭଲେ ।

କୁଶଳ ବାରତାମାନ ତାହାଙ୍କୁ ପୁଛିଲେ

ସକଳ କୁଶଳ ମୁନି ତୁମ୍ଭ ପ୍ରସାଦରେ ।

ପୁତ୍ର ପୁତ୍ରୀ ବୋଲି ଯାହା ପଚାରିଲ ମୁନି

ମୋତେ ଦଇବ କରିଛି ତହିଁ ହୀନମାନି ।

ଶତେ ଭାରିଯାରେ ପୁତ୍ର ପୁତ୍ରୀ ନ ଜନ୍ମିଲା

ସଂସାର ମଧ୍ୟୁ ବିଧାତା ଅଲଗା କରିଲା ।

ଲେଖିଲା କର୍ମର କଥା ପୋଛି ନ ପାରଇ

ହୃଦୟ ବେଦନା ଆଉ କାରେ କହିବଇଁ ।

ତୁମ୍ଭେ ସର୍ବଜ୍ଞ ପୁରୁଷ ନ ଜାଣ ବା କିସ

ତୁମ୍ଭର ଛାମୁରେ ମୁଁ କି କହିବି ବିଶେଷ ।

ଦଇବ ଭବିଷ୍ୟ ତୁମ୍ଭେ ଜାଣ ମୁନିବର

ଦିନେ ମୃଗୟାକୁ ଗଲୁ କାଳିନ୍ଦୀର ତୀର ।

ପଦ୍ମପତ୍ରେ ଶୋଇଥିଲା ଦୁହିତା ଗୋଟିଏ

ରୂପେ ପଟାନ୍ତର ତାକୁ ଭବେ କେହି ନୋହେ ।

ଚମ୍ପକ ପୁଷ୍ପ ପରାୟେ ଦିଶେ ତାର କାୟ

ମୁଖଗୋଟିକ ଦିଶଇ ଶଶଧର ପ୍ରାୟ ।

ବାଳଅର୍କ ଜିଣି ତାର ଅଧର ଦିଶଇ

ସେହିରୂପେ ବାଳ ଭାବେ ଅଛଇ ସେ ଶୋଇ ।

କଥା ଭାଷା କାହାକୁହିଁ କିଛି ନ କହଇ

ଏ କିସ ଚରିତ କହ ମୁନିବର ତୁହି ।

ମହାଋଷି ବୋଇଲେକ ତହିଁ ଅଛି କଥା

ତୁମ୍ଭେ କହନ୍ତେ ଜାଣିଲି ମୁହିଁ ତଥ୍ୟ ବାର୍ତ୍ତା ।

ବଡ଼ ବ୍ୟାଧି ଗୋଟିଏକ ତାକୁ ଆବୋରିଛି

ଦଇବର ବଳେ ଭଲ ହୋଇବ ମୃଗାକ୍ଷୀ ।

ଏତେବୋଲି ମୃନିବର ଧ୍ୟାନରେ ବସିଲେ

ଯୋଗବଳେ ସେହିକଥା ସବୁ ଜ୍ଞାତ ହେଲେ ।

ସ୍ଵୟଂ କମଳା ଆସିଣ ଜନମିଲେ ଏଥ

ଗୋପରେ ଜନମ ଯହୁଁ ହେବ ଗୋପୀନାଥ ।

ତେଣୁକରି ଲକ୍ଷ୍ମୀ ଅଇଲେକ ଆଗହୋଇ

କୃଷ୍ଣଜନ୍ମ ନୋହିବାରୁ କଥା ନ କହଇ ।

ନ ଭକ୍ଷଇ କନ୍ୟା ବାଳଭାବ ନ ଛାଡ଼ଇ

ଯେଣୁକରି ଗୋପପୁରେ କୃଷ୍ଣ ଆସି ନାହିଁ ।

ପଦ୍ମବନ ଭିତରେ ସେ କନ୍ୟା ଶୋଇଥିଲା

ଯେଣୁ କମଳ ବନରୁ ସେହୁ ଜାତ ହେଲା ।

ଏତେ ବିଚାରି ନାରଦ ମହା ତପୋଧନ

ବୋଲନ୍ତି ଶୁଣ ହୋ ବୃଷଭାନୁ ନୃପରାଣ ।

ସେ ଦୁହିତା କାହିଁଅଛି ଆମ୍ଭଙ୍କୁ ଦେଖାଅ

ଦେଖିଲେ ଆମ୍ଭ ମନରେ ନ ଥିବ ସନ୍ଦେହ ।

ମୁନି କଥା ଶୁଣି ରାଜା ବହନ ଉଠିଲା

ତାଙ୍କ ହସ୍ତ ଧରି ପୁରମଧ୍ୟେ ଘେନିଗଲା ।

ସେହି ରାଧିକା ଶୟନ ମନ୍ଦିରକୁ ନେଇ

ମୁନିବରଙ୍କୁ ପ୍ରବେଶ କରାଇଲା ତହିଁ ।

ବୋଇଲା ଆହୋ ଗୋସାଇଁ ଦେଖ ସାବଧାନେ

ଏ କନ୍ୟା ଶୟନ କରିଥିଲା ପଦ୍ମ ବନେ ।

ନାରଦ ବୋଇଲେ ତୋତେ କହିବା କଥାଏ

ଆମ୍ଭ ବୋଲି ଯେବେ କରିବୁଟି ମହାରାୟେ ।

ତେବେ ସେ ବ୍ୟାଧିରୁ ସିନା ମୁକତ କରିବା

ଏକାନ୍ତ ଭାବରେ ଆମ୍ଭେ ମନ୍ଦିରେ ପଶିବା ।

ଦୁଇପା ଅନ୍ତରେ ଜନ କେହି ନ ରହିବ

ଏସନକ କଥା ତୁମ୍ଭେ ଶୁଣ ରାଜଦେବ ।

ଜନଶୂନ୍ୟ କରି ତୁମ୍ଭେ ଦିଅ ଏହିସ୍ଥାନ

କାହାରିକୁ ନ ଶୁଭିବ ଏହାଙ୍କ ବଚନ ।

ଗୋପନ ଭାବରେ ଏଥେ ଆସିବଟି ଯେହୁ

ଅଭିଶାପ ପାଇବ ଜାଣିଥା ନୃପରାହୁ ।

ଦୃଢ଼ ବଚନେ ରାଜ୍ୟକୁ ସତ୍ୟ କରାଇଲେ

ମନ୍ଦିର ଭିତରେ ମୁନି ଏକାନ୍ତେ ରହିଲେ ।

କପାଟ କିଳଣ ମୁନି ଚାହାନ୍ତେ ତକ୍ଷଣ

ଦେଖିଲେ କୋଟି ଚନ୍ଦ୍ର କି ଉଇଁଛି ମର୍ତ୍ତ୍ୟେଣ ।

ଅନ୍ଧାର ଘରେ ଚନ୍ଦ୍ର କି ଉଦେ ହୋଇଛଇ

ନିର୍ଧୂମ ଅନଳ ପ୍ରାୟ ଦେହ ବିରାଜଇ ।

ଭୟକରି ମୁନିବର କତିକି ନ ଗଲେ

ଖଣ୍ଡେଦୂର ଯାଇ ଆଡ଼ ହୋଇଣ ରହିଲେ ।

କରଯୋଡ଼ି ତାଙ୍କ ପାଶେ କରନ୍ତି ଦଇନି

ଜୟ ଜୟ ବିମଳା ଗୋ ଜଗତ ଜନନି ।

ଦାରିଦ୍ର୍ୟ ଭଞ୍ଜନି ମାଗୋ ଦୁଃଖ ବିନାଶିନୀ

କମଳ ଆସନି ମାଗୋ କମଳନୟନି ।

କଳିକାଳ ଧ୍ୱଂସିନି ଗୋ କଷ୍ଟ ବିନାଶିନି

ଭୃତ୍ୟଜନର ଆରତ ଫେଡ଼ ଠାକୁରାଣୀ ।

ଏମନ୍ତେ ଅନେକ ସ୍ତୁତି କଲେ ମୁନିବର

କରଯୋଡ଼ି ଭଭାଛନ୍ତି ପଲଙ୍କ ତଳର ।

ଯୋଗରେ ଧ୍ୟାନ କରିଣ ଦେବୀ ଥିଲେ ଶୋଇ

ନାରଦଙ୍କର ସ୍ତୁତିରେ ଧ୍ୟାନ ଭଗ୍ନ ହୋଇ ।

ଧ୍ୟାନ ଭଗ୍ନ ହୋନ୍ତେ ଦେବୀ ଉଠିଣ ବସିଲେ

ଚକ୍ଷୂଫେଡ଼ି ନାରଦଙ୍କ ମୁଖକୁ ଚାହିଁଲେ ।

ନାରଦ ବୋଇଲେ କିପାଁ ଏ ରୂପ ହୋଈଲୁ

କାହାରି ସହିତ କିପାଁ ସମସ୍ୟା ନ କଲୁ ।

ଆହାର ତୁହି ନ ଭକ୍ଷୁ କେବଣ କାରଣ

ନିରାହାରରେ କେମନ୍ତେ ବଞ୍ଚୁ ତୁହି ଦିନ ।

ନାରଦ ବଚନ ଶୁଣି ବୋଲନ୍ତି ରାଧିକା

ତୁମ୍ଭେ କେମନ୍ତେ ଜାଣିଣ ଅଇଲ ହେ ଏକା ।

ଶ୍ରୀକୃଷ୍ଣ ଜନ୍ମ ନୋହୁଣୁ ଏହି ଗୋପପୁରେ

ଆଗକରି ମୋତେ ପଠାଇଲେ ଚକ୍ରଧରେ ।

ବୋଇଲେ ମଞ୍ଚରେ ଆମ୍ଭେ ଜନମ ଲଭିବୁ

ନନ୍ଦଘରେ ଯାଇ ବାଳ କାଳରେ ରହିବୁ ।

ସେଠାରେ କରିବୁ ଆଠବର୍ଷ ବାଳକେଳି

ଆଗକରି ମୋତେ ପଠାଇବେ ବନମାଳୀ ।

କେତେକାଳ ମୁହିଁ ରହିଥିବଇଁ ଏଥିର

ଆଜିଯାଏ କିପାଇଁ ନଈଲେ ଦାମୋଦର ।

କହ ଆହେ ମୁନିବର ଏଥିର ବିଧାନ

ତୁମ୍ଭେ କିପାଇଁ ଏଥକୁ କଲ ଆଗମନ ।

ନାରଦ ବୋଇଲେ କୋପ ନ କର ଗୋ ମାୟେ

ଏଥକୁ ଆସିବେ ନିକଟରେ ଦେବରାୟେ ।

ଏଥିପାଇଁ ଚିନ୍ତା ତୁମ୍ଭେ ନ କର ଗୋ କିଛି

ଶ୍ରୀକୃଷ୍ଣ ନିଶ୍ଚୟ ହେବେ ନନ୍ଦରାଜା ବତ୍ସି ।

ବସୁଦେବ ଦେବକାର୍ଯ୍ୟେ ତାହାଙ୍କୁ ଆଣିବ

ଏଠାରେ ସେ ଶ୍ରୀକୃଷ୍ଣଙ୍କୁ ଲୁଚାଇଣ ଯିବ ।

ଦେବକୀ ଗର୍ଭରେ ରହିଲେଣି ବାସୁଦେବ

ଆଉ ମନେ କିଛି ତୁମ୍ଭେ ନ କର ଗୋ ଖେଦ ।

ଏବେ ବାଳିକାର ଭାବ ଛାଡ଼ସି ଗୋ ମାୟେ

ଶ୍ରୀମୁଖେ ବୃଷଭାନୁକୁ କହସି କଥାଏ ।

ତେବେ ସିନା କୃତାର୍ଥ ହୋଇବ ତାର ଦେହି

ଅପୁତ୍ରିକ ରାଜା ସେହୁ ପୁତ୍ର ପୁତ୍ରୀ ନାହିଁ ।

ତାହାର ଭାଗ୍ୟକୁ ତୁମ୍ଭେ ମିଳିଅଛ ଆସି

ତୁମ୍ଭଙ୍କୁ ଦେଖି ପାସୋରୁ କଷ୍ଟ ନୃପଶଶୀ ।

ଉତ୍ତାନ ଶୟନ ଏବେ ଛାଡ଼ ଗୋ ଜନନୀ

ଖଟରୁ ଓହ୍ଲାଇ ଆସ ଆଗେ ଯୋଷାମଣି ।

ନାରଦ ବାକ୍ୟେ ହସିଲେ ବୃଷଭାନୁ ଜେମା

ଖଟୁଁ ଓହ୍ଲାଇ ତଳକୁ ଅଇଲେ ସେ ବାମା ।

କପାଟ ଫେଡ଼ି ନାରଦ ହୋଇଲେ ବାହାର

ଡାକନ୍ତି ଆସି ହୋ ବୃଷଭାନୁ ନୃପବର ।

ଆଗରେ ଚାଲୁ ଅଛନ୍ତି ବ୍ରହ୍ମାଙ୍କ କୁମର

ତାଙ୍କର ମହିମା କିଏ କହିବ ମୁଖର ।

ଶ୍ରୀ ପୟରେ ଚାଲନ୍ତି ଯେ ଦେବୀ ଧୀରେଧୀରେ

ମତ୍ତଗଜର ଗମନ ପଡ଼ଇ ମନରେ ।

ପ୍ରତ୍ୟକ୍ଷହିଁ ଲକ୍ଷ୍ମୀ ସେହୁ ଶ୍ରୀହରି ଘରଣୀ

ତାର ମୁଖ ଦେଖି ମୋହ ଯିବେ ସର୍ବପ୍ରାଣୀ ।

ଖଣ୍ଡଦୂରେ ଥାଇ ଦେଖିଲେକ ନୃପରାଣ

ବେନି ହସ୍ତରେ ଧରିନେଲେ ବସାଇ କାଖେଣ ।

ନିସ୍ତରିଲି ବୋଲି ମନେ ଆନନ୍ଦ ଲଭିଲା

କୋଟିଏ ଲକ୍ଷ୍ମୀ ତାହାକୁ ପ୍ରାପତ ହୋଇଲା ।

ଆନନ୍ଦରେ ଅଶ୍ରୁଜଳ ବହଇ ରାଜାର

ନାରଦ ବୋଇଲେ ମୋତେ ପ୍ରତିକାର କର ।

ହୁଳୁହୁଳି ଦେଇଣ ଜନନୀମାନେ ନେଲେ

ସ୍ନା ହାନ କରାଇ ଷଡ଼ରସ ଭୁଞ୍ଜାଇଲେ ।

ମହର୍ଷି ବୋଇଲେ ଯାଉଅଛୁଁ ନରସାଇଁ

ଦୁହିତା ଗୋଟିକି ଯତ୍ନେ ପ୍ରତିପାଳ ନେଇ ।

ପ୍ରତ୍ୟକ୍ଷହିଁ ଲକ୍ଷ୍ମୀ ଏହି ଅଟଇ ଅବଳା

ଏହାଠାରେ ରାଜା କେଭେ ନ କରିବୁ ହେଳା ।

ଏହା ଯୋଗେ ଶତ ପୁତ୍ର ହେବ ପରାପତ

ଏହି ଦୁହିତା ସକାଶୁ ହୋଇବ କୃତାର୍ଥ ।

ବଡ଼ବ୍ୟାଧି ଗୋଟିଏ ଝିଅର ଅଙ୍ଗେ ଥିଲା

ଆମ୍ଭର କଲ୍ୟାଣେ ଦେହ ଆରୋଗ୍ୟ ହୋଇଲା ।

ଏତେ କହି ମୁନି ମନଦଣ୍ଡରେ ଚଢ଼ିଲେ

ବୃଷଭାନୁର ପୁରରୁ ଅନ୍ତର୍ଦ୍ଧାନ ହେଲେ ।

ଅମର ପୁରରେ ଯାଇ ହୋଇଲେ ପ୍ରବେଶ

ସବୁ ଚରିତ କହିଲେ ଦେବତାଙ୍କ ପାଶ ।

ଗୋପରେ ଷୋଳସହସ୍ର ଗୋପାଳୁଣୀଛନ୍ତି

ତାଙ୍କ ଭକତି ସମାନ ନାହିଁ କାହିଁ ପୃଥ୍ଵୀ ।

ଏକା ଶ୍ରୀକୃଷ୍ଣ ବ୍ୟତୀତ ନ ଜାଣନ୍ତି ଆନ

ମନ ପ୍ରକୃତିରେ ଭଜୁଛନ୍ତି ନାରାୟଣ ।

ତାଙ୍କ ଭକତିକି ଦେବତାଏ ନୁହ ସରି

ଗୋପୀମାନଙ୍କର ସ୍ଵାମୀ ହେବେ ନରହରି ।

ଶୁଣିଣ ଦେବତାମାନେ ସନ୍ତୋଷ ଲଭିଲେ

ନାରଦଙ୍କୁ ବହୁତ ସେ ପ୍ରଶଂସା କରିଲେ ।

ଶୁଣିଲଟି କି ଗୋ ତୁମ୍ଭେ ଭୀଷ୍ମଙ୍କର ଜେମା

ଏସନ ପ୍ରକାରେ ରାଧା ଅଟଇ ଉତ୍ତମା ।

ତୁମ୍ଭେ ଯେ ପଚାରିଥିଲ ମୋତେ ତୋଷଚିତ୍ତେ

ଏଥିପାଇଁ ଅପ୍ରତ୍ୟୟ କରୁଥିଲ ମୋତେ ।

ଶୁଣିଣ ସକଳବାଳୀ ସନ୍ତୋଷ ଲଭିଲେ

ଗୋବିନ୍ଦଙ୍କ ବଚନରେ ମାୟାକୁ ଛାଡ଼ିଲେ ।

ଏଥୁଅନନ୍ତରେ ତୁମ୍ଭେ ଶୁଣ ଦିବ୍ୟରସ

ପରୀକ୍ଷା ପୁଛା କରନ୍ତି ମୁନିଙ୍କର ପାଶ ।

ଏଥୁଅନନ୍ତରେ କିସ କଲେ ନରହରି

ସହି କଥା ବିସ୍ତାରିଣ କହ ତପଚାରୀ ।

ରାଜାର ଭକତିଭାବ ଦେଖି ମୁନିବର

ବୋଲନ୍ତି ଶୁଣ ହୋ ତୁମ୍ଭେ ଉତ୍ତରା କୁମର ।

ତୁହି ଯେଣୁ ଭାଗ୍ୟବନ୍ତ ଅଟୁ ପୁଣ୍ୟଦେହୀ

ଗୁପ୍ତକଥା ଶୁଣିବାକୁ ଇଚ୍ଛାକଲୁ ତୁହି ।

ସେହିକଥାମାନ ମୁହିଁ କ୍ରମେ କହିବଇଁ

ଅଚ୍ୟୁତଦାସ କୃଷ୍ଣଙ୍କୁ ଶରଣ ମାଗଇ ।

 

ନନ୍ଦ ଯଶୋଦା ଏବଂ ବସୁଦେବ ଦେବକୀର ପୂର୍ବଜନ୍ମ ବିବରଣ

ଏଥୁ ଅନନ୍ତରେ ପୁଣ ଶୁଣ ନରସାଇଁ

ଉଗ୍ରସେନର ସଭାକୁ ଯାନ୍ତି ଭାବଗ୍ରାହୀ ।

ସେହି ଅଷ୍ଟ ପାଟବଂଶୀ କୃଷ୍ଣ ପାଦତଳେ

ବିନୟଭାବ ହୋଇଣ ପୁଚ୍ଛନ୍ତି ସକଳେ ।

ସାବଧାନେ ହୋଇ ତୁମ୍ଭେ ଶୁଣ ଭଗବାନ

ଘୋଡ଼ାଇ ରଖିଲ ଗୋପନୀୟ କଥାମାନ ।

ରାଧିକାର ଜନ୍ମ ତୁମ୍ଭେ କହିଲ ବୁଝାଇ

ତାଙ୍କର ବିବାହ କଥା ବୋଲ ଭାବଗ୍ରାହୀ ।

ପାଟବଂଶୀଙ୍କ ମୁଖରୁ ଏସନକ ଶୁଣି

ଆନନ୍ଦିତ ହୋଇ ହସିଲେକ ଚକ୍ରପାଣି ।

ଏକ ମନ ହୋଇ ତୁମ୍ଭେ ବସ ସର୍ବ ସହୀ

ଯାହା ତୁମ୍ଭେ ପଚାରିଲ କହିବା ବୁଝାଇ ।

ଅତି ପବିତ୍ର କଥାଏ ଅପୂର୍ବ ଆଖ୍ୟାନ

କହିଲେ ପ୍ରତ୍ୟୟ ନ କରିବ ତୁମ୍ଭ ମନ ।

ନ କହିଲେ ଦୁଃଖ ତୁମ୍ଭେ କରିବା ଗୋ ସହି

ଗୋପନୀୟ କଥା ଏହା ନ ଜାଣନ୍ତି କେହି ।

 

ତୁମ୍ଭମାନଙ୍କର ଭକ୍ତି ପ୍ରେମଭାବ ଭୋଳେ

ସକଳ କଥା କହିବା ତୁମ୍ଭର ଆଗରେ ।

ଦେବକୀ ଆମ୍ଭଙ୍କୁ ଯେତେବେଳେ ଜନ୍ମ କଲା

ବସୁଦେବ ଆମ୍ଭଙ୍କୁ ଯେ ଚୋରାଇଣ ନେଲା ।

ନନ୍ଦରାଜାର ଗୃହରେ ଛାଡ଼ିଲାକ ନେଇ

କନ୍ୟାଏ ଘେନି ସେଠାରୁ ବାହୁଡ଼ି ଆସଇ ।

ଦଇବେ ସେହି ଯଶୋଦା ଦୁହିତା ପ୍ରସବି

ଅଜ୍ଞାନ ହୋଇଣ ତହିଁ ପଡ଼ିଥିଲା ଦେବୀ ।

ପୁତ୍ରର ପାଲଟ କଥା ନ ଜାଣଇ ସେହି

ଯେଣୁକରି ଅଜ୍ଞାନରେ ପଡ଼ିଥିଲା ଶୋଇ ।

କେତେବେଳେ ଗତ ହ୍ଵନ୍ତେ ପାଇଲା ସେ ଜ୍ଞାନ

ଚକ୍ଷୁଫେଡ଼ି ଚାହିଁଲା ସେ ଆମ୍ଭର ବଦନ ।

ଚାହିଁଲା ମାତ୍ରକେ ସେହୁ ହେଲା ଭୋଳମତି

କୋଟି ଲକ୍ଷ୍ମୀ ଯେସନେ କି ପାଇଲାକ ସତୀ ।

ଜନ୍ମବାର୍ତ୍ତା ପାଇଣ ଅଇଲେ ସର୍ବ ଗୋଈ

ନନ୍ଦର ଗୃହରେ ସର୍ବେ ମିଳିଲେକ ଯାଇ ।

ଦେଖିଲେ ନନ୍ଦ ରାଜାର ପୁତ୍ର ଜନମିଲା

ସମସ୍ତ ଗୋପପୁରରେ ଉତ୍ସବ ହୋଇଲା ।

ଆଗହୁଁ ଜାଣିଣ ଥିଲେ ସର୍ବ ଗୋପାଳୁଣୀ

ନନ୍ଦର ମନ୍ଦିରେ ଜାତ ହେବେ ଯଦୁମଣି ।

ଏକକୁ ଆରେକ ସର୍ବେ ନ କହି ଧାଇଁଲେ

ପେଲା ପେଲା ହୋଇ ନନ୍ଦ ମନ୍ଦିରେ ମିଳିଲେ ।

କୋଳ କରିଣ ମୋହର କାଟିଲେକ ଲାହି

ସୁବାସିତ ଜଳ ନେଇ ମୋତେଦେଲେ ଧୋଇ ।

ଚନ୍ଦନ କାଷ୍ଠେ ଅନ୍ତୁଡ଼ି ସେହୁ ଲଗାଇଲେ

ଫୁଲରି ମାଲପା ମୋର ଅଙ୍ଗରେ ଲେପିଲେ ।

ମୁଖରେ ଲଗାଇ ଦୁଦ ଦେଲେ ଗୋପାଳୁଣୀ

ପ୍ରେମ ଭକ୍ତିଭାବେ ମୋତେ ଘେନିଲେ ସେ ପୁଣି ।

ଆଗହୁଁ ସେ ବଳରାମ ହୋଇଥିଲେ ଜାତ

ଦୁଇ ପୁତ୍ର ପାଇ ନନ୍ଦ ହୋଇଲେ ଉସତ ।

ବାଳଙ୍କର ଆନନ୍ଦ କହୁଁ ନ ସରଇ

ମୋତେ ଦେଖିବାକୁ ପୋଏ ଅଇଲେକ ଧାଇଁ ।

ମୋହର ମୁଖ ଦେଖିଣ ସବୁ ଗୋପପୋଏ

ବୋଇଲେ ଖେଳିବା ୟାଙ୍କୁ ଘେନି ସର୍ବଦାଏ ।

ଏମନ୍ତ ପ୍ରକାରେ ଥୋକେ ଦିନ ବହିଗଲା

ଦିନକୁ ଦିନ ଶରୀର ବର୍ଦ୍ଧିତ ହୋଇଲା ।

ମାସେ ପୂରିଯାଇ ବେନି ମାସ ମୋର ହେଲା

ଏମନ୍ତେ ଚତୁର୍ଥ ମାସ ତହିଁ ବହିଗଲା ।

ଏକ ବରଷ ସମ୍ପୂର୍ଣ୍ଣ ହେଲା ଯେତେବେଳେ

ଚାଲିବା ନିମନ୍ତେ ମୁହିଁ ଗଲଇଁ ବାହାରେ ।

ଏଥୁ ଅନନ୍ତରେ ପୁଣି ଶୁଣ ଅନ୍ୟବାଣୀ

ଏକମନ ହୋଇ ଶୁଣ ଦେବୀ ଗୋ ରୁକ୍ମିଣୀ ।

ବେନି ବରଷ ଅନ୍ତରେ ହେଲା ଯେଉଁ କଥା

ବୃଷଭାନୁର ନନ୍ଦିନୀ ରାଧିକା ବ୍ୟବସ୍ଥା ।

ତାହାଙ୍କର ସଖୀ ଯେ ଅଟନ୍ତି ଅଷ୍ଟକନ୍ୟା

ସମସ୍ତେ ହିଁ ବାଳିକା ସେ ଅଟନ୍ତି ଅଙ୍ଗନା ।

କୁଲା ଟୋକେଇ ଘେନିଣ ସେ ସକଳ ବାଳୀ

ରୁଣ୍ଡ ହୋଇ ଯମୁନାକୁ ଯାନ୍ତି ବାଲି ଖେଳି ।

ଏମନ୍ତ ପ୍ରକାରେ ତହିଁ ସେମାନେ ଖେଳନ୍ତି

ଖେଳୁ ଖେଳୁ ସମସ୍ତେ ହିଁ ହୁଳୁହୁଳି ଦ୍ୟନ୍ତି ।

ଆମ୍ଭର ସଖା ଅଟନ୍ତି ଆଠୋଟି ବାଳକ

ପୂର୍ବ ଜନ୍ମରୁ ସେମାନେ ଅଟନ୍ତି ସେବକ ।

ସେମାନେ ଜନ୍ମ ଲଭିଲେ ରଙ୍ଗା ଅବତାରେ

ଆମ୍ଭର ସଖା ହେବାରୁ ଗୋପାଳ ରୂପରେ ।

ଦାମ ସୁଦାମ ଆବର ବସୁଦେବ ମୂଳେ

କିଙ୍କିଣୀ ସୁବଳ ପୁଣି ବଳୀସେନ ତୁଲେ ।

ଏ ଆଦି ଆଠୋଟି ସଖା ଆମ୍ଭର ଅଟନ୍ତି

ଶୁଣ ତୁମ୍ଭେ ଏକମନେ ଭୀଷ୍ମକ ଦୁହିତୀ ।

ଦଇବ ବଶେ ରାଧିକା ସର୍ବ ସଖୀ ଘେନି

ଯମୁନାନଦୀ କୂଳକୁ ଯାଆନ୍ତି ତରୁଣୀ ।

ଯମୁନାର କୂଳେ ଯାଇ ମିଳି ସର୍ବ ଗୋଈ

ବାଲୁକାର ଲିଙ୍ଗମାନ ତୋଳିଲେକ ତହିଁ ।

ନାନାବିଧ ପରକାରେ ଘରମାନ କଲେ

ବଖୁରି ବଖୁରି କରି ସବୁ ନିର୍ମାଣିଲେ ।

ନାନାବର୍ଣ୍ଣ କରିଣ ସେ କଲେ ଗୃହମାନ

ଏ ଘରକୁ ସେ ଘରର ଦ୍ଵାର କଲେ ପୁଣ ।

ଧୂଳି ଭାତ ଧୂଳି ପିଠା କଲେକ ଭିଆଣ

ଏ ପ୍ରକାରେ ନାନାଖେଳ ରଚିଲେକ ଜାଣ ।

ସୁବର୍ଣ୍ଣର କଣ୍ଢେଇ ଯେ ସର୍ବେ କରିଥିଲେ

ବର କନ୍ୟା କରି ତହିଁ ବିଭା କରାଇଲେ ।

ଅଷ୍ଟସଖା ଘେନି କୁଞ୍ଜବନେ ଖେଳୁଥିଲୁଁ

ହୁଳୁହୁଳି ଶବ୍ଦ ଶୁଣି ସେହିଠାକୁ ଗଲୁଁ ।

ଗେଲ ଗେଲ ହୋଇଣ ମିଳିଲୁ ତହିଁ ପାଶେ

ଶରଧା କରିଣ ଆମ୍ଭେ ଦେଖିଲୁଁ ହରଷେ ।

ବାଲିର ବେଦୀରେ ବର କନ୍ୟା ବସାଇ

ଧୂଳି ଦୂର୍ବାକ୍ଷତରେ ସେ ବନ୍ଦାନ୍ତି ତାଙ୍କୁ ହିଁ ।

କୁମାରୀଏ ଏସନକ ଖେଳି ତୋଷଚିତ୍ତେ

ଆମ୍ଭଙ୍କୁ ସେ ଦେଖିଣ ଭାଳନ୍ତି ହୃଦଗତେ ।

ମିଛିକା ଘରେ ତୁମ୍ଭେ ଗୋ ସଖି ଦେଖ କିନା

ସତିକା କୁଣିଆ ଆସି ମିଳିଲେଟି ସିନା ।

ରାଧିକା ମୁଖରେ ଯେଣୁ ଏସନକ ଭଣି

ଶୁଣିଣ ହସିଲେ ତହୁଁ ସର୍ବ ସଖି ଶୁଣି ।

ଅଷ୍ଟସଖାଙ୍କୁ ଘେନିଣ ତାହାଙ୍କର ଘର

ଶ୍ରଦ୍ଧା ଭାବରେ ଭାଙ୍ଗିଲୁ ଆମ୍ଭେ ଧାତିକାର ।

ଖେଳଘର ଭାଙ୍ଗନ୍ତେଣ କନ୍ୟା କୋପ କଲେ

ନାନା କଥା କହି ସେ ଆମ୍ଭଙ୍କୁ ଗାଳିଦେଲେ ।

ବୋଇଲେ ଗୋପାଳେ ତୁମ୍ଭେ ଅଟ ବଡ଼ ମନ୍ଦ

ଅକାରଣେ ଆମ୍ଭସଙ୍ଗେ କରୁଅଛ ଦ୍ଵନ୍ଦ୍ଵ ।

ପୁଣି ରାଗରେ ସେମାନେ ଦଉଡ଼ି ଆସିଲେ

ଆମ୍ଭର କାଛାପଣନ୍ତେ ଆମ୍ଭଙ୍କୁ ବାନ୍ଧିଲେ ।

ବୃଷଭାନୁ ନବରକୁ ନେଉଥିଲେ ଧରି

ତାହାଙ୍କର ଆମ୍ଭର ଯେ ବହୁ ହେଲା କଳି ।

ରାଧିକା ବୋଲେ ଆମ୍ଭର ଘର ଦିଅ ତୋଳି ।

ନୋହିଲେ ଆଜି ତୁମ୍ଭଙ୍କୁ ନେବଇଁ ଯେ ଧରି ।

ପିତାଙ୍କ ଛାମୁରେ କହି ଦେବଇଁ ଗଞ୍ଜଣା

କିପାଁ ତୁମ୍ଭେ ଭାଙ୍ଗିଦେଲ ଆମର ଖେଳନା ।

ଏମନ୍ତେ ଯମୂନା କୂଳେ ବହୁ କଳି ହେଲା

କେବେହେଁ ଆମ୍ଭଙ୍କୁ ସେହୁ ଛାଡ଼ିତ ନ ଦେଲା ।

ଦଇବେ ବଶେ ନାରଦ ଶୂନ୍ୟେ ଯାଉଥିଲେ

ଆମ୍ଭର କଳିଠାବରେ ଯାଇଣ ମିଳିଲେ ।

ଆମ୍ଭଠାରୁ ସବୁକଥାମାନ ସେ ଶୁଣିଲେ

ସଖୀମାନଙ୍କୁ ଡାକିଣ ଏମନ୍ତ କହିଲେ ।

ଆମ୍ଭର ବୋଲ ଯଦ୍ୟପି କରିବ କୁମାରୀ

କାଛପଣନ୍ତ କୃଷ୍ଣର ହାତୁ ଦିଅ ଛାଡ଼ି ।

ଯେବେ ତୁମ୍ଭ ଖେଳଘର ଭାଙ୍ଗି ଦେଲେ ପୋଏ

ଆମ୍ଭେ ସେ ଘର ବନାଇ ଦେବାକ ଉପାୟେ ।

ପୂର୍ବେ ଯେଉଁ ପରକାର ହୋଇଥିଲା ଘର

ସେହି ପରକାରେ ଆମ୍ଭେ ତୋଳାଇବା ପୁର ।

ଏଥକୁ କଳି କିପାଇଁ କରୁଅଛ ମାୟେ

ବାଲିଘର ପାଇଁ ଦୁଃଖ କରିବାର ନୁହେଁ ।

ଏତେ କହି ନାରଦ କନ୍ୟାଙ୍କୁ ପ୍ରବୋଧିଲେ

ନାନାବିଧ ପରକାରେ ସେ ବେଦୀ ମଣ୍ଡିଲେ ।

ମୁନିବର ରାଧାଙ୍କୁ ରାଇଣ ସନ୍ନିଧାନ

ଗୋପନ ଭାବେ ତାହାଙ୍କୁ କହନ୍ତି ବଚନ ।

ଆଗୋ ରାଧା ତୁମ୍ଭ ସଙ୍ଗେ କୃଷ୍ଣେ ବିଭାଦେବା

ତିନିଭୁବନ ମଧ୍ୟରେ ପାଇବାକ ଶୋଭା ।

ତୋହର ରୂପକୁ କୃଷ୍ଣ ଅନୁରୂପ ପତି

ଜନ୍ମେ ଜନ୍ମେ ତୋର ନିଜ କାନ୍ତ ଏ ଅଟନ୍ତି ।

ସେ ଅଟନ୍ତି ନାରାୟଣ ତୁହି ତ କମଳା

ଅବତୀର୍ଣ୍ଣ ହୋଇଅଛ କରିବାକୁ ଲୀଳା ।

ନାରଦ ବଚନ ପୂର୍ବ କଥା ମନେ ହେଲା

ହେଉ ହେଉ ବୋଲି ରାଧା ସନମତ କଲା ।

ନାରଦ ବଚନେ କେହୁ ମେଣ୍ଟେ ଦେହବହି

ବ୍ରହ୍ମାର ନନ୍ଦନ ସବୁ ପାରନ୍ତି ଭିଆଇ ।

ତହୁଁ ଆମ୍ଭଙ୍କୁ ବୋଇଲେ ଶୁଣ ଚକ୍ରଧର

ରାଧା ସଙ୍ଗେ କରାଇବୁ ବିଭାର ବେଭାର ।

ତୁମ୍ଭ ଅଷ୍ଟ ସଖାୟେ ଅଟନ୍ତି ବର ଜାତି

ଏହାଙ୍କର ଅଷ୍ଟ ସଖୀ ହ୍ଵନ୍ତୁ କନ୍ୟାଜାତି ।

ଏତେ ବୋଲି ନାରଦ ସମ୍ମତ କରାଇଲେ

ବିଭାଘର ବିଦାନ ସକଳ ଭିଆଇଲେ ।

ନାରଦ ବରବେଶ ଯେ ଆମ୍ଭଙ୍କୁ କରାଇ

ଫୁଲ ମୁକୁଟ ଶିରରେ ବାନ୍ଧିଲେକ ନେଇ ।

ବରକନ୍ୟା ବେଶେ ବେଦୀପରେ ବସାଇଲେ

ଗନ୍ଧର୍ବ ବେଦ ବିଧାନେ ବାକ୍ୟ ଉଚ୍ଚାରିଲେ ।

ଦେଶ କାଳ ବାକ୍ୟରେ ସେ କଲେ ବିଭାଘର

ରାଧାକୃଷ୍ଣଙ୍କର ବିଭା କଲେ ମୁନିବର ।

ପର୍ବ ମୁଖରେ ବସିଲୁଁ ବେଦୀପରେ ଯାଇ

ପଶ୍ଚିମକୁ ମୁଖ କରି ରାଧାଙ୍କୁ ବସାଇ ।

ବରୁଣର ପୂଜା ସେହି ସାରିଲେ ତକ୍ଷଣେ

ଦୁହିଁଙ୍କର ହସ୍ତକୁ ସେ ବାନ୍ଧିଲେ ଯତନେ ।

ଗନ୍ଧର୍ବ ବିଧାନେ ମୁନି ବିଭା କରାଇଲେ

ଅବିବାହୀ କନ୍ୟା ତହୁଁ ଗ୍ରନ୍ଥିଫେଇ ଦେଲେ ।

ଧୂଳିର ଚାଉଳ ଧୂଳି ଦୁର୍ବା ଶିରେ ଦେଇ

ଆନନ୍ଦରେ ବରକନ୍ୟା ବସାଇଲେ ନେଇ ।

ସ୍ଵର୍ଗର କନ୍ୟା ସକଳ ଆନନ୍ଦେ ଦେଖନ୍ତି

ଦୁହିଁଙ୍କର ମସ୍ତକରେ ଅକ୍ଷତ ବର୍ଷନ୍ତି ।

ଗୋପପୁର ଲୋକ ଏହା ନ ଜାଣନ୍ତି କେହି

ନନ୍ଦ ଯଶୋଦାକୁ ମଧ୍ୟ ଏହା ଜଣା ନାହିଁ ।

ବୃଷଭାନୁ ରାଜା ତାହା କେମନ୍ତେ ଜାଣିବ

ଦଇବ ପୁରୁଷ ଯାହା କରିଅଛି ଭାବ ।

ବିବାହ କରାଇ ମୁନି ଅନ୍ତର୍ଦ୍ଧାନ ହେଲେ

ଅମର ପୁରରେ ଯାଇ ପ୍ରବେଶ ହୋଇଲେ ।

ବ୍ରହ୍ମାଙ୍କଠାରେ କହିଲେ ସମସ୍ତ ବିଧାନ

ମଞ୍ଚେ ରାଧା କୃଷ୍ଣଙ୍କୁ ଯେ ବିଭା ଦେଲୁ ଜାଣ ।

ବ୍ରହ୍ମାଦି ଦେବ ଶୁଣିଣ ସନ୍ତୋଷ ଲଭିଲେ

ଏବେ କଂସ ରାଜା ନିଶ୍ଚେଁ ମରିବ ବୋଇଲେ ।

ଅଷ୍ଟସଖୀ ଘେନି ରାଧା ଗୃହେ ପ୍ରବେଶିଲେ

ମନ ମଧ୍ୟରେ ବିଶେଷ ଆନନ୍ଦ ଲଭିଲେ ।

ନନ୍ଦ ମନ୍ଦିରକୁ ଆମ୍ଭେ ବେଗେ ଗଲୁ ଚଳି

ଏହି କଥା ନ ପାରିଲେ କେହି ହେଜିକରି ।

ଦଇବୀ ମାୟାରେ ସର୍ବେ ମୋହିତ ହୋଇଲେ

ରାଧାକୃଷ୍ଣ ବିଭା କଥା କେହି ନ ଜାଣିଲେ

କେହି ନ ଜାଣନ୍ତି ଖେଳ କଉତୁକ କଥା

ପିତାର ଗୃହେ ରହିଲେ ରାଧିକା ବନିତା ।

ଶୁଣିଲଟିକି ଗୋ ସଖୀ ରାଧା ବିଭା ବାଣୀ

ବିବାହ ହୋଇଲେ ବୃଷଭାନୁର ନନ୍ଦିନୀ ।

ଗୋପନୀୟ କଥା ଯେ କହିଲୁ ତୁମ୍ଭ ଆଗେ

ଦେବଗଣ ଏହି କଥା ନ ଜାଣନ୍ତି ହାଦେ ।

ରୁକ୍ମିଣୀ ଶୁଣିଣ ମନେ ଆନନ୍ଦ ଲଭିଲେ

ଗୋବିନ୍ଦଙ୍କର ମୁଖକୁ ତୋଳି ନ ଚାହିଁଲେ ।

ଶୁଣିଲଟିକ ହେ ପରୀକ୍ଷିତ ନୃପବର

ହରିବଂଶର ଚରିତ ଅମୃତ ଆଧାର ।

ରୂକ୍ମିଣୀଙ୍କ ମନ ଭାବ ଜାଣି ଭାବଗ୍ରାହୀ

ହସିଣ କହନ୍ତି ସେହୁ ତତପର ହୋଇ ।

ତୁମ୍ଭେମାନେ ମନଦୁଃଖ ନ କର ଗୋ ସହି

କଥାର ପ୍ରସ୍ତାବେ ସବୁ କଥା କହିଲଇଁ ।

ତୁମ୍ଭେ ପଚାରନ୍ତେ ଆମ୍ଭେ କହିଲୁ ଶ୍ରଦ୍ଧାରେ

ଏ କଥାରେ ଦୁଃଖ କେଭେ ନ କର ହୃଦରେ ।

ମାୟାଧର ପୁରୁଷ ଯେ ଉପାୟେ ରଚିଲେ

ବିଚିତ୍ର କଥା କହିଣ ତାହାଙ୍କୁ ମୋହିଲେ ।

ଏହିରୂପେ କିଛିଦିନ ତହୁଁ ବହିଗଲା

ସତ୍ୟଭାମା ରୁକ୍ମିଣୀଙ୍କ ଶରଧା ବଳିଲା ।

ଦିନେ କୃଷ୍ଣ ବସିଛନ୍ତି ରତ୍ନ ସିଂହାସନେ

ସତ୍ୟଭାମା ରୂକ୍ମିଣୀ ମିଳିଲେ ସନ୍ନିଧାନେ ।

ଟହ ଟହ ହୋଇଣ ହସିଲେ ଚକ୍ରଧର

ହସ୍ତଧରି ସେମାନଙ୍କୁ ବସାନ୍ତି ପାଖର ।

ହାସ୍ୟ ପରିହାସ କଲେ ନାନା କୁତୂହଳେ

ରୁକ୍ମଣୀ ସତ୍ୟଭାମାର ପଡ଼ିଲା ମନରେ ।

ସତ୍ୟଭାମା ବୋଲନ୍ତି ଶୁଣ ହେ ନାରାୟଣ

କଥାଏ ପୁଚ୍ଛିବୁଁ ଆମ୍ଭେ ସାବଧାନେ ଶୁଣ ।

ଗୋପର ଚରିତମାନ କହିଲ ଗୋସାଇଁ

ଶୁଣିକରି ସନ୍ତୋଷ ହୋଇଲା ଆମ୍ଭଦେହୀ ।

କଥାଏ ପଚାରିବାକୁ ଅଛଇ ମନର

ତାହା ଶୁଣିଲେ ସନ୍ଦେହ ଯିବଟି ଆମ୍ଭର ।

ବସୁଦେବ ଦେବକୀ ତ ତୁମ୍ଭ ଜନ୍ମଦାତା

ନନ୍ଦ ଯଶୋଦା କିପାଇଁ ହେଲେ ପିତାମାତା ।

ପୂର୍ବଜନ୍ମରେ ସେ କେଉଁ ତପ କରିଥିଲେ

ବାଳକାଳରେ ତୁମ୍ଭର ଆର୍ଦୋଳି ସହିଲେ ।

ବସୁଦେବ ଦେବକୀ ଏ ପୂର୍ବେ କରି କିସ

ଗର୍ଭରୁ ଜନମ କଲେ ଅନାଦି ପୁରୁଷ ।

ଏ କଥାମାନ ବିସ୍ତାରି କହ ଦାମୋଦର

ଶୁଣିଲେ ସଂଶୟ ଗ୍ରନ୍ଥି ଫିଟିବ ଆମ୍ଭର ।

ବସୁଦେବ ଦେବକୀର ଚରିତ କହିବ

ସେ କଥା ଶୁଣିଲେ ମନେ ଆନନ୍ଦ ଜନ୍ମିବ ।

ସେହିଦିନ ଆମ୍ଭର ତ ମନେ ନ ପଡ଼ିଲା

ଏବେ ସେହି ସବୁ କଥା କହ ନନ୍ଦବଳା ।

ଏହା ଶୁଣିଣ ବୋଇଲେ ପ୍ରଭୁ ନାରାୟଣ

ଅତି ଗୁପତ ଏ କଥା ପଚାରିଲ ଜାଣ ।

ମୁନି ଋଷିମାନେ ଏହା ନ ଜାଣନ୍ତି କେହି

କହିବା ତୁମ୍ଭଙ୍କୁ ଆମ୍ଭେ ନ କହିବ କାହିଁ ।

ତ୍ରେତୟାଯୁଗରେ ପୁଣି ରାମ ଅବତାରେ

ବିଷ୍ଣୁ ଜନମ ଲଭିଲେ ଦଶରଥ ଘରେ ।

ଦଶରଥ ରାଜାଙ୍କର ହେଲେ ଚାରିପୁତ୍ର

ଶ୍ରୀରାମଚନ୍ଦ୍ର ଲକ୍ଷ୍ମଣ ଶତ୍ରୁଘ୍ନ ଭରତ ।

ପିତା ବୋଲେ ରାମଚନ୍ଦ୍ର ବନବାସ ଗଲେ

ଗୋଦାବରୀ ତୀରେ ଗୃହ କରିଣ ରହିଲେ ।

ପଞ୍ଚବଟୀ ବନ ଅଟେ ଅଗମ୍ୟ ଅରଣ୍ୟ

ସେ ବନରେ ବାସ କରି ରହିଲେ ଶ୍ରୀରାମ ।

ରାବଣ ସେହି ବନରୁ ସୀତା ହରି ନେଲା

ଲଙ୍କାଗଡ଼ରେ ଯାଇଣ ନିଶ୍ଚନ୍ତେ ରହିଲା ।

ବିଚିତ୍ର ମାୟାମୃଗେକ ଯେଣୁ ସେ ଦେଖିଲେ

ତାହାକୁ ମାରିବା ପାଇଁ ରାମଚନ୍ଦ୍ର ଗଲେ ।

କନକ ମୃଗକୁ ମାରି ଆସି ରଘୁବୀର

ତ୍ଵରିତ ମିଳିଲେ ପର୍ଣ୍ଣକୁଟୀର ଦୁଆର ।

ଦେଖିଲେ ପର୍ଣ୍ଣକୁଟୀରେ ସୀତା ଦେବୀ ନାହିଁ

ବହୁତ ବିକଳ ତହୁଁ ହେଲେ ରଘୁସାଇଁ ।

ହା ସୀତା ହା ସୀତା ବୋଲି ଅନେକ କାନ୍ଦିଲେ

ଗୋଦାବରୀର କୂଳରୁ ବାହାର ହୋଇଲେ ।

ପମ୍ପାସର କୁଳେ ମିଳିଲେକ ରାମରାହୁ

କ୍ଷୁଧା ଅନଳେ ବିକଳ ହେଲେ କହୁ କହୁ ।

ଖଣ୍ଡେଦୂରେ ଦେଖିଲେ ସେ ଗୋଗୋଷ୍ଠେକ ଅଛି

ଦୁଧ ମାଗି ଆଣିବାକୁ ବୋଇଲେ ଝଟତି ।

ତକ୍ଷଣେ ଲକ୍ଷ୍ମଣ ବୀର ବେଗେ ଚଳିଗଲା

ଗଉଡ଼ମାନଙ୍କୁ ଦୁଧ ମନ୍ଦାଏ ମାଗିଲା ।

ଲକ୍ଷ୍ମଣ ମାଗୁଁ ସେମାନେ କେବେହେଁ ନ ଦ୍ୟନ୍ତି

ଉନମତ୍ତେ ଏଣେତେଣେ ଯାଇଣ ବୁଲନ୍ତି ।

ଲକ୍ଷ୍ମଣ ବୋଇଲେ ମୋତେ ନ ଦିଅ ମାଗଣା

ମୁଦି ବନ୍ଧା ନେଇ ତୁମ୍ଭେ ଦୁଧ ଦିଅ କିନା ।

ଲକ୍ଷ୍ମଣ ବୋଲ ସେମାନେ କେଭେ ନ ଶୁଣିଲେ

ତାହାଙ୍କ ପଛେ ଲକ୍ଷ୍ମଣ ଗୋଡ଼ାଇ ମାଗିଲେ ।

ମୂର୍ଖ ଗୋପାଳମାନେ ତ କିଛି ନ ଜାଣନ୍ତି

ବନରେ ଥାଇଣ ଭଲ ମନ୍ଦ ନ ଭାବନ୍ତି ।

ଏମନ୍ତ ଦେଖି ଲକ୍ଷ୍ମଣ କୁପିତ ହୋଇଲେ

ଗାଈ ଦୁଧ ରକ୍ତ ହେଉ ଅଭିଶାପ ଦେଲେ ।

ଦୁହିଁଲାରୁ ଦୁଧ ସବୁ ହେଲା ରକ୍ତମୟ

ଅଭିଶାପ ଦେଲେ ତାଙ୍କୁ ଦଶରଥ ପୁଅ ।

ଶାପ ଦେଇ ସଉମିତ୍ରୀ ଆସନ୍ତେ ଲେଉଟି

ଦେଖିଲେ ରକତ ହୋଇଅଛି କ୍ଷୀର ପୁଟି ।

ଗାଈମାନଙ୍କର ଦୁଧ ଶୋଣିତ ଦଶିଲା

ଦେଖିଣ ଗୋପାଳଙ୍କର ଜ୍ଞାନ ଧ୍ଵଂସ ହେଲା ।

ଧାଇଁ ଧାଇଁ ଶ୍ରୀରାମଙ୍କ ଛାମୁରେ ମିଳିଲେ

ଶିରେ କର ଦେଇ ପାଦପଦ୍ମରେ ଶୋଇଲେ

ବୋଇଲେ ହୋ ଗୋସାଇଁ ଆମ୍ଭଙ୍କୁ ରକ୍ଷାକର

ଅନାଥ ହୋଇଣ ଆମ୍ଭେ ମରିବୁଁ ଏଥର ।

ଅରଣ୍ୟରେ ଗଉଡ଼ ଆମ୍ଭର କିସ ବୁଦ୍ଧି

ତୁମ୍ଭେ ମହାପ୍ରଭୁ ଅଟ କରୁଣା ବାରିଧି ।

ଅନେକ ବିକଳ ଯହୁଁ ହୋଇଲେ ଗୋପାଳେ

ଦୟାନିଧି ଶ୍ରୀରାମ ତାହାଙ୍କୁ ଦୟା କଲେ ।

ଶ୍ରୀରାମ ବୋଇଲେ ଦୁଧ ହେବ ଶ୍ଵେତବର୍ଣ୍ଣ

ଦୁଧ ଦୁହିଁ ଗୋପାଳେ ହୋଇଲେ ହର୍ଷମନ ।

ଧାଇଁ ଆସିଣ ସେମାନେ ରାମଙ୍କୁ କହିଲେ

ତୁମ୍ଭର ଆଜ୍ଞାରେ ଗାଈ ଭଲ ଦୁଧ ଦେଲେ ।

ବିନୟ ଭାବରେ ଆମ୍ଭେ କହୁଛୁଁ କଥାଏ

କିଛି ଦୁଧ ତୁମ୍ଭଙ୍କୁ ଯେ ଦେବୁ ମହାରାୟେ ।

ବେଗ ହୋଇ ଗାଈଙ୍କର ଦୁଧ ଘେନିଗଲେ

ଦୁଧଭାର ରାମଙ୍କର ଛାମୁରେ ଥୋଇଲେ ।

ପାଦ ଧୋଇଣ ଶ୍ରୀରାମ ପାନ କଲେ ତାହା

ତାହାଙ୍କ ପାଖରୁ ଚଳିଗଲେ ରଘୁନାହା ।

ଓଳଗି ହୋଇଣ ତହୁଁ ସର୍ବେ ବାହୁଡ଼ିଲେ

ଆପଣା ଗୋଷ୍ଠରେ ଯାଇ ପ୍ରବେଶ ହୋଇଲେ ।

ତା ମଧ୍ୟରୁ ଗୋପାଳେକ ମନେ ବିଚାରିଲା

ରାମଙ୍କ ପଛରେ ତହୁଁ ଗୋଡ଼ାଇ ଚଳିଲା ।

ଥୋକାଏ ଦୁର ଗୋଡ଼ାଇ ଅଇଲାକ ଯହୁଁ

ଗଉଡ଼କୁ ଚାହିଁଣ ବୋଲନ୍ତି ରାମରାହୁ ।

ଆରେ ଗୋପାଳ କିପାଇଁ ଗୋଡ଼ାଇଛୁ ତୁହି

ପୟଦାନ କରିଣ ତୋଷିଲୁ ଆମ୍ଭ ଦେହି ।

କିସ କାର୍ଯ୍ୟ ଆଉ ତୋର ଅଛି ଆମ୍ଭଠାରେ

ନ କହିଣ କାହିଁ ପାଇଁ ଗୋଡ଼ାଉ ପଛରେ ।

ସେ ବୋଇଲା କହିବାକୁ ଭୟ ଲାଗୁଅଛି

ନ କହି ଯିବାକୁ ମନ ନୁହଇ ମୁରୁଛି ।

ଏତେ କହି ଶ୍ରୀରାମଙ୍କ ଚରଣେ ନମିଲା

ଅପୁତ୍ରିକ ଦୋଷୂ ମୋର ପିଣ୍ଡ ଲୋପ ହେଲା ।

ତୁମ୍ଭ ବଚନେ ରୁଧିର ହେଲା ଗାଈ କ୍ଷୀର

ଏଣୁ ବିଚାରୁଛି ତୁମ୍ଭେ ପୁତ୍ର ଦେଇପାର ।

ଏହି ବର ମୋତେ ଦେବ ଆହେ ରଘୁରାଣ

ତେବେ କୃତାର୍ଥ ମୋହର ହେବ ପଞ୍ଚପ୍ରାଣ ।

ଗୋପାଳ ମୁଖରୁ ପ୍ରଭୁ ଏସନକ ଶୁଣି

ମୃଦୁ ମୃଦୁ ହସିଣ କହନ୍ତି ରଘୁମଣି ।

ଏ ଜନ୍ମରେ ପୁତ୍ର ପ୍ରାପ୍ତ ହେବୁ ନାହିଁ ତୁହି

ଦ୍ଵାପରେ ହୋଇବୁଁ ଆମ୍ଭେ ତୋହର ତନୟି ।

ଆମ୍ଭର ଏ ବଚନକୁ ଦୃଢ଼ ମଣିଥିବୁ

ଏହି ଦେହେ ଯାଇଣ ତୁ ବୈକୁଣ୍ଠେ ବସିବୁ ।

ଦ୍ଵାପର ଯୁଗରେ ନନ୍ଦ ଗୋପାଳ ତୁ ହୋଇ

ଗୋପ ନଗର ମଧ୍ୟରେ ଥିବୁ ଦେହ ବହି ।

ସବୁ ଗୋପାଳମାନଙ୍କ ପରେ ହେବୁ ରାଜା

ସର୍ବ ଗୋପାଳେ କରିବେ ତୋର ପାଦପୂଜା ।

କଂସ ପାଇଁ ମଥୁରାରେ ଆମ୍ଭେ ଜନ୍ମ ହେବୁଁ

ଅଷ୍ଟ ବରଷ ପର୍ଯ୍ୟନ୍ତ ଗୋପରେ ବଢ଼ିବୁ ।

ବସୁଦେବ ମୋତେ ନେଇ ତୋ ଘରେ ଥୋଇବ

ପ୍ରାଣତୁଲ୍ୟ କରି ତୁମ୍ଭେ ଆମ୍ଭଙ୍କୁ ପାଳିବ ।

ତେବେ ସିନା ତୁମ୍ଭ କ୍ଷୀର ଋଣକୁ ଶୁଝିବୁ

ନୋହିଲେ ତୁମ୍ଭର ଆମ୍ଭେ ଋଣୀ ହୋଇଥିବୁଁ ।

ଏତେକ କହିଣ ରାମ ତାକୁ ପ୍ରବୋଧିଲେ

ଆପେ ଧନୁଶର ଧରି ତହୁଁ ବାହୁଡ଼ିଲେ ।

ଗୋପାଳ ପ୍ରବେଶ ହେଲା ଆପଣା ଗୋଷ୍ଠର

ଏରୂପେ ନନ୍ଦନ ଆମ୍ଭେ ହୋଇଛୁଁ କୁମର ।

ବସୁଦେବ କଥା ମୋତେ ପଚାରିଲ ତୁମ୍ଭେ

ଏକମନ ହୋଇ ଶୁଣ ବୁଝାଇବୁ ଆମ୍ଭେ ।

ପୂର୍ବେ କଶ୍ୟପ ଅଦିତି ହୋଇଥିଲେ ଜାତ

ରାମ ଅବତାର କଉଶଲ୍ୟା ଦଶରଥ ।

ସେହି ଏବେ ବସୁଦେବ ଦେବକୀ ବୋଲାନ୍ତି

ଜନ୍ମେ ଜନ୍ମେ ଆମ୍ଭ ପିତା ମାତା ସେ ଅଟନ୍ତି ।

ପୂର୍ବେ ଘୋର ତପ କରି ଆମ୍ଭଙ୍କୁ ସେ ଦୁହେଁ

ତୋଷିବାରୁ ପୁତ୍ରରୂପେ ପାଇଲେ ଏ ଦେହେ ।

ଗୁପ୍ତ କଥାମାନ ସଖି କହିଲୁ ତୋହରେ

ତୁମ୍ଭେମାନେ କିଛି କଥା ନ ଧର ମନରେ ।

ଏହା ଶୁଣିଣ ସେମାନେ ଚରଣେ ନମିଲେ

ଅନେକ କହିଣ ପାଦେ ବିନୟୀ ହୋଇଲେ ।

ଯେତେ ଅପରାଧ କଲୁ ତୁମ୍ଭେ କର କ୍ଷମା

ନିରନ୍ତର ଦାସୀ ଅଟୁଁ ଆମ୍ଭେମାନେ ସିନା ।

ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଶୁଣ ପ୍ରାଣସହି

ତୁମ୍ଭଠାରେ ଆମ୍ଭର ତ ମାୟା କିଛି ନାହିଁ ।

ଏତେବୋଲି ଦୁହିଁଙ୍କି ସେ କୋଳାଗ୍ରତ କଲେ

ଅନ୍ୟ ସ୍ତିରୀଙ୍କି କୋମଳ ବଚନ କହିଲେ ।

ଶୁଣିଲଟିକି ହୋ ପରୀକ୍ଷତ ନୃପରାଣ

ଏହା ଶୁଣିବାକୁ ତୁମ୍ଭେ ଅଟ ହୋ ଭାଜନ ।

ଭାଗବତ ପୁରାଣ ଏ ପୁତ ଗଙ୍ଗାଜଳ

କର୍ଣ୍ଣରେ ଶୁଣିଲେ ଅଙ୍ଗ ହୁଅଇ ଶୀତଳ ।

କୋଟିତୀର୍ଥ ସ୍ନାନ କଲେ ଯେତେ ଫଳ ପାଇ

ହରିବଂଶ ଶୁଣି ପ୍ରାଣୀ ସେ ଫଳ ଲଭଇ ।

ଅଧମ ଅରକ୍ଷ ଅଟେ ମୁଁ ଅଚ୍ୟୁତ ଦାସ

ଏହା ଜାଣି ଦୟାକର ଆହେ ପୀତବାସ ।

 

ହରିବଂଶ (ସପ୍ତମ ଖଣ୍ଡ)

କୃଷ୍ଣଙ୍କର ଗୋପିକାଙ୍କ ରହସ୍ୟ ଦ୍ଵାରକାରେ ସ୍ଥାପନ ଓ ଅଷ୍ଟ ପାଟବଂଶୀଙ୍କୁ ମାୟା ପ୍ରଦର୍ଶନ

ଏଥୁ ଅନନ୍ତରେ ପୁଣି ପରୀକ୍ଷ ରାଜନ

ଶୁକମୁନି ଚରଣରେ ପ୍ରଣାମ କରିଣ ।

ବୋଇଲେ ସଂକ୍ଷେପି କହ ମୋତେ ମୁନିବର

ତହିଁପରେ କିସ କଲେ ପ୍ରଭୁ ଶିରୀଧର ।

ରାଜାଙ୍କ ବିନୟ ବାକ୍ୟେ ହୋଇ ଅତି ଭୋଳ

ପୋଥି ଫେଡ଼ିଣ କହିଲେ ବ୍ୟାସଙ୍କ ଦୁଲାଳ ।

ଏଥୁଅନ୍ତରେ ରୁକ୍ମଣୀ ଆଉ ସତ୍ୟଭାମା

ଗୋବିନ୍ଦ ପାଦେ ନମିଲେ ହୋଇ ହର୍ଷମନା ।

ଆବର କନ୍ୟାଏ ସର୍ବେ ଓଳଗି ହୋଇଲେ

ଉଠ ଉଠ ବୋଲି କୃଷ୍ଣ ହସ୍ତ ଠାରିଦେଲେ  

ରୁକ୍ମିଣୀ ସତ୍ୟଭାମାକୁ ହସ୍ତରେ ତୋଳନ୍ତି

ତାହାଙ୍କୁ ଆଶ୍ଵାସ କରି ପାଖରେ ବସାନ୍ତି ।

କୃଷ୍ଣ କହିଲେ କିପାଇଁ କରୁଛ ବିନୟ

ସେଥିର କାରଣ ବୋଲ ହୋଇଣ ନିର୍ଭୟ ।

ସତ୍ୟଭାମା ରୁକ୍ମିଣୀ ଯେ ବୋଲନ୍ତି ବଚନ

କଥାଏ କହିବୁ ଆମ୍ଭେ ଶୁଣ ନାରାୟଣ ।

ଷୋଳସସ୍ର ଗୋପାଳୁଣୀ ରାଧିକା ସହିତେ

ଏହାଙ୍କ ସ୍ଵରୂପ ପ୍ରଭୁ କହିଲଟି ଯେତେ ।

ଥରେ ଯଦ୍ୟପି ତାହାଙ୍କୁ ଦେଖାଇଣ ଦେବ

ତେବେ ଆମ୍ଭ ହୃଦୟରୁ ସନ୍ଦେହ ଫିଟିବ ।

ଏ କଥା ଶୁଣି ଗୋବିନ୍ଦ ଅଳପ ହସିଲେ

ବିମ୍ବାଧରେ ମୃଦୁ ମୃଦୁ ବଚନ ଭାଷିଲେ ।

ତାଙ୍କୁ ଆଣି ଦେଖାଇବୁ ତୁମ୍ଭଙ୍କୁ ଏଠାରେ

ଏମନ୍ତ କହିଣ ମନ ମୋହିଲେ ମାୟାରେ ।

ଏହିପରି ଚାଲିଗଲା ତହୁଁ କେତେ ଦିନ

କୃଷ୍ଣଙ୍କର ପୁତ୍ର ନାତି ହେଲେ ବର୍ଦ୍ଧମାନ ।

କିଛି ଦିନାନ୍ତେ ରୂକ୍ମିଣୀ ସତ୍ୟଭାମା ଦୁଇ

ବୋଇଲେ କଥାଏ ଶୁଣ ଆହେ ପ୍ରାଣସାଇଁ ।

ଯାହା ଆମ୍ଭେ କହିଥିଲୁଁ ତାହା କି ଭୁଲିଲ

ରାଧାଙ୍କୁ ଆଣିବା କଥା ମନୁ ପାସୋରିଲ ।

ଗୋବିନ୍ଦ ବୋଇଲେ ଆମ୍ଭେ କିଛି ଦିନାନ୍ତରେ

ତାହାଙ୍କୁ ଆଣିବୁ ଏଥେ ଯାଇ ଧାତିକାରେ ।

ରୁକ୍ମଣୀକି ପ୍ରବୋଧିଣ ପ୍ରଭୁ ନାରାୟଣ

ମନେ ମନେ ବିଚାରନ୍ତି ଦୁଃଖିତ ହୋଇଣ ।

ଗୋପୀଙ୍କି ଛାଡ଼ି ଅଇଲୁ ହେଲା ଏତେ ଦିନ

ବିକଳ ସେ ହେଉଥିବେ ବସି ରାତିଦିନ ।

ନନ୍ଦ ଯଶୋଦାଙ୍କ ଦୁଃଖ କହିଲେ ନ ସରେ

ଆମ୍ଭଙ୍କୁ ସେ ପାଳିଥିଲେ କେତେ ଯତନରେ ।

ବୃଦ୍ଧକାଳେ ତାଙ୍କୁ ଆମ୍ଭେ ପାଳିବା ଉଚିତ

ନୋହିଲେ ଆମ୍ଭର ଧର୍ମ ହାନି ହୋଇବ ତ ।

ଏମନ୍ତ ବିଚାର କରି ପ୍ରଭୁ ଭଗବାନ

ଗୋପପୁରେ ଯିବାପାଇଁ ବଳାଇଲେ ମନ ।

ଜ୍ୟେଷ୍ଠ ଶୁକଳ ଦଶମୀ ତିଥି ଗୁରୁବାର

ସ୍ୱାତୀ ନାମରେ ନକ୍ଷତ୍ର ଅଟେ ସେ ଦିନର ।

ଶୋଭନ ଯୋଗ ଅଟଇ ବାଳବ କରଣ

ସେହି ଅମୃତ ଯୋଗରେ ପ୍ରଭୁ ନାରାୟଣ ।

ଗରୁଡ଼କୁ ସୁମରଣା କଲେ ଦୟାମୟ

ଆସିଣ ଛାମୂରେ ଉଭା ହେଲା ବୈନତେୟ ।

ମସ୍ତକରେ ହସ୍ତ ଦେଇ ବୋଲେ ପକ୍ଷୀରାଣ

କିମର୍ଥେ ସ୍ମରଣ ମୋତେ କଲ ନାରାୟଣ ।

ଗୋବିନ୍ଦ ବୋଇଲେ ତୁହି ଶୁଣ ଖଗବର

ପିଠିରେ ବସାଇ ମୋତେ ନେବୁ ଖଣ୍ଡେଦୂର ।

ସୁଦିବ୍ୟ ବେଶ ହୋଇଲେ ଦେବ ଜଗନ୍ନାଥ

ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚାରି ହସ୍ତ ।

କର୍ଣ୍ଣରେ କୁଣ୍ଡଳ ଶିରେ ନାନା ପୁଷ୍ପ ଚୂଳ

ମସ୍ତକେ ମୁକୁଟ କଣ୍ଠେ ଶୋହେ ବନମାଳ ।

ବାହୁଟି କଙ୍କଣ ମୁଦି ରତ୍ନ ଓଢ଼ିଆଣି

ଦେବାଙ୍ଗ ବସନ ପିନ୍ଧ ପ୍ରଭୁ ଚକ୍ରପାଣି ।

ଦିବ୍ୟ ବେଶେ ଗରୁଡ଼ର ପିଠିରେ ବସିଲେ

ନଗର ଭ୍ରମଣ ପାଇଁ ବିଜେ କରିଗଲେ ।

କୁଶସ୍ଥଳୀ ଦ୍ଵାରକାରେ ଭ୍ରମିଣ ଗୋସାଇଁ

ସମୁଦ୍ର କୂଳେ ମିଳିଲେ ତତକ୍ଷଣେ ଯାଇ ।

ବରୁଣକୁ ସୁମରଣା କଲେ ଦାମୋଦର

ଛାମୁରେ ପ୍ରବେଶ ହେଲା ଆସି ରତ୍ନାକର ।

ପାଦରେ ପଡ଼ିଣ ସେହି ଶିରେ କର ଦେଲା

ଅନେକ ପ୍ରକାରେ ସ୍ତୁତିବଚନ ବୋଇଲା ।

ଗୋବିନ୍ଦ ତାକୁ ବୋଇଲେ ଆହୋ ରତ୍ନାକର

ଆମ୍ଭର ବଚନ ତୁମ୍ଭେ ଶୁଣ ନିରାଧାର ।

ସସ୍ରେ ଯୋଜନ ଦ୍ଵାରିକା ପାଖୁଁ ଛାଡ଼ିଯିବ

ଆମ୍ଭର ବଚନ ତୁମ୍ଭେ ନିଶ୍ଚୟ ପାଳିବ ।

ତହିଁ ରହିବେ ଆମ୍ଭର ପିତା ମାତା ବେନି

ଆବର ଗୋପପୁରର ଯେତେ ଗୋପାଳୁଣୀ ।

ଦ୍ଵିତୀୟ ଦ୍ଵାରକା ସେହୁ ହୋଇବ ଆମ୍ଭର

ତହିଁରେ ରାଜା ହୋଇବେ ନନ୍ଦ ନୃପବର ।

ବରୁଣ ବୋଇଲା ଦେବ ଆଜ୍ଞା ପରମାଣେ

ସହସ୍ର ଯୁଣ ପର୍ଯ୍ୟନ୍ତ ଛାଡ଼ିବି ଏକ୍ଷଣେ ।

ଏତେ କହି ପ୍ରଭୁ ତହୁଁ ବାହାର ହୋଇଲେ

ବିଶ୍ଵକର୍ମାକୁ ମନରେ ସୁମରଣା କଲେ ।

ସୁମରନ୍ତେ ବିଶ୍ଵକର୍ମା ଜାଣି ତା ପାରିଲା

ତତକ୍ଷଣେ ଆସି ପ୍ରଭୁ ଛାମୁରେ ମିଳିଲା ।

ନମସ୍କାର କରିଣ ସେ କହଇ ବଚନ

କି ନିମନ୍ତେ ସୁମରଣା କଲ ନାରାୟଣ ।

କି ନିମନ୍ତେ ଚିତ୍ତେ ମୋତେ ସୁମରିଲ ହରି

ସେ କଥାଗୋଟିକ ମୋତେ କହିବା ବିସ୍ତାରି ।

ବିଶ୍ଵକର୍ମାର ବଚନ ଗୋବିନ୍ଦ ଶୁଣିଲେ

ବିମ୍ବାଧରେ ମନ୍ଦହାସ କରିଣ କହିଲେ ।

ବରୁଣ ଦେବତା ଆମ୍ଭ ଆଜ୍ଞା ମାନିକରି

ସହସ୍ରେ ଯୋଜନ ଭୂମି ଗଲା ଛାଡ଼ିକରି ।

ତୁ ଏବେ ସେ ଭୂମି ପରେ ପୁରେକ ନିର୍ମାଣ

ସମାନ ହୋଇବ ଯେହ୍ନେ ଗୋପତୁଲେ ଜାଣ ।

ପୂର୍ବରୁ ତ ଗୋପନଗ୍ର ଦେଖିଅଛୁ ତୁହି

ଏବେ ନଗ୍ରେ କର ଯାଇଁ ସେହିରୂପେ ତହିଁ ।

ଆବର ତୁ ଶୁଣ ଆମ୍ଭ କହିବାର ଗୀର

ଯେମନ୍ତ ପ୍ରକାରେ ହେବ ତହିଁର ପ୍ରକାର ।

ନନ୍ଦ ଯଶୋଦାଙ୍କ ପାଇଁ ହେବ ଯେଉଁ ପୁର

ଗତୁଁ ଶତେ ଗୁଣରେ ସେ ଦିଶିବ ସୁନ୍ଦର ।

ଷୋଳସସ୍ର ଗୋପୀଙ୍କର ଗୋଟିଏ ଗୋଟିଏ

ବିଚିତ୍ର ମନ୍ଦିର ଦିଶୁଥିବ ତେଜୋମୟେ ।

ସେମାନେ ଅଟନ୍ତି ଆମ୍ଭ ପ୍ରାଣର ସଙ୍ଗାତ

ବାଳକାଳେ ଆମ୍ଭ ସଙ୍ଗେ ହୋଇଥିଲେ ମତ ।

ତାହାଙ୍କର ଗୁଣମାନ ମୂରୁଛି ନୁହଇ

ସର୍ବଦା ଆମ୍ଭର ସେବା କରୁଥାନ୍ତି ସେହି ।

ଏବେ ତାଙ୍କୁ ଆଣି ଆମ୍ଭେ ସନ୍ନିଧେ ରଖିବୁ

ଦେହ ଛାଡ଼ିଗଲା ବେଳେ ବୈକୁଣ୍ଠକୁ ନେବୁ ।

ପ୍ରାଣାଧିକ କରି ମୋତେ ପାଳିଥିଲେ ନନ୍ଦ

ନିରନ୍ତର ସୁମରନ୍ତି ଶ୍ରୀରାମ ଗୋବିନ୍ଦ ।

ମୋହର ନାମଗୋଟି ନ ପାସୋରନ୍ତି ଦଣ୍ଡେ

ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ବୋଲି ଉଚ୍ଚାରନ୍ତି ତୁଣ୍ଡେ ।

ରାତ୍ରକ ଭିତରେ ତୁ ଯେ ନଗ୍ର ଭିଆଇବୁ

ନିର୍ମାଣ କରିଣ ତହୁଁ ବେଗେ ଚଳିଯିବୁ ।

ଶୁଣ ହୋ ପରୀକ୍ଷ ରାଜା ପୁଣ୍ୟତମ ଦେହୀ

ଦ୍ଵାରକାକୁ ଚଳିଗଲେ କୃଷ୍ଣ ଏତେ କହି ।

ବରୁଣ ନୃପତି କୃଷ୍ଣ ଆଜ୍ଞା ଶିରେ ଧରି

ସହସ୍ରେ ଯୋଜନ ଯାଏ ଗଲା ଅପସରି ।

ସେହି ରାତ୍ରେ ବିଶ୍ଵକର୍ମା ସେଠାକୁ ଅଇଲା

ପୂର୍ବରୁ ସେ ପ୍ରଭୁଙ୍କର ଆଜ୍ଞା ପାଇଥିଲା ।

ଯେଉଁରୂପେ ଆଜ୍ଞା ଦେଇଥିଲେ ଭାବଗ୍ରାହୀ

ସେହିରୂପେ ବିଶ୍ଵକର୍ମା ନଗର ଭିଆଇ ।

ନନ୍ଦରାଜା ପାଇଁ କଲା ବିଚିତ୍ର ନଗର

ନାନାଚିତ୍ର ପରିବନ୍ଧେ ଦିଶେ ମନୋହର ।

ଷୋଳସସ୍ର ପୁର ବିଶ୍ଵକର୍ମା ନିର୍ମାଣିଲା

ଗୋପପୁର ନଗରହୁଁ ସୁନ୍ଦର ଦିଶିଲା ।

ଚନ୍ଦ୍ରସେଣାର ନଗର ସେରୂପେ ତୋଳାଇ

ରାତ୍ର ପାହୁଁ ବିଶ୍ଵକର୍ମା ଅନ୍ତର୍ଦ୍ଧାନ ହୋଇ ।

ନିଶି ପ୍ରଭାତ ହୁଅନ୍ତେ ଗୋବିନ୍ଦ ଉଠିଲେ

ନିତ୍ୟନୈମିତ୍ତିକ କର୍ମ ସମସ୍ତ ସାରିଲେ ।

ବିଚିତ୍ର ବେଶ ଧାରଣ କରି ଚକ୍ରଧର

ଗରୁଡ଼ ପୃଷ୍ଠରେ ବସି ଚଳିଲେ ସତ୍ଵର ।

ନବଦ୍ଵାରକାପୁରରେ ମିଳିଲେକ ଯାଇଁ

ବୁଲିଣ ସବୁ ଦେଖିଲେ କମଳାର ସାଇଁ ।

ପୁର ସକଳ ଦେଖିଣ ସନ୍ତୋଷ ଲଭିଲେ

କୃଷ୍ଣ ବିଶ୍ଵକର୍ମାକୁ ବହୁତ ପ୍ରଶଂସିଲେ ।

ରହସ୍ୟ ଦ୍ଵାରକା ବୋଲି ନାମ ଦେଇ ତାର

ପୁଣି ଆସି ନିଜପୁରେ ମିଳିଲେ ସତ୍ଵର ।

ବଳଦେବ ପ୍ରଭୁଙ୍କୁ ଏ କଥା ଜଣା ନାହିଁ

ଉଗ୍ରସେନ ନୃପ ଅବା ଜାଣିବ ତା କାହିଁ ।

ମାୟାଦର ପୁରୁଷ ଯା କରିଛି ଭିଆଣ

ଅନ୍ୟ କିଏ ଜାଣିବ ତା ମନୁଷ୍ୟ ହୋଇଣ ।

ଖଗେଶ୍ଵରକୁ ମେଲାଣି ଦେଇ ହୃଷୀକେଶ

ଅନ୍ତଃପୁର ମଧ୍ୟେ ଯାଇ ହୋଇଲେ ପ୍ରବେଶ ।

ରୁକ୍ମଣୀ ସ୍ୟଭାମା ଯେ ମିଳିଲେ ସନ୍ନିଧେ

ଭକ୍ତିଭରେ ନମସ୍କାର କଲେ କୃଷ୍ଣପାଦେ ।

ଗଙ୍ଗାଜଳରେ ତାଙ୍କର ପାଦ ଧୋଇଦେଲେ

ପାଦର ଉଦକ ନେଇ ଗର୍ଭକୁ କ୍ଷେପିଲେ ।

ଝୀନ ବସନେ ତାଙ୍କର ପୋଛିଲେ ଚରଣ

ରତ୍ନ ଖଟେ ବିଜେ କଲେ ପ୍ରଭୁ ନାରାୟଣ ।

ଷଡ଼ରସର ମଣୋହି କଲେକ ଶ୍ରୀହରି

ପାକ କରିଥିଲେ ଶକ୍ରାଜିତର କୁମାରୀ ।

ଭୋଜନ ସାରିଣ ପ୍ରଭୁ ଆଚମନ କଲେ

କର୍ପୂରପାନ ରୁକ୍ମିଣୀଦେବୀ ନେଇ ଦେଲେ ।

ଭୁଞ୍ଜିଣ ସନ୍ତୋଷ ହେଲେ ପ୍ରଭୁ ଜନାର୍ଦ୍ଦନ

ରତନ ସିଂହାସନରେ ବସିଲେ ଆପଣ ।

ବେନିପାର୍ଶ୍ଵେ ବସି ଖଟିଲେକ ବେନି ନାରୀ

ସତ୍ୟଭାମା ଯେ ବିଞ୍ଚନ୍ତି ବିଞ୍ଚଣିକ ଧରି ।

ଶ୍ରୀକୃଷ୍ଣ ମନ ମଧ୍ୟେ ହର୍ଷ ଜନ୍ମାଇଲେ

ନାନା କଥାମାନ କୃଷ୍ଣ ତାହାଙ୍କୁ କହିଲେ ।

ଏମନ୍ତ ସମୟେ ପୁଣି ରୁକ୍ମିଣୀ ବୋଇଲେ

କଥା ଏକ ମନେ ମୋର ପଡ଼ିଲା ଏକାଳେ ।

ସେହିକଥା ଗୁପ୍ତକରି ରଖିଲ ଶ୍ରୀହରି

ସ୍ତିରୀ ଜନ୍ମ ଯୋଗେ ଆମ୍ଭେ ପକାଉଁ ପାସୋରି ।

ତୁମ୍ଭେ ଯେ ବୋଇଲ ରାଧିକାକୁ ହେଲ ବିଭା

ଚନ୍ଦ୍ରସେଣା ତାହାଙ୍କୁ କେମନ୍ତେ ହେଲା ବିଭା ।

ସେହି କଥା ଆମ୍ଭମାନେ ପଡ଼ିଲା ଗୋସାଇଁ

ପ୍ରସନ୍ନ ଚିତ୍ତେ ଆମ୍ଭଙ୍କୁ କହ ଭାବଗ୍ରାହୀ ।

ମନ ପ୍ରକୃତିରେ ହରି ସେ କଥା ବାଣ୍ଟିଲେ

ମନେ ମନେ ରୁକ୍ମିଣୀକି ବହୁ ପ୍ରଶଂସିଲେ ।

ସନ୍ତୋଷରେ ତାହାଙ୍କୁ ଯେ ଭଣି ନାରାୟଣ

ସାବଧାନେ ଶୁଣ ତୁମ୍ଭେ ଏଥିର ବିଧାନ ।

ବୃଷଭାନୁ ମନ୍ଦିରେ ରାଧିକା ଦେବୀ ଥିଲେ

କିଛିଦିନ ଅନ୍ତେ ବାଳଭାବ ତ୍ୟାଗ କଲେ ।

ଯୌବନ କାଳ ପ୍ରବେଶ ହୋଇଲାକ ଯହୁଁ

ବର ପାଇଁ ବିଚାର କଲେକ ନୃପରାହୁ ।

ଚତୁର୍ଦ୍ଦିଗେ ବର ଖୋଜି ନ ପାଇଲେ କାହିଁ

ଦଇବ ପୁରୁଷ ଯାହା ଅଛଇ ଘଟାଇ ।

ସେହି କଥାମାନ କିଏ କରିବ ଅନ୍ୟଥା

ଗୋପରେ ଖୋଜିଲା ବୃଷଭାନୁ ମହାଜ୍ଞତା ।

ଚନ୍ଦ୍ରସେଣାଙ୍କର ପିତା ଅଟଇ ସୁଷେଣ

ତାଙ୍କ ସହିତେ ସମ୍ବନ୍ଧ କଲାକ ଘଟନ ।

ବରପଣରେ ତାହାକୁ ବରି ମହାରାୟେ

ଶୁଭଲଗ୍ନରେ ନେଇଣ ବିବାହ କରାଏ ।

ନାନାବିଧ ପରକାରେ ଯଉତୁକ ଦେଲା

ଦୁହିତାଟିକି ତାହାର ହସ୍ତେ ସମର୍ପିଲା ।

ଦୈବଯୋଗେ ଚନ୍ଦ୍ରସେଣା ଅଟେ ନପୁଂସକ

ତହିଁକି ଦୈବ ଘଟଣା କରିଅଛି ଦେଖ ।

କନ୍ୟା ଘେନି ଚନ୍ଦ୍ରସେଣା ଗଲା ନିଜ ଆଳ

ଏ ପ୍ରକାରେ ବହିଗଲା କେତେହେଁକ କାଳ ।

ନପୁଂସକ ଲକ୍ଷଣେ ସେ ନେଉଥାଇ ଦିନ

ରାଧା ଅଙ୍ଗ ଛୁଇଁବାକୁ ନୁହଇ ଭାଜନ ।

ଏମନ୍ତେ ଚନ୍ଦ୍ରସେଣାର ଅଟଇ ବନିତା

ମଉଳାଣୀ ଅଟେ ମୋର ବୃଷଭାନୁସୁତା ।

ଯାହା ପଚାରିଲ ଆମ୍ଭେ କହିଲୁ ଫିଟାଇ

ଯେଣୁକରି ପଞ୍ଚଭୂତ ମୋର ତୁମ୍ଭେ ସହି ।

ଶୁଣିଣ ରୁକ୍ମିଣୀ ହେଲେ ଆନନ୍ଦ ଅପାର

ବୋଲନ୍ତି ଦୟାର ନିଧି ଅଟ ଦାମୋଦର ।

ଯଦ୍ୟପି ସେ ରାଧିକାକୁ ଆଣି ଦେଖାଇବ

ତେବେ ଆମ୍ଭର ମନର ଅପ୍ରତ୍ୟୟ ଯିବ ।

ଗୋବିନ୍ଦ ବୋଇଲେ ଶୁଣ ଆଗୋ ପ୍ରାଣସହି

ନିଶ୍ଚେଁ ଦେଖାଇବୁ ଆଣି ଭ୍ରାନ୍ତ ଏଥେ ନାହିଁ ।

ଏମନ୍ତ ପ୍ରବୋଧ ବାକ୍ୟ କହି ନାରାୟଣ

ହୃଦ ମଧ୍ୟରେ ବିଚାର କରନ୍ତି ଆପଣ ।

ଏ ଦ୍ଵାପରଯୁଗ ଶେଷ ହୋଇଲାକ ଆସି

ବୈକୁଣ୍ଠକୁ ଯିବା କିପାଁ ଏଥେ ଥିବା ବସି ।

ଏମନ୍ତ ବିଚାର ମନେ କରି ଭାବଗ୍ରାହୀ

ରଜନୀ ପ୍ରଭାତ ହ୍ଵନ୍ତେ ନିଦ୍ରାଭଗ୍ନ ହୋଇ ।

ଗଙ୍ଗାଜଳ ଘେନି କୃଷ୍ଣ ମୁଖ ପଖାଳିଲେ

ଦନ୍ତ ଧାବନାଦି କାର୍ଯ୍ୟ ବେଗେଣ ସାରିଲେ ।

ସ୍ନାନ ନିତ୍ୟକର୍ମ ଆଦି ସାରି ଦାମୋଦର

ଉଦ୍ଧବ ଅକ୍ରୂରକୁ ସେ ରାଇଲେ ସତ୍ଵର ।

ଗୋପନରେ ତାଙ୍କ ସଙ୍ଗେ କରନ୍ତି ବିଚାର

ଏହି କଥା ନ କହିବ କାହାରି ଆଗର ।

ରତ ସଜ କରି ଆଣ ଯିବା ଗୋପଯାଏ

ଆମ୍ଭ ବିହୁନେ ବିକଳ ହ୍ଵନ୍ତି ଗୋପପୋଏ ।

ନନ୍ଦ ଯଶୋଦା ବିକଳ କହୁ ନ ସରଇ

ଗୋପୀମାନେ ମୋତେ ମୂର୍ଚ୍ଛି ପାରିବେ ବା କାହିଁ ।

ଚାଲ ଚାଲ ବେଗ ହୋଇ ତାହାଙ୍କୁ ଆଣିବା

ତେବେ ସିନା ତାହାଙ୍କର ମନକୁ ରଞ୍ଜିବା ।

ଅକ୍ରୂର ବୋଲଇ ଶିରେ ଯୋଡ଼ି ବେନିକର

ତୁମ୍ଭଙ୍କୁ ଆଣିଲି ତହୁଁ ବସାଇ ରଥର ।

ଆଉବେଳେ ଗୋପପୁରେ ଲେଉଟି ନ ଗଲ

ତେଣୁକରି ଦୁଃଖେ ଛନ୍ତି ଗୋପୀ ଯେ ଗୋପାଳ ।

ଗୋପୀମାନେ ମୋ ଉପରେ ହୋଇଛନ୍ତି କ୍ରୂଦ୍ଧ

ଗୋପକୁ ମୁଁ ଗଲେ ନିଶ୍ଚେ କରିବେ ସେ ଦ୍ଵନ୍ଦ୍ଵ ।

ଏଥିପାଇଁ ଭୟ ଜାତ ହୁଅଇ ମୋହର

କରୁଣା ସାଗର ମୋତେ କହିବା ବିଚାର ।

ଗୋବି ବୋଇଲେ କିପାଁ କରୁଅଛ ଭୟ

ଆମ୍ଭସଙ୍ଗେ ଥିଲେ ଗୋପୀ ହୋଇବେ ସଦୟ ।

ଏତେ କହି ଅକ୍ରୂରକୁ ପ୍ରବୋଧନା କରି

ବୋଇଲେ ପ୍ରଭାତୁ କାଲି ଯିବା ଗୋପପୁରୀ ।

ଅକ୍ରୂର ଉଦ୍ଧବ ଶୁଣି ନିଜପୁରେ ଗଲେ

ଅନ୍ତଃପୁର ଭୁବନକୁ କୃଷ୍ଣ ବିଜେ କଲେ ।

ଏହା ଶୁଣି ବିସ୍ମୟରେ ପରୀକ୍ଷ ନୃପତି

ଶୁକ ପାଦେ ପୂଜାକରି ପୁଣି ପଚାରନ୍ତି ।

ଚନ୍ଦ୍ରସେଣା ବିଭାକଥା କହିଲ ଗୋସାଇଁ

ତାହା ଶୁଣି ମୋ ମନରେ ସନ୍ଦେହ ହୁଅଇ ।

କହୁ କହୁ କଥା ମଧ୍ୟେ ରଖିଦେଲ ସନ୍ଧି

ତେଣୁ କରି ମନ ମୋର ହେଉଅଛି ଧନ୍ଦି ।

ତୁମ୍ଭେତ କହିଲ ରାଧା ଲକ୍ଷ୍ମୀ ଅଂଶେ ଜାତ

କେମନ୍ତେ ବିଭା ହୋଇଲା ସୁଷେଣର ସୁତ ।

ଚନ୍ଦ୍ରସେଣା ପୂର୍ବରେ କି ତପ କରିଥିଲା

ସେ ଦେବୀ କମଳା ତାର ଭାରିଯା ହୋଇଲା ।

ଏହା ଅସମ୍ଭବ ମୋତେ ଲାଗିଲା ଗୋସାଇଁ

ଏଣୁକରି ମୁଁ ତୁମ୍ଭର ଚରଣେ ପୁଛଇ ।

ତୁମ୍ଭେ ସର୍ବଜ୍ଞ ପୁରୁଷ ଅଟ ମୁନିବର

ଚନ୍ଦ୍ରସେଣା ପୂର୍ବ ବାର୍ତ୍ତା କହ ମୋ ଆଗର ।

ପରୀକ୍ଷରାଜା ମୁଖରୁ ଏସନକ ଶୁଣି

ଟହ ଟହ ହୋଇ ହସିଲେ ସେ ମୁନିମଣି ।

ବୋଇଲେ ରାଜା ତୁ ଅଟୁ ବଡ଼ ଭାଗ୍ୟବାନ

ତେଣୁକରି ପଚାରିଲୁ ଏହି କଥାମାନ ।

ଏକମନ ହୋଇ ଶୁଣ ଆହେ ନୃପବର

ଚନ୍ଦ୍ରସେଣା ପୂର୍ବଜନ୍ମ କଥାର ଉତ୍ତର ।

କରପତ୍ର ଯୋଡ଼ି ରାଜା ବସିଲା ଛାମୁରେ

ବାରମ୍ବାର ନମଇ ସେ ମୁନିଙ୍କ ପୟରେ ।

ପୁରାଣ ପୁସ୍ତକ ତହୁଁ ଫେଡ଼ି ମୁନିବର

ଧୀରେ ଧୀରେ କହନ୍ତି ସେ ରାଜାଙ୍କ ଆଗର ।

ପବିତ୍ର ପୁରାଣ ଏହୁ କୃଷ୍ଣଲୀଳା ରସ

ସାବଧାନ ହୋଇ ଶୁଣ ଅଭିମନ୍ୟୁ ଶିଷ୍ୟ ।

ତ୍ରେତାଯୁଗ ଭୋଗ କାଳେ ରାମ ଅବତାରେ

ନରରୂପେ ବିଷ୍ଣୁ ଜନମିଲେ ମଞ୍ଚପୁରେ ।

ମାୟାରେ ମନୁଷ୍ୟରୂପ ଧରି ଦଇତ୍ୟାରି

ଦଶରଥ ରାଜାଙ୍କର ଘରେ ଅବତାରି ।

ପିତାଙ୍କର ବଚନେ ସେ ବନବାସ କଲେ

ଦାଣ୍ଡକାରଣ୍ୟରେ ଯାଇ ମଢ଼ିଆ ବାନ୍ଧିଲେ ।

ଥୋକାଏକ ଦିନ ତହିଁ ବାସ କରି ହରି

ଉଦର ପୋଷିଲେ କନ୍ଦମୂଳ ଫଳ ଖାଇ ।

ଜାନକୀ ଲକ୍ଷ୍ମଣକୁ ସେ ସଙ୍ଗରେ ଘେନିଣ

ଅତି ଦୁଃଖେ ବଞ୍ଚି କଲେ ସମୟ ଯାପନ ।

କିଛିଦିନେ ସୂର୍ପଣଖା ନାମରେ ରାକ୍ଷସୀ

ଗୋଦାବରୀ ଜଳେ ସ୍ନାନ କରୁଥିଲା ଆସି ।

ମନୁଷ୍ୟ ପାଦର ତହିଁ ସଙ୍କେତ ଦେଖିଲା

ପଥ ହେଜି ରାମଙ୍କର ଆଶ୍ରମେ ମିଳିଲା ।

ରାବଣର ଭଗ୍ନୀ ସେହି ଅଟେ ସୂର୍ପଣଖା

ଦେବ ଯକ୍ଷ ଗନ୍ଧର୍ବଙ୍କୁ ନ କରଇ ଶଙ୍କା ।

ଶ୍ରୀରାମଙ୍କ ମୁଖ ଦେଖି କାମେ ହେଲା ମୋହି

ଲକ୍ଷ୍ମର ଛେଦିଲେ ତାର ନାସା କର୍ଣ୍ଣ ଦୁଇ ।

ତେଣୁ ଘୋର ଧ୍ଵନି କରି ଭୟେ ପଳାଇଲା

ରାବଣ ଆଗରେ ମିଳି ସମସ୍ତ କହିଲା ।

ସୀତା ରୂପ ଗୁଣ ଶୁଣି ଦୁଷ୍ଟ ଦଶାନନ

ଲଙ୍କାରୁ ଅଇଲା ଚଢ଼ି ପୁଷ୍ପକ ବିମାନ ।

ଆସୁ ଆସୁ ମାରୀଚକୁ ବାଟରେ ଭେଟିଲା

ମାୟାରେ ସୁବର୍ଣ୍ଣ ମୃଗ କରି ତାକୁ ନେଲା ।

ସେହି ମାୟା ମୃଗ ଗୋଟି ସୀତା ଦୃଷ୍ଟିପଥେ

ଛାଡ଼ି ଦେଇ ଦଶାନନ ଲୁଚିଲା ବନସ୍ତେ ।

ଅପୂର୍ବ କୁରଙ୍ଗ ଯହୁଁ ଜାନକୀ ଦେଖିଲେ

ଧରି ଆଣି ଦିଅ ବୋଲି ରାମଙ୍କୁ ମାଗିଲେ ।

ସୀତାବାକ୍ୟେ ବେନି ଭାଇ ଗଲେ ମୃଗ ମାରି

କପଟ ବେଶେ ରାବଣ ସୀତା ନେଲା ହରି ।

ମୃଗ ମାରି ବାହୁଡ଼ନ୍ତେ ଶ୍ରୀରାମ ଲକ୍ଷ୍ମଣ

ସୀତାଙ୍କୁ ନ ଦେଖି ଶୋକ କଲେ ରଘୁରାଣ ।

ବନଯାକ ଖୋଜି ଖୋଜି ଦୁଇଭାଇ ଗଲେ

ଋଷ୍ୟମୂକ ପର୍ବତରେ ହନୁକୁ ଭେଟିଲେ ।

ସୁଗ୍ରୀବ ସଙ୍ଗେ ମିତ୍ରତା କଲେ ରଘୁରାଣ

ବାଣ ମାରି ବାଳିବୀରେ କଲେକ ନିଧନ ।

ସୁଗ୍ରୀବକୁ କିଷ୍କିନ୍ଧ୍ୟାରେ ନୃପତି କରାଇ

ଚତୁର୍ମାସ୍ୟା କଟାଇଲେ ମାଲ୍ୟବନ୍ତେ ରହି ।

ସୁଗ୍ରୀବ ସଇନ୍ୟ ଘେନି ରାମଙ୍କୁ ଭେଟିଲେ

ସୀତା ପାଇଁ ଚାରିଦିଗେ ଦୂତ ବରଗିଲେ ।

ଖୋଜିବାର ନିମନ୍ତେ ସେ ତାଙ୍କୁ ଆଜ୍ଞାଦେଲେ

ତିନିଦିଗୁଁ ଦୁତମାନେ ବାହୁଡ଼ି ଅଇଲେ ।

ଦକ୍ଷିଣ ଦିଗକୁ ଯାଇଥିଲା ହନୁମାନ

ଅବହେଳେ କରିଣ ସେ ସମୁଦ୍ର ଲଙ୍ଘନ ।

ଦୁର୍ଜ୍ଜୟ ଲଙ୍କା ଗଡ଼ରେ ନିର୍ଭୟେ ବୁଲିଲା

ଅଶୋକ ବନରେ ପଶି ସୀତା ଠାବ କଲା ।

ସୀତା ରୂପ ଦେଖି ମନେ ବିଚାରଇ ହନୁ

କିପରି ତେଜିଲେ ୟାଙ୍କୁ ଦଶରଥ ସୂନୁ ।

ଏ ଯାହାକୁ ଭାର୍ଯ୍ୟା ହୋଇ ଦେବ ଅନ୍ନ ଜଳ

ସଂସାର ମଧ୍ୟେ ତା ଜନ୍ମ ହୋଇବ ସଫଳ ।

ଏମନ୍ତ ବିଚାର ଯହୁଁ ହନୁ ମନେ କଲା

ଅନ୍ତର୍ଯ୍ୟାମୀ ରାମଙ୍କୁ ତା ଗୋଚର ହୋଇଲା ।

ସମୁଦ୍ରରେ ସେତୁ ବନ୍ଧ ବାନ୍ଧି ରଘୁସାଇଁ

ସବଂଶରେ ରାବଣକୁ ବଧ କଲେ ଯାଇ ।

ରାବଣର ସାନଭାଇ ନାମ ବିଭୀଷଣ

ସେ ଆସି ରାମଙ୍କ ପାଦେ ପଶିଲା ଶରଣ ।

ତେଣୁ ତାଙ୍କୁ ଲଙ୍କାଗଡ଼େ ରାଜା କରାଇଲେ

ସୀତାଙ୍କୁ ଘେନିଣ ରାମ ଅଯୋଧ୍ୟାକୁ ଗଲେ ।

ଅଯୋଧ୍ୟା ରାଜ୍ୟରେ ସେହି ଦଶରଥ ପୁତ୍ର

ଅଭିଷିକ୍ତ ହୋଇ ଶିରେ ଟେକାଇଲେ ଛତ୍ର ।

ଅଭିଷେକ ଅନ୍ତେ କପିବୀରଙ୍କୁ ଡକାଇ

ଗଉରବ କଲେ ଶାଢ଼ୀ ସୁନା ବଳା ଦେଇ ।

ଗୋପନେ ହନୁମନ୍ତଙ୍କୁ ହକାରିଲେ ପାଶ

ଗୁପତ ଭାବେ କହନ୍ତି କରିଣ ବିଶ୍ଵାସ ।

ଶ୍ରୀରାମ ବୋଲନ୍ତି ଶୁଣ ଆହେ ମହାବୀର

ଅଶୋକ ବନକୁ ଯାଇ କଲୁ ଯା ବିଚାର ।

ସେହି ଅଶୋକ ବନରେ ସୀତା ରୂପ ଦେଖି

ଯାହା ବିଚାରିଲୁ ଶୁଣ ପବନର ବତ୍ସି ।

ବୋଇଲୁ ଏ ସ୍ତିରୀ ଅନ୍ନ ଜଳ ଯାକୁ ଦେବ

ପୃଥ୍ଵୀରେ ତାର ଜୀବନ ସାର୍ଥକ ହୋଇବ ।

ଧନ୍ୟ ଧନ୍ୟ ରାମଚନ୍ଦ୍ର ମହିମା ତୋହର

ଏ କଥା ମନ ମଧ୍ୟରେ କଲୁ ତୁ ବିଚାର ।

ତାହା ଶୁଣି ହନୁମନ୍ତ ଚକିତ ହୋଇଲା

ହୃଦପଦ୍ମର ମଧ୍ୟରେ ମହାଭୟ କଲା ।

ଅନ୍ତର୍ଯ୍ୟାମୀ ନାଥ ଏହୁ ରଘୁକୁଳ ରାଣ

ଏତେ ବଡ଼ ପ୍ରଭୁଠାରେ କଲି ଦ୍ରୋଣପଣ ।

ଏତେ ବୋଲି ହନୁମାନ ଚରଣେ ନମଇଁ

ଉଠ ଉଠ ହନୁ ବୋଲି ରାମ ଆଜ୍ଞା ଦେଇ ।

କରପତ୍ର ଯୋଡ଼ି ଉଭା ଅଛି ହନୁବୀର

ରାମ ବୋଇଲେ କୁଶଳ କହ ମୋ ଆଗର ।

ଆମ୍ଭର କଲ୍ୟାଣ ବାକ୍ୟ ତୋତେ ପ୍ରାପ୍ତ ହେଉ

ଆମ୍ଭର ବଚନେ ତୋର କାର୍ଯ୍ୟ ସିଦ୍ଧ ହେଉ ।

ଏ ଜନ୍ମରେ ଯେ ବିଚାର କଲୁ ତୁ ମନେଣ

ଦ୍ଵାପର ଯୁଗରେ ତାହା ପ୍ରାପ୍ତ ହେବୁ ପୁଣ ।

ଦ୍ଵାପରେ ରଙ୍ଗାବତାର ହୋଇବ ଆମ୍ଭର

ଆମ୍ଭେ ଜନମ ଲଭିବୁଁ ମଥୁରା ନଗର ।

ଆମ୍ଭଙ୍କୁ ଚୋରାଇ ବସୁଦେବ ଘେନିଯିବ

ନନ୍ଦ ରାଜାର ଗୃହରେ ଛାଡ଼ିଣ ଆସିବ ।

ଅଷ୍ଟବରଷ ସେଠାରେ ବିହରିବୁଁ ରହି

ଆମ୍ଭର ବଚନ ଚିତ୍ତେ ରଖିଥାଅ ତୁହି ।

ତୁହି ଜନମ ଲଭିବୁ ସେହି ଗୋପପୁରେ

ଚନ୍ଦ୍ରସେଣା ନାମ ହେବ ଗୋପାଳ ମଧ୍ୟରେ ।

ସୁଷେଣ ଗୋପାଳର ତୁ ହୋଇବୁ କୁମର

ସବୁ ଗଉଡ଼ ଉପରେ ହେବୁ ତୁ ମନ୍ଦର ।

ଅଂଶ ଘେନି ତୁହି ଯାଇ ଲଭିବୁ ଜନମ

ସୀତା ଜାତ ହେବେ ବୃଷଭାନୁର ଘରେଣ ।

ପୂର୍ବ ଅଭିଶାପେ ସେହୁ ରାଧିକାକୁ ଦେବ

ମୋତେ ସେବାକଲେ ଫଳ ବିଅର୍ଥ ନୋହିବ ।

ରାଧିକାର ଅଙ୍ଗ ତୁହି କେଭେ ନ ଛୁଇଁବୁ

ଜଗିଲାର ପରକାରେ ତାଙ୍କୁ ରଖିଥିବୁ ।

ମୋତେ ସେବା କଲାଫଳ ନୋହିବ ବିଅର୍ଥ

ତୁହି ଯେଣୁ ଅଟୁ ମୋର ବିଶ୍ଵାସୀ ଭକତ ।

ଯେଣୁକରି ଅପ୍ରତ୍ୟୟ ନ ଥିବ ଆମ୍ଭର

ଅଷ୍ଟଦଶ ଲୀଳା ଆମ୍ଭେ କରିବୁ ଗୋପର ।

ହନୁମନ୍ତକୁ ଗୋପନେ ଏତେକ କହିଲେ

ଆସ୍ଥାନର ଲୋକ କେହି ଜାଣି ନ ପାରିଲେ ।

ଶୁଣିଲୁଟିକି ହୋ ପରୀକ୍ଷିତ ନୃପରାଣ

ତୁହି ଯାହା ପଚାରିଲୁ ଚନ୍ଦ୍ରସେଣା ଜନ୍ମ ।

ପୂର୍ବ ଜନ୍ମେ ଚନ୍ଦ୍ରସେଣା ଅଟେ ହନୁମନ୍ତ

ଜନ୍ମେ ଜନ୍ମେ ସେ ଅଟଇ ନାରାୟଣ-ଭକ୍ତ ।

ଗୁପତ ଚରିତ ଏହି ଅମୃତ ଆଖ୍ୟାନ୍ୟ

ତେଣୁକରି ଗୁପ୍ତ କଥା କହିଲୁ ରାଜନ ।

ଶୁଣିଣ ପରୀକ୍ଷା ରାଜା ସାନନ୍ଦ ହୋଇଲା

ମୁନିଙ୍କର ପାଦପଦ୍ମେ ନମସ୍କାର କଲା ।

ଏଥୁଅନନ୍ତରେ କିସ କଲେ ଭାବଗ୍ରାହୀ

ଏହା ମୋତେ ବୁଝାଇଣ କହ ପୁଣ୍ୟଦେହୀ ।

ଶୁଣିଣ ସେ ଶୁକମୁନି କରନ୍ତି ଉତ୍ତର

ଏକ ମନ ହୋଇ ଶୁଣ ଉତ୍ତରା କୁମର ।

ଉଦ୍ଧବ ଅକ୍ରୂର ଦୁହେଁ ନିଜପୁରେ ଗଲେ

ରଜନୀ ପ୍ରଭାତ ହେଉଁ ଶଯ୍ୟାରୁ ଉଠିଲେ ।

ତହୁଁ ନିତ୍ୟକର୍ମମାନ ସାରିର ବହନ

ଦରଶନ କଲେ ଯାଇ ନନ୍ଦର ନନ୍ଦନ ।

ଗୋବିନ୍ଦ ବୋଇଲେ ଯିବାଟିକି ଗୋପପୁର

ଶୁଣି ସ୍ଵୀକାର କରିଲେ ଉଦ୍ଧବ ଅକ୍ରୂର ।

ଆଜ୍ଞା ପାଇ ଦୁଇଜଣ ବେଗେ ସଜ ହେଲେ

ଗୋପପୁର ଯିବା କଥା କାକୁ ନ କହିଲେ ।

ଯାଉଁ ଯାଉଁ ଯମୁନାରେ କଲେକ ସ୍ନାହାନ

ଦିବ୍ୟ ବେଶ ହୋଇ ରଥେ ଯାନ୍ତି ତିନିଜଣ ।

ଯମୁନା ବୋଇଲେ ନିସ୍ତରିଲି ହୋ ଗୋସାଇଁ

ଏତେକାଳେ ତୁମ୍ଭର ଶ୍ରୀମୁଖ ଦେଖିଲଇଁ ।

ରଥରେ ଚଢ଼ି ବାହାର ହେଲେ ତିନିଜଣେ

ଚମକାଇ ରଥ ବାହି ଦାରୁକ ଆପଣେ ।

କଦମ୍ବ ତଳେ ସାରଥି ରଥ କଲା ନେଇ

ରଥୁ ଓହ୍ଲାଇ ଅଇଲେ କମଳାର ସାଇଁ ।

ରତନ ସିଂହାସନରେ ମିଳିଲେ ବହନ

କଦମ୍ବକୁ ଚାହିଁ ନିରେଖନ୍ତି ନାରାୟଣ ।

ବୃକ୍ଷ ବୋଲଇ ଆମ୍ଭଙ୍କୁ ଛାଡ଼ିକରି ଗଲ

ଆସିବୁ ବୋଲି କହିଣ ମଥୁରା ରହିଲ ।

ଯେଉଁଦିନୁ ଏହିଠାରୁ ଗଲ ଦାମୋଦର

ସେହି ଦିନୁ ଆମ୍ଭ ଆତ୍ମା ହୁଅଇ ଅସ୍ଥିର ।

ମୋହନ ମୁରଲୀ ନାଦ କର୍ଣ୍ଣେ ଶୁଣୁଥାଇ

ସେ ନାଦ ଶୁଣିଲେ ଅଙ୍ଗ ପୁଲକି ଉଠଇ ।

ମୋହନ ଉପରେ ପଡ଼ୁଥିଲା ଶ୍ରୀପୟର

ପାଦରଜେ ଅଙ୍ଗ ହେଉଥିଲା ଜରଜର ।

ଏଡ଼େ ଭାଗ୍ୟ ମୋହର ହୋ କେଉଁଆଡ଼େ ଗଲା

ଶ୍ରୀଚରଣ ଧୂଳି ମୋର ଅଙ୍ଗେ ନ ପଡ଼ିଲା ।

ମୁରଲୀର ଶବଦ ନ ଶୁଣିଲି ଶ୍ରବଣେ

ଏବେ ଦୟା କରିଣ ଅଇଲ ଏତେଦିନେ ।

ସେହି କଦମ୍ବ ବୃକ୍ଷର ଭକ୍ତିଭାବ ଦେଖି

କହିଲେକ ବିମ୍ବାଧରେ ହସି ପଦଆଖି ।

କିଛିହିଁ ଚିନ୍ତା ନ କର ଭୋ କଦମ୍ବ ବୃକ୍ଷ

ଜନ୍ମେ ଜନ୍ମେ ସଖା ତୁହି ଅଟୁ ଆରେ ଗଛ ।

ଏତେକ କହିଣ ତହୁଁ ହୋଇଲେ ବାହାର

ଧୀର ଗତିରେ ଚାଲନ୍ତି ପ୍ରଭୁ ଦାମୋଦର ।

ବୃନ୍ଦାବନରେ ଯେତେକ ଜୀବଜନ୍ତୁ ଥିଲେ

ଗୋବିନ୍ଦଙ୍କର ଶ୍ରୀମୁଖ ସମସ୍ତେ ଦେଖିଲେ ।

କୁଞ୍ଜବନ ମଧ୍ୟେ ପଶିଲେକ ଦେବ ଯାଇ

ଦେଖନ୍ତି ସଙ୍କେତ ସ୍ଥାନମାନ ତୋଷ ହୋଇ ।

ନିସ୍ତରିଲୁ ବୋଲିଣ କରନ୍ତି ହରିଧ୍ଵନି

ଶ୍ରୀମୁଖ ଦେଖି ପୁଲକ ହ୍ଵନ୍ତି ପୁଣି ପୁଣି ।

ଅବସନ୍ତେ ବସନ୍ତ ଯେ ବହେ ଘନ ଘନ

କୋକିଳମାନେ ରାବନ୍ତି ହୋଇ ତୋଷମାନ

ଭ୍ରମରମାନେ ପୁଷ୍ପରେ ଆନନ୍ଦେ ମାତିଲେ

ଶ୍ରୀବୃନ୍ଦାବନଯାକରେ ବୁଲିଣ ଦେଖିଲେ ।

ଉଦ୍ଧବ ଅକ୍ରୂରକୁ ଦେଖାନ୍ତି କ୍ରୀଡ଼ାସ୍ଥାନ

ରଥ ଚଳାନ୍ତି ସେମାନେ ହୋଇ ହର୍ଷମନ ।

ପୁଣି ଯାଇ ବୃନ୍ଦାବନେ ପଶି ନନ୍ଦବତ୍ସ

ଦେଖନ୍ତି ସେ କ୍ରୀଡ଼ାସ୍ଥାନମାନଙ୍କୁ ପ୍ରତ୍ୟକ୍ଷ ।

ପକ୍ଷିଏ ଦେଖି କୃଷ୍ଣଙ୍କୁ ହୁଅନ୍ତି ଉସତ

ଏଥେ କ୍ରୀଡ଼ାରଙ୍ଗ କରିଥିଲେ ଗୋପୀନାଥ ।

ରହସ୍ୟ ବୃନ୍ଦାବନରୁ ବାହାର ହୋଇଲେ

ମଧୁବନ ବିପିନରେ ଯାଇ ପ୍ରବେଶିଲେ ।

ତହିଁରେ ଦେଖନ୍ତି ଯେତେ ଥିଲା କ୍ରୀଡ଼ାସ୍ଥାନ

ଯହିଁ ରାସକ୍ରୀଡ଼ା କରିଥିଲେ ଷୋଳଦିନ ।

ସେହି କଥାମାନ ସବୁ ମନେ ମନେ ଭାଳି

ରଥ ଚଳାଇଣ ଯାନ୍ତି ତହୁଁ ବନମାଳୀ ।

ଗୁପତ ବୃନ୍ଦାବନେ ମିଳିଲେ ଦେବ ଯାଇ

ଉଦ୍ଧବ ଅକ୍ରୂରେ ବଦୟନ୍ତୀ ଭାବଗ୍ରାହୀ ।

ଗୋପୀଙ୍କୁ ଦେଖିଣ ଲୁଚିଥିଲୁଁ ଏହି ବନେ

ରାଧାସହ କ୍ରୀଡ଼ା କରୁଥିଲୁଁ ଏହି ସ୍ଥାନେ ।

କ୍ରୀଡ଼ାସ୍ଥାନମାନ ତାଙ୍କୁ ଦେଖାଇଣ ଦେଲେ

ଉଦ୍ଧବ ଅକ୍ରୂର ଦେଖି ଶିରେ କର ଦେଲେ ।

କୁଞ୍ଜବନ ମଧ୍ୟେ ପଶିଲେକ ନାରାୟଣ

ଦୁଇ ଜଣଙ୍କୁ ବସାଇ ଆପଣା ରଥେଣ ।

ବୃନ୍ଦାବନ ଦେଖିଣ ସେମାନେ ନିସ୍ତରିଲେ

ଗୋବିନ୍ଦଙ୍କ ବାଳକ୍ରୀଡ଼ା ସ୍ଥାନ ନିରେଖିଲେ ।

ଯହିଁ ଗୋପୀଏ ଚନ୍ଦନ ଘେନି ବୋଳିଥିଲେ

କୁଙ୍କୁମ ନେଇଣ କୃଷ୍ଣ ଅଙ୍ଗରେ ଲେପିଲେ ।

ଛଡ଼ା ମଳକୁଟି ପଡ଼ିଥିଲା ଯେଉଁ ସ୍ଥଳ

ସେହି ସ୍ଥାନ ଦେଖାଇଲେ ମଦନ ଗୋପାଳ ।

ଉଦ୍ଧବ ଅକ୍ରୂର ତାହା ମଥାରେ ଘେନିଲେ

ନିସ୍ତରିଲୁଁ ନିସ୍ତରିଲୁଁ ବୋଲିଣ ବୋଇଲେ ।

ତାହାଙ୍କର ସଙ୍ଗତରେ ଦାରୁକ ଯେ ଥିଲା

ସେହି ଗୋପ ବୃନ୍ଦାବନ ଦେଖି ନିସ୍ତରିଲା ।

ଲେଉଟି କୃଷ୍ଣ ଚଳିଲେ କଦମ୍ବ ତଳକୁ

ଦାରୁକେ ବୋଇଲେ ପାଣି ଦିଅ ଘୋଟକକୁ ।

ଆଜ୍ଞା ପାଇଣ ଦାରୁକ ରଥ ରୁହାଇଲା

ଯମୁନାରେ ଘୋଟକକୁ ପାଣି ପିଆଇଲା ।

ବାହୁଡ଼ାଇଣ ଅଶ୍ଵଙ୍କୁ ରଥରେ ଯୋଚିଲା

ଗୋବିନ୍ଦଙ୍କ ଭାବ ଜାଣି ଆନନ୍ଦିତ ହେଲା ।

ଆପଣେ ଶ୍ରୀକୃଷ୍ଣ ବୃନ୍ଦାବନରେ ପଶିଲେ

ଫଳ ତୋଳି କଦମ୍ବର ତଳକୁ ଆଣିଲେ ।

ଚାରିଜଣ ଫଳମୂଳ କଲେକ ଆହାର

ଉଦ୍ଧବକୁ ସଙ୍ଗେ ଘେନି ଗଲେ ଦାମୋଦର ।

ଗୋବର୍ଦ୍ଧନ ଗିରି ପାଶେ ମିଳିଲେକ ଯାଇ

ଗୋଗୋଷ୍ଠରେ ପ୍ରବେଶିଲେ ତହୁଁ ଯଦୁସାଇଁ ।

ଦୂରରେ ଥାଇ ଦେଖିଲେ ଗୋପାଳଙ୍କ ପୁଏ

ଉଦ୍ଧବ ସଙ୍ଗତେ ଆସୁଛନ୍ତି ଦେବରାୟେ ।

ମୋହନମୂରତି ରୂପ ତାହାଙ୍କର ଦେଖି

ଗୋପାଳପୋଏ ଧାଇଁଲେ ଗୋଗୋଷ୍ଠ ଉପେକ୍ଷି ।

ଶତେପୁର କରିଣ ବେଢ଼ିଲେ ଶ୍ରୀକୃଷ୍ଣଙ୍କୁ

ଅନାଥ କରିଣ ଗଲ ନନ୍ଦ ଯଶୋଦାଙ୍କୁ ।

ଆମ୍ଭମାନଙ୍କୁ ତୁମ୍ଭେ ଯେ ଢାଳେ ମୁରୁଛିଲ

ଧନୁଯାତ୍ରା ଦେଖିଯାଇ ନିର୍ଭରେ ରହିଲ ।

ଆମ୍ଭର ଭାଗ୍ୟକୁ ଦୁଷ୍ଟ କଂସ ନାଶଗଲା

ପାପିଷ୍ଠ ଚାଣ୍ଡାଳ ଆମ୍ଭ ସଙ୍ଗ ଛଡ଼ାଇଲା ।

ରାଜପୂଜା ପାଇଣ ଯେ ତହିଁ ଭଗବାନ

ରହିଲ ଆମ୍ଭଙ୍କୁ ଏଡ଼େ କରି ହୀନିମାନ ।

ନନ୍ଦ ଯଶୋଦା ବିକଳ କହୁଁ ନ ସରଇ

ପିତାମାତାଙ୍କୁ ମୁରୁଛି ରହିଲ କିପାଇଁ ।

ବୃନ୍ଦାବନେ ବଂଶୀଧ୍ଵନି ଅପୂର୍ବ ହୁଅଇ

ତହୁଁ ସୁଦାମା ବୋଇଲା ଶୁଣ ହେ ମାଧୋଇ ।

ଉଦ୍ଧବ ତ ଆସିଛନ୍ତି ଆମ୍ଭର ସଙ୍ଗତେ

ଅକ୍ରୂରକୁ ନ ଆଣିଲେ କିପାଁ କହ ଏଥେ ।

ଆମ୍ଭର ବଇରୀ ସିନା ଅଟେ ସେ ଅକ୍ରୂର

ଦେଖିଲେ ଘେନନ୍ତୁ ନିଶ୍ଚେଁ ପରାଣ ତାହାର ।

ଶ୍ରୀକୃଷ୍ଣ ବୋଇଲେ ଶୁଣ ଗୋପାଳଙ୍କ ପୁଅ

ଅକ୍ରୂରଠାରେ ତୁମ୍ଭର କିପାଁ ଏଡ଼େ କୋହ ।

ଆମ୍ଭ ସଙ୍ଗତେ ଅକ୍ରୂର ଆସିଣ ଅଛଇ

କଦମ୍ବ ମୂଳରେ ଅଛି ମୁହିଁ ଲୁଚା ଦେଇ ।

ଶୁଣି ସେମାନେ କଦମ୍ବ ମୁଳକୁ ଧାମନ୍ତେ

ଧାଇଁ ଯାଇ ତାଙ୍କୁ ଓଗାଳନ୍ତି ଗୋପୀନାଥେ ।

ତହୁଁ ମାଧବ ବୋଲନ୍ତି ଶୁଣ ବାଳବତ୍ସି

ଦୈବ କଳାକୃତକର୍ମ କେ ପାରିବ ଲେଛି ।

କଂସରାଜା ଆମ୍ଭର ଯେ ଅଟଇ ମଉଳା

ଧନୁଯାତ୍ରା ଦେଖାଇବ ବୋଲି ଆଜ୍ଞା ଦେଲା ।

ତୁମ୍ଭଠାରେ ସେହି ଦୁଷ୍ଟପଣ ଆଚରିଲା

ଆମ୍ଭଙ୍କୁ ମାରିବାକୁ ଅନେକ କୂଟ କଲା ।

ହାତୀଦାନ୍ତେ ଆମ୍ଭଙ୍କୁ ଯେ ମରାଇଲା ନେଇ

ହାତୀ ମାହୁନ୍ତକୁ ମାରି ଗଲୁ ବେଗ ହୋଇ ।

ରଙ୍ଗସଭା ମଧ୍ୟରେ ହୋଇଲୁ ପରବେଶ

ମାଲମାନଙ୍କୁ ଯୁଦ୍ଧରେ ଆମ୍ଭେ କଲୁ ନାଶ ।

ତହୁଁ ଯାଇ କଂସ ସଭାତଳରେ ମିଳିଲୁ

ବାଳ ଧରିଣ ତାହାକୁ ତଳେ କଚାଡ଼ିଲୁ ।

ଆମ୍ଭର ହାତରେ କଂସ ହୋଇଲା ନିଧନ

ପାପବୁଦ୍ଧି ଯୋଗେ ଗଲା ଯମର ଭୁବନ ।

ଉଗ୍ରସେନଙ୍କୁ ନୃପତିପଣେ ବସାଇଲୁ ।

ଗଉରବ ପାଇ ଆମ୍ଭେ ସେଠାରେ ରହିଲୁ ।

କଂସର ଶ୍ଵଶୁର ଅଟେ ଜରାସନ୍ଧ ରାଣ

ଜୁଆଁଇର ଛଳେ କଲା ଆମ୍ଭ ସଙ୍ଗେ ରଣ ।

ତା ଭୟରେ ମଥୁରାରେ ରହି ନ ପାରିଲୁ

କୁଶଦ୍ଵାରକା ପୁରରେ ଯାଇଣ ରହିଲୁ ।

ଏହି ପ୍ରକାରେ ଝଗଡ଼ା ହୋଇଲା ଅପାର

କେବେହେଁ ତ ଆସି ନ ପାରିଲୁ ଗୋପପୁର ।

ଏତେକାଳରେ ସମୟ ମିଳିଲାକ ମୋତେ

କେହି ମନେ ଅନ୍ତର ନ କର କଦାଚିତେ ।

ମାୟାଦର ଗୋପାଳଙ୍କ ମନକୁ ମୋହିଲେ

କଦମ୍ବର ରତଳକୁ ଆପଣେ ବିଜେ କଲେ ।

ଗୋପାଳଙ୍କ ପୁଅମାନେ କୃଷ୍ଣ ପଛେ ଥିଲେ

ଅକ୍ରୂର ମୁଖକୁ ଚାହିଁ ସମସ୍ତେ ହସିଲେ ।

ତୁହି ତ କଂସରାଜର ଦୂତ ହୋଇଥିଲୁ

କପଟରେ ଶ୍ରୀକୃଷ୍ଣଙ୍କୁ ଏଥୁ ଘେନିଗଲୁ ।

ଏବେ ତୁହି ଆସିଅଛୁ ଶ୍ରୀକୃଷ୍ଣ ସଙ୍ଗରେ

ନୋହିଲେ ତୋ ମୁଣ୍ଡ ପିଟିଦ୍ୟନ୍ତୁ ଏ ବାଡ଼ିରେ ।

ଭୟ କରିଣ ଅକ୍ରୂର ନ ଦେଲା ଉତ୍ତର

ମଥା ପୋତିଣ ରହିଲା କଦମ୍ବ ମୂଳର ।

ଏଥୁଅନ୍ତେ ଶୁଣ ପରୀକ୍ଷିତ ନୃପରାଣ

ବିଷ୍ଣୁଙ୍କ ଅଙ୍ଗ କୀରତି ସାବଧାନେ ଶୁଣ ।

ଗୋପାଳ ପୋଏକ ଗୋଷ୍ଠୁ ବେଗେ ଗଲା ଧାଇଁ

ନନ୍ଦର ସିଂହଦୁଆରେ ମିଳିଲାକ ଯାଇ ।

ଯଶୋଦା ଦେବୀଙ୍କି ଚାହିଁ ବୋଲନ୍ତି ବଚନ

ସାବଧାନେ ଶୁଣ ମାତା ଅପୂର୍ବ ବିଧାନ ।

ଶ୍ରୀକୃଷ୍ଣ ଆସିଅଛନ୍ତି ଦେଖସି ଗୋ ଯାଇ

ଗୋପଠାରେ ଦେଖି ତାଙ୍କୁ ଅଇଲି ମୁଁ ଧାଇଁ ।

ମୋହନ ମୁରତି ସେ ଧରିଣ ଦେବରାଜେ

ଉଦ୍ଧବ ଅକ୍ରୂର ଘେନି ଆସି କଲେ ବିଜେ ।

ଗୋପାଳ ପୁଅ ମୁଖରୁ ଏସନକ ଶୁଣି

ଚାତକ ପ୍ରାପ୍ତ ହେଲା କି ବରଷାର ପାଣି ।

କୋଟି ଯୁଗେ ଅନ୍ଧ କିବା ପାଏ ଚକ୍ଷୁଦାନ

ଦରିଦ୍ରଲୋକ କି ଅବା ପ୍ରାପ୍ତ ହେଲା ଧନ ।

ରଙ୍କ କିବା ପ୍ରାପ୍ତ ହେଲା ଶାଳିଧାନ୍ୟ ଭାତ

ଅପୁତ୍ରିକ ପୁତ୍ର କିବା ହୋଇଲା ପ୍ରାପତ ।

ତେସନ ପରାୟେ ହୋଇଲେକ ନନ୍ଦରାଣୀ

ସତେ ଆସିଅଛନ୍ତି କି ମୋର ବେଣୁପାଣି ।

ଲବଣୀ ମେଞ୍ଚେ ଯଶୋଦା ତାର ହସ୍ତେଦେଲେ

କହ କହ ନିଶ୍ଚୟ କି ଶ୍ରୀକୃଷ୍ଣ ଅଇଲେ ।

ବାଳକ ବୋଇଲା ମୁହିଁ ଦେଖିଲି ଏକ୍ଷଣ

ତୁମ୍ଭ ପାଶେ କହିବାକୁ ଅଇଲି ବହନ ।

ଯଶୋଦା ବୋଇଲେ ଚାଲ ନନ୍ଦ ପାଶେ ଯିବା

ଜଣାଇ ତାହାଙ୍କ ପାଶେ ସତ୍ଵର ଚଳିବା ।

ଏତେ କହି ବାଳକର ହସ୍ତ ଧରି ନେଲେ

ନନ୍ଦରାଜାର ଛାମୁରେ ବେଗେ ପ୍ରବେଶିଲେ ।

ଦେଖି ସେ ବୋଇଲେ ୟାକୁ ଆଣିଛ କିପାଇଁ

ଆମ୍ଭେ ଆଉ କହ୍ନାଇକି ପାଇବା ବା କାହିଁ ।

ପରପୁତ୍ରେ ଦୁଃଖ ଦେବା ନୁହଇ ଉଚିତ

ଆମ୍ଭ ପୁତ୍ର ହରି ନେଇ ନ ଦେଲା ବିଧାତା ।

ଯଶୋଦା ବୋଇଲେ ପୁଛ ଏହି କୁମରକୁ

ଶ୍ରୀକୃଷ୍ଣ ଅଇଲେ ଏହି ଗୋପନଗରକୁ ।

ଶ୍ରୀକୃଷ୍ଣ ଅଇଲେ ବୋଲି ଏ କହୁଅଛଇ

ତେଣୁକରି ଏହାକୁ ମୁଁ ଘେନି ଅଇଲଇଁ ।

ନନ୍ଦ ପଚାରନ୍ତି ଶୁଣ ବାଳୁତ କୁମର

ନିଶ୍ଚେ ଦେଖିଅଛୁ କି ତୁ କୃଷ୍ଣ ଆସିବାର ।

କୁମର ବୋଲଇ ଗୋଷ୍ଠମଧ୍ୟେ ଆସି ଥିଲେ

ଗୋପାଳପୁଅଙ୍କ ସଙ୍ଗେ କଥାଭାଷା ହେଲେ ।

ଧାଇଁ ଅଇଲି ତୁମ୍ଭଙ୍କୁ ବାର୍ତ୍ତା ଦେବାପାଇଁ

ଉଦ୍ଧବ ଅକ୍ରୂର ଛନ୍ତି ତାଙ୍କ ସଙ୍ଗତେହିଁ ।

ଶ୍ରୀକୃଷ୍ଣଙ୍କ ମୁଖଗୋଟି ଯାଇଛି ମଉଳି

ଗୋଗୋଷ୍ଠରେ ବସିଛନ୍ତି କୃଷ୍ଣ ବନମାଳୀ ।

ନନ୍ଦ ବୋଇଲେ ମୁଁ ନିସ୍ତରିଲି ନିସ୍ତରିଲି

ସତେ କି ଦେଖିବି ମୁହିଁ କୃଷ୍ଣ ହଳଧାରୀ ।

ଗୋପାଳ ପୁଅକୁ ନନ୍ଦ ଆଶ୍ଵାସନା କଲେ

ଦୁଧ ସର ଲବଣୀ ତାହାକୁ ଭୁଞ୍ଜାଇଲେ ।

ବାଳକର ହସ୍ତ ଧରି ହୋଇଲେ ବାହାର

ଗୋଗୋଷ୍ଠକୁ ନନ୍ଦ ଯାନ୍ତି ହୋଇ ତରତର ।

କଦମ୍ବ ମୁଳକୁ ନନ୍ଦ ଗଲେ ବେଗ ହୋଇ

ଧାଇଁ ଯାଇଣ ବୋଇଲେ କାହିଁ ମୋ କହ୍ନାଇ ।

ଯାଇଣ କଦମ୍ବତଳେ ସତ୍ଵରେ ମିଳିଲେ

ଏକଦୃଷ୍ଟି କରି କୃଷ୍ଣ ମୁଖକୁ ଚାହିଁଲେ ।

କୋଟିଏ ଜନ୍ମର ପାପ ହୋଇଲା ଦହନ

ନୟନରୁ ଅଶ୍ରୁଜଳ ବହେ ଘନ ଘନ ।

ନନ୍ଦର ବଦନ ଯହୁଁ ଚାହିଁଲେ ଶ୍ରୀହରି

ନମସ୍କାର କରି ଉଭା ହେଲେ କରଯୋଡ଼ି ।

ନନ୍ଦ ବୋଲେ ଦେଖିଲି ମୁଁ ଆଜ ପଦ୍ମମୁଖ

ଭୋ କେଶବ ମୋହର ଏ ଅବସ୍ଥାକୁ ଦେଖ ।

ସାତଶ ପଞ୍ଚାଶ ବର୍ଷେ ତୋତେ ପାଇଥିଲି

କର୍ମର ଅବଳେ ପୁଣି ହରାଇ ବସିଲି ।

କେତେଦିନ ହେଲା ମୋତେ ଗୋପେଗଲୁ ଛାଡ଼ି

ମୋର ନୟନରୁ ଦଣ୍ଡେ ନ ଶୁଖଇ ବାରି ।

ଯଶୋଦା ତୋ ପାଇଁ ସବୁବେଳେ କାନ୍ଦୁଛଇ

ଘାଉଆ ହରିଣୀ ଯେହ୍ନେ ବନେ ପଡ଼ିଥାଇ ।

ଯେଉଁଦିନୁ ତୁମ୍ଭେ ଗଲ କୃଷ୍ଣ ହଳଧାରୀ

ଅନ୍ଧାର ଦିଶିଲା ସବୁ ଗୋପପୁର ଶିରୀ ।

ଦଇବ ଲେଖନକୁ ବା କେ କରିବ ଆନ

ଏବେ କର୍ମକୁ ମିଳିଲୁ ଆରେ ଜନାର୍ଦ୍ଦନ ।

ନନ୍ଦର ବିକଳ ଦେଖି ପ୍ରଭୁ ନାରାୟଣ

ମନେ ମନେ ବିଚାରନ୍ତି ଶ୍ରୀମଧୁସୂଦନ ।

ପିତାଙ୍କର କୋଳେ ବସିଲେକ ଦେବ ଯାଇ

ଶ୍ରଦ୍ଧାକରି ନନ୍ଦ କୋଳେ କୃଷ୍ଣଙ୍କୁ ବସାଇ ।

ବୋଲେ ଚାଲ ନଗରକୁ ଯିବା ଚକ୍ରଧର

ତୁମ୍ଭଙ୍କୁ ନ ଦେଖି ସର୍ବେ ହୁଅନ୍ତି ବିକଳ ।

ପିତାଙ୍କର କୋଳରୂ ସେ ଓହ୍ଲାଇଣ ବେଗେ

ଉଦ୍ଧବ ଅକ୍ରୂରକୁ ଯେ ଚାହିଁଲେ ସରାଗେ ।

ନଗରକୁ ଯିବା ଚାଲ ଏଥେ କିସ କାର୍ଯ୍ୟ

ଦାରୁକକୁ ଆଜ୍ଞାଦେଲେ ପ୍ରଭୁ ଦେବରାଜ ।

ଆଜ୍ଞା ପ୍ରମାଣେ ଦାରୁକ ସଜାଇଲେ ରଥ

ପିତାଙ୍କୁ ଘେନି ବିଜୟ କଲେ ଗୋପୀନାଥ ।

ସାବଧାନେ ଶୁଣ ପରୀକ୍ଷିତ ନୃପବର

ରଥରେ ଆରୋହି ବିଜେକଲେ ଦାମୋଦର ।

ଶୁଣ ଆହେ ଦିବ୍ୟ ରସ ଏଥି ଉତ୍ତାରେଣ

ଗୋପରେ ଶୁଭିଲା ବିଜେ କଲେ ନାରାୟଣ ।

ଯେ ଯାହା କାର୍ଯ୍ୟରେ ସର୍ବ ଗୋପୀମାନେ ଥିଲେ

ଶ୍ରୀକୃଷ୍ଣ ଅଇଲେ ବୋଲି ବାରତା ପାଇଲେ ।

ଏକ ସଖିଙ୍କ ଆଗରେ ଆରେକ କହନ୍ତି

ନିଶ୍ଚେ ଆମ୍ଭେମାନେ ଆଜ ଦେଖିବା ଶ୍ରୀପତି ।

ଏସନକ କଥାବାର୍ତ୍ତା ହୋଇ ସର୍ବ ଗୋଈ

ଗୋବିନ୍ଦ ଗୋବିନ୍ଦ ବୋଲି ଅଇଲେକ ଧାଇଁ ।

ବସ୍ତ୍ର ଅସମ୍ଭାଳ ଆଉ ବାଳ ନ ବାନ୍ଧିଣ

ଉନମତ୍ତ ହୋଇକରି ଧାମନ୍ତି ବହନ ।

ଶତେପୁର କରି ଗୋପୀ ବଢ଼ିଲେକ ଯାଇ

ହା କୃଷ୍ଣ ବୋଲି ରୋଦନ କଲେ ସର୍ବେ ତହିଁ ।

ଏ କଳା ବଦନଗୋଟି ପରିମୂଣ୍ଡା ଯାଇ

ଆଜିଯାଏ ଲୁଚିକରି ରହିଥିଲୁ କାହିଁ ।

ତୋହର ବିହୀନେ ଆମ୍ଭେ ଅନାଥା ହୋଇଲୁ

କର୍ମ ଶୁଭଯୋଗେ ଆଜ ଶ୍ରୀମୁଖ ଦେଖିଲୁଁ ।

ପିଣ୍ଡମାତ୍ର ରଖି ପ୍ରାଣ ନେଇଥିଲ ହରି

ଆମ୍ଭର କଷ୍ଟ ନୟନେ ଦେଖ ଦଇତ୍ୟାରି ।

କେତେ କେତେ ଅରିଷ୍ଟ ଏ ଗୋପରେ ପଡ଼ିଲା

ତୋହର ଅରିଷ୍ଟ କିପାଁ ଆମ୍ଭଙ୍କୁ ନୋହିଲା ।

କେବଣ ଗୋପୀ କୃଷ୍ଣର ଅଧର ଧରଇ

କେବଣ ଗୋପୀ ଶ୍ରୀମୁଖ ଚୁମ୍ବନ କରଇ ।

କେବଣ ଗୋପୀ ବସ୍ତ୍ରରେ ଶ୍ରୀମୁଖ ପୋଛଇ

କେବଣ ଗୋପୀ ବୋଇଲେ ପରିମୁଣ୍ଡା ଯାଇ ।

କେବଣ ଗୋପୀ ଧରଇ ଶ୍ରୀକୃଷ୍ଣର ଭୁଜ

କେବଣ ଗୋପୀ କୋଳରେ ଧରି ଦେବରାଜ ।

ଲାଜ ସଙ୍କୋଚ ସମସ୍ତ ଗୋପୀଏ ଛାଡ଼ିଲେ

ପଞ୍ଚପ୍ରାଣ ନେଇ କୃଷ୍ଣପାଦେ ଖଟାଇଲେ ।

ଦେଖିଲେ ଯଶୋଦା ପଛେ ଆସୁଛନ୍ତି ଧାଇଁ

ଚନ୍ଦନ କୁଙ୍କୁମ ସ୍ଵର୍ଣ୍ଣ ଭାଣ୍ଡରେ ପୁରାଇ ।

ଖରାରେ ତ ମୋ ପୁଅର ମୁଖ ଶୁଖିଥିବ

ଚନ୍ଦନ କର୍ପୂର ଲେପୁଁ ଶୀତଳ ହୋଇବ ।

ସ୍ଵର୍ଣ୍ଣପାତ୍ରରେ ଲବଣୀଖଣ୍ଡ ମିଶ୍ରିଧରି

ଧାଇଁଛନ୍ତି ବେଗୁ ବେଗ ନନ୍ଦଙ୍କର ନାରୀ ।

ଏମନ୍ତେଣ ଖଣ୍ଡେଦୂର ଗଲେ ଯଶୋମତୀ

ଆସିଣ ବେଢ଼ିଲେ ଗୋପପୁରର ଯୁବତୀ ।

ହା ହା କୃଷ୍ଣ ବୋଲି ରଥ ସନ୍ନିଧେ ମିଳିଲେ

ଯଶୋବନ୍ତୀଙ୍କର ମୁଖ ଗୋବିନ୍ଦ ଚାହିଁଲେ ।

ରଥରୁ ତଳକୁ ବେଗେ ଓହ୍ଲାଇ ଅଇଲେ

ମାତାଙ୍କ ଚରଣ ତଳେ ବେଗେଣ ମିଳିଲେ ।

ଉଠ ଉଠ ବୋଲି କହି ବେଗେ ଉଠାଇଲେ

ଚାହିଁଥିଲି ବାବୁ ତୋତେ ଆସ ଏତେକାଳେ ।

ଲୁଚାଇଣ ରଖିଥିଲୁ ବଦନ ତୋହର

ଏତେକାଳେ ଦେଖିଲି ମୁଁ ଶ୍ରୀରଙ୍ଗାଅଧର ।

ଏତେ ବୋଲି ତାହାଙ୍କର ଶ୍ରୀହସ୍ତ ଧଇଲେ

କୋଳାଗ୍ରତ କରି ତାଙ୍କ ମୁଖେ ଚୁମ୍ବ ଦେଲେ ।

ଯେତେକ ସର ଲବଣୀ ହସ୍ତେ ଧରିଥିଲେ

ସେହି ସବୁ ନେଇ ତାହାଙ୍କର ମୁଖେ ଦେଲେ ।

ବିମ୍ବ ଅଧରେ ମେଞ୍ଚିଏ ମେଞ୍ଚିଏ ଖୁଆନ୍ତି

ସୁଖେ ମାୟାଧର ତାକୁ ମଣୋହି କରନ୍ତି ।

ଅକ୍ରୂରକୁ ଚାହିଁକରି କହୁଛନ୍ତି ମାଏ

କଂସବୋଲେ ଘେନିଗଲୁ ମୋହର ତନୟେ ।

ପୁତ୍ରର ବିହୀନେ ମୁହିଁ ହୋଇଲି ଅନାଥ

ଅନ୍ଧକାରମୟ ମୋତେ ଦିଶଇ ଜଗତ ।

ଚନ୍ଦ୍ର ପକ୍ଷ ରାତ୍ରେ ମୋତେ ଅନ୍ଧାର ଦିଶଇ

ଦିନର ସୂର୍ଯ୍ୟ ଥିଲେହେଁ ମୋତେ ନ ଦିଶଇ ।

ଅନ୍ଧ ଅନ୍ଧୁଣୀ ପରାୟେ ଥାଉଁ ବେନି ପ୍ରାଣୀ

ଅନୁକ୍ଷଣେ ନୟନରୁ ବହେ ଅଶ୍ରୁପାଣି ।

ତୁମ୍ଭେ ତ ଅଇଲ ବାବୁ ରାମ ମୋର କାହିଁ

କିପାଇଁ ଛାଡ଼ି ଅଇଲୁ କହରେ କହ୍ନାଇ ।

ଗୋବିନ୍ଦ କହନ୍ତି ତହୁଁ ମାତାଙ୍କ ବଚନେ

ପଛରେ ଆସୁଅଛନ୍ତି ଦେବ ବଳରାମେ ।

ରଙ୍ଗ କୁତୂହଳେ ରହୁବର ଚଳିଯାଇ

ନନ୍ଦର ସିଂହଦୁଆରେ ତ୍ଵରିତେ ମିଳଇ ।

ଜନନୀଙ୍କର ପାଖରେ କୃଷ୍ଣ ବସିଥିଲେ

ନବର ଭିତରେ ଯାଇଁ ଦୁହେଁ ଓହ୍ଲାଇଲେ ।

ଚନ୍ଦ୍ରଶାଳାପୁରେ ମିଳିଲେକ ଦେବ ଯାଇ

ରତ୍ନ ପଲଙ୍କରେ ମାତ ବସାଇଲେ ନେଇ ।

କେବଣ ଗୋପୀ ମୁଖରେ ଚୁମ୍ବନ ଦିଅନ୍ତି

ଶ୍ରୀକୃଷ୍ଣ ମୁଖକୁ ଚାହିଁ ଅଙ୍ଗ ପୁଲକାନ୍ତି ।

ମଦନେ ଆରତ ହେଉଁ ହୋଇ ରସ ଭୋଳ

କେହବେହେଁ ସେ ନ ଛାଡ଼ନ୍ତି ମଦନ ଗୋପାଳ ।

ଚନ୍ଦନ କର୍ପୂର ସ୍ଵର୍ଣ୍ଣପାତ୍ରେ ଥିଲେ ନେଇ

କୃଷ୍ଣ ଅଙ୍ଗରେ ଲେପନ୍ତି ଆନନ୍ଦିତ ହୋଇ ।

ଗୋପୀଏ ଆନନ୍ଦମନେ ଶରୀର ଘଷନ୍ତି

କେଉଁ ଗୋପୀ ଆନନ୍ଦରେ ଦେହ ଆଉଁଷନ୍ତି ।

କେବଣ ଗୋପିକା ମୁଖେ ତାମ୍ବୁଳ ଭୁଞ୍ଜାନ୍ତି

କେବଣ ଗୋପିକା ଆସି ପାଦ ମଞ୍ଚାଳନ୍ତି ।

ଉଦ୍ଧବ ଅକ୍ରୂରେ ନନ୍ଦ ଗଉରବ କଲେ

ମାନ୍ୟ କରିଣ ଆସନେ ନେଇ ବସାଇଲେ ।

ସ୍ନାନ ନିତ୍ୟକର୍ମମାନ ସେମାନେ ସାରିଲେ

ଗଡ଼ରସ ଦ୍ରବ୍ୟମାନ ମଣୋହି କରିଲେ ।

ଅମୃତମଣୋହି କୃଷ୍ଣ କରନ୍ତି ଆନନ୍ଦେ

ବେଢ଼ି ବସିଛନ୍ତି ତହିଁ ସର୍ବ ଗୋପୀବୃନ୍ଦେ ।

ସଙ୍ଗରେ ଗୋପାଳପୁଏ ମିଳିଲେକ ଆସି

ବୋଲନ୍ତି ଭୋଜନ କର ଆହେ ବ୍ରହ୍ମରାଶି ।

କେବଣ ଗୋପାଳପୁଅ ବୋଲନ୍ତି କହ୍ନାଇ

ଆମ୍ଭର ସଙ୍ଗେ ବିହରୁଥିଲୁ ଭାବଗ୍ରାହୀ ।

ସେ ବୃନ୍ଦାବନ ଆମ୍ଭଙ୍କୁ ଅପୂର୍ବ ହୋଇଲା

ଦିନେ ଦେଖିବାକୁ ତୁମ୍ଭ ଚିତ୍ତ ନ ବଳିଲା ।

ଛାଡ଼ିଗଲା ଦିନୁ ଖେଳ କୌତୁକ ନ ଜାଣୁ

କୃଷ୍ଣ କୃଷ୍ଣ ବୋଲି ଭାଳୁଥାଉଁ ଦିନୁ ଦିନୁ ।

ଗୋପାଳପୁଅଙ୍କ ମୁଖୁ ଏସନକ ଶୁଣି

ମାୟାରେ ମୋହିଲେ ତାଙ୍କୁ ଦେବ ଚକ୍ରପାଣି ।

ଯେଉଁରୂପେ କୃଷ୍ଣ ସଙ୍ଗେ ପୂର୍ବେ ଖେଳୁଥିଲେ

ତେସନକ ପରକାରେ ସମସ୍ତେ ମଣିଲେ ।

ପୁଅଙ୍କର ଆନନ୍ଦ ସେ କହୁ ନ ସରଇ

ଗୋପୀମାନଙ୍କର ଅଙ୍ଗ ପୁଲକି ଉଠଇ ।

ନନ୍ଦ ଯଶୋଦା ଆନନ୍ଦ କହିଲେ ନ ସରେ

ହଜିଲା ପଦାର୍ଥ କିବା ପ୍ରାପ୍ତ ହେଲା କରେ ।

ତେସନ ପ୍ରକାରେ ଗୋପୀ ଗୋପାଳ ସଭିଏଁ

ଆନନ୍ଦରେ କୃଷ୍ଣଙ୍କୁ ନ ଛାଡ଼ନ୍ତି କ୍ଷଣେହେଁ ।

ପୂର୍ବେ କୃଷ୍ଣ ସଙ୍ଗେ ହୋଇଥିଲାକ ଯେସନ

ଗୋପପୁରେ ସେ ରୂପରେ ଧ୍ଵନି ବିଦ୍ୟମାନ ।

ଏମନ୍ତେ ପାଞ୍ଚ ଦିବସ ରହି ନାରାୟଣ

ଗୋପୀ ଗୋପାଳ ଛାଡ଼ନ୍ତି ନାହିଁ ଏକକ୍ଷଣ ।

ଏକଦିନକରେ ମିଳି ସର୍ବ ଗୋପାଳୁଣୀ

ଯମୁନା ସ୍ନାନକୁ ଯାଇଥିଲେକ ତରୁଣୀ ।

ଦୈବଯୋଗେ ସେହିଦିନ ରାଧିକା ସୁନ୍ଦରୀ

ଯମୁନା ଯାଇଅଛନ୍ତି ସେହୁ ସ୍ନାନ କରି ।

ଯମୁନା ତଟେ ହୋଇଲା ତାଙ୍କ ସଙ୍ଗେ ଭେଟ

ବୋଲନ୍ତି ତୁମ୍ଭର କିପାଁ ବହୁତ ଉଚ୍ଚାଟ ।

ଶ୍ରୀକୃଷ୍ଣ ଗଲା ଦିନରୁ ନ ଦେଖୁ ଏଠାରେ

ଦହି ବିକିବାକୁ ଯାଅ କେବଣ ବାଟରେ ।

ଏବେ ତୁମ୍ଭମାନଙ୍କର ହର୍ଷମୁଖ ଦିଶେ

ଶତଦଳ ପଦ୍ମ ପ୍ରାୟ ବଦନ ପ୍ରକାଶେ ।

ହସି ହସି ଗୋପୀମାନେ ବୋଲନ୍ତି ବଚନ

ଉଦ୍ଧବଙ୍କୁ ଘେନି ଆସିଛନ୍ତି ନନ୍ଦନାନ ।

ପରିହାସ ମଣି ବୃଷଭାନୁର ନନ୍ଦିନୀ

ଆପଣାର ମନେ ମନେ ଭାଳି ପୁଣି ପୁଣି ।

ବୋଲନ୍ତି ଯେବେ ଅଇଲେ ଜଗତ ଈଶ୍ଵର

କେଭେ ପ୍ରତେ ହେଉନାହିଁ ମନରେ ମୋହର ।

ଭକତବତ୍ସଳ ଯେବେ ଗୋପକୁ ଅଇଲା

ଜାଣିଲଇଁ ନିଶ୍ଚେଁ ଆସି ଯୁଗ ଶେଷ ହେଲା ।

ନିଜ ଧାମକୁ ଚଳିବେ ଦେବ ନାରାୟଣ

ନେବାକୁ ଆସିଅଛନ୍ତି ଗୋପାଳୁଣୀମାନ ।

ଦ୍ଵାରକାପୁରେ ଏହାଙ୍କୁ ରଖିବେ ସେ ନେଇ

ଯଦୁବଂଶ ନାଶ କରାଇବେ ଭାବଗ୍ରାହୀ ।

ପୂର୍ବର କଥା ସମସ୍ତ ହୃଦରେ ସ୍ମରିଲେ

ଯାହା ବିଚାରିଲେ ତାହା ହୃଦରେ ରଖିଲେ ।

ରାଧିକା ବୋଲନ୍ତି ଶୁଣ ଆଗୋ ଗୋପାଳୁଣୀ

ସତେହେଁ କି ଗୋପେ ଆସିଛନ୍ତି କମ୍ବୁପାଣି ।

ଗୋପୀ ବୋଇଲେ ଅଇଲେ ପାଞ୍ଚଦିନ ହେଲା

ତୁମ୍ଭଙ୍କୁ ଏ କଥା କେହ୍ନେ ଜଣା ନ ପଡ଼ିଲା ।

ଏହା ଶୁଣି ରାଧିକା ବହନେ ଚଳିଗଲେ

ଆପଣା ମନ୍ଦିରେ ଯାଇ ପ୍ରବେଶ ହୋଇଲେ ।

ଦୂରିତ ସଖୀକି ରାଧା ରାଇଲେ ଏକାନ୍ତେ

ବୋଇଲେ ଗୋପକୁ ଆସିଛନ୍ତି ଗୋପୀନାଥେ ।

ଗୋପୀକାମାନେ କହିଲେ ମୋତେ ଏହିକ୍ଷଣି

ଚାଲ ଚାଲ ସଖି ଦେଖିବା ଗୋ ଚକ୍ରପାଣି ।

ଦୂତିକା ବୋଇଲେ ସଖି କିପାଁ କହୁ ମିଛ

କେଭେ ଗୋପକୁ ତ ନ ଆସନ୍ତି ନନ୍ଦବତ୍ସ ।

ରାଧିକ ବୋଇଲେ କେଭେ ଏ ମିଥ୍ୟା ନୁହଇ

ଯମୁନାଘାଟେ କହିଲେ ମୋତେ ସର୍ବ ଗୋଈ ।

ନନ୍ଦର ମନ୍ଦିରେ ବିଜେ କରିଛନ୍ତି ହରି

କଷ୍ଟ ପାସୋରନ୍ତି ତାଙ୍କୁ ଦେଖି ଗୋପନାରୀ ।

ଏମନ୍ତେ ହୋଇଲା ଷଡ଼ ଦିବସର କଥା

ଏକମନେ ଶୁଣ ପରୀକ୍ଷିତ ମହାରଥା ।

ଦୂତିକାକୁ ଘେନି ସଙ୍ଗେ ରାଧିକା ସୁନ୍ଦରୀ

ବେଗେଣ ଯାଇ ମିଳିଲେ ନନ୍ଦରାଜା ପୁରୀ ।

ଦେଖିଲେ ସିଂହାସନରେ ବିଜେ ନାରାୟଣ

ତାଙ୍କ ଯୋଗେ ଶୋଭା ପାଉଅଛି ତ୍ରିଭୁବନ ।

ମନେ ମନେ କୋଟି କୋଟି ପ୍ରଣାମ ସେ କଲା

କରପତ୍ର ଯୋଡ଼ିଣ ଛାମୁରେ ଉଭା ହେଲା ।

ଶ୍ରୀକୃଷ୍ଣଙ୍କୁ ଚାହିଁ ରାଧା ଭାଷେ ମୃଦୁବାଣୀ

ଏସନକ ଭଣ୍ଡ ତୁମ୍ଭେ ଅଟ ଚକ୍ରପାଣି ।

ଆମଙ୍କୁ ଛାଡ଼ି ମଥୁରା ଗଲୁ ଦାମୋଦର

ଲୁଚାଇଥିଲୁ ତୋହର ଶ୍ରୀବିମ୍ବ ଅଧର ।

ଏତେକାଳରେ ସୁଦୟା ହେଲା ଆମ୍ଭଠାରେ

ତୁମ୍ଭଙ୍କୁ ଦେଖିଲୁ ଆମ୍ଭେ ଚର୍ମନୟନରେ ।

ଏଡ଼େ ନିରାଶ କରିବା ନୁହଇ ଉଚିତ

ନାମ ତୁହି ବୋଲାଇ ତ ଅଛୁ ଗୋପୀନାଥ ।

କମଠ ଡିମ୍ବ ପଡ଼ିଲା ପ୍ରାୟ ତୁହି କରି

ଛାଡ଼ିଣ ମଥୁରାପୁରେ ରହିଲୁ ଶ୍ରୀହରି ।

ଏତେ କହିଣ ମଉନ ହେଲେ ଠାକୁରାଣୀ

କୋମଳ ବଚନେ ବଦୟନ୍ତି ଯଦୁମଣି ।

କଂସ ଘେନାଇ ଗଲାକୁ ଆମ୍ଭେ ସିନା ଗଲୁ

ଆମ୍ଭର ଇଚ୍ଛା ଏ ତ ତୁମ୍ଭଙ୍କୁ ନ ଛାଡ଼ିଲୁ ।

ଆମ୍ଭଙ୍କୁ ମାରିବା ପାଇଁ ଘେନାଇ ସେ ଗଲା

ଦେଖିବା ମାତ୍ରକେ ସେହୁ ପ୍ରାଣତ୍ୟାଗ କଲା ।

ସମସ୍ତଙ୍କର ଭାଗ୍ୟକୁ କଂସ ଗଲା କ୍ଷୟେ

ଏହିଯୋଗେ ଗତ ହେଲା ଏତେଦିନ ଯାଏ ।

ରହି ନ ପାରିଲ ଜରାଭୟେ ମଥୁରାରେ

ପଳାଇ ଯାଇ ପଶିଲୁ ସମୁଦ୍ର ଭିତରେ ।

ଦ୍ଵାରାବତୀ ପୁରେ ଲୁଚି ନିଶ୍ଚିନ୍ତରେ ଥାଉ

ଜରାସନ୍ଧ ଡରେ ଆସି ନ ପାରିଲୁ ତହୁଁ ।

ଏସନକ ଛଦ୍ମବାଣୀ କହନ୍ତେ ମାଧୋଇ

ଶୁଣି ମନେ ହସ ହସି ଦୂତିକା ବୋଲଇ ।

ମାୟାଧର ପ୍ରଭୁ ତୁମ୍ଭେ ଜରାସନ୍ଧ ଡରେ

କହୁଛ ଲୁଚିଲୁଁ ଯାଇ ସମୁଦ୍ର ଭିତରେ ।

ଦୈତ୍ୟନାଶନ ତୋହର ନାମ ଦଇତ୍ୟାରି

ସମୁଦ୍ରରେ ପଶି ମାରୁ ଦୈତ୍ୟ ମହାବଳୀ ।

କାଳେ କାଳେ ତୁମ୍ଭେ ସିନା ଦୈତ୍ୟ ଭୟହର

ଦୈତ୍ୟ ବିନାଶନେ ବାରମ୍ବାର ଅବତାର ।

କପଟ କରି ଆମ୍ଭଙ୍କୁ କହୁ ନାରାୟଣ

ଯୁଗ ପ୍ରଳୟ କାରଣେ କଲୁଣି ତୁ ମନ ।

ଯଦୁବଂଶ ମରାଇ ଆପଣେ ସ୍ଵର୍ଗେ ଯିବୁ

ଏଠାକୁ ଆସିଛୁ ସଙ୍ଗେ ଆମ୍ଭଙ୍କୁ ତୁ ନେବୁ ।

ଦ୍ଵାରକାପୁରେ ଥୋକାଏ ଦିବସ ରହିବୁ

କାଳାନ୍ତରେ ତୁହି ନିଶ୍ଚେଁ ପ୍ରଳେ କରାଇବୁ ।

ଆଗତ ଭବିଷ୍ୟ ଯହୁଁ ଦୂତିକା କହିଲା

ଅନ୍ତର୍ଯ୍ୟାମୀଙ୍କ ମନକୁ ସେ କଥା ରୁଚିଲା ।

ତହୁଁ ରାଧିକା ବୋଲନ୍ତି ଶୁଣ ହେ କହ୍ନାଇ

ପଦ୍ମବନ ପ୍ରାୟେ ତୋର କୁଟୁମ୍ବ ବଢ଼ଇ ।

ସୁଖଭୋଗ ବହୁତ କରିଲ ମଞ୍ଚପୁରେ

ସ୍ଵର୍ଗକୁ ନ ଯାଇ କିମ୍ପା ଅଛ ଅବନୀରେ ।

ଦେବସଭା ନ ଶୋଭଇ ତୁମ୍ଭେ ନ ଥିବାକୁ

ବେଗୁଁ ବେଗ ନାଶ କର ଯାଦବବଂଶକୁ ।

ରାଧିକାଙ୍କର ବଚନେ ଶ୍ରୀକୃଷ୍ଣ ହସିଲେ

ଗୁପତ କଥା ପ୍ରକାଶ ନ କର ବୋଇଲେ ।

ମୁହିଁ ନାରାପୁଣ ତୁମ୍ଭେ ଅଟ ପରଂ ଲକ୍ଷ୍ମୀ

କେବେହେଁ ତୁମ୍ଭଙ୍କୁ ଆମ୍ଭେ ନ ପାରୁ ମୁରୁଛି ।

ଅବତାରେ ଅବତାରେ ସଙ୍ଗେ ଘେନିଥାଇ

ତୁମ୍ଭଙ୍କୁ ଘେନିଣ ମୁହିଁ ଦୈତ୍ୟ ସଂହରଇ ।

ଏବେତ ଯୁଗ ଶେଷ ଗୋ ହେଉଅଛି ସହି

ଯିବି ମୁହିଁ ନିଜସ୍ଥାନେ ନ ପାରିବି ରହି ।

ପୃଥିବୀର ମହାଭାର ଉଶ୍ଵାସ ହୋଇଲା

ମୋତେ ନେବାପାଇଁ ଦେବଦୂତ ଆସିଥିଲା ।

ନିକଟ ତ ହୋଇଲାଣି ଯିବି ସ୍ୱର୍ଗପୁର

ପୁତ୍ର ନାତି ଯେତେକ ବା ଅଛନ୍ତି ମୋହର ।

ସେମାନଙ୍କୁ ତ ସଂହାର କରାଇବି ମୁହିଁ

ଶବର ବାଣରେ ନାଶ ହେବ ମୋର ଦେହି ।

ଏହି ଗୁପତ ଚରିତ ନ ଜାଣିବେ କେହି

ଏଣୁକରି ତୁମ୍ଭଙ୍କୁ ଗୋ କହିଲି ମୁଁ ସହି ।

ଗୋପାଳୁଣୀମାନେ ଏହା କେହି ନ ଜାଣିଲେ

ନନ୍ଦ ଯଶୋଦା ଜାଣିବେ ଏହା କାହୁଁ ଭଲେ ।

କଥାର କୌତୁକେ ତାଙ୍କ ମନକୁ ମୋହିଲେ

ମାୟାଧର ପୁରୁଷ ତ ସବୁ ମାୟା କଲେ ।

ନନ୍ଦଙ୍କୁ ଚାହିଁଣ କୃଷ୍ଣ କହନ୍ତି ଏସନ

ଯିବୁ ଦ୍ଵାରକାପୁରକୁ କର ଅବଧାନ ।

ନନ୍ଦ ବୋଇଲେ ଆମ୍ଭେ ନ ପାରୁ ମୁରୁଛି

ଥାଅ ଦିନାକେତେ ଆଉ ନ ଯାଅ ଶ୍ରୀବତ୍ସି ।

ଛାଡ଼ି ଗଲେ ନିଶ୍ଚେଁ ଆମ୍ଭେ ହରାଇବୁ ପ୍ରାଣ

ଆମ୍ଭମାନଙ୍କୁ ସଙ୍ଗତେ ନିଅ ନାରାୟଣ ।

ଗୋବିନ୍ଦ ବୋଇଲେ ଆମ୍ଭେ ସଙ୍ଗତରେ ନେବୁ

ଦ୍ଵାରକା ପୁରରେ ନେଇ ତୁମ୍ଭଙ୍କୁ ଥୋଇବୁ ।

ଶ୍ରୀକୃଷ୍ଣଙ୍କ ମୁଖୁଁ ଏହା ଶୁଣି ଗୋପନାରୀ

ତତକ୍ଷଣେ ବେଢ଼ିଗଲେ ଶତେପୁର କରି ।

ବୋଲନ୍ତି ଆମ୍ଭଙ୍କୁ ଛାଡ଼ି ଯିବୁ ଗୋପୀନାଥ

କଦାଚିତ ତୋତେ ଛାଡ଼ି ନ ଦେବୁ ଅଚ୍ୟୁତ ।

ଦରିଦ୍ରକୁ ଧନ ଆସି ପ୍ରାପତ ହୋଇଛି

ତାହାକୁ ଆମ୍ଭେ କି ଥରେ ପାରିବୁ ମୁରୁଛି ।

ଅନ୍ଧକୁ ନୟନ ସିନା ହୋଇଛି ପ୍ରପତ

ଯେଣୁକରି ଅନାଥ ଯେ ପାଇଅଛି ନାଥ ।

ଥୋଇବା ପଦାର୍ଥ ଦୈବ ନେଇଥଲା ହରି

ସେ ପଦାର୍ଥ କର୍ମବଳେ ମିଳିଛି ଆମ୍ଭରି ।

କେମନ୍ତ ପ୍ରକାରେ ହସ୍ତୁଁ ଛାଡ଼ିଦେବୁ ତାହା

ହସ୍ତରୁ ଖସି ପଡ଼ିଲେ ନ ମିଳଇ ଯାହା ।

ଏହି ଅକ୍ରୂର ଆସି ତ ଛଡ଼ାଇଣ ନେଲା

ବେଳକ ଆସି ଉଦ୍ଧବ ପ୍ରବୋଧିଣ ଗଲା ।

ସେହିଦିନୁ ଆମ୍ଭେମାନେ ମୂର୍ଚ୍ଛିଥିଲୁଁ ତୋତେ

ଏବେ ଆସି ହସ୍ତେ ପଡ଼ିଅଛ ଜଗନ୍ନାଥେ ।

କେମନ୍ତ ପ୍ରକାରେ ଯିବ ଦ୍ଵାରାବତୀ ପୁର

ଯେବେ ଯିବ ଘେନିଯାଅ ଆମ୍ଭଙ୍କୁ ସଙ୍ଗର ।

ଯେବେ ତୁ ଆମ୍ଭଙ୍କୁ ଛାଡ଼ି ଯିବୁରେ କହ୍ନାଇ

ନିଶ୍ଚୟ ମରିବୁ ବିଷ ଖାଇ ସର୍ବ ଗୋଈ ।

ହତ୍ୟା ଗୋଟିକ ବସିବ କନ୍ଧରେ ତୋହର

ସ୍ତିରୀହତ୍ୟା ଦୋଷ କେଭେ ନ ଯିବଟି ପାର ।

ଏମନ୍ତ କଠୋର ବାକ୍ୟ ଗୋପୀଙ୍କର ଶୁଣି

ମନେ ମନେ ବିଚାରିଣ ପ୍ରଭୁ ଚକ୍ରପାଣି ।

ଆଶ୍ଵାସନା ଦେଇ ତାଙ୍କୁ କହନ୍ତି ମଧୁର

ସମସ୍ତଙ୍କୁ ଘେନିଯିବା ଦ୍ଵାରାବତୀପୁର ।

ତୁମ୍ଭଙ୍କୁ ନେବା ନିମନ୍ତେ ଆସିଛି ଏଥକୁ

ନ ନେଲେ ସିନା ଦୋଷ ଯେ ଲାଗିବ ଆମ୍ଭଙ୍କୁ ।

ନନ୍ଦ ଆବର ଯଶୋଦା ରାଧିକା ସହିତେ

ଏ ସମସ୍ତଙ୍କୁ ପିଠିରେ ବସାଅ ତ୍ଵରିତେ ।

ଆଉ ଯେତେ ଗୋପାଳୁଣୀଥିବେ ଗୋପପୁରେ

ଗୋରୁଙ୍କୁ ଚରାଉଥିବେ ଆନନ୍ଦ ମନରେ ।

ଏତେକ କହିଣ ସର୍ବ ଗୋପୀଙ୍କି ବୋଧିଲେ

ବିନତାର ନନ୍ଦନକୁ ମନେ ସୁମରିଲେ ।

ରମ୍ୟକ ଦ୍ଵାପରେ ଥାଇ ଜାଣି ଖଗେଶ୍ଵର

ବିଚାରିଲେ ସୁମରନ୍ତି ଗୋପେ ଚକ୍ରଧର ।

କାଳିୟଗଞ୍ଜନ କାଳେ ଦେଖଇଥିଲି ପୂର୍ବେ

ପ୍ରଭୁଙ୍କର ପ୍ରିୟ ଭକ୍ତ ଗୋପ ଗୋପୀ ସର୍ବେ ।

ସେମାନେ ତ ଶ୍ରୀକୃଷ୍ଣର ସେବକ ଅଟନ୍ତି

ଶ୍ରୀକୃଷ୍ଣ ତାଙ୍କର ଅଙ୍ଗସ୍ପର୍ଶ କରିଛନ୍ତି ।

ତାହାଙ୍କର ମୁଖ ଦେଖି ନିସ୍ତାର ପାଇବା

ଗୋପାଙ୍କ ଭକତି ସରି ନୋହେ ସୁରଦେବା ।

ଏତେକ ବିଚାର କରି ବାହାର ହୋଇଲା

ଏକା ନିଃଶ୍ଵାସକେ ବୃନ୍ଦାବନରେ ମିଳିଲା ।

ବୃନ୍ଦାବନ ଶୋଭା ଦେଖି ମନେ ବିଚାରଇ

ଏଥେ ବଳାଲୀଳା କରିଥିଲେ ଭାବଗ୍ରାହୀ ।

ଏ କଦମ୍ବ ବୃକ୍ଷଡାଳେ ବସି ଭଗବାନ

ଶ୍ରୀବିମ୍ବ ଅଧରେ କରୁଥିଲେ ବେଣୁଶ୍ଵନ ।

ଏତେ ଚିନ୍ତି ସେ ବୃକ୍ଷକୁ ନମସ୍କାର କଲା

ବୃନ୍ଦାବନକୁ ନିରେଖି ବାହାର ହୋଇଲା ।

ଗୋପ ନଗରକୁ ଚଳିଯାଏ ଖରତର

ସର୍ବେ ବୋଇଲେ କିପାଇଁ ଆସେ ଖଗବର ।

ଧୀରେ ଧୀରେ ଯାଇଣ ସେ ମିଳେ ସିଂହଦ୍ଵାର

ବିଶ୍ଵମୂର୍ତ୍ତି ଛାଡ଼ି ହେଲା ମନୁଷ୍ୟ ଶରୀର ।

ଅନ୍ତଃପୁରେ ବାରତା ପାଇଣ ନନ୍ଦରାଣ

ବିଚାରେ କିପାଁ ଅଇଲା ବିନତା ନନ୍ଦନ ।

ରମ୍ୟକ ଦ୍ଵୀପରେ ଏହୁ କରିଥାଇ ବାସ

ଅନନ୍ତ ଶଯ୍ୟାରେ ଜଗି ନାରାୟଣ ପାଶ ।

ଏହି ମଞ୍ଚ ପୁରକୁ ସେ କିପାଇଁ ଅଇଲା

ଏହି କଥା ଗୋଟି ମନେ ସନ୍ଦେହ ଲାଗିଲା ।

ମଞ୍ଚରେ ମାନବ ମୁହିଁ ଅଟଇ ଦଇବେ

ଶ୍ରୀବିଷ୍ଣୁର ସେବକ ଏ ଅଟଇ ସ୍ଵଭାବେ ।

ଏତେକ ବିଚାରି ନନ୍ଦ ହୋଇଲା ବାହାର

ନମସ୍କାର କଲା ଯାଇ ଗରୁଡ଼ ପୟର ।

କଲ୍ୟାଣ କଲେ ତାହାତୁ ବିନତାର ବତ୍ସ

ଆରୋଗ୍ୟ ଶରୀର ହେଉ ତୁମ୍ଭର ପ୍ରତ୍ୟକ୍ଷ ।

ବୃଦ୍ଧ ତନୁ ତେଜି ତୁମ୍ଭେ ଯୁବା ତନୁଧର

ରାମ କୃଷ୍ଣ ହେତୁ ତୁମ୍ଭେ ପ୍ରିୟାପାତ୍ର ମୋର ।

ଏତେକ କଲ୍ୟାଣ ତାଙ୍କୁ କଲେ ଖଗେଶ୍ଵର

ଆସନରେ ବସାଇଲେ ନନ୍ଦ ନୃପବର ।

ଯହୁଁ ଶ୍ରୀକୃଷ୍ଣ ଜାଣିଲେ ଗରୁଡ଼ ଅଇଲା

ଭିତର ପୁରୁ ବାହାର ହେଲେ ନନ୍ଦବଳା ।

ଗରୁଡ଼ ତାହାଙ୍କୁ ତହୁଁ ଦରଶନ କଲା

ହୃଦୟ ମଧ୍ୟରେ କୋଟି ନମସ୍କାର କଲା ।

ଯାଇଣ ଭେଟିଲା ସେହୁ ଶ୍ରୀଚରଣ ତଳ

ଆଶ୍ଵାସ କରି ବୋଇଲେ ଦେବ ଦାମୋଦର ।

ଶ୍ରୀକୃଷ୍ଣ ମୁଖକୁ ଚାହିଁ କହେ କରଯୋଡ଼ି

କାହିଁପାଇଁ ମୋତେ ସୁମରିଲ ନରହରି ।

କୃପାକରି କହ ମୋତେ କମଳାର ସାଇଁ

ଗୋବିନ୍ଦ ବୋଲନ୍ତି ଶୁଣ ବିନତା ତନୟି ।

ବିଶ୍ଵାସ କରିଣ ତୋତେ କହିବା କଥାନ୍ତ

ଏକମନ ହୋଇ ଶୁଣ ବିନତାର ସୁତ ।

ଦ୍ଵାପର ଯୁଗ ତ ଶେଷ ହେଉଛନ୍ତି ଏବେ

ଗୋପାଳୁଣୀଙ୍କୁ ପିଠିରେ ବସାଅ ତୁ ଜବେ ।

ନନ୍ଦ ଆବର ଯଶୋଦା ରାଧିକା ସହିତେ

ଏ ସମସ୍ତଙ୍କୁ ପିଠିରେ ବସାଅ ତ୍ଵରିତେ ।

ରହସ୍ୟ ଦ୍ଵାରକାପୁରେ ରଖିବାକୁ ନେଇ

ଥୋକେ କାଳ ବଞ୍ଚି ତହିଁ ରହିଥାନ୍ତୁ ଯାଇ ।

ଯେତେବେଳେ ଏହି ଯୁଗ ପ୍ରଳୟ ହୋଇବ

ଲବଣ ସମୁଦ୍ର ମଧ୍ୟେ ଦ୍ଵାରକା ଭାସିବ ।

ସେହି ପ୍ରଳୟ କାଳରେ ସମସ୍ତେ ମରିବେ

ତେବେ ଏ ପୃଥିବୀ ସିନା ଉଶ୍ଵାସ ଲଭିବେ ।

ଶ୍ରୀକୃଷ୍ଣ ମୁଖୁ ଗରୁଡ଼ ଏସନକ ଶୁଣି

ମହା ଆନନ୍ଦିତ ହେଲା ଖଗ ନୃପମଣି ।

ଖଗବର ତହୁଁ ସ୍ନାନ ଭୋଜନାଦି କଲେ

ସେ ଦିନ ଖଗ ଈଶ୍ଵର ସେଠାରେ ରହିଲେ ।

ନାରାୟଣ ମନମଧ୍ୟେ କରିଣ ବିଚାର

ନନ୍ଦ ଯଶୋଦାଙ୍କୁ ତହୁଁ ରାଇ ଦାମୋଦର ।

ଏଠାରେ ଥାଇଣ ଦୁଃଖ ପାଉଅଛ ତୁମ୍ଭେ

ଦ୍ଵାରକା ପୁରକୁ ତେଣୁ ଯାଉଅଛୁ ଆମ୍ଭେ ।

ନନ୍ଦ ଯଶୋଦା ବୋଲନ୍ତି ଶୁଣ ତୁମ୍ଭେ ହରି

ତୁମ୍ଭବିନୁ ଆନ ଆଶ୍ରା ନାହିଁ ଯେ ଆମ୍ଭରି ।

ପୋଷିଲେ ପୋଷ ନତୁବା ନାଶ କର କିନା

ତୁହି କି ନ ଜାଣୁ ବାବୁ ଆମ୍ଭର ବେଦନା ।

ଗୋବିନ୍ଦ ବୋଇଲେ ତୁମ୍ଭେ ବେଗ ହୁଅ ସଜ

ଗରୁଡ଼ ପୃଷ୍ଠରେ ବସି ଚଳିଯିବା ଆଜ ।

ଶୁଣି ଆନନ୍ଦିତ ହେଲେ ନନ୍ଦ ଯଶୋବନ୍ତୀ

ଚନ୍ଦ୍ର ଦେଖିଣ କୁମୁଦ ଯେହ୍ନେ ବିକଶନ୍ତି ।

ରାଧିକାକୁ ଚାହିଁ ବୋଲୁଛନ୍ତି ମଧୁହାରୀ

ଆମ୍ଭର ସଙ୍ଗେ ଦ୍ଵାରକା ଯିବ ପ୍ରାଣେଶ୍ଵରୀ ।

ରାଧିକା ବୋଇଲେ ଯେବେ କରିବ ବିଧାନ

ତେବେ ସେ ସଙ୍ଗତେ ମୋତେ ନେବ ଭଗବାନ ।

ଶ୍ରୀକୃଷ୍ଣ ବୋଇଲେ ଆଉ ନ ବିଚାର କିଛି

ତୁମ୍ଭେ କି ନ ଜାଣ ଯୁଗ ଶେଷ ହେଉଅଛି ।

ଚନ୍ଦ୍ରସେଣାର ସଙ୍ଗତେ ସଜ ହୋଇ ଚାଲ

ଗରୁଡ଼ ପିଠି ଉପରେ ବସ ଧାତିକାର ।

ଏସନକ ଆଜ୍ଞା ଦେବ ରାଧିକାକୁ ଦେଲେ

ଗୋପାଳୁଣୀମାନଙ୍କୁ ସେ ଚାହିଁ ପଚାରିଲେ ।

ତୁମ୍ଭେ ତ ଷୋଳସହସ୍ର ନାରୀ ଏଥେ ଅଛ

ଗୁପତ କଥା ତୁମ୍ଭଙ୍କୁ କହିବା ପ୍ରତ୍ୟକ୍ଷ ।

ଆମ୍ଭେ ଏବେ ଯାଉଅଛୁ ଦ୍ଵାରାବତୀ ପୁର

ତୁମ୍ଭେମାନେ କିଛିଦିନ ଥାଅ ଗୋ ଏଥିର ।

ଥୋକେ ଦିନ ଗତ ହେଲେ ଘେନିଯିବୁ ଆମ୍ଭେ

ଏଥିପାଇଁ ମନେ ଚିନ୍ତା ନ କର ଗୋ ତୁମ୍ଭେ ।

ଶ୍ରୀକୃଷ୍ଣ ମୁଖରୁ ଏସନକ ବାକ୍ୟ ଶୁଣି

ବିକଳେ ବୋଇଲେ ତାଙ୍କୁ ସର୍ବ ଗୋପାଳୁଣୀ ।

ଆମ୍ଭଠାରେ ଏଡ଼େ ସ୍ନେହ କରିଥିଲ ହରି

ନିର୍ଦ୍ଦୟ ହୋଇଣ ଏବେ ଯିବ କେଉଁପରି ।

ଏଡ଼େ ନିର୍ଦ୍ଦୟା ଯଦ୍ୟପି ଥିଲା ଆମ୍ଭଠାରେ

କିମ୍ପା ଏଥକୁ ଅଇଲ କହ ଦାମୋଦରେ ।

ନିରାଶ କରି ଆମ୍ଭଙ୍କୁ ଯେବେ ଯିବ ଛାଡ଼ି

ନିଶ୍ଚେଁ ପ୍ରାଣ ହରାଇବୁଁ ଯମୁନାରେ ବୁଡ଼ି ।

ଗୋବିନ୍ଦ ବୋଇଲେ ସର୍ବେ ସଜ ହୋଇ ଆସ

ଗରୁଡ଼ ପୃଷ୍ଠେ ବସାଇ ନେବଇଁ ଅବଶ୍ୟ ।

ଏସନକ ଶୁଣି ଗୋପାଳୁଣୀଏ ଧାଇଁଲେ

ଯେ ଯାହାର ମତେ ସଜ ହୋଇଣ ରହିଲେ ।

ଚହଳ ଗହଳ ହୋଇ ହୋଇଲେ ବାହାର

ସମସ୍ତେ ମିଳିଲେ ଆସି ନନ୍ଦ ସିଂହଦ୍ଵାର ।

ରାଧିକା ଦୂତିକା ସହିତରେ ସର୍ବ ଗୋଈ

ନନ୍ଦ ମନ୍ଦିରେ ତ୍ଵରିତେ ମିଳିଲେକ ଯାଇ ।

ଏମନ୍ତେ ରଜନୀ ଆସି ହେଲା ପ୍ରହରେକ

ବିଚାର କରନ୍ତି ତହୁଁ ଜଗତ ନାୟକ ।

ଗରୁଡ଼ ମୁଖକୁ ଚାହିଁ କୃଷ୍ଣ ଆଜ୍ଞା ଦେଲେ

ବିଶ୍ଵରୂପ ଧରି ପିଠି ବିସ୍ତାର ବୋଇଲେ ।

ଆଜ୍ଞା ପାଇଣ ଗରୁଡ଼ ବେଗେ ଉଠିଗଲା

ଗୋବିନ୍ଦକୁ ସୁମରିଣ ପିଠି ବିସ୍ତାରିଲା ।

ଶ୍ରୀକୃଷ୍ଣ ବୋଲନ୍ତି ପିତା ମାତାଙ୍କୁ ଅନାଇ

ଗରୁଡ଼ ପିଠିରେ ତୁମ୍ଭେମାନେ ବସ ଯାଇଁ ।

ଗୋବିନ୍ଦଙ୍କର ବଚନେ ନନ୍ଦ ଯଶୋଦାଏ

ହୃଦଗତେ ବିଚାର କରନ୍ତି ବାପମାୟେ ।

ଆନନ୍ଦିତ ହୋଇ ବସିଲେକ ବେନିଜନ

ଗୋପୀମାନେ ବସିଲେ ଯେ ତାଙ୍କ ସନ୍ନିଧାନ ।

ଚନ୍ଦ୍ରସେଣା ରାଧା ଆଉ ଦୂତିକା ସଙ୍ଗରେ

ସଜହୋଇ ବିଜେ କଲେ ଗରୁଡ଼ ପିଠିରେ ।

କୃଷ୍ଣ ବସିଲେ ଉଦ୍ଧବ ଅକ୍ରୂରକୁ ଘେନି

ଦାରୁକ ସହ ବିଜୟେ ଦେବ ଚକ୍ରପାଣି ।

ତହୁ ଗରୁଡ଼କୁ ଆଜ୍ଞା ଦେଲେ ବାସୁଦେବ

ଦ୍ଵାରାବତୀରେ ପ୍ରବେଶ କର ତୁହି ଜବ ।

ଆଜ୍ଞା ପାଇଣ ଗରୁଡ଼ ସେଠାରୁ ଚଳିଲା

ଦୁଇ ଦଣ୍ଡର ମଧ୍ୟରେ ତହିଁ ପ୍ରବେଶିଲା ।

ଗୋବିନ୍ଦ ବୋଇଲେ ଶୁଣ ଆରେ ଖଗେଶ୍ଵର

ରହସ୍ୟ ଦ୍ଵାରକାପୁରେ ଚଳ ଧାତିକାର ।

ଜଗନ୍ନାଥ ଆଜ୍ଞାପାଈ ଖଗେଶ୍ଵର ସାଈଁ

ରହସ୍ୟ ଦ୍ଵାରକାପୁରେ ବେଗେଣ ମିଳଇ

ତହୁଁ ଗରୁଡ଼କୁ ଆଜ୍ଞା ଦେଲେ ନାରାୟଣ

ଏହିଠାରେ ରହ ତୁହି ବିନତା ନନ୍ଦନ ।

ଆଜ୍ଞା ପାଇଣ ଗରୁଡ଼ ସେଠାରେ ରହିଲେ

ବୈନତେୟର ପିଠିରୁ ସର୍ବେ ଓହ୍ଲାଇଲେ ।

ନନ୍ଦ ଯଶୋଦାଙ୍କୁ ଚାହିଁ ଶ୍ରୀକୃଷ୍ଣ ବୋଲନ୍ତି

ନଗର ମଧ୍ୟରେ ବିଜେ କର ହୋ ତଡ଼ତି ।

ନନ୍ଦ ପାଇଁ ବିଶ୍ଵକର୍ମା ଯା ନିର୍ମାଣି ଥିଲେ

ପିତାମାତ ଘେନି କୃଷ୍ଣ ଆପେ ବିଜେ କଲେ ।

ବୋଇଲେ ନଗରେ ତୁମ୍ଭେ ସୁଖେ ବାସ କର

ଶୋଭା ପାଉଅଛଇ କି ଶତ ସ୍ଵର୍ଗପୁର ।

ଗୋପ ନଗରହୁଁ ବଳି ହୋଇଅଛି ସଜ

ଆପେ ଯାହା ଭିଆଇଅଛନ୍ତି ଦେବରାଜ ।

କୋଟିଏ ଲକ୍ଷ୍ମୀ ଘେନିଣ ବିଜେ କମଳିନୀ

ଅଳକା ପରାୟେ ଶୋଭା ପାଉଅଛୁ ପୁଣି ।

ପୁର ଦେଖି ନନ୍ଦରାଜା ମୋହିତ ହୋଇଲେ

ଗୋପପୁର ନଗରକୁ ମନୁ ପାସୋରିଲେ ।

ନିଶ୍ଚନ୍ତେ ରହିଲେ ସେହି ଦ୍ଵାରକା ନଗର

ଯାହାର ପୁତ୍ର ଅଟନ୍ତି ଦେବ ଚକ୍ରଧର ।

ଚନ୍ଦ୍ରସେଣା ରାଧିକାକୁ ଘେନି ମଧୁହାରୀ

ନଗର ଗୋଟିଏ ଦେଖାବନ୍ତି ଠାବ କରି ।

ତହିଁରେ ଯାଇ ବିଜୟ କଲେ ଚନ୍ଦ୍ରସେଣା

ଦେବଙ୍କ ଦୁର୍ଲ୍ଲଭ ପୁରୀ ହୋଇଛି ଘଟଣା ।

ଧନ ରତ୍ନମାନ ଅଛି କୁଢ଼ କୁଢ଼ ହୋଇ

ବଖରା ବଖରା ଭିନ୍ନ ଭିନ୍ନ ଯେ ଦିଶଇ ।

ଅଷ୍ଟ ରତ୍ନେ ପୁର ଗଢ଼ିଛନ୍ତି ବିଶ୍ଵକର୍ମା

ଯହିଁରେ ବିଜେ କରିବେ ଶ୍ରୀକୃଷ୍ଣଙ୍କ ବାମା ।

ଦେଖି ଚନ୍ଦ୍ରସେଣା ମହା ସନ୍ତୋଷ ଲଭିଲା

ଗୋପରେ ଗାଈ ରଖିବା କଥା ପାସୋରିଲା ।

ଶ୍ରୀକୃଷ୍ଣଙ୍କର ମହିମା ଦେବେ ଅଗୋଚର

ଚନ୍ଦ୍ରସେଣାକୁ ସେ କଥା ହେବ କି ଗୋଚର ।

ଚନ୍ଦ୍ରସେଣାକୁ ସେଠାରେ ରଖି ଜଗନ୍ନାଥେ

ଆବର ଗୋପୀମାନଙ୍କୁ ଘେନିଣ ସଙ୍ଗତେ ।

ଗୋଟି ଗୋଟି କରି ପୁର ତାଙ୍କୁ ଦେଖାଇଲେ

ଗୋଟି ଗୋଟି କରି ସମସ୍ତଙ୍କୁ ଠାବ ଦେଲେ ।

ପୁରଦେଖି ଗୋପୀମାନେ ହୋଇଲେ ସନ୍ତୋଷ

ମନେ ମନେ ପ୍ରଶଂସନ୍ତି ଧନ୍ୟ ନନ୍ଦଶିଷ୍ୟ ।

ଅଷ୍ଟରତ୍ନେ ପୁରମାନ ହୋଇଅଛି ନିର୍ଭା

ମନୋଗତ ଗଢ଼ିଅଛି ଯାହା ଶିଳ୍ପି ଦେବା ।

ଦେବ ଭୁବନ ପରାୟେ ସୁନ୍ଦର ଦିଶଇ

ଦେଖି ଗୋପାଳୁଣୀଙ୍କର ମନ ହେଲା ମୋହି ।

ଏ ପ୍ରକାରେ ଆଜ୍ଞା ଦେଇ ଅଛନ୍ତି ମୁରାରି

ଘରେ ଘରେ ଚରଚଇ ସିନ୍ଧୁର କୁମାରୀ ।

ଗୋପ ସମୃଦ୍ଧିକୁ ପାସୋରିଲେ ବ୍ରଜନାରୀ

ଯାଇ ରହିଲେ ରହସ୍ୟ ଦ୍ଵାରକା ନଗରୀ ।

ନିଶ୍ଚିନ୍ତେ ରୁହାଇ ସମସ୍ତଙ୍କୁ ଭଗବାନ

ରହସ୍ୟ ଦ୍ଵାରକାପୁରୁ ବାହାରିଲେ ପୁଣ ।

ଶୁଣ ଆହେ ପରୀକ୍ଷିତ ହରିବଂଶ ଧ୍ଵନି

ପାପ ନାଶ ଏ ମଥୁରା ମଙ୍ଗଳକୁ ଶୁଣି ।

ମୁନିବରଙ୍କ ମୁଖରୁ ଶୁଣି ଏ ପ୍ରକାର

କରପତ୍ର ଯୋଡ଼ି ପୁଛାକଲେ ନୃପବର ।

ଏଥିର ଉତ୍ତାରେ କିସ ହୋଇଲା ଗୋସାଇଁ

ସାବଧାନେ କହ ତାହା ଶୁଣିବଇଁ ମୁହିଁ ।

ମୁନି ବୋଲନ୍ତି ସେଠାରୁ ଯାଇ ଜଗନ୍ନାଥ

ଉଦ୍ଧବ ଅକ୍ରୂର ପାଶେ ମିଳିଲେ ତ୍ଵରିତ ।

ଗରୁଡ଼ ପିଠିରେ ବିଜେ କଲେ ଦାମୋଦର

ସନ୍ନିଧିକୁ ହକାରିଲେ ଉଦ୍ଧବ ଅକ୍ରୂର ।

ବୋଇଲେ ତୁମ୍ଭେମାନେ ହେ ଯାଅ ଯେଝାପୁରେ

ଉଦ୍ଧବ ଅକ୍ରୂର ଗଲେ ଯେ ଯାହା ନଗରେ ।

ଯେ ଯାହାର ଭୁବନକୁ ମେଲାଣି ସେ ଦେଲେ

ମେଲାଣି ପାଇ ଦାରୁକ ସେଠାରୁ ଚଳିଲେ ।

ଆପଣେ ଶ୍ରୀ ନାରାୟଣ ଶଙ୍ଖ ଚକ୍ର ବହି

ବାହାର ପ୍ରାଙ୍ଗଣେ ବିଜେକଲେ ଭାବଗ୍ରାହୀ ।

ଦାସୀ ପରିବାରୀମାନେ ପ୍ରଭୁଙ୍କୁ ଦେଖିଲେ

ଭିତରପୁରକୁ ତହୁଁ ବେଗେ ଧାଇଁ ଗଲେ ।

ରୁକ୍ମିଣୀ ସତ୍ୟଭାମାଙ୍କୁ ବାରତା କହନ୍ତେ

ଧାଇଁ ଆସିଲେ ସେ ଦୁହେଁ ଦେଖିବା ନିମନ୍ତେ ।

ସେକାଳେ ଶ୍ରୀକୃଷ୍ଣ ଆଜ୍ଞାଦେଲେ ଗରୁଡ଼କୁ

ସୁଖେ ଯାଅ ଖଗପତି ରମ୍ୟକ ଦ୍ୱୀପକୁ ।

ଆଜ୍ଞା ପ୍ରମାଣେ ଗରୁଡ଼ ଚଳିଣ ଆକାଶେ

ରମ୍ୟକ ଦ୍ୱୀପେ ମିଳିଲେ ଏକଇ ନିଃଶ୍ୱାସେ ।

ଭିତର ପୁରକୁ ନେଇ ଅତି ସମାଦରେ

ପାଦଧୌତ କରିଦେଲେ ସୁବର୍ଣ୍ଣ ଝରୀରେ ।

ତହୁଁ ଭୋଜନ ଚରଚା ବିଧିମତେ କଲେ

ଭଳି ଭଳି ମିଷ୍ଟ ଦ୍ରବ୍ୟମାନ ଭିଆଇଲେ ।

ସୁବର୍ଣ୍ଣ ପଲମ ମଧ୍ୟେ ଭରିଆ ପୂରାଇ

ସୁବାସିତ ଘୃତ ଆଣି ତହିଁ ନିଉଡ଼ାଇ ।

ଚୌରାଶୀ ବ୍ୟଞ୍ଜନ ମଢ଼ଫୁଲି ସେ ରାନ୍ଧିଲେ

ସତ୍ୟଭାମା ନେଇକରି ସର୍ବ ପରଷିଲେ ।

ଯାହାକୁ ରାନ୍ଧିଅଛନ୍ତି ସିନ୍ଧୁର ଦୁହିତା

ଏକକୁ ଆରେକ ସର୍ବେ ସୁଆଦରେ ଜେତା ।

ଭୋଜନ କରି ଗୋବିନ୍ଦ ଲିଭିଲେ ସନ୍ତୋଷ

ବାସ ପାଣିରେ ଶ୍ରୀମୁଖ ଧୋଇ ପୀତବାସ ।

ଦାନ୍ତଖୁଣ୍ଟା ଆଣି ତହିଁ ରୁକ୍ମଣୀ ଅର୍ପିଲେ

ସନ୍ତୋଷ ଲଭି ଗୋବିନ୍ଦ ଶ୍ରୀଦନ୍ତ ଖୁଣ୍ଟିଲେ ।

ସହସ୍ର ବେଳ ପର୍ଯ୍ୟନ୍ତ କୁଳୁକୁଞ୍ଚା କଲେ

ମୁଖ ହସ୍ତ ପୋଛି ପ୍ରଭୁ ନିଶ୍ଚିନ୍ତେ ବସିଲେ ।

କର୍ପୂର ତାମ୍ବୁଳ ଦ୍ୟନ୍ତି ଭୀଷ୍ମଙ୍କ କୁମାରୀ

ହରଷେ ଚୋବାଇ ତାହା ବୈକୁଣ୍ଠ ବିହାରୀ ।

ଶିରରେ ଗଭା ବାନ୍ଧିଲେ ଦିବ୍ୟଫୁଲ ମଲ୍ଲୀ

ସୁବାସିତ ଚନ୍ଦନକୁ ଦେହେ ହ୍ୱନ୍ତି ବୋଳି ।

ନାନା ଅଳଙ୍କାର ରତ୍ନଖଟେ ବିଜେ କଲେ

ଜାମ୍ବବ - କନ୍ୟା ସୁବର୍ଣ୍ଣ ବିଞ୍ଚଣୀ ବିଞ୍ଚିଲେ ।

ଯେ ଯାହା ସେବାରେ ଲାଗିଲେକ ନାରୀଗଣ

ଏମନ୍ତ ପ୍ରକାରେ ଗଲା କେତେହେଁକ ଦିନ ।

ଦିନେ ସତ୍ୟଭାମା ସଙ୍ଗେ ଖେଳୁଥିଲେ ହରି

ପଶା ଖେଳରେ ହାରିଲେ ଦେବ ଦଇତ୍ୟାରି ।

ସତ୍ୟଭାମା ବୋଲେ ତୁମ୍ଭେ ହାରିଲ ମାଧୋଇ

ଗୋବିନ୍ଦ ବୋଇଲେ ମୋର ସାର ଯେ ପଡ଼ଇ ।

କଉତୁକେ ଭୁଲାଇଣ କହନ୍ତି ଗୋବିନ୍ଦ

ମୋର ଦାନ ପଡ଼ିଅଛି ତୁମ୍ଭେ କର ଛନ୍ଦ ।

ସତ୍ୟା ବୋଇଲେ ହେ ପ୍ରଭୁ ତୁମ୍ଭେ ମାୟାଧର

ତୁମ୍ଭର ମହିମା ସିନା ତୁମ୍ଭଙ୍କୁ ଗୋଚର ।

ତୁମ୍ଭେ ତ ହାରିଲ ଆମ୍ଭେ ଦେଖିଲୁ ନୟନେ

ମୋହର ଦାନ ପଡ଼ିଲା ବୋଲୁଛ କେସନେ ।

ପ୍ରିୟବତୀ ସତ୍ୟଭାମା ମୃଖୁଁ ଏହା ଶୁଣି

ଆନନ୍ଦରେ ମନ୍ଦହାସ କଲେ ଚକ୍ରପାଣି ।

ଏମନ୍ତ ସମୟେ ତହୁଁ ରୁକ୍ମଣୀ ମିଳିଲେ

ଗୋବିନ୍ଦଙ୍କ ଶ୍ରୀଚରଣେ ଓଳଗି ହୋଇଲେ ।

ତଦନ୍ତେ ପ୍ରଭୁଙ୍କୁ ଚାହିଁ ପୁଛିଲେ ଏ ବାଣୀ

ଏତେ ଦିନଯାଏ କାହିଁଥିଲେ ଚକ୍ରପାଣି ।

ଶ୍ରୀକୃଷ୍ଣ ବୋଇଲେ ଆମ୍ଭେ ଥିଲୁଁ ଗୋପପୁରେ

ସାତହିନ ରହିଲୁଟି ଯାଇ ସେହିଠାରେ ।

ସତ୍ୟଭାମା ରୁକ୍ମିଣୀ ଯେ ପୁଛନ୍ତି ହରଷେ

କଥା ଏକ ପୁଛିବୁଁ ହେ ଶୁଣ ପୀତବାସେ ।

ରାଧାଙ୍କୁ ଆମ୍ଭଙ୍କୁ ଦେଖାଇବ ବୋଲିଥିଲ

ସେହି କଥାଗୋଟି ପ୍ରଭୁ ଗୁପତେ ରଖିଲ ।

ଗୋବିନ୍ଦ ବୋଇଲେ ସଜହୁଅ ଚାଲ ଯିବା

ଗୋପାଳୁଣିମାନଙ୍କୁ ଯେ ନେଇ ଦେଖାଇବା ।

ଶ୍ରୀକୃଷ୍ଣ ମୁଖରୁ ଯହୁଁ ଏମନ୍ତ ଶୁଣିଲେ

ଗୋପୀଙ୍କି ଦେଖିବା ପାଇଁ ଦିବ୍ୟବେଶ ହେଲେ ।

ଶ୍ରୀକୃଷ୍ଣଙ୍କର ଛାମୁରେ ଆସିଣ କହିଲେ

ସଜ ହୋଇଣ ଅଇଲୁ ତୁମ୍ଭର ଆଜ୍ଞାରେ ।

ତହୁଁ କରପତ୍ର ଯୋଡ଼ି କହନ୍ତି ତରୁଣୀ

ଗୋପୀଙ୍କି ଦେଖାଅ ନେଇ ଆହେ ଚକ୍ରପାଣି ।

ଦାରୁକକୁ ରାଇ ଆଜ୍ଞା ଦେଲେ ଜଗନ୍ନାଥ

ରହସ୍ୟ ଦ୍ୱାରକା ଯିବା ସଜକର ରଥ ।

ଆଜ୍ଞା ପାଇଣ ଦାରୁକ ତହୁଁ ଚଳିଗଲା

ଅପୂର୍ବ ପ୍ରକାର କରି ରଥକୁ ମଣ୍ତିଲା ।

ଅଷ୍ଟ କନ୍ୟାଙ୍କୁ ଘେନିଣ ପ୍ରଭୁ ନାରାୟଣ

ସତ୍ୟଭାମା ହସ୍ତେ ଧରି ବିଜେ କଲେ ପୁଣ ।

ଅଶ୍ୱ ଚମକାଇ ତହୁଁ ରଥ ଚଳାଇଲେ

ରହସ୍ୟ ଦ୍ୱାରକା ପୁରେ ନେଇ ପ୍ରବେଶିଲେ ।

ପ୍ରଥମେ ଲଳିତା ପୁରେ ବିଜେ କଲେ ହରି

ରତ୍ନଖଟେ ବିଜେ କରି ଅଛନ୍ତି ସୁନ୍ଦରୀ ।

ତାଙ୍କ ପାଶରେ ବାଳକ ସ୍ୱରୁପକୁ ଧରି

ପଲଙ୍କ ଉପରେ ବିଜେ କରିଛନ୍ତି ହରି ।

ତହିଁ ଯାଇ ବିଜେ କଲେ ପ୍ରଭୁ ଭଗବାନ

ଦାରୂକ ସାରଥି ରଥ ରଖି ସେହିସ୍ଥାନ ।

ରୁକ୍ମିଣୀର ସହିତରେ ଅଷ୍ଟ ପାଟବଂଶୀ

ଲଳିତାଙ୍କର ମୁହଁକୁ ଚାହାନ୍ତି ବିଶେଷି ।

କୋଟିଏ ଶଶୀ ଉଇଁଲା ପରାୟେ ଦିଶଇ

ସୁନ୍ଦର ପଣରେ ରତି ସମାନ ନୁହଇ ।

ରୂପ ଦେଖିଣ ସେମାନେ ହୋଇଗଲେ ମୋହି

ବାଳରୂପ ଧରି ତହିଁ ବିଜୟ ମାଧୋଇ ।

ଲଜ୍ଜିତା ହେଲେ ରୁକ୍ମିଣୀ ଆଉ ସତ୍ୟଭାମା

ଲଜ୍ଜାପାଇ ମସ୍ତକକୁ ପୋତି ଅଷ୍ଟବାମା ।

ବିଶାଖା ପୁରକୁ ତହୁଁ ତ୍ୱରିତ ଚଳିଲେ

ସତ୍ୟଭାମା ହସ୍ତ ଧରି ଭିତରକୁ ନେଲେ ।

ବିଚିତ୍ର ଆସନ ଗୋଟି ସଜାଡ଼ି ତରୁଣୀ

ତହିଁ ବିଜେ କରାଇଣ ଛନ୍ତି ଚକ୍ରପାଣି

ଶତଦଳ ପଦ୍ମପ୍ରାୟ ଦିଶେ ତାଙ୍କ ମୁଖ

ପଟାନ୍ତର ନାହିଁ ତିନି ଭୁବନେ ପ୍ରତ୍ୟକ୍ଷ ।

ଏସନ ରୂପ ତାଙ୍କର ଦେଖିଣ ତରୁଣୀ

ସତ୍ୟଭାମା ରୂପ ଦେଖି କହନ୍ତି ରୁକ୍ମିଣୀ ।

ବୋଲନ୍ତି ସଖି ଗୋ ତୁମ୍ଭେ ସାବଧାନେ ଶୁଣ

ଅପୂର୍ବ ରହସ୍ୟ ଏହୁ ବିଚିତ୍ର ଆଖ୍ୟାନ ।

ଆମ୍ଭମାନଙ୍କ ସଙ୍ଗତେ ଅଛନ୍ତି ମାଧୋଇ

ଗୋପୀଙ୍କ ସଙ୍ଗେ ମୁରତି ଗୋଟିଏକ ହୋଇ ।

ବାଳ ମୁକୁନ୍ଦ ସ୍ୱରୂପେ ବସିଛନ୍ତି ଦେଖ

ଆମ୍ଭେ ଗୋପୀଙ୍କ ସମାନ ନୋହୁଁ ଯେ ପ୍ରତ୍ୟକ୍ଷ ।

କହୁଁ କହୁଁ ଦେବ ତହୁଁ ଚଳାଇଣ ଗଲେ

ସୁମେଧା ଭୁବନେ ଯାଇ ପ୍ରବେଶ ହୋଇଲେ ।

ତାହାର ପୁର ଗୋଟିକ ମଣ୍ତିଣ ସୁନ୍ଦରୀ

ଶେଯେ ଗୋଟିଏ ବିଚିତ୍ର ରୂପରେ ସଜାଡ଼ି ।

ସୁବାସ ପୁଷ୍ପ ଗୋଟିଏ ଶେଯରେ ପକାଇ

ତହିଁ ଉପରେ ବିଜୟ ଛନ୍ତି ଭାବଗ୍ରାହୀ ।

କର୍ପୂର ବିଡ଼ିଆ ପାନ ଅଧରେ ଦିଅଇ

ସେହି ତମ୍ବୁଳ ଭୁଞ୍ଜନ୍ତି ତ୍ରୈଲୋକ୍ୟ ଗୋସାଇଁ

ଅଷ୍ଟବଂଶୀ ସହିତରେ ମିଳି ନାରାୟଣ

କନ୍ୟାଏ ଗୋପୀମାନଙ୍କୁ ଚାହିଁ ପୁଣ ପୁଣ ।

ସହସ୍ରେ ଗୋପୀ ଯେ ବେଢ଼ି ଅଛନ୍ତି କୃଷ୍ଣଙ୍କୁ

ଆନନ୍ଦେ ସେମାନେ ନିରେଖନ୍ତି ଶ୍ରୀମୁଖକୁ ।

ଖଦି ଚାମର ଆଲଟ ଘେନିଣ ବିଞ୍ଚନ୍ତି

କେବଣ ସୁନ୍ଦରୀ ବସି ପାଦ ମଞ୍ଚାଳନ୍ତି ।

ସତ୍ୟଭାମା ରୁକ୍ମିଣୀ ତା ଦେଖିଲେ ନୟନେ

ସୁମେଧା ରୂପେ ସମାନ ନୋହୁ ଆମ୍ଭେମାନେ ।

ଲଜ୍ଜାପାଇ ମଥାପୋତି ନ ଚାହାନ୍ତି ବାଳୀ

ମନେ ମନେ ବିଚାରନ୍ତି ପ୍ରଭୁ ବନମାଳୀ ।

ବୃନ୍ଦାବତୀର ପୁରକୁ ଶୀଘ୍ର ଚଳିଗଲେ

ରୁକ୍ମିଣୀ ସତ୍ୟଭାମାକୁ ଧରି ଦାମୋଦରେ ।

କୁଞ୍ଜବନ ପ୍ରାୟେ ପୁର ସଜାଡ଼ିଣ ବାଳୀ

ମଥା ଗୋଟିକି ପୋତିଣ ବସିଛି ସୁନ୍ଦରୀ ।

ମୋହନ ମୂରତି ଧରି ଦେବ ନାରାୟଣ

ଓଷ୍ଠ ଧରି ଚାଟୁ କହି ନନ୍ଦର ନନ୍ଦନ ।

ସତ୍ୟଭାମା ରୁକ୍ମଣୀ ଯା ଚାହାନ୍ତି ତା ମୁଖ

ସହସ୍ରେ ଚନ୍ଦ୍ରମାଠାରୁ ଅଟଇ ଅଧିକ ।

ଲଜ୍ଜାରେ ତରୁଣୀମାନେ ନ କହନ୍ତି କଥା

ଏକ ସଖୀର ଆଗରେ ଅନ୍ୟ କହେ ବାର୍ତ୍ତା ।

ଦେଖ ଆଗୋ ପ୍ରାଣସଖି ଗୋପୀଙ୍କ ସଙ୍ଗତେ

ବିଜେ କରିଛନ୍ତି କେହ୍ନେ ଆମ୍ଭ ନିଜକାନ୍ତେ ।

ରୁଷିକରି ବସିଅଛି ସେ ତରୁଣୀମଣି

ସଲଜ୍ଜ ଭାବରେ ବାମା କରଇ ଭାଳେଣି ।

ସେ ସ୍ଥାନରୁ ଚଳିଗଲେ ପ୍ରଭୁ ଦାମୋଦର

ଏରୂପେ ବୁଲି ଦେଖାନ୍ତି ଗୋପୀଙ୍କ ନବର ।

ବାଳଗୋପାଳଙ୍କ ରୂପ ଧରି ନନ୍ଦବାଳ

ସମସ୍ତଙ୍କ ପୁରେ ବିଜେ ମଦନ ଗୋପାଳ ।

କେବଣ ଗୋପୀର ପୁରେ ବେଣୁଗୋଟି ଧରି

ହାସ୍ୟ ପରିହାସେ ଲାଗିଛନ୍ତି ଦଇତ୍ୟାରି ।

କେବଣ ଗୋପୀର ପୁରେ ଯାଇ ବସିଛନ୍ତି

ଚୋର ପରକାରେ ସର ଲବଣୀ ଭୁଞ୍ଜନ୍ତି ।

କେବଣ ଗୋପୀଙ୍କି ଅବା ମାଗୁଛନ୍ତି ଘୃତ

କେବଣ ଗୋପୀଙ୍କି କୋଳେ ଧରନ୍ତି ଅନନ୍ତ ।

କେବଣ ଗୋପୀର ଦଧିହାଣ୍ତି ଭାଙ୍ଗି କରି

କପଟରେ ଦେହୁଁ ଜାତ କରିଛି ମଞ୍ଜାରୀ ।

ସାତ ପାଞ୍ଚ ମଞ୍ଜାରୀଏ ବସି ଦହି ଖାଇ

ବିକଳରେ ଗୋପାଳୁଣୀ ବସିଣ ରୋକଇ ।

କେବଣ ଗୋପାଳୁଣୀ ଯେ କୃଷ୍ଣେ କୋଳେଧରି

ଦୁଧ ପେଇ ଗୀତ ଗାଉଅଛନ୍ତି ସୁନ୍ଦରୀ ।

ଏକ ଗୋପୀର ଗୃହରେ ଛନ୍ତି ଚକ୍ରପାଣି

ପାଣି ଘେନି ବେଗେ ଆସି ବସିଛି ତରୁଣୀ ।

ଦହି ଦୁଧ ସରମାନ ଖାଉଛନ୍ତି ବସି

ମୋହନ ମୂରତି ରୂପ ଧରି ହୃଷୀକେଶୀ ।

ଏସନକ ପରକାରେ ଦେଖି ଗୋପନାରୀ

ପାଣି ଥୋଇ କୃଷ୍ଣ ହସ୍ତ ଧରିଛି ସୁନ୍ଦରୀ ।

ଏବେ କାହିଁ ଯିବୁ ବୋଲି କରୁଅଛି ଗୋଳ

ସତ୍ୟଭାମାଙ୍କୁ ଦେଖାଇ ଦ୍ୟନ୍ତି ନନ୍ଦବାଳ ।

ଦେଖି କନ୍ୟାମାନେ ବଡ଼ ଲଜ୍ଜିତ ହୋଇଲେ

ରହସ୍ୟ ଦ୍ୱାରକାପୁରେ ଚାହାନ୍ତି ହର୍ଷରେ ।

ଏକ ଗୋପୀର ଦୁଆରେ ଯାଇଣ ମିଳିଲେ

ସତ୍ୟଭାମା ରୁକ୍ମିଣୀଙ୍କି ଧରି ଦାମୋଦରେ ।

ସେ ଗୋପାଳୁଣୀକି କୃଷ୍ଣ କୋଳରେ ଧରିଣ

ରତ୍ନ ପଲଙ୍କରେ ଶୋଇଛନ୍ତି ନିଶ୍ଚିନ୍ତେଣ ।

ତାହା ଦେଖାଇ ଶ୍ରୀକୃଷ୍ଣ ତହୁଁ ବାହୁଡ଼ିଲେ

ଆରେକ ଗୋପୀ ଦୁଆରେ ପ୍ରବେଶ ହୋଇଲେ ।

କୁଙ୍କୁମ ହଳଦି ତୈଳ ତାଙ୍କ ଅଙ୍ଗେ ଦେଇ

ଉରଜ ଉପରେ ପ୍ରେମେ କୃଷ୍ଣଙ୍କୁ ଶୁଆଇ ।

ନାନାବିଧ ପରକାରେ ଗାଉଛନ୍ତି ଗୀତ

ଅନନ୍ତ ଅଚ୍ୟୁତ ବୋଲି ସୁମରନ୍ତି ଚିତ୍ତ ।

ଏସନକ କୃତ୍ୟମାନ ଦେଖିଣ କାମିନୀ

ମନେ ମନେ ପ୍ରଶଂସନ୍ତି ସର୍ବ ଗୋପାଳୁଣୀ ।

ଧନ୍ୟ ଧନ୍ୟ ଗୋପୀ କେଉଁ ତପ କରିଥିଲେ

ବାଳଗୋପାଳ ମୁରତି କୋଳରେ ଧଇଲେ

ଏତେକ ପ୍ରଶଂସା ଯହୁଁ କଲେ ସର୍ବ ନାରୀ

ଭାର୍ଯ୍ୟାଙ୍କର ମନ ଜାଣିଲେକ ଚକ୍ରଧାରୀ ।

ସେଠାରୁ କାମିନୀମାନେ ବାହାର ହୋଇଲେ

ସୁଲକ୍ଷଣା ଗୋପାଳୁଣୀ ଦୁଆରେ ମିଳିଲେ ।

ନିର୍ଭୟ ଚିତ୍ତେ ତାହାର ଗୃହେ ଗଲେ ପଶି

ଦେଖିଲେ ଖଟ ଉପରେ କୃଷ୍ଣ ଛନ୍ତି ବସି ।

ସୁଲକ୍ଷଣା ବସିଛନ୍ତି କୃଷ୍ଣ ପାଦଧରି

ପ୍ରୀତି ମାଗୁଅଛନ୍ତି ସେ ପ୍ରେମ ଭାବକରି ।

ତାହାର ସ୍ତନରେ ହାତ ଦେଇ ନାରାୟଣ

ବିଜୟ କରିଅଛନ୍ତି ରତନ ଖଟେଣ ।

ଦେଖି ଅଷ୍ଟ ପାଟବଂଶୀ ପାଛୋଟିଣ ଗଲେ

ଗୋବିନ୍ଦର ମାୟାମୋହେ ଭୋଳ ସେ ହୋଇଲେ ।

ପୁରେ ପୁରେ ପଶିକରି ଦେଖାନ୍ତି ମୋହନ

ସମସ୍ତ ପୁରେ ଦେଖିଲେ ବିଜେ ନାରାୟଣ ।

ନ ଥିଲା ହୋଇ କୃଷ୍ଣଙ୍କୁ ନ ଦେଖିଲେ କାହିଁ

ସବୁଠାରେ ବିଜେ କରିଛନ୍ତି ଭାବଗ୍ରାହୀ ।

କାହିଁ ରସକେଳି କାହିଁ ହୁଏ ବାଳକେଳି

କାହିଁ ଗୋପୀ ସଙ୍ଗେ ପଶା ଖେଳି ବନମାଳୀ ।

କେଉଁଠାରେ ଘୃତ ସର କରନ୍ତି ଭୋଜନ

ଗୋପୀଙ୍କି ଲୁଚନ୍ତି କେଉଁଠାରେ ଭଗବାନ ।

ନାନା କଉତୁକ କରୁଅଛନ୍ତି ମାଧୋଇ

ରହସ୍ୟ ଦ୍ୱାରକା ପୁରେ ଥାଇ ଭାବଗ୍ରାହୀ ।

ଗୋପରେ ଥାଇ ଯେମନ୍ତ କରୁଥିଲେ ହରି

ରହସ୍ୟ ଦ୍ୱାରିକା ପୂରେ କଲେ ତା ମୁରାରି ।

ରୁକ୍ମିଣୀ ସତ୍ୟଭାମାକୁ ଦେବ ମାୟା କଲେ

ଅଷ୍ଟ ପାଟବଂଶୀଙ୍କର ଗରବ ଗଞ୍ଜିଲେ ।

ଗୋପୀଙ୍କ ସହିତ ବାଳ କ୍ରୀଡ଼ାର ଚରିତ

ରହସ୍ୟ ଦ୍ୱାରକା ପୁରେ ରଚି ପଦ୍ମକ୍ଷେତ୍ର ।

ଗୋପୀମାନଙ୍କର କ୍ରୀଡ଼ା ରହସ୍ୟ ଦେଖାଇ

ନନ୍ଦର ମନ୍ଦିରେ ବିଜେ କଲେ ଭାବଗ୍ରାହୀ ।

ଭିତରେ ଥାଇ ବାରତା ପାଇ ନନ୍ଦରାଣୀ

ସୁବର୍ଣ୍ଣ ଝରୀରେ ଆଣି ଦେଲେ ଗଙ୍ଗାପାଣି ।

ପାଦ ଧୋଇ ଭିତରକୁ ଗଲେ ଗୋପୀନାଥ

ମାତାଙ୍କୁ ସେ ନମସ୍କାର କରନ୍ତି ଅଚ୍ୟୁତ ।

ଅଷ୍ଟପାଟବଂଶୀ ଯଶୋଦାଙ୍କୁ ଓଳଗିଲେ

କଲ୍ୟାଣ କରି ଶରୀରେ ହାତ ବୁଲାଇଲେ ।

ତାଙ୍କ ହସ୍ତ ଧରି ଘେନିଗଲେ ଯଶୋଦାଏ

ବରୁଣ ଭାର୍ଯ୍ୟା ନେଲା କି ଲକ୍ଷ୍ମୀ ମହାମାୟେ ।

ଅମୃତ ରସ ମଣୋହି କରନ୍ତି କନ୍ୟାଏ

ଏମନ୍ତେଣ ମୋହପ୍ରାପ୍ତ ହୋଇଲେ ଦେବୀଏ ।

ପୁତ୍ରକୁ ଦେଖି ଯଶୋଦା ରାଣୀ ମହାଦେଈ

ତାହାଙ୍କର ଆନନ୍ଦ ଯେ କହୁଁ ନ ସରଇ ।

ସ୍ୱୟଂ କମଳିନୀ ବିଜେ କଲେକ ଯହିଁରେ

ସେଥିର ଉପମା କିବା ଦେବି ନୃପବରେ ।

ନନ୍ଦଙ୍କୁ ଶ୍ରୀନାରାୟଣ ନମସ୍କାର କଲେ

ଶ୍ରୀକୃଷ୍ଣଙ୍କ ହସ୍ତ ଧରି ଭିତରକୁ ନେଲେ ।

ଅମୃତ ରସ ଭୋଜନ କଲେ ନାରାୟଣ

ଦିନା ଚାରି ପାଞ୍ଚ ବିଜେ କଲେ ଜନାର୍ଦ୍ଦନ ।

ରୁକ୍ମିଣୀ ସତ୍ୟଭାମାଙ୍କୁ ଘେନି ଚକ୍ରଧର

ପ୍ରବେଶ ହୋଇଲେ ଯାଇ ଚନ୍ଦସେଣା ପୁର ।

ମାୟାରେ ଚନ୍ଦ୍ରସେଣାକୁ ମୋହ କରାଇଲେ

କୃଷ୍ଣ ବିଜେ କରିବା ସେ ଜାଣି ନ ପାରିଲେ ।

ଚନ୍ଦ୍ରସେଣାର ନଗର କଳନା ନ ଯାଇ

ତହିଁ ବିଜେ କରିଛନ୍ତି ରାଧିକା ମାଧୋଇ ।

ଶତେକ ବଖରା ତହିଁ ଅନ୍ତ କରି ନୋହି

ରାହାସ କ୍ରୀଡ଼ା ବିନୋଦ କରନ୍ତି କହ୍ନାଇ ।

ଅଷ୍ଟ କନ୍ୟାକୁ ଘେନିଣ ଭିତରେ ପଶିଲେ

ଚନ୍ଦ୍ରସେଣା ନଗରରେ ଯାଇଁ ବିଜେ କଲେ ।

ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜ ହୋଇ

ରତନ ଖଟ ଉପରେ ବିଜେ ଭାବଗ୍ରାହୀ ।

ଯେଉଁ ଖଟେ ବିଜେ କରିଛନ୍ତି ଦେବ ହରି

ସେହି ଖଟର ମହିମା କହି ତ କେ ପାରି ।

ଚାରିପାଶେ ତାର ପଦ୍ମ ପୁଷ୍ପ ଫୁଟିଅଛି

ତାର ମଧ୍ୟରେ କେଶର ଗୋଟିଏ ହୋଇଛି ।

କେଶର ମଧ୍ୟରେ ବସି ଅଛନ୍ତି କହ୍ନାଇ

ମଦନମୋହନ ମୂର୍ତ୍ତି ଧରି ନନ୍ଦପୋଇ ।

ରାଧିକାକୁ ବାମଅଙ୍ଗେ ଧରିଛନ୍ତି ହରି

ସେ ଶୋଭାର ମହିମା କେ କହି ଅବା ପାରି ।

ଅଧରେ ଅଧର ଲଗାଇଣ ବନମାଳି

ପ୍ରେମାଳାପ କରୁଛନ୍ତି ହୋଇ କୁତୁହଳୀ ।

ଝାଞ୍ଜ କଂସାଳ ବଜାଉଛନ୍ତି ଅଷ୍ଟସୁଖୀ

ନିତ୍ୟ ରାହାସ କ୍ରୀଡ଼ାରେ ବିଜେ ପଦ୍ମଆଖି ।

ମାୟା କ୍ରୀଡ଼ା ରାସମାନ ଭିଆଣ ସେ କଲେ

ରୁକ୍ମିଣୀ ସତ୍ୟଭାମାଙ୍କୁ ମାୟାରେ ମୋହିଲେ ।

ଘେନିଣ କନ୍ୟାମାନଙ୍କୁ ମିଳିଲେକ ତହିଁ

ନିତ୍ୟ ସ୍ଥଳ ରାସ ଦେଖାଇଣ ଭାବଗ୍ରାହୀ ।

ଦେଖି ମୋହ ଗଲେ ସତ୍ୟଭାମା ଯେ ରୁକ୍ମିଣୀ

ଅନେକ ପ୍ରଶଂସା କରୁଛନ୍ତି ପୁଣ ପୁଣି ।

ରାଧାର ସ୍ୱରୂପ ଦେଖି ହେଲେ ମୋହମାନ

ଶତଦଳ ପଦ୍ମ ପ୍ରାୟ ବିରାଜେ ବଦନ ।

କୋଟି ଚନ୍ଦ୍ର ପରାୟେକ ଦିଶେ ସୁଶୋଭନ

ରାଧାକୃଷ୍ଣ ବେନି ମୂର୍ତ୍ତି ଦିଶି ଆନୁ ଆନ ।

କୋଟିଏ ପାର୍ବତୀରୁ କି ଏକ ଅଟେ ଏହି

କମଳର ଭିତରେ କି କମଳା ଅଛଇ ।

ପଟାନ୍ତର ଦେବା ପାଇଁ ନାହିଁ ତିନିପୁରେ

ବାମାଙ୍ଗେ ରାଧାକୁ ଧରିଛନ୍ତି ଦାମୋଦରେ ।

ଏମନ୍ତ ଦେଖିଣ ଶ୍ରୀକୃଷ୍ଣଙ୍କ ନାରୀମାନେ

ହୃଦରେ ଚିନ୍ତା କରନ୍ତି ଦେବ ଭଗବାନେ ।

ନିର୍ଧୂମ ଅନଳ ପ୍ରାୟ ବିରାଜୁଛି ତେଜ

ସିଂହାସନେ ଡେରି ବସିଛନ୍ତି ଦେବରାଜ ।

ନୀଳ ମେଘେ ଇନ୍ଦ୍ରଧନୁ ପ୍ରାୟେକ ଦିଶଇ

ଦେଖି ଅଷ୍ଟପାଟବଂଶୀ ମୋହମାନ ହୋଇ ।

ଶ୍ରୀକୃଷ୍ଣଙ୍କୁ ଭୟ କରି ନ ପାରନ୍ତି କହି

ଅତ୍ୟଦ୍‌ଭୁତ ରୂପ ଧରି ଅଛନ୍ତି ମାଧୋଇ ।

ମାନବେ ଜନମି ଦେଖିଲେକ ନିତ୍ୟସ୍ଥଳ

ମାନବ ବିଷ୍ଣୁ ଅଟନ୍ତି ପ୍ରଭୁ ଆଦିମୂଳ ।

ଅଷ୍ଟଭାର୍ଯ୍ୟା ଘେନି ହରି ବାହାର ହୋଇଲେ

ତହୁଁ ଦ୍ୱାରକାପୁରକୁ ବିଜେ କରିଗଲେ ।

ଅନ୍ତଃପୁର ଭିତରକୁ ଗଲେ ସର୍ବନାରୀ

ବାହାର ଅବକାଶରେ ରହିଲେ ଶ୍ରୀହରି ।

ରୁକ୍ମିଣୀ ବୋଲନ୍ତି ଆଗୋ ସତ୍ୟଭାମା ଶୁଣ

ଗୋପ କ୍ରୀଡ଼ା ବିନୋଦର ଅପୂର୍ବ ବିଧାନ ।

ଷୋଳସସ୍ର କନ୍ୟାପୁରେ ଅଛନ୍ତି ମାଧୋଇ

ଏକ ଶରୀରେ ଆରେକ ସ୍ୱରୂପ ସେ ହୋଇ ।

ଦଇବ ଗଠନ ପ୍ରାୟ ସମସ୍ତେ ଦିଶନ୍ତି

ଗୋପୀଙ୍କ ରୂପକୁ ସରି ନୁହନ୍ତି ପାର୍ବତୀ ।

ତାହାଙ୍କର ରୂପକୁ ଯେ ପଟାନ୍ତର ନାହିଁ

ନୋହିଲେ କି ସେହିମାନେ କୃଷ୍ଣେଛନ୍ତି ମୋହି ।

କ୍ଷଣେହେଁ ତାହାଙ୍କୁ କୃଷ୍ଣ ମୂର୍ଚ୍ଛି ନ ପାରନ୍ତି

ତେଣୁକରି ଗୋପୀନାଥ ନାମ ବୋଲାଅନ୍ତି ।

ଗୋପୀଙ୍କ ପ୍ରେମଭକ୍ତି କି ବ୍ରହ୍ମା ସରି ନୋହି

କୃଷ୍ଣ ବ୍ୟତୀତ ଆନକୁ ନ ଭଜନ୍ତି ସେହି ।

ଏସନକ ଭାବ କିପାଁ ଗୋବିନ୍ଦ ମୂର୍ଚ୍ଛିବେ

ଗୋପ କ୍ରୀଡ଼ାପାଇଁ ମଞ୍ଚେ ଅବତାର ଏବେ ।

ଆମ୍ଭେ ରାଧାର ରୂପକୁ ସର୍ବେ ଲୋଡ଼ିବାରୁ

ଗରବଗଞ୍ଜନ ବାନା ଗଞ୍ଜିଲେ ଆଗରୁ ।

ଏମନ୍ତ ବିଚାର ମାନକରିଣ ତରୁଣୀ

ଯେ ଯାହା ପୁରକୁ ଗଲେ କୃଷ୍ଣ ପାଟରାଣୀ ।

ଅମୃତମଣୋହି ସଞ୍ଚା ହୋଇଲା ତିଆର

ଆପେ ମଣୋହିଁକି ବିଜେ କଲେ ଚକ୍ରଧର ।

ସୁବର୍ଣ୍ଣ ଥାଳୀରେ ଅନ୍ନ ପରଷନ୍ତି ଆଣି

ଘୃତ ପରଷନ୍ତି ଶକ୍ରାଜିତର ନନ୍ଦିନୀ ।

ତୋଷେ ଭୋଜନ କରନ୍ତି ଦେବ ଚକ୍ରପାଣି

ଭୋଜନ ଶେଷ କରିଣ ଉଠିଲେ ତକ୍ଷଣି ।

ବାସ ପାଣି ଘେନି କୃଷ୍ଣ ଆଚମନ କଲେ

ରତନ ଖଟ ଉପରେ ଯାଇଣ ବସିଲେ ।

କର୍ପୂର ବିଡ଼ିଆ ପାନ କରନ୍ତି ମଣୋହିଁ

ପାନ ଭାଙ୍ଗିଦ୍ୟନ୍ତି ଶକ୍ରାଜିତର ତନୟୀ ।

ଅଗୁରୁ ଚନ୍ଦନ ଅଙ୍ଗେ ବୋଳନ୍ତି ତରୁଣୀ

ଗଭା ବନ୍ଧନ କରନ୍ତି ନାନା ପୁଷ୍ପ ଆଣି ।

ଆଲଟ ଘେନି ବିଞ୍ଚନ୍ତି ଦେବୀ ଜାମ୍ବବତୀ

ଖଦି ଘେନିଣ ବିଞ୍ଚଇ କାଳିନ୍ଦୀ ସୁଦନ୍ତୀ ।

ରହସ୍ୟ ପୁରରେ ନନ୍ଦ ଯଶୋଦା ରହିଲେ

ଗରୁଡ଼ କୃପାରେ ବୃଦ୍ଧ ତନୁ ତ୍ୟାଗ କଲେ ।

ଦୁଇ ଜଣଙ୍କର ଯୁବା ଶରୀର ହୋଇଲା

ରତିକାମ ପରାୟେକ ତାଙ୍କ ଶୋଭା ହେଲା ।

କିଛି ଦିନେ ଯଶୋମତୀ ହେଲେ ଗର୍ଭବାସ

ପୁତ୍ର ଗୋଟିଏ ଜନ୍ମିଲା କନ୍ଦର୍ପ ସଦୃଶ ।

ଅତି ସୁନ୍ଦର ହୋଇଲା ଯେଣୁ ପୁତ୍ରମୂର୍ତ୍ତି

ସାତ୍ୟକି ନାମ ତା ଦେଲେ ନନ୍ଦ ନରପତି ।

ପୁତ୍ରବାର୍ତ୍ତା ଶୁଣି କୃଷ୍ଣ ଆନନ୍ଦିତ ହେଲେ

ଦେବ ଭବିଷ୍ୟ କେ ଆନ କରିପାରେ ଭଲେ ।

ଦେଖନ୍ତି ପୁତ୍ରର ତିନି ବରଷ ହୋଇଲା

ଦିନକୁ ଦିନ ଚନ୍ଦ୍ରମା ପରାୟେ ଦିଶିଲା ।

ତିନି ବରଷର ଅନ୍ତେ ଯଶୋମତୀ ପୁଣି

ଆରବେଳେ ଗର୍ଭବତୀ ହୋଇଲେ ତରୁଣୀ ।

ଦଶ ମାସର ଅନ୍ତରେ କନ୍ୟା ପ୍ରସବିଲେ

ସୁଭଦ୍ରା ବୋଲିଣ ସେହି ତାର ନାମଦେଲେ ।

ଅତି ଶୁଭବେଳେ ଯେଣୁ ଲଭିଲେ ଜନମ

ସୁଭଦ୍ରା ବୋଲିଣ ଦେଲେ ଦୁହିତାର ନାମ ।

ପୁତ୍ର କନ୍ୟା ଦୁଇଗୋଟି ହୋଇଲେ ସଂଜାତ

ଅତ୍ୟନ୍ତ ଆନନ୍ଦ ଯେ ଲଭିଲେ ନୃପନାଥ ।

ବାଳକ କାଳରୁ ଯେହୁ ଦିନ ବଞ୍ଚୁଥାନ୍ତି

ଶ୍ରୀକୃଷ୍ଣଙ୍କ ଚରଣରେ ଦେଇ ଚିତ୍ତ ବୃତ୍ତି ।

ବନ୍ଦଇ କୌଶଲ୍ୟାସୁତ ଦଶରଥ ନାନ

ଛେନ୍ଦିଲ ଜାନକୀ ପାଇଁ ଦୈତ୍ୟ ଦଶାନନ ।

ବାରବରଷେ ତାଡ଼କାସୁରୀ ନିବାରିଲ

ବିଶ୍ୱାମିତ୍ର ଯାଗ କାର୍ଯ୍ୟ ହେଲେଣ ରଖିଲ ।

ଶିବଧନୁ ଭଗ୍ନକଲ ମିଥିଳା ନଗରେ

ଜାନକୀକୁ ବିଭା ହେଲ ଆନନ୍ଦ ମନରେ ।

ବାଟରେ ଭେଟନ୍ତେ ପର୍ଶୁରାମଙ୍କୁ ଜିଣିଲ

ତାଙ୍କଠୁ ବୈଷ୍ଣବାଧନୁ ଛଡ଼ାଇ ଆଣିଲ ।

ସୀତା ଘେନି ବନବାସେ ଗଲ ରଘୁନାଥ

ସୁଗ୍ରୀବର ସହିତରେ ହୋଇଲ ମଇତ୍ର ।

ମଇତ୍ର ନିମନ୍ତେ ତୁମ୍ଭେ ବାଳିକି ମାଇଲ

କିସ୍କିନ୍ଧ୍ୟା ନଗ୍ରରେ ସୁଗ୍ରୀବକୁ ରଜା କଲ ।

ରାବଣକୁ ମାରି ବିଭୀଷଣ ରାଜା କରି

ତେଣୁକରି ତୁମ୍ଭନାମ ହେଲା ରାବଣାରି ।

ରାମ ନାମ ଗୋଟିକ ଯେ ସାମବେଦ ସାର

ବଧିଜନେ ଘୋଷୁଛନ୍ତି ରାମ ନିରନ୍ତର ।

ଶ୍ରୀରାମଙ୍କ ଚରଣକୁ ମୋର ନିତ୍ୟ ଆଶ

ଅଚ୍ୟୁତ ଦାସକୁ ରଖ ଆହେ ପୀତବାସ ।

 

ହରିବଂଶ (ସପ୍ତମ ଖଣ୍ଡ)

ବଳରାମ ଉଗ୍ରସେନ ଆଦି ଯାଦବମାନଙ୍କର ନନ୍ଦଙ୍କୁ ସଙ୍ଖୋଳିବା ପାଇଁ ରହସ୍ୟ ଦ୍ୱାରକାକୁ ଗମନ

ଏଥୁ ଅନ୍ତରେ ପରୀକ୍ଷ ନାମେ ନୃପବର

ମୁନିଙ୍କର ଚରଣରେ କଲେ ନମସ୍କାର ।

ଗଙ୍ଗାନୀର ଘେନି ରାଜା ଚରଣ ଧୋଇଲା

ବିନୟ ଭାବରେ କରଯୋଡ଼ିଣ ରହିଲା ।

ରାଜାର ବିନୟ ଭାବ ଯେଣୁ ସେ ଦେଖିଲେ

ପୁରାଣ ପୁସ୍ତକ ବ୍ୟାସ କୁମାର ପଢ଼ିଲେ ।

ମୁନିବର ପଚାରନ୍ତି ଶୁଣ ନୃପବର

କି ପଚାରୁଅଛ ପୁଛ ଆମ୍ଭର ଆଗର ।

ମୁନିବରଙ୍କୁ ପ୍ରସନ୍ନ ଦେଖି ନୃପରାୟେ

କହନ୍ତି ହେ ମୁନି ମୋତେ କହିବା କଥାଏ ।

ଗୋପ ନଗରକୁ କୃଷ୍ଣ ବିଜେ କରିଥିଲେ

ନନ୍ଦ ଯଶୋମତୀକି ସେ ସଙ୍ଗରେ ଆଣିଲେ ।

ରହିଲେ ରହସ୍ୟ ଦ୍ୱାରକାରେ ଗୋପୀଗଣ

ଅଇଲାର ଜାଣିଲେ କି ପ୍ରଭୁ ସଂକର୍ଷଣ ।

ତାହା କି ଜାଣିଲେ ଉଗ୍ରସେନ ନରପତି

ସେହି କଥା ପଚାରଇ ଆହେ ମହାମତୀ ।

ସେହି କଥା ଗୋଟିକ ମୁଁ ତୁମ୍ଭଙ୍କୁ ପୁଛଇ

ବିଶେଷ ଭାବରେ ମୋତେ କହିବା ଗୋସାଇଁ ।

ରାଜା ପଚାରନ୍ତେ ମୁନି କଥା ଆରମ୍ଭିଲେ

ତାଙ୍କର ନିର୍ମଳ ଚିତ୍ତ ଜାଣି ସେ ପାରିଲେ ।

ଏକ ଦିନକରେ ଉଗ୍ରସେନ ନୃପବର

ସଭା ମଣ୍ତାଇଣ ବସିଅଛି ଆସ୍ଥାନର ।

ଉଦ୍ଧବ ଅକ୍ରୂର ଅନାଧୃଷ୍ଟ ଏ ଅଛନ୍ତି

ସପତବଂଶ ଯାଦବେ ସଭାରେ ଖଟନ୍ତି ।

ସୁଦେବର ନନ୍ଦନ ଯେ ବସୁଦେବ ବୀର

ସେହି ବସିଛନ୍ତି ଉଗ୍ରସେନ ସମୀପର ।

ପଟୁଆର କରିଛନ୍ତି ଚତୁରଙ୍ଗ ବଳ

ଏସନକ ସମୟରେ ପ୍ରଭୁ କାମପାଳ ।

କୃଷ୍ଣ କୁମରଙ୍କୁ ସଙ୍ଗେ ଘେନିଣ ଅଇଲେ

ଉଗ୍ରସେନଙ୍କୁ ପ୍ରଣମି ସଭାରେ ବସିଲେ ।

ସକଳ ଯାଦବ ସଭା ମଣ୍ତି ବସିଛନ୍ତି

ନାନା ଦେଶର ବାରତା କୁହାକୁହି ହୋନ୍ତି ।

ଅକ୍ରୂର ମୁଖକୁ ଚାହିଁ ରାଜା ଉଗ୍ରସେନ

ବୋଇଲେ ଜାଣ କି ତୁମ୍ଭେ ଏଥିର କାରଣ ।

ଏତେ ଦିନ ହେଲା କୃଷ୍ଣ କାହିଁ ରହିଥିଲେ

ଆମ୍ଭମାନଙ୍କୁ ଏ କଥା ଜଣାନାହିଁ ଭଲେ ।

ତହୁଁ ଅକ୍ରୂର ବୋଇଲେ ଶୁଣ ମହାରାଣ

ଅପାର ଦିନ ହେଲା ନ ଥିଲେ ନାରାୟଣ ।

ଗୋପନଗରକୁ ଯାଇଥିଲେ ନରହରି

ଆମ୍ଭଙ୍କୁ ସଙ୍ଗରେ ନେଇଥିଲେ ଦଇତାରି ।

ବୈନତେୟର ପିଠିରେ ନନ୍ଦଙ୍କୁ ବସାଇ

ଆପଣେ ତହିଁରେ ବସି ଆଣିଲେ ଗୋସାଇଁ ।

ଷୋଳ ସହସ୍ର ଗୋପୀଙ୍କି ଘେନି ଆସିଅଛି

ଅପୂର୍ବ ଚରିତ ତୁମ୍ଭେ ଶୁଣ ନରପତି ।

ଉଗ୍ରସେନ ବୋଲେ ତାଙ୍କୁ କାହିଁ ରୁହାଇଲେ

କେତେଦିନ ହେଲା ତାଙ୍କୁ ଘେନାଇ ଅଇଲେ ।

ତହୁଁ ଅକ୍ରୂର ବୋଲଇ କରଯୋଡ଼ି ପୁଣି

ବହୁଦିନୁ ଅଇଲେଣି ନନ୍ଦ ନୃପମଣି ।

ବଳରାମ ବୋଇଲେ ନ ଜାଣୁ ଆମ୍ଭେ ତାହା

ଆମ୍ଭ ଆଗେ ନ କହଇ ଶ୍ରୀକୃଷ୍ଣ ତ ଏହା ।

ସଭାରେ ବସି କରନ୍ତେ ଏମନ୍ତ ବିଚାର

ତହିଁ ଆସି ବିଜେ କଲେ ଶ୍ୟାମ ନଟବର ।

ଉଗ୍ରସେନ ନୃପତିଙ୍କି ନମସ୍କାର କଲେ

ବଳରାମଙ୍କୁ ଦେଖିଣ ଶିରେ କର ଦେଲେ ।

କୃଷ୍ଣ ପୁତ୍ରମାନେ ପିତା ପାଦେ ଓଳଗିଲେ

ଉଦ୍ଧବ ଅକ୍ରୂର ଦୁହେଁ ଚରଣେ ନମିଲେ ।

ସାତବଂଶ ଯାଦବଙ୍କୁ ଯଥାମାନ୍ୟ କରି

ଆସ୍ଥାନ ଉପରେ ବିଜେ କଲେ ନରହରି ।

ଉଗ୍ରସେନ ପଚାରିଲେ ଶ୍ରୀକୃଷ୍ଣଙ୍କୁ ଚାହିଁ

ଅପାର ଦିନ ହୋଇଲା ଥିଲ ତୁମ୍ଭେ କାହିଁ ।

ଗୋବିନ୍ଦ ବୋଇଲେ ଆମ୍ଭ ନ ଥିଲୁ ଏଠାରେ

ନନ୍ଦଙ୍କୁ ସଙ୍ଖୋଳି ଯାଇଥିଲୁ ଗୋପପୁରେ ।

ଗୋପୀଙ୍କର ବିକଳ ମୁଁ ସହି ନ ପାରିଲି

ଗରୁଡ଼ ପୃଷ୍ଠେ ବସାଇ ତାହାଙ୍କୁ ଆଣିଲି ।

ଦ୍ୱାରକାରେ ଠାବ ଯହୁଁ ନ ପାଇଲି କାହିଁ

ବରୁଣକୁ ଖଣ୍ତିଏ ମୁଁ ମାଗା ମାଗିଲଇଁ ।

ବିଶ୍ୱକର୍ମାକୁ ସୁମରୁଁ ସ୍ୱର୍ଗରୁ ଅଇଲା

ପୁର ଗୋଟାଏକ ନିରିମାଣ କରିଦେଲା ।

ସଙ୍ଗରେ ଅଇଲେ ଷୋଳସସ୍ର ଗୋପାଳୁଣୀ

ଚନ୍ଦ୍ରସେଣା ସଙ୍ଗତରେ ନନ୍ଦ ନୃପମଣି ।

ଶ୍ରୀକୃଷ୍ଣ କହନ୍ତେ ଉଗ୍ରସେନ ତା ଶୁଣିଲେ

ସଭାର ଲୋକେ ଶୁଣିଣ ଆନନ୍ଦ ଲଭିଲେ ।

ବଳରାମ ବୋଲନ୍ତି ତୁ ଶୁଣରେ କହ୍ନାଇ

ଆମ୍ଭର ଛାମୁରେ ଦିନେ କହିଲୁ ତ ନାହିଁ ।

ତୋହର ମାୟାରେ ମୋତେ ତ ଗୋଚର ନୋହିଲା

କହୁଁ କହୁଁ କ୍ରୁଦ୍ଧ ହେଲେ ରୋହିଣୀର ବଳା ।

ଶ୍ରୀକୃଷ୍ଣ ବୋଇଲେ କୋପକର କାହିଁପାଇଁ

ଚାଲ ନନ୍ଦଙ୍କୁ ସଙ୍ଖୋଳି ଯିବା ହେ ଗୋସାଇଁ ।

ଉଗ୍ରସେନ ବୋଇଲେ ତ ଆମ୍ଭେ ଥରେ ଯିବୁ

ସେ ନନ୍ଦ ମହାଖୁଡ଼କୁ ଥରେ ସଙ୍ଖୋଳିବୁ ।

ଏତେକ ବିଚାର କରୁ ସଭା ମଉଳିଲା

ଉଗ୍ରସେନ ରାଜା ତହୁଁ ଭିତରକୁ ଗଲା ।

ରାମକୃଷ୍ଣ ଦୁଇଭାଇ ଅଇଲେ ନଗ୍ରକୁ

ସମସ୍ତ ଯାଦବ ଗଲେ ଯେ ଯାହା ପୁରକୁ ।

କୃଷ୍ଣର କୁମରମାନେ ଅଇଲେ ନଗର

ଶୁଣ ପରୀକ୍ଷିତ ରାଜା ଉତ୍ତରାକୁମର ।

ଏମନ୍ତ ପ୍ରକାରେ ସେହି ଦିନ ବହିଗଲା

ଆରଦିନ ଉଗ୍ରସେନ ଥାଟ ସଜକଲା ।

ଯାଦବଙ୍କୁ ଘେନି ରାଜା ବାହାର ହୋଇଲେ

ଉଦ୍ଧବ ଅକ୍ରୂର ସଙ୍ଗତରେ ଘେନିଥିଲେ ।

ବାହାର ହୋଇଲେ ତହୁଁ ବସୁଦେବ ବୀର

ଏଥୁଅନ୍ତେ ଶୁଣ ତୁମ୍ଭେ ଆନ ସମାଚାର ।

ସଜ ହୋଇଲେ ରୋହିଣୀ ଆଉ କାମପାଳ

ଦ୍ୱାରକା ବାସୀଏ ସର୍ବେ ହୋଇ ଏକମେଳ ।

ଶ୍ରୀକୃଷ୍ଣଙ୍କର କୁମର ଶାମ୍ବ ଗଦ ମୂଳେ

ଆପଣେ ସଜ ହୋଇଲେ ଦେବ ଚକ୍ରଧରେ ।

ସମସ୍ତେ ହିଁ ଏକମେଳ ହୋଇଣ ଚଳିଲେ

ଉଦ୍ଧବ ଅକ୍ରୂରକୁ ସେ ଆଗେ ଚଳାଇଲେ ।

ଶଙ୍ଖ ଆବର ମହୁରୀ ବାଜେ ଘନ ଘନ

ଢୋଲ କାହାଳୀ ବାଜଇ ବିଜିଘୋଷମାନ ।

କୃଷ୍ଣର କୁମରମାନେ ରଥରେ ଚଢ଼ିଲେ

ତାଳଧ୍ୱଜ ରଥେ କାମପାଳ ଆରୋହିଲେ ।

ଗରୁଡ଼କୁ ସୁମରଣା କଲେ ମଧୁହାରୀ

ବିନତାର ନନ୍ଦନ ଯେ ଆଗେ ଆସି ମିଳି ।

ଗରୁଡ଼ ପିଠିରେ ବିଜେ କଲେ ଭଗବାନ

ରହସ୍ୟ ଦ୍ୱାରକାପୁରେ ଯାନ୍ତି ଜନାର୍ଦ୍ଦନ ।

ତତକ୍ଷଣେ ତହିଁ ଯାଇ ହୋଇଲେ ପ୍ରବେଶ

ତକ୍ଷଣେ ବାର୍ତ୍ତା ପାଇଲେ ସୁନନ୍ଦର ଶିଷ୍ୟ ।

ଉଗ୍ରସେନ ନୃପତିକୁ ଦେଖି ନନ୍ଦରାୟେ

ଆପଣାର ଶିରପରେ ନିଜେ କର ଦିଏ ।

ଶ୍ରୀରାମ କୃଷ୍ଣ ନନ୍ଦକୁ କଲେ ନମସ୍କାର

କୃଷ୍ଣର କୁମରମାନେ ନମନ୍ତି ପୟର ।

ଉଦ୍ଧବ ଅକ୍ରୂର ଦୁହେଁ ଓଳଗି ହୋଇଲେ

ସାତବଂଶ ଯଦୁଗଣେ ନନ୍ଦେ ମାନ୍ୟ କଲେ ।

ଯେ ନନ୍ଦକୁ ରାମକୃଷ୍ଣ କରୁଛନ୍ତି ମାନ୍ୟ

ଯାଦବ ବଂଶରେ କିଏ ଅଛଇ ଅମାନ୍ୟ ।

ମାନ୍ୟ ଗଉରବ ଆଦି ସମସ୍ତ ସାରିଲେ

ଏହିବେଳେ ବସୁଦେବ ଯାଇଁ ପ୍ରବେଶିଲେ ।

ଦୁହେଁ ଯାଇ ଏକାବେଳେ ଶିରେ କରଦ୍ୟନ୍ତି

ପରସ୍ପର କୋଳାଗ୍ରତେ ହରଷ ଲଭନ୍ତି ।

ନନ୍ଦ ବୋଇଲେ ଭୋ ମିତ୍ର ଶୁଣ ମୋ ବଚନ

ପଞ୍ଚଭୂତ ଆତ୍ମାରେ ମୁଁ ଲଭିଲି କାରଣ ।

ତୁମ୍ଭର ପ୍ରସାଦେ ଆଜି ପୂଜା ମୁଁ ପାଇଲି

ଏଡ଼େକ ସମ୍ପତ୍ତି ମୁହିଁ ପୂର୍ବେ ଅର୍ଜିଥିଲି ।

ସାତ ବଂଶ ଯାଦବଙ୍କୁ ଘେନି ଉଗ୍ରସେନ

ଆପଣେ ଆସି ଅଛନ୍ତି ମୋହର ଭୁବନ ।

କୃଷ୍ଣ କାମପାଳ ଛନ୍ତି ତାହାଙ୍କ ସଙ୍ଗର

ଆବର ଅଛନ୍ତି ରାମକୃଷ୍ଣଙ୍କ କୁମର ।

ନନ୍ଦରାଜା ଏସନକ ବଚନ ବୋଇଲା

ଅଶ୍ରୁଜଳ ତାହାଙ୍କର ନୟନୁ ଝରିଲା ।

ଉଗ୍ରସେନ ହସ୍ତଧରି ନନ୍ଦ ନୃପବର

ଆପଣା ଭୁବନେ ଘେନି ଗଲେ ଧାତିକାର ।

ସୁଦିବ୍ୟ ଆସନେ ତାଙ୍କୁ ବସାଇଲେ ନେଇ

ଯେଉଁ ଆସନ ସୁଧର୍ମା ସଭା ମନ ମୋହି ।

ଆପେ ବିଶ୍ୱକର୍ମା ଯାହା କରିଛି ଗଠନ

ଯେଉଁଠାରେ ବିଜେ କରିଛନ୍ତି ନାରାୟଣ ।

ପଟାନ୍ତର ଦେବାପାଇଁ ତ୍ରିଭୁବନେ ନାହିଁ

ପୁର ଦେଖି ଉଗ୍ରସେନ ପ୍ରଶଂସା କରଇ ।

ନଗରଯାକ ନୃପତି ବୁଲିଣ ଦେଖିଲା

ସେ ପୁରକୁ ଦେଖି ରାଜା ମୋହମାନ ହେଲା ।

ଭିତରକୁ ବିଜେ କଲେ ଦେବ ଶିରୀପତି

ସଙ୍ଗତରେ ପୁତ୍ରମାନେ ଗୋଡ଼ାଇ ଅଛନ୍ତି ।

ଯଶୋମତୀଙ୍କି ଦେଖିଣ ରାମ ଦାମୋଦର

ବେଗେ ନମସ୍କାର କଲେ ମାତାଙ୍କ ପୟର ।

ରାମକୃଷ୍ଣ ପୁଅମାନେ ତାହାଙ୍କୁ ଦେଖିଣ

ସମସ୍ତେ ପ୍ରଣାମ କଲେ ତାହାଙ୍କ ଚରଣ ।

ତାଙ୍କର କଲ୍ୟାଣ ବାଞ୍ଚ୍ଥା କଲେ ନନ୍ଦରାଣୀ

ନାତିଙ୍କୁ ଦେଖି ଆନନ୍ଦ ଲଭିଲା ତରୁଣୀ ।

ଆନନ୍ଦରେ ଅଶ୍ରୁଜଳ ନୟନୁ ଗଳଇ

ମନମଧ୍ୟେ ଅତିଶୟ ଆନନ୍ଦ ଲଭଇ ।

କାଖରେ ବସାଇ ତାଙ୍କୁ ଘରେ ଘେନିଗଲେ

ଅମୃତ ପଦାର୍ଥମାନ ନେଇ ଭୁଞ୍ଜାଇଲେ ।

ନନ୍ଦ ବସୁଦେବ ଉଗ୍ରସେନର ସହିତେ

ଆସ୍ଥାନରେ ବସିଛନ୍ତି ଯାଦବ ସମସ୍ତେ ।

ରାମ କୃଷ୍ଣେ ଚାହିଁ ବୋଲୁଛନ୍ତି ଯଶୋଦାଏ

ଏଡ଼େ ନିରାଶ ବାବୁରେ କଲ ଆଜଯାଏ ।

ଯେ ଦିନୁ ଅକ୍ରୂର ତୋତେ ମଥୁରାକୁ ନେଲା

ସେହିଦିନୁ ଦେଖିବାକୁ ଅପୂର୍ବ ହୋଇଲା ।

ଏହି ରାମ ଗୋପପୁରେ ଯାଇଥିଲେ ଦିନେ

ଚାରିଦିନ ମାତ୍ର ରହି ଅଇଲେ ବହନେ ।

ଏତେଦିନେ ମୁଖଗୋଟି ଦେଖିଲି ଏହାର

ଏଡ଼େବଡ଼ କଷ୍ଟ ମୋତେ ଦେଲୁ ହଳଧର ।

ଏବେ ସିନା କଳାକାହ୍ନୁ ମୋର ଦୟାକଲା

ଉଦ୍ଧବ ଅକ୍ରୂର ସହ ଗୋପେ ଯାଇଥିଲା।

ମୋହର ଦୁଃଖ ଦେଖିଣ ସହିଣ ପାରିଲେ

ଗରୁଡ଼ ପୃଷ୍ଠ ବସାଇ ଘେନିଣ ଅଇଲେ ।

ତୁମ୍ଭର ମୁଖ ଦେଖିଣ ଗଲା ମୋର ଦୁଃଖ

ଏବେ ସୁଖ ଭୋଗ ମୁହିଁ କରିବି ଅନେକ ।

ଏତେକ ଶୁଣି ଶ୍ରୀକୃଷ୍ଣ ଭିତରକୁ ଗଲେ

ସାତ୍ୟକିକୁ ସଙ୍ଗେ ଘେନି ତ୍ୱରତ ଅଇଲେ ।

ତାଙ୍କୁ ରାମଙ୍କ ଗୋଚର ଦେଲେ ତହୁଁ ନେଇ

ଭାଇ ବହେଣୀକି ଘେନିଲେକ ହଳସାଇଁ ।

ଦେଖିକରି ବଳରାମ ସନ୍ତୋଷ ମନରେ

ସାତ୍ୟକରି ଦକ୍ଷହସ୍ତ ଧରିଣ ଶ୍ରୀକରେ ।

ନନ୍ଦର ସଭାକୁ ବିଜେ କଲେ ବଳରାମ

ଯାଇଣ ବସିଲେ ନନ୍ଦଙ୍କର ସନ୍ନିଧାନ ।

ସୁଭଦ୍ରାକୁ ଘେନି କୃଷ୍ଣ ତ୍ୱରିତ ଅଇଲେ

ସେହୁ ନନ୍ଦଙ୍କର ବାମ ପାର୍ଶ୍ୱରେ ବସିଲେ ।

ଉଗ୍ରସେନ ରାଜା ବସିଛନ୍ତି ଖଣ୍ତ ଦୂରେ

ନନ୍ଦ ବସୁଦେବ ବସିଅଛନ୍ତି ସେଠାରେ ।

ତାଙ୍କ ବାମପାର୍ଶ୍ୱେ ବସିଛନ୍ତି ହଳଧର

ରାଜା ବୋଲେ ବସିଛି ସେ କାହାର କୁମର ।

ବଳରାମ ବୋଇଲେ ଯା ପଚାରିଲ ରାୟେ

ଏହି କୁମର ଅଟଇ ନନ୍ଦର ତନୟେ ।

କୃଷ୍ଣ ପାଶେ ବସିଛନ୍ତି ଯେବଣ ଦୁହିତା

ଭାଗ୍ୟ ବଶରୁ ଏହାକୁ ଦେଲେକ ବିଧାତା ।

ଦେଖିକରି ଉଗ୍ରସେନ ସନ୍ତୋଷ ଲଭିଲେ

ସେ ପୁତ୍ର କନ୍ୟାକୁ ବହୁ ଆଶୀର୍ବାଦ କଲେ ।

ଏସନ ବେଳେ ଆସ୍ଥାନ ଗୋଟି ମଉଳିଲା

ଉଗ୍ରସେନ ନରପତି ମେଲାଣି ମାଗିଲା ।

ଉଦ୍ଧବ ଅକ୍ରୂର ମୂଳେ ଉଠିଲେ ସମସ୍ତେ

ବସୁଦେବ ଉଠିଲେ ଯେ ତାଙ୍କର ସଙ୍ଗତେ ।

ଖଣ୍ତେ ଦୂର ନନ୍ଦରାଜା ଅଇଲା ଗୋଡ଼ାଇ

ବାହୁଡ଼ି ଯିବା ନିମନ୍ତେ ତାଙ୍କୁ ଆଜ୍ଞା ଦେଇ ।

ଆପେ ଥାଟ ଘେନି ସେହୁ ବାହୁଡ଼ି ଆସନ୍ତି

ଆପଣାର ମନ୍ଦିରରେ ଯାଇଣ ମିଳନ୍ତି ।

ଉଦ୍ଧବ ଅକ୍ରୂର ଆଜ୍ଞା ମାଗି ତହୁଁ ଗଲେ

ବସୁଦେବ ମନ୍ଦିରକୁ ବସୁଦେବ ଗଲେ ।

ସାତବଂଶର ଯେତେକ ଯଦୁପୁତ୍ର ମାନେ

ସମସ୍ତେ ହିଁ ଚଳିଗଲେ ଯେ ଯାହା ଭବନେ ।

ରାମକୃଷ୍ଣ ରହିଲେ ଯେ ନନ୍ଦର ମନ୍ଦିର

ସ୍ନାହାନ ଭୋଜନ ତହିଁ କଲେ ଦାମୋଦର ।

ଥୋକାଏ ଦିନ ପର୍ଯ୍ୟନ୍ତ ରହିଲେକ ତହିଁ

ବହୁତ ଆଦର କଲେ ନନ୍ଦ ନୃପସାଇଁ ।

ଶୁଣ ପରୀକ୍ଷିତ ରାଜା ଉତ୍ତରା କୁମର

ସାବଧାନ ହୋଇ ଶୁଣ ହରିବଂଶ ଗିର ।

ବସୁଦେବ ଯାଇ ନିଜପୁରେ ବିଜେ କଲେ

ଦେବକୀ ଆଗେ ସକଳ ଚରିତ କହିଲେ ।

ବୋଲନ୍ତି ଆଗୋ ସଖି ତୁ ସାବଧାନେ ଶୁଣ

ଅପୂର୍ବ କଥା ଦେଖିଲୁଁ ଆମ୍ଭେ ଏହିକ୍ଷଣ ।

ଗୋପ ବୃନ୍ଦାବନେ କୃଷ୍ଣଚନ୍ଦ୍ର ଯାଇଥିଲା

ଗରୁଡ଼େ ବସାଇ ନନ୍ଦ ଯଶୋଦା ଆଣିଲା ।

ଆବର ଆଣିଲା ଷୋଳ ସହସ୍ର ଗୋପୀଙ୍କି

ଚନ୍ଦ୍ରସେଣା ଗରୁଡ଼କୁ ଆଣିଅଛ ହାକି ।

ବରୁଣକୁ କୃଷ୍ଣ ଯାଗା ଖଣ୍ତିଏ ମାଗିଲା

ବିଶ୍ୱକର୍ମାକୁ ହକାରି ନଗ୍ର ତୋଳାଇଲା ।

ଗୋପ ନଗରେ ଯେପରି ଥିଲାକ ଆବାସ

ତହୁଁ ଶତଗୁଣେ ଗଢ଼ାଇଛି ତୋର ଶିଷ୍ୟ ।

ଗୋପୀଙ୍କ ନିମନ୍ତେ ଭିନ୍ନ ଭିନ୍ନ ଗଢ଼ାଇଛି

ଦେବଙ୍କୁ ଦୁର୍ଲ୍ଲଭ ପୁର ଶୋଭା ପାଉଅଛି ।

ଦ୍ୱାରକାହୁଁ ଶତେ ଗୁଣେ ହୋଇଛି ସୁନ୍ଦର

ପଟାନ୍ତର ଦେବାପାଇଁ ନାହିଁ ନିତିପୁର ।

ଦେଖି ମନ ବଡ଼ ମୋର ସନ୍ତୋଷ ହୋଇଲା

ଆସିବା ପାଇଁ ସେଠାରୁ ମନ ନ ବଳିଲା ।

ଅବସନ୍ତରେ ବସନ୍ତ ବହୁଛି ସେ ପୁରେ

ଅମର ବାରସ୍ୱତୀ ତ ନୁହେଁ ତା ସଙ୍ଗରେ ।

ପୁରୁଷ ମାନେ ଦିଶନ୍ତି କାମଦେବ ପ୍ରାୟେ

ସ୍ତିରୀମାନଙ୍କର ରୂପ ସାମାନ୍ୟ ଯେ ନୋହେ ।

ଆହୁରି କଥା ଗୋଟିଏ ଦେଖିଲଇଁ ସହି

ନନ୍ଦର ପୁତ୍ର ଦୁହିତା ଦୁଇ ହୋଇଛଇଁ ।

ବାଳକ ବାଳିକା ବୃଦ୍ଧାକାଳେ ଜନ୍ମିଛନ୍ତି

ଦେଖିକରି ଆଶ୍ଚର୍ଯ୍ୟ ମୁଁ ମଣିଲି ସୁଦନ୍ତି ।

ଶୁଣ ଟହ ଟହ ହୋଇ ଦେବକୀ ହସିଲେ

ଅପୂର୍ବ ଚରିତ ଯହୁଁ ସ୍ୱାମୀଠୁଁ ଶୁଣିଲେ ।

ଶୁକମୁନି ବୋଇଲେ ହେ ପରୀକ୍ଷ ନୃସାଇଁ

ଶ୍ରୀହରି ବଂଶ ପୁରାଣ ଶୁଣ ମନଦେଇ ।

ନନ୍ଦରାଜା ପୁରେ ରାମକୃଷ୍ଣ ରହିଥଲେ

ନନ୍ଦଙ୍କୁ ମେଲାଣି ମାଗି ବାହାର ହୋଇଲେ ।

ଯଶୋଦା ବୋଇଲେ ତୁମ୍ଭେ ଶୁଣ ହଳଧର

ସାତ୍ୟକିକୁ ନିଅ ବାପ ତୁମ୍ଭ ସଙ୍ଗତର ।

ବିଦ୍ୟା ଶିଖାଅ ଏହାକୁ ତୁମ୍ଭେ ସଙ୍ଗେ ନେଇ

ଏହାର ସହାୟ ହେବ ତୁମ୍ଭେ ଦୁଇଭାଇ ।

ଗୋପାଳ କୁଳରେ ଏହୁ ଲଭିଛି ଜନମ

ଗୌଡ଼ ବାଉଡ଼ ହାଉଡ଼ ବୋଲି ତିନି ନାମ ।

ଏହାକୁ ସଙ୍ଗରେ ଘେନିଥିବ ଦାମୋଦର

ଶସ୍ତ୍ର ଶାସ୍ତ୍ର ବିଦ୍ୟା ୟାକୁ ପରାପତ କର ।

ଯଶୋଦାଙ୍କର ମୁଖରୁ ଏସନକ ଶୁଣି

ସନ୍ତୋଷ ଚିତ୍ତେ କହନ୍ତି ଦେବ ହଳପାଣି ।

ହଳୀ ବୋଲନ୍ତି ମାତା ଗୋଯାହା ଆଜ୍ଞା ଦେଲେ

ସାତ୍ୟକିକୁ ଘେନି ଯାଉଅଛୁ ସଙ୍ଗତରେ ।

ସାତ୍ୟକିର ହସ୍ତ ଧରି ରଥେ ବସାଇଲେ

ଆପେ ହଳପାଣି ତାଳଧ୍ୱଜ ଚଳାଇଲେ ।

ଗରୁଡ଼ ପିଠିରେ ବିଜେ କଲେ ନାରାୟଣ

ଶ୍ରୀକୃଷ୍ଣ କୁମରେ ରଥ ଚଢ଼ିଲେ ବହନ ।

ନନ୍ଦ ରାଜାକୁ ଓଳଗି ହେଲେ ରାମ ହରି

ଆପଣାର ନଗରକୁ ତହୁଁ ବିଜେ କରି ।

ସାତ୍ୟକିକୁ ଶସ୍ତ୍ର ଶାସ୍ତ୍ର ବିଦ୍ୟା ଶିଖାଇଲେ

ଦ୍ୱାରକା ପୁରେ ସାତ୍ୟକି ନିଶ୍ଚିନ୍ତେ ରହିଲେ ।

ନନ୍ଦ ରହିଲେ ରହସ୍ୟ ଦ୍ୱାରକା ପୁରରେ

ଦିନେ ବସୁଦେବ ପାଶେ ଦେବକୀ ରହିଲେ ।

କଥା ଗୋଟିଏ ଛାମୁରେ ଜଣାଉଛି ମୁହିଁ

ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଁ ।

ନନ୍ଦ ଯଶୋଦା ଦେଖିବା ପାଇଁ ମୋର ମନ

ଏଣୁ ଛାମୁରେ ଜଣାଉଅଛି ମୁଁ ବହନ ।

ବାଳକାଳେ ପୁତ୍ର ମୋର ତାଙ୍କ ପାଶେ ଥିଲେ

ଆଜ୍ଞା ଦେଲେ ମୁହିଁ ନାଥ ଯିବଇଁ ତତ୍କାଳେ ।

ବାଳକାଳେ ଯଶୋଦା ସଙ୍ଗତେ ମୋର ପୁଣି

ଯମୁନା କୂଳରେ ହୋଇଥିଲୁଁ ସଙ୍ଗାତୁଣୀ ।

ଅପାର କାଳରୁ ଦେଖି ନାହିଁ ସଙ୍ଗାତଙ୍କୁ

ସେଥିଯୋଗେ ମୁହିଁ କହୁଅଛଇ ତୁମ୍ଭଙ୍କୁ ।

ଦଇବ ଯୋଗେ ଆମ୍ଭର ସନ୍ନିଧେ ଅଇଲେ

ଥରେ ଯାଇଣ ସଙ୍ଖୋଳି ଆସିବଇଁ ଭଲେ ।

ସେ କଥାରେ ବସୁଦେବ ହୋଇଲେ ସମ୍ମତ

କାଲି ଯିବାର ନିମନ୍ତେ କହିଲେ ତ୍ୱରିତ ।

ଏମନ୍ତ ପ୍ରକାରେ ହେଉଁ ରଜନୀ ପାହାନ୍ତି

ନିତ୍ୟକର୍ମ ସମସ୍ତ ହିଁ ସାରିଲେ ତଡ଼ତି ।

ବେଶ ଭୂଷା କର୍ମମାନ ସାରିଲେ ଯୁକତ

ଯିବାକୁ ସଜ ହୋଇଲେ ଶ୍ରୀକୃଷ୍ଣଙ୍କ ମାତ ।

ଏସନକ ବାରତାକୁ ପାଇ ଇନ୍ଦୁମତୀ

ଉଗ୍ରସେନ ନୃପତିଙ୍କି ଯାଇ ଜଣାବନ୍ତି ।

ମୋହର ମନ ବଳଇ ଯିବାକୁ ତହିଁକି

ଉଗ୍ରସେନ ବୋଲେ ତୁ ଗୋ ଯାଅ ପ୍ରିୟସଖି ।

ମାଆଝିଅ ଦୁଇଜଣ ଗଲେ ହାନ୍ଦୋଳାର

ଦାସୀ ପରିବାରୀ ସଙ୍ଗେ ଅଛନ୍ତି ଅପାର ।

ରହସ୍ୟ ଦ୍ୱାରକାପୁରେ ଚଳାଇଣ ଗଲେ

ଭୁଡ଼ୁଙ୍ଗିୟା ପାଇକ ଯେ ବାଟ କଢ଼ାଇଲେ ।

ଶୁଣ ପରୀକ୍ଷିତ ରାଜା ଅର୍ଜ୍ଜୁନର ନାତି

ମଥୁରା ମଙ୍ଗଳ ଶୁଣି ହୁଅସି ମୁକତି ।

ଇନ୍ଦୁମତୀ ଦେବକୀ ଏ ତ୍ୱରିତ ଚଳିଲେ

ରହସ୍ୟ ଦ୍ୱାରକାପୁରେ ପ୍ରବେଶ ହୋଇଲେ ।

ବାରତା ପାଇଣ ନନ୍ଦ ରାଜାଙ୍କର ରାଣୀ

ନେବା ନିମନ୍ତେ ବାଟକୁ ଅଇଲେ ତରୁଣୀ ।

ଗଉରବେ ସେ ଦୁହିଁଙ୍କି ମାନ୍ୟ ଧର୍ମ କଲେ

ଦୁଃଖ ସୁଖ କଥା ବର୍ତ୍ତା ସେଠାରେ ହୋଇଲେ ।

କେତେ କଷ୍ଟ ଦେଲା ଭାଇ କଂସ ନୃପମଣି

ଛଅଗୋଟି ପୁତ୍ର ମୋର କଚାଡ଼ିଲା ପୁଣି ।

ଗର୍ଭର ମଧ୍ୟରୁ ମୋର ସଂକର୍ଷଣ ଗଲା

ଦଇବ ପୁରୁଷ ସିନା ଏହା ମୋତେ ଦେଲା ।

ଏମନ୍ତେଣ ସାତଗର୍ଭ ହେଲା ମୋର ନାଶ

ବିକଳ ହୋଇ ଚୋରାଇ ନେଲେ ଏକଶିଷ୍ୟ ।

ଚୋରିକରି ବସୁଦେବ ତୋ ପୁରେ ଥୋଇଲା

ପାଲଟାଇଣ ଦୁହିତା ଗୋଟିଏ ଆଣିଲା ।

ସେ କନ୍ୟାକୁ ଉପରୋଧ ନ କଲା ପାପିଷ୍ଠ

ଦର୍ପଣ ଶିଳାରେ ନେଇ କଚାଡ଼ିଲା ଦୁଷ୍ଟ ।

ଏମନ୍ତ ପ୍ରକାରେ ଅଷ୍ଟବର୍ଷ ଗଲା ବହି

ବାର୍ତ୍ତା ପାଇଣ ସେ କଂସ ଆଣେ ହକରାଇ ।

ଦଇବ ବଳରେ ପୁଣି ସେହୁ ନାଶ ଗଲା

କର୍ମର ଲିଖନ କେଭେ ଅନ୍ୟଥା ନୋହିଲା ।

ଦେବକୀର ତହୁଁ ଏସନକ କଥା ଶୁଣି

ମନ ମଧ୍ୟରେ ବିଚାର କରଇ ତରୁଣୀ ।

ଦେବକୀ ଦେବୀର ଗର୍ଭୁ କୃଷ୍ଣ ଜନମିଲା

ରୋହିଣୀ ଗର୍ଭରୁ ବଳରାମ ଜାତ ହେଲା ।

ରାମ କୃଷ୍ଣଙ୍କର ମାତା ହୋଇଲେ ଏ ଦୁହେଁ

ରାମ କୃଷ୍ଣ କେଉଁପରି ହେଲେ ମୋର ପୁଏ ।

ଅଷ୍ଟ ବରଷ ପର୍ଯ୍ୟନ୍ତ ଧର୍ମରେ ପାଳିଲି

କାହାର ପୁତ୍ର ବୋଲିଣ ବିଚାର ନ କଲି ।

ଦଇବ ପୁରୁଷ ମୋତେ ଦେଖାଇ ଭଣ୍ତିଲା

ସୁନାପରା ଫୁଲ ପୁଣ ଅଗାଡ଼ି ହୋଇଲା ।

ମୋର ପୁତ୍ର ବୋଲି ଜାଣିଥିଲା ନନ୍ଦରାଣୀ

ଦେବକୀର ପୁତ୍ର ବୋଲି ଜାଣିଲା ତରୁଣୀ ।

ଗୋପନୀୟ କଥା ଏହା କେହି ନ ଜାଣଇ

ଏବେ ବାରତା ପାଇଲା ଦେବକୀର ଠାଇଁ ।

ଫିଟାଇ ନ କହି ମନେ ବିକଳ ହୋଇଲା

ପ୍ରକାଶ ନ କରି କଥା ଗୋପନେ ରଖିଲା ।

ସେମାନେ କଥାବାରତା ହୋଇବାର ବେଳେ

ଗୋଟିଏ ଗୋଟିଏ ହୋଇ ମିଳିଲେ ସକଳେ ।

ରାଧିକା ସୁନ୍ଦରୀ ତହିଁ ପାଇଣ ବାରତା

ତତକ୍ଷଣେ ତାଙ୍କପାଶେ ମିଳିଲେ ବନିତା ।

ଚହଳ ଗହଳ ହେଲା ତାହାଙ୍କ ଗୃହର

ଭକ୍ତିଭରେ ରାଧା ତାଙ୍କୁ କଲେ ନମସ୍କାର ।

ଗୋପୀମାନଙ୍କ ଚହଳ ଗହଳକୁ ଦେଖି

ବିଚାରନ୍ତି ମନମଧ୍ୟେ ଦେବକୀ ସୁମୁଖୀ ।

ବସୁଦେବ କହିଥିଲେ ମୋହର ଆଗର

ତହୁଁ ଶତେଗୁଣ ଦିଶେ ଏହାଙ୍କ ଶରୀର ।

ଦେବ ସ୍ତିରୀଙ୍କ ପରାୟେ ଦିଶୁଅଛୁ ଦେହି

ସ୍ୱର୍ଗର ଦେବତା ୟାଙ୍କୁ ପଟାନ୍ତର ନୋହି ।

ଏରୂପେ କୃଷ୍ଣଙ୍କୁ ବାଳକାଳରେ ମୋହିଲେ

ଏହାଙ୍କ ରୂପକୁ କୃଷ୍ଣ ଭୁଲିବେ କି ଭଲେ ।

ଏହାଙ୍କ ମହିମା ଦେବତାଙ୍କୁ ଅଗୋଚର

ଇନ୍ଦୁମତୀ ଦେବକୀ ଯେ କରନ୍ତି ବିଚାର ।

ରାଧା ରୂପକୁ କମଳା ନୋହେ କେବେ ସରି

ରୂପେ ସମ ନୋହେ ଶତ୍ରାଜିତର କୁମାରୀ ।

ଗୋପୀଙ୍କର ରୂପ ଦେଖି ସନ୍ତୋଷ ଲଭିଲେ

ଯଶୋମତୀକି ମେଲାଣି ତତ୍‌କ୍ଷଣେ ମାଗିଲେ ।

ଦୁଃଖ ସୁଖ କଥା କହି ହୋଇଲେ ବାହାର

ଯଶୋଦା ତାହାଙ୍କୁ ଦେଲେ ବହୁ ଉପହାର ।

ହାନ୍ଦୋଳାରେ ବସି ମାଏ ଝିଅ ଚଳିଗଲେ

ଆପଣା ନବରେ ଯାଇ ପ୍ରବେଶ ହୋଇଲେ ।

ଖଣ୍ତେ ଦୂର ଯାଇ ଯଶୋବନ୍ତୀ ବାହୁଡ଼ନ୍ତି

ଏସନ ଚରିତମାନ ନନ୍ଦକୁ କହନ୍ତି ।

ନନ୍ଦରାଜା ଶୁଣି ମନେ ହରଷ ଲଭିଲେ

ଶ୍ରୀକୃଷ୍ଣଙ୍କୁ ମନମଧ୍ୟେ ତହୁଁ ସୁମରିଲେ ।

ତାହାଙ୍କ ପ୍ରସାଦେ ମୋର ଏଡ଼େକ ସମ୍ପତ୍ତି

ଦୟାନିଧିନାଥ ଅଟେ କରୁଣାବାରିଧି ।

ଗୋବିନ୍ଦ ସ୍ମରଣେ ମନେ ଦୁଃଖ ଜନମିଲା

ନେତ୍ରରୁ ଲୋତକ ଧାରା ଗଳିଣ ପଡ଼ିଲା ।

ଏକମନେ ଶୁଣ ତୁ ହୋ ପରୀକ୍ଷ ନୃନାଥ

ନିଶ୍ଚିନ୍ତେ ରାଜ୍ୟ କରନ୍ତି ଜଗତ୍‌ ପଞ୍ଚଭୂତ ।

ସେ ପ୍ରଭୁଙ୍କ ପାଦପଦ୍ମେ ସଦା ମୋର ସେବା

ଅଚ୍ୟୁତ ଦାସ କବିକି ଗତି ମୁକ୍ତି ଦେବା ।

 

ହରିବଂଶ (ସପ୍ତମ ଖଣ୍ଡ)

କୃଷ୍ଣଙ୍କର ଅର୍ଜ୍ଜୁନଙ୍କୁ ଦ୍ୱାରକାନୟନ

ଏଥୁଅନନ୍ତରେ କିଛିଦିନ ବହିଗଲା

ବହୁ ପୁତ୍ର ପୌତ୍ରୀ ରଙ୍ଗା ଅବତାରରେ ହେଲା ।

ପୁତ୍ର ନାତି ଦେଖି କୃଷ୍ଣ ମନେ ବିଚାରନ୍ତି

ନିରାକାରଙ୍କର କଥା ମନରେ ସ୍ମରନ୍ତି ।

ମକର ଶୁକଳ ପକ୍ଷ ତୃତୀୟାର ଦିନ

ମନେ ମନେ ବିଚାର କରନ୍ତି ନାରାୟଣ ।

ଏତେକାଳେ ଯୁଗଶେଷ ହୋଇଲାକ ଆସି

ନିରାକାର କଥା ମନମଧ୍ୟେ ଆସି ପଶି ।

ଆଜ୍ଞା ଦେଇଅଛନ୍ତି ସେ ଆସିବ ସତ୍ୱର

ନ ଗଲେ କୋପିବ ନିରଞ୍ଜନ ନିରାକାର ।

ଅର୍ଜ୍ଜୁନ ଆସିବା ପାଇଁ କହିଥିଲେ ମୋତେ

ସେହି କଥା ଗୋଟି ମନେ ନାହିଁ ମୋ କିଞ୍ଚିତେ ।

ଏସନକ ପରକାରେ ଭାଳି ନାରାୟଣ

ପକ୍ଷୀରାଜ ଗରୁଡ଼କୁ କରନ୍ତି ସ୍ମରଣ ।

ରମ୍ୟକେ ଥାଇ ଜାଣିଲେ ତାହା ଖଗେଶ୍ୱର

ନାରାୟଣ ସୁମରନ୍ତେ ହୋଇଲା ବାହାର ।

 

କୁଶସ୍ଥଳୀ ଦ୍ୱାରକାରେ ପ୍ରବେଶ ହୋଇଲା

ବେଗେ ଯାଇ ଶ୍ରୀକୃଷ୍ଣଙ୍କୁ ଦରଶନ କଲା ।

ଶିରେ କର ଦେଇଣ ସେ ବୋଲନ୍ତି ବଚନ

ଆମ୍ଭ ପୁରେ ବିଜେ କଲେ ଦେବ ଜନାର୍ଦ୍ଦନ

ଗୋବିନ୍ଦ ବୋଲନ୍ତି ଶୁଣ ବିନତାର ସୁତ

ତୋହର ଆଗେ କହିବା ଗୁପତ ବୃତ୍ତାନ୍ତ ।

ହସ୍ତିନା ନଗରେ ଯେଉଁ ପାଣ୍ତବେ ଅଛନ୍ତି

ଆମ୍ଭର ପ୍ରାଣର ସଖା ସେମାନେ ଅଟନ୍ତି ।

ଅପାରଦିନ ହୋଇଲା ମୁରୁଛିଲି ବାବା

ଚାଲ ଯିବା ସେମାନଙ୍କୁ ସଙ୍ଖୁଳି ଆଣିବା ।

ମକର ଶୁକଳପକ୍ଷ ଏକାଦଶୀ ଦିନ

ହସ୍ତିନା ଯିବାକୁ ସଜ ହେଲେ ଜନାର୍ଦ୍ଦନ ।

ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜ ହେଇ

ଗରୁଡ଼ ପଠିଣେ ବିଜେ କଲେ ନନ୍ଦପୋଇ ।

ସେ ଦିନ ହୋଇଅଛଇ ବ୍ରତ ଏକାଦଶୀ

ବାରୁଣାବନ୍ତ ପୁରକୁ ଯାନ୍ତି ବ୍ରହ୍ମରାଶି ।

ଖଗବରେ ଚାହିଁ ବୋଲୁଛନ୍ତି ଯୋଗେଶ୍ୱର

ନିମିଷକେ ପ୍ରବେଶିବୁ ବାରୁଣାବନ୍ତର ।

ଏତେକ କହିଣ ଦେବ ବାହାର ହୋଇଲେ

ନିମିଷ ମାତ୍ରକେ ଯାଇ ତହିଁ ପ୍ରବେଶିଲେ ।

ଗରୁଡ଼ ପିଠିରୁ ଓହ୍ଲାଇଣ ଦାମୋଦର

ଯୁଧିଷ୍ଠିରଙ୍କ ନବରେ ଯାନ୍ତି ଧୀର ଧୀର ।

ବାରତା ପାଇଲେ ଯୁଧିଷ୍ଠିର ମହାରାଣ

ଭିତରପୁରୁ ବାହାର ହୋଇଲେ ଆପଣ ।

ଖଣ୍ତେ ଦୂରରୁ ଦେଖିଲେ ଜଗତଗୋସାଇଁ

ଯୁଧିଷ୍ଠିରଙ୍କ ଚରଣେ ଓଳଗନ୍ତି ଯାଇ ।

କଲ୍ୟାଣ କରନ୍ତି ତାଙ୍କୁ ଧର୍ମର ତନୟ

ଆମ୍ଭର କଲ୍ୟାଣେ ସୁସ୍ଥ ହେଉ ତୋର କାୟ ।

ବହୁ ଧନ ଧାନ୍ୟ ତୋତେ ହେଉ ପରାପତ

କଲ୍ୟାଣ ବାଞ୍ଚ୍ଥନ୍ତି ଏହିରୂପେ ଧର୍ମ ସୁତ ।

ଭୀମାର୍ଜ୍ଜୁନ ନକୁଳ ଯେ ଆଉ ସହଦେବ

ବାରତା ପାଇଲେ ଆସିଛନ୍ତି ପଦ୍ମନାଭ ।

ସେହି ଚାରି ଭାଇ ଧାଇଁ ଅଇଲେ ବହନ

ଦେଖିଲେ ବିଜୟ କରିଛନ୍ତି ଜନାର୍ଦ୍ଦନ ।

ଶଙ୍ଖ ଚକ୍ର ଗଦାପଦ୍ମ ଚତୁର୍ଭୁଜ ହୋଇ

ଉଭା ହୋଇଣ ଅଛନ୍ତି କମଳାର ସାଇଁ ।

ତ୍ୱରିତ ଆସିଣ ତାଙ୍କ ଚରଣେ ନମିଲେ

ନାରାୟଣ ତାହାଙ୍କର କଲ୍ୟାଣ ବାଞ୍ଛିଲେ ।

ଯୁଧିଷ୍ଠିର ଆଜ୍ଞା ଦେଲେ ଶୁଣ ସହଦେବ

ଆମ୍ଭର ପୁରକୁ ବିଜେ କଲେ ପଦ୍ମନାଭ ।

ଗଙ୍ଗାନୀର ଝରିରେ ତୁ ବେଗେ ଆସ ଘେନି

ଗୋବିନ୍ଦ ଚରଣ ଧୋଇଦିଅ ଭାଇ ତିନି ।

ଆଜ୍ଞା ପାଇ ସହଦେବ ତ୍ୱରା ହୋଇଗଲା

ଗଙ୍ଗାନୀର ଘେନିଣ ସେ ବହନ ଅଇଲା ।

ସହଦେବ ବୀର ବେଗେ ପାଣି ତୋଳି ଦେଇ

ଅର୍ଜ୍ଜୁନ କୃଷ୍ଣ ଚରଣ ଧଉତ କରଇ ।

ଝୀନ ବାସ ଘେନି ପାର୍ଥ ପୋଛଇ ପୟର

ଚରଣ ଉଦକ ନେଇ କ୍ଷେପନ୍ତି ଉଦର ।

ଶ୍ରୀପୟରେ ବିଜେ କଲେ ପ୍ରଭୁ ଦାମୋଦର

ହସ୍ତ ଧରି ବସାଇଲେ ସୁବର୍ଣ୍ଣ ଖଟର ।

ଯୁଧିଷ୍ଠିର ଆଜ୍ଞା ଦେଲେ ସହଦେବ ଚାହିଁ

ମାତାଙ୍କ ଅଗ୍ରେ ଜଣାଇ ଆସ ତୁମ୍ଭେ ଯାଇ ।

ବୋଲିବ ଆମ୍ଭ ପୁରକୁ ବିଜେ ଜନାର୍ଦ୍ଦନ

ମଣୋହି ସାମଗ୍ରୀ ଯେହ୍ନେ କରନ୍ତି ବହନ ।

ଏହା ଶୁଣିଣ ନକୁଳ ଶୀଘ୍ରେ ଚଳିଗଲା

ଭିତର ପୁରେ ମାତାଙ୍କୁ ନମସ୍କାର କଲା ।

ଶିରେ କର ଦେଇଣ ସେ ବୋଲନ୍ତି ବଚନ

ଆମ୍ଭ ପୁରେ ବିଜେ କଲେ ଦେବ ଜନାର୍ଦ୍ଦନ

ମଣୋହି ସାମଗ୍ରୀମାନ ଭିଆଅ ସତ୍ୱର

ମୋତେ ହକାରିଣ ଆଜ୍ଞା ଦେଲେ ନୃପବର ।

ଏହା ଶୁଣିଣ ଉସତ ହୋଇଲେ କୁଇନ୍ତା

ସଙ୍ଖୁଳି ଅଇଲେ ଏତେକାଳେ ଜଗଜ୍ଜିତା ।

ଦ୍ରୋପଦୀକି ଆଜ୍ଞା ଦେଲେ ଭୋଜର ନନ୍ଦିନୀ

ବେଗେ ତୁମ୍ଭେ ରନ୍ଧନ ଗୋ କର ଯୋଷାମଣି ।

ଗୋବିନ୍ଦ ଆସି ଅଛନ୍ତି ଆମ୍ଭ ଭବନକୁ

ଉଛୁର ହେଉ ଅଛଇ ମଣୋହି ବେଳକୁ ।

ଶୁଣିଣ ଦ୍ରୋପଦୀ ଦେବୀ ବଡ଼ ହରଷରେ

ସ୍ନାନ କରିଣ ପଶିଲେ ରାନ୍ଧଣା ମନ୍ଦିରେ ।

ଷଡ଼ରସ ବ୍ୟଞ୍ଜନାଦି ରାନ୍ଧି ଯୋଷାମଣି

କୁଇନ୍ତାଙ୍କର ଛାମୁରେ ମିଳି ତତକ୍ଷଣି ।

ଏହା ଶୁଣି କୁନ୍ତୀଦେବୀ ହୋଇଲେ ବାହାର

ପ୍ରବେଶ ହୋଇଲେ ଯାଇ ଆସ୍ଥାନ ପାଶର ।

କୁଇନ୍ତାଙ୍କୁ ଦେଖିକରି ଉଠି ଚକ୍ରପାଣି

ତାଙ୍କ ଚରଣେ ନମନ୍ତି ଭକତିରେ ପୁଣି ।

କଲ୍ୟାଣ କରିଣ ତାଙ୍କୁ ବୋଲନ୍ତି କୁଇନ୍ତା

ଅଇଲୁ ସଙ୍ଖୁଳି ଏତେକାଳେ ଜଗଜ୍ଜିତା ।

ପଞ୍ଚ ପାଣ୍ଡବ ତୋହର ଚରଣ ଆଶ୍ରିତ

ୟାଙ୍କୁ ନିରାଶ କରିବା ନୁହଇ ଉଚିତ ।

ସର୍ବେ କହନ୍ତି ପାଣ୍ଡବେ ଜଗନ୍ନାଥ ଭୃତ୍ୟ

ଦୂର୍ଯୋଧନେ ରାଜ୍ୟଦେଇ ହୋଇଲେ ନିଶ୍ଚିନ୍ତ ।

କୁଇନ୍ତାଙ୍କର ମୁଖରୁ ଏସନକ ଶୁଣି

ପଦ୍ମ ମୁଖେ ହସି ବଦୟନ୍ତି ଚକ୍ରପାଣି ।

କିଛି ଚିନ୍ତା ତୁମ୍ଭେ ଗୋ ନକର ଏଥିପାଇଁ

ଅଧର୍ମରେ ନାଶ ଯିବେ ଗାନ୍ଧାରୀ ତନୟୀ ।

ଦୁଷ୍ଟଜନ ପାଇଁ ମୋର ରଙ୍ଗା ଅବତାର

ସବୁଙ୍କର ଏହି ଚକ୍ରେ ଛେଦିବଇଁ ଶିର ।

ଅର୍ଜୁନର ହସ୍ତେ ମୁହିଁ ଯଶ ଦିଆଇବି

ନିଶ୍ଚୟ ତା ଯୋଗେ ବଂଶ ନାଶ କରାଇବି ।

ସେ ମଲେ ପୃଥିବୀଭାରା ଉଶ୍ୱାସ ହୋଇବ

ମହାଭାରତ ସମର ନିକଟରେ ହେବ ।

ପଞ୍ଚକଟକେ ତୋ ପୁତ୍ର ହେବ ଅଧିପତି

ନ ମାଇଲେ ଉଶ୍ୟାସ ତ ନୋହେ ବସୁମତୀ ।

ମାନଗୋବିନ୍ଦର ବଂଶ ହୋଇବ ବିନାଶ

ମାତାଙ୍କୁ ପ୍ରବୋଧ ଦେଲେ ନନ୍ଦଙ୍କର ଶିଷ୍ୟ ।

ମଣୋହି କରିବା ପାଇଁ ଚାଲ ଭଗବାନ

ଉଛୁର ହେଉ ଅଛଇ ଉଠ ଜନାର୍ଦ୍ଦନ ।

ପାଞ୍ଚଭାଇଙ୍କୁ ଘେନିଣ ପ୍ରଭୁ ବ୍ରହ୍ମରାଶି

ମଣୋହି ସ୍ଥାନରେ ବେଗେ ବିଜେକଲେଆସି ।

ଖଗବର ଅଛଇ ଯେ ଗୋବିନ୍ଦ ଛାମୁର

ମଣୋହିକି ବିଜେ କଲେ ଦେବ ଦାମୋଦର ।

ସୁବର୍ଣ୍ଣ ଥାଳୀରେ ମାତା ଓରିୟା ପୁରାଇ

ସୁବାସିତ ଗବ୍ୟଘୃତ ତହିଁରେ ପକାଇ ।

ଚଉରାଶୀ ତିଅଣ ଯେ ପରଷନ୍ତି ମାୟେ

ନାନାବିଧ ଫଳ ଆଉ ସୁଧା ପାଣି ଦିଏ ।

ସନ୍ତୋଷରେ ଭୋଜନକୁ କରି ଚକ୍ରପାଣି

ଯାହା ରନ୍ଧନ କରିଛି ଦ୍ରୂପଦ ନନ୍ଦିନୀ।

ଭୋଜନ ସମ୍ପୂର୍ଣ୍ଣ ହ୍ୱନ୍ତେ ଉଠିଲେ ମାଧୋଇ

ବାସ ପାଣିରେ ଶ୍ରୀମୁଖ ଧୋଇଲେକ ଯାଇ ।

ଝୀନ ବସନ ଘେନିଣ ଶ୍ରୀମୁଖ ପୋଛିଲେ

କର୍ପୂର ବିଡ଼ିଆ ପାନ ଆନନ୍ଦେ ଭୁଞ୍ଜିଲେ ।

ଗଉରବ ପାଇ ରହିଲେକ ଦିନା ତିନି

ଅର୍ଜୁନେ ଚାହିଁ ବୋଲନ୍ତି ଦେବ ଚକ୍ରପାଣି ।

ପୂର୍ବର କଥା ଗୋଟିକ ପସୋରିଲୁ ତୁହି

ପାତାଳପୁର ବାରତା ତୋର ମନେ ନାହିଁ ।

ଗୁପତ କଥା କହିଲେ ଯହୁଁ ଦାମୋଦର

ପାସୋରିଥିଲି ବୋଲି ସେ ଯୋଡ଼ି ବେନିକର ।

ଯୂଧିଷ୍ଠିରଙ୍କ ମୂଖକୁ ଗୋବିନ୍ଦ ଚାହିଁଲେ

କରପତ୍ର ଯୋଡ଼ି ଅଗ୍ରତରେ ଜଣାଇଲେ ।

ଦ୍ୱାରକା ପୁରକୁ ଯିବି ନ ପାରିବି ରହି

ତେଣେ ମୋତେ ଲୋଡ଼ିବେଣି ରେବତୀର ସାଇଁ ।

ତହୁଁ ଯୁଧିଷ୍ଠି ବୋଇଲେ ବିଳମ୍ବ ନ କର

ମୋତେ ତୁ ନ ପାସୋରିବୁ ଦେବ ଦାମୋଦର  

ଗୋବିନ୍ଦ ବୋଇଲେ ତୁମ୍ଭେ ମୋର ପଞ୍ଚଭୂତ

ପିଣ୍ଡ ଥାଏ ଦ୍ୱାରକାରେ ପ୍ରାଣ ତବାଶ୍ରିତ ।

ଏହା ଶୁଣି ଯୁଧିଷ୍ଠିର ଆନନ୍ଦିତ ହେଲେ

ଯାଅ ବୋଲିଣ ତାହାଙ୍କୁ ହସ୍ତେ ଠାରିଦେଲେ ।

ଶ୍ରୀକୃଷ୍ଣ ବୋଇଲେ ପାର୍ଥ ଯିବେ ମୋର ସଙ୍ଗେ

ଆଜ୍ଞା ହୋଇଲେ ଅର୍ଜୁନ ଯିବେ ଏଥୁଁ ବେଗେ ।

ଯାଉ ବୋଲି ଆଜ୍ଞା ଦେଲେ ଯୁଧିଷ୍ଠିର ରାଣ

ହରି ଅର୍ଜୁନ ନମିଲେ ତାଙ୍କର ଚରଣ ।

ମାତାଙ୍କୁ ଓଳଗି ହୋଇ ବାହାର ହୋଇଲେ

ଶୁଭେ ଯାଅ ବୋଲି କୁନ୍ତୀ ଆଜ୍ଞା ତହୁଁ ଦେଲେ ।

ଭୀମ ଯେ ନକୁଳ ସହଦେବ ତିନି ଭାଇ

ଗୋବିନ୍ଦ ଚରଣ ତଳେ ପଡ଼ିଲେକ ଶୋଇ ।

ଉଠ ଉଠ ବୋଲି ଆଜ୍ଞା ଦେଲେ ଚକ୍ରଧାରୀ

ଗରୁଡ଼ ପିଠିରେ ବିଜେ ପାର୍ଥ ହାତ ଧରି ।

ତିନି ନିଶ୍ୱାସେ ଅଇଲା ତହୁଁ ଖଗେଶ୍ୱର

ଶ୍ରୀକୃଷ୍ଣ ପ୍ରବେଶ ହେଲେ ଦ୍ୱାରକା ନଗର ।

ଗରୁଡ଼ ପୃଷ୍ଠୁ ଓହ୍ଲାଇ ହରି ପାର୍ଥ ବେନି

ଭିତରକୁ ବିଜେ କଲେ ଦେବ ଚକ୍ରପାଣି ।

ବାରତା ପାଇ ରୁକ୍ମିଣୀ ଆଉ ସତ୍ୟଭାମା

ଶ୍ରୀକୃଷ୍ଣଙ୍କ ଚରଣରେ ନମି ବେନି ବାମା ।

ଆଜ୍ଞା ଦେଲେ ଠାକୁର ଯେ ଶୁଣ ବେନି ସହି

ଆମ୍ଭର ପୁରକୁ ବିଜେ ଅର୍ଜୁନ ବୀରହିଁ ।

ମଣୋହିର ବିଧି ଯେତେ ହୁଅଇ ବେଭାର

ଅତି ତ୍ୱରା ହୋଇ ତୁମ୍ଭେ ସର୍ବ ନିର୍ଭାକାର ।

ସତ୍ୟଭାମା ରୁକ୍ମିଣୀଙ୍କୁ ଦେଖିଣ ଅର୍ଜୁନ

ତ୍ୱରିତ ଯାଇ ତାଙ୍କର ବନ୍ଦିଲେ ଚରଣ ।

ଆଶୀର୍ବାଦ କଲେ ଶତ୍ରାଜିତର ତନୟି

ଅର୍ଜୁନଙ୍କୁ ଦେଖି ବାମା ଉସତ ହୁଅଇ ।

ତ୍ୱରିତ ରନ୍ଧନ କାର୍ଯ୍ୟକଲେ ସମ୍ପାଦନ

ଅର୍ଜୁନ ସଙ୍ଗେ ଭୋଜନ କଲେ ଜନାର୍ଦ୍ଦନ ।

ଏମନ୍ତ ପ୍ରକାରେ ତହିଁ କିଛି ଦିନ ଗଲା

ଦ୍ୱାରକାପୁରେ ଅର୍ଜୁନ ନିଶ୍ଚିନ୍ତେ ରହିଲା ।

ନମୋ ନମୋ ବାକ୍ୟଦେବୀ ବ୍ରହ୍ମାର ନନ୍ଦିନୀ

ବିଦ୍ୟାର ବଳେ  ମୋହିଲୁ ଦେବ ଚକ୍ରପାଣି ।

ସମସ୍ତଙ୍କ କଣ୍ଠରେ ତୁ ବିଜେ କରିଥାଉ

ତେଣୁକରି ବାକ୍ୟଦେବୀ ନାମ ତୁ ବୋଲାଉ ।

ଯାହାକୁ ତୁ ଦୟାକରୁ ଆଗୋ ଯୋଷାମଣୀ

ତିନିଲୋକ ମଧ୍ୟରେ ସେ ହୁଅଇ ଅଗ୍ରଣି ।

ନିରତେ ବାକ୍ୟ ଦେବୀଙ୍କୁ କରଇ ସ୍ମରଣ

ଅଚ୍ୟୁତ ଦାସ ଭଣଇ କୃଷ୍ଣକୀର୍ତ୍ତିମାନ ।

 

ହରିବଂଶ (ସପ୍ତମ ଖଣ୍ଡ)

ସୁଭଦ୍ରା ପରିଣୟ

ଏଥୁ ଅନନ୍ତରେ ପରୀକ୍ଷ ନାମେ ନୃପବର

ଶୁକମୁନିଙ୍କ ଚରଣେ ନମି ଶତେବାର ।

କୃତ୍ୟ କୃତ୍ୟ ହୋଇକରି ବୋଲେ ନୃପସାଇଁ

ଦୀପାବଳୀ ଘେନି ରାଜା ମୁନିଙ୍କି ବନ୍ଦଇ ।

ରାଜାର ଭକତି ଭାବ ଦେଖି ମୁନିବର

ବୋଲନ୍ତି ଆବର କିସ ପୁଚ୍ଛ ନୃପବର ।

ମୁନିଙ୍କର ଦୟାଭାବ ଦେଖିଲାକ ଯହୁଁ

କରପତ୍ର ଯୋଡ଼ିକରି ପୁଚ୍ଛେ ନୃପରାହୁ ।

ଅପୂର୍ବ କଥା ଗୋଟିଏ ପଚାରିବି ମୁହିଁ

ସାବଧାନ ଚିତ୍ତେ ମୋତେ କହିବା ଗୋସାଇଁ ।

ଗୋପନୀୟ ଭାବେ ରହିଲା ତ କଥାମାନ

ନ ପଚାରିଲେ ନ ଯିବ ମୋ ସଂଶୟମାନ ।

ନନ୍ଦ ରାଜାଙ୍କର ଯେଉଁ କନ୍ୟାଗୋଟି ଥିଲା

କେବଣ ନୃପତିକି ସେ ବିବାହ ହୋଇଲା ।

ଏହା ମୋତେ ବୁଝାଇଣ କହ ମୁନିବର

ତେବେ ସଂଶୟ ଛେଦନ ହୋଇବ ମୋହର ।

 

ରାଜାର ବଚନେ ମୁନି ଅଳପ ହସିଲେ

ନରପତିଙ୍କି ବହୁତ ପ୍ରଶଂସା କରିଲେ ।

ବୋଇଲେ ନୃପତି ତୁହି ଅଟୁ ବୁଦ୍ଧିମନ୍ତ

ତେଣୁକରି ପଚାରୁଛୁ କଥାର ତଦନ୍ତ ।

ଏକମନ ହୋଇ ତୁମ୍ଭେ ଶୁଣ ନରନାଥ

ସୁଭଦ୍ରାକୁ ବିବାହ ଯେ ହେଲେ ବୀର ପାର୍ଥ ।

ତୋହର ପିତାମହ ସେ ଅଟନ୍ତି ଯୁକତେ

ଆଜିଯାଏ ଏହା ତୁ ନ ଜାଣୁ ନରନାଥେ ।

ବିବାହ ଅନ୍ତେ ପାଣ୍ଡବେ ହୋଇଲେ ଅନ୍ୟୋନି ।

ସଂଗ୍ରାମରେ କୁରୁବଳ ମାଇଲେ ଫାଲଗୁନି ।

ପାଣ୍ଡବଙ୍କ ହସ୍ତେ କୁରୁବଳ ନାଶ ଗଲେ

ଏହା ଯେବେ ଶୁଣିବାକୁ ଇଚ୍ଛୁ ନୃପବରେ ।

ଏକମନ ହୋଈ ତେବେ ଶୁଣ ନୃପସାଇଁ

ଦିନେ ନନ୍ଦକୁ ସଙ୍ଖୁଳି ଅଇଲେ ମାଧୋଇ ।

ନନ୍ଦର ମନ୍ଦିରେ ଯାଇ ମିଳି ଦାମୋଦର

ନମସ୍କାର କଲେ ବେଗେ ନନ୍ଦର ପୟର ।

ଶ୍ରୀକୃଷ୍ଣଙ୍କୁ ଦେଖି ନନ୍ଦ ସନ୍ତୋଷ ଲଭିଲେ

ଏସନକ ସମୟରେ ଯଶୋଦା ଅଇଲେ ।

ମାତାକୁ ଦେଖିଣ କୃଷ୍ଣ ଉଠିଲେ ତଡ଼ତି

ଭକ୍ତିଭାବେ ମାତାଙ୍କର ଚରଣେ ନମନ୍ତି ।

ସ୍ନାହାନ ଭୋଜନ ତହିଁ କଲେ ନାରାୟଣ

ଆଚମନ ଶେଷ କରି ବସିଲେ ତକ୍ଷଣ ।

ମୁଖବାସ ଯୋଗାଇବା ବେଳେ ନନ୍ଦରାୟେ

ବୋଲନ୍ତି ଶୁଣ ହେ ତୁମ୍ଭେ ଦେବାଧିଙ୍କରାୟେ ।

ଆଜିଯାଏ ଅବିବାହୀ ସୁଭଦ୍ରା ରହିଲା

ତାହାର ସଦୃଶ ବର କାହିଁ ନ ମିଳିଲା ।

ଏଥକୁ କିସ ଉପାୟ କରିବ କହ୍ନାଇ

ତୋହର ବ୍ୟତୀତ ମୋର ଅନ୍ୟ ଗତି ନାହିଁ ।

ସକଳ ବନ୍ଧୁ କୁଟୁମ୍ୱ ପୁତ୍ର ଅଟ ତୁମ୍ଭେ

ତୁମ୍ଭର ବ୍ୟତୀତ ଆନ ନାହିଁ ବାସୁଦେବେ ।

ନନ୍ଦର ମୁଖକୁ ଚାହିଁ ବୋଲନ୍ତି କହ୍ନାଇ

ଥୋକେ ଦିନ ରୁହ ବର ଖୋଜିବାକ ଯାଇଁ ।

ନନ୍ଦ ବୋଇଲେ ଯୁବତୀ ହୋଇଲା ଦୁହିତା

ଦେଖିକରି ମୋର ମନେ ଲାଗେ ବଡ଼ ଚିନ୍ତା ।

ଗୋବିନ୍ଦ ବୋଇଲେ ଚିନ୍ତା ନ କର ହୋ କିଛି

ବଳରାମଙ୍କୁ ଆମ୍ଭର ପୁଚ୍ଛିବାର ଅଛି ।

ତାହାଙ୍କୁ ନ ପୁଚ୍ଛି ଆମ୍ଭେ କେମନ୍ତେ ଖୋଜିବା

ନ ଯୁଚ୍ଛିଲେ କୁପିତ ଯେ ହେବେ ବଳଦେବା ।

ଏତେ କହି କୃଷ୍ଣ ତହୁଁ ବହାର ହୋଇଲେ

ଦ୍ୱାରକା ପୁରରେ ଯାଇ ତ୍ୱରିତେ ମିଳିଲେ ।

ସତ୍ୟଭାମା ରୁକ୍ମିଣୀଏ ମିଳିଲେକ ଆସି

ତାଙ୍କୁ ଗୋବିନ୍ଦ ବୋଇଲେ ଶୁଣ ଶୁଭ୍ରକେଶି ।

ନନ୍ଦଙ୍କ କନ୍ୟା ସୁଭଦ୍ରା ନାମେ ଅଛି ନାରୀ

ଯୁବତୀ ହୋଇଣ ସେହୁ ଅଛି ତାଙ୍କ ପୁରୀ ।

ତାର ସମାନ ଆମ୍ଭକୁ ନ ମିଳିଲା ବର

ତେଣୁ ଚିନ୍ତା ଜନ୍ମିଅଛି ଆମ୍ଭର ମନର ।

ଶ୍ରୀକୃଷ୍ଣଙ୍କର ମୁଖରୁ ଏସନକ ଶୁଣି

କଥାଏ କହିବି ମୁହିଁ ବୋଇଲେ ରୁକ୍ମିଣୀ ।

ବର ଗୋଟିଏ ମୁହିଁ ତ ସ୍ଥିର କରି ଅଛି

କୋପ ଯେବେ ନ କରିବ କହିବି ଶ୍ରୀବତ୍ସି ।

ତହୁଁ ଗୋବିନ୍ଦ ବୋଇଲେ କହକିନା ମୋତେ

ରୁକ୍ମିଣୀ ବୋଲେ ଏ ପୁରେ ଅଛି ବୀର ପାର୍ଥେ ।

ନାରାୟଣ ବୋଇଲେ ଗୋ ଶୁଣ ପ୍ରାଣସହି

ପାଣ୍ଡବ ନାମେ ଚଳନ୍ତି ଦେବ ହଳସାଇଁ ।

ଆମ୍ଭ ମନକୁ ରୁଚିଲା ତୁମ୍ଭେ କହିବାରୁ

ତୁମ୍ଭେ ନ କହୁଣୁ ଆମ୍ଭେ ଜାଣିଛୁ ଆଗରୁ ।

ବଳରାମ ଭୟରେ ନ ପାରୁ ଆମ୍ଭେ କହି

ଗୋପନେ ସେ କଥା ରଖ ନ କହ ଫିଟାଇ ।

ତାହାଙ୍କୁ ନିବୃତ୍ତ କରି ପ୍ରଭୁ ଭଗବାନ

ବଳରାମଙ୍କ ପୁରକୁ ଚଳିଲେ ବହନ ।

ରାମଙ୍କୁ ଦେଖିଣ କୃଷ୍ଣ ନମସ୍କାର କଲେ

ଦୁଇ ଭାଇ ଆସ୍ଥାନର ଉପରେ ବସିଲେ ।

ଗୋବିନ୍ଦ ବୋଇଲେ ତୁମ୍ଭେ ଶୁଣ ହଳଧର

କଥାଏ ପଚାରିବାକୁ ଅଛଇ ଛାମୁର ।

ବଳୀ ବୋଇଲେ କହ ତୁ କେବଣ ଚରିତ

ଶ୍ରୀକୃଷ୍ଣ ବୋଇଲେ ଶୁଣ ରେବତୀର କାନ୍ତ ।

ନନ୍ଦଙ୍କ ଝିଅ ଅଟଇ ସୁଭଦ୍ରା ସୁନ୍ଦରୀ

ଯୁବତୀ ହୋଇ ରହିଛି ନନ୍ଦଙ୍କର ପୁରୀ ।

ବର ଖୋଜି ତାହାକୁ ନ ଦେଲ ତୁମ୍ଭେ ବିଭା

ଏଥିର ଉପାୟ ତୁମ୍ଭେ ଆମ୍ଭକୁ କହିବା ।

କ୍ଷଣେ ମାତ୍ର ତୁନି ହୋଇ ବଚନ ବୋଲନ୍ତି

ହସ୍ତିନାରେ ଅଛି ଦୂର୍ଯୋଧନ ନରପତି ।

ତାହାକୁ ଆଣି ଭଦ୍ରାକୁ ବିଭା କରାଇବା

ସୁନ୍ଦର ପଣରେ କିସ ପଟାନ୍ତର ଦେବା ।

ପନ୍ନଗ ନାରାୟଣ ସେ ପ୍ରତ୍ୟକ୍ଷ ଅଟଇ

ଶଙ୍ଖନିଧି ପଦ୍ମନିଧି ତା ହସ୍ତେ ଅଛଇ ।

ଶ୍ରୀହରି ଘରଣୀ ତାର କନ୍ଧେ ସଦା ଥାଇ

କ୍ଷଣମାତ୍ରକ ତାହାର କନ୍ଧରୁ ନ ଯାଇ ।

ଅନୁକ୍ଷଣେ ବରବେଶ ହୋଇଥାଏ ରାୟେ

ଆଠଦିନେ ଭାନୁମତୀ ପୁଣ ବିଭା ହୁଏ ।

ତାକୁ ଆଣି ସୁଭଦ୍ରାକୁ ନିଶ୍ଚେଁ ବିଭାଦେବା

ଏ କଥାରେ ଚିନ୍ତା ତୁ ନ କର ବାସୁଦେବା ।

ବିଭା ଆମ୍ଭେ କରାଇବା ଫାଲଗୁନ ମାସର

ହରି ବଳରାମ ଦୁହେଁ କଲେକ ବିଚାର ।

ବସୁଦେବ ଉଗ୍ରସେନ କହିଲେକ ଦୁହେଁ

ସବୁରି ବିଚାରେ ହେଲା ଦୂର୍ଯୋଧନ ରାୟେ ।

ଏମନ୍ତ ପ୍ରକାରେ କିଛିଦିନ ଗଲା ବହି

ବିବାହର ଉଦଯୋଗ କଲେ ଭାବଗ୍ରାହୀ ।

ଫାଲଗୁନ ମାସରେ ଯେ ଶ୍ରୀପଞ୍ଚମୀ ଦିନ

ସେ ଦିନ ବିବାହ ସ୍ଥିର କଲେ ଭଗବାନ ।

ବଳରାମ ପ୍ରଭୁ ଅନାଧୃଷ୍ଟକୁ ବୋଇଲେ

ଦୂର୍ଯ୍ୟୋଧନକୁ ବରଣ କରି ଆସ ଭଲେ ।

ଆଜ୍ଞା ପାଇ ଅନାଧୃଷ୍ଟ ବେଗେ ଚଳିଗଲା

ଦୂର୍ଯୋଧନେ ବଳରାମ ଆଜ୍ଞା ଜଣାଇଲା ।

ବରବେଶ ହୋଇ ତୁମ୍ଭେ ଆସିବ ଏକ୍ଷଣ

ସୁଭଦ୍ରାକୁ ବିଭାଦେବେ ପ୍ରଭୁ ବଳରାମ ।

ବଳଦେବଙ୍କର  ଆଜ୍ଞା ପାଇ  ଦୁର୍ଯ୍ୟୋଧନ

ଦଳ ବଳ ସଜ ହୋଇ ବାହାରେ ବହନ ।

ଏଣେ ଉପାୟ କଲେକ ଦେବ ଦାମୋଦର

ପାର୍ଥେ ସୁଭଦ୍ରା ପ୍ରଦାନ କରିଲେ ସତ୍ୱର ।

ଏଣେ କନ୍ୟାକୁ ଘେନିଣ ଅଇଲା ଅର୍ଜୁନ

ତେଣେ ବିଭା ହେବାପାଇଁ ଆସେ ଦୁର୍ଯୋଧନ ।

ତାହା ଦେଖି ଦୁର୍ଯୋଧନ ଲଜ୍ଜା ପ୍ରାପ୍ତ ହେଲା

ଅଠର କ୍ଷଉଣୀ ବଳ ଘେନି ବାହୁଡ଼ିଲା ।

ବଳରାମ ଶୁଣି ମନେ ବହୁକୋପ କଲେ

ସେହି ଦିନୁ ଅର୍ଜୁନକୁ ନ ଦେଖନ୍ତି ଭଲେ ।

ପାଣ୍ଡବଠାରେ ଅହନ୍ତା ବହି ଦୁର୍ଯୋଧନ

ତାହାଙ୍କୁ ଅନେକ କଷ୍ଟ ଦେଲା କୁରୁରାଣ ।

ବାର ବରଷ ସେମାନେ ବନରେ ରହିଲେ

ବର୍ଷେ  ତେର ଦିନ କାଳ ଅଜ୍ଞାତେ ବଞ୍ଚିଲେ ।

ସୁଭଦ୍ରା ଗର୍ଭରୁ ତୋର ପିତା ଉପୁଜିଲା

ଅଭିମନ୍ୟୁ ନାମ ସେହି ତେଣୁ ବୋଲାଇଲା ।

ଅଜ୍ଞାତ ବାସ କରିଣ ପାଣ୍ଡବେ ଅଇଲେ

ବରୁଣାବନ୍ତରେ ଆସି ଉପଗତ ହେଲେ ।

ଆପଣେ ଯାଇ ଶ୍ରୀହରି ମାଗିଲେକ ପଡ଼ା

କେବେହେଁ ବୋଲ ନ କଲା ଦୁର୍ଯୋଧନ ମୂଢ଼ା ।

ଦୁର୍ଯ୍ୟୋଧନ ରାଜା ଯୁଦ୍ଧ ଆରମ୍ଭ ପାଞ୍ଚିଲା

ଅଠର କ୍ଷଉଣୀ ବଳ ଘେନିଣ ସାଜିଲା ।

ସାତ ଅକ୍ଷୌହିଣ ବଳ ଘେନି ପଣ୍ଡୁସୁତେ

ସମର ଆରମ୍ଭ କଲେ କୌରବ ସହିତେ ।

ବରଯାତ୍ରୀ ହୋଇ ଯାଇଥିଲେ ଯେତେ ରାଜା

ଯୁଦ୍ଧ ନିମନ୍ତେ ତାହାଙ୍କୁ କରାଇଲା ସଜ୍ଜା ।

ଦଶଦିନ ଭୀଷ୍ମଦେବ ଯୁଦ୍ଧ ଆରମ୍ଭିଲେ

ଦଶଦିନ ଅନ୍ତେ ସେହୁ ଶର ଶଯ୍ୟା କଲେ ।

ଦ୍ରୋଣାଚାର୍ଯ୍ୟ ପାଞ୍ଚଦିନ ହେଲେ ମହାରଥୀ

ଶକଟ ବୋଲିଣ ବ୍ୟୁହ କଲେ ମହାକ୍ଷତ୍ରୀ ।

ଜଳନ୍ଧର ବ୍ୟୁହେ ଗଲେ ହରି ପାର୍ଥ ବେନି

ତୋହର ପିତା ଶକଟେ ପଶିଲେକ ପୁଣି ।

କପଟରେ ଦୁଃଶା ତୋର ପିତାକୁ ମାଇଲା

ନବଦ୍ୱାରେ ତୋର ପିତା ପ୍ରାଣ ବିସର୍ଜିଲା ।

ପାଞ୍ଚଦିନ ଯୁଦ୍ଧକରି ଦ୍ରୋଣ ନାଶଗଲା ।

ଦୁଇ ଦିନର ଯୁଦ୍ଧରେ କର୍ଣ୍ଣ ପ୍ରାଣ ଦେଲା ।

ଭୀମ ଗଦାଘାତେ ଦୁର୍ଯ୍ୟୋଧନ ଶତେ ଭାଇ

ଲକ୍ଷ୍ମଣ କୁମର ଗଦାଘାତେ ଛେଦି ହୋଇ ।

ଅର୍ଦ୍ଧ ଦିବସ ଯୁଦ୍ଧରେ ଶଲ୍ୟ ନାଶ ଗଲା

ଗଦାଯୁଦ୍ଧ କରିଣ ସେ ଦୁର୍ଯ୍ୟୋଧନ ମଲା ।

ଏ ରୂପେ ଅଠର ଦିନ ହୋଇଲା ସଂଗ୍ରାମ

ଦୁଷ୍ଟ ରାଜାମାନେ ଯୁଦ୍ଧେ ହରାଇଲେ ପ୍ରାଣ ।

ଅଶ୍ୱତ୍‌ଥିାମା ତୋ ମାତାକୁ ଶର ନିକ୍ଷେପିଲେ

ତାହାର ନିକ୍ଷିପ୍ତ ଶର ପଶିଲା ଗର୍ଭରେ ।

ଗର୍ଭରେ ପଶନ୍ତେ ତୁହି ହରାଇଲୁ ଜ୍ଞାନ

ତେତେବେଳେ ତୋତେ ରକ୍ଷାକଲେ ନାରାୟଣ ।

ତେଣୁକରି ତୋର ପରୀକ୍ଷିତ ନାମ ଦେଲେ

ଚକ୍ର ଘୋଡ଼ାଇଣ ନାରାୟଣ ରକ୍ଷାକଲେ ।

ଦୁର୍ଯୋଧନ ରାଜବଂଶ ନିଃଶେଷ କରିଣ

ପାଣ୍ଡିବ ରାଜତ୍ୱ କଲେ ହସ୍ତିନା ପୁରେଣ ।

ଶୁଣିଲୁଟିକି ହୋ ପରୀକ୍ଷିତ ନୃପବର

ପୃଥୀଭରା ଉଶ୍ୱାସିଲେ ଦେବ ଦାମୋଦର ।

ଯୁଧିଷ୍ଠିରଙ୍କୁ କଟକେ କଲେ ଅଧିପତି

ନିଶ୍ଚିନ୍ତେ ରାଜତ୍ୱ କଲେ ଯୁଧିଷ୍ଠି ନୃପତି ।

କୋପ କରିଣ ଗାନ୍ଧାରୀ କୃଷ୍ଣେ ଶାପଦେଲା

ତୋହଯୋଗେ ପୁତ୍ରଙ୍କର ପ୍ରାଣନାଶ ହେଲା ।

ତେଣୁକରି ତୋତେ ମୁହିଁ ଶାପ ଦେଉଅଛି

ଦିଗପାଳେ ସାକ୍ଷୀ ରଖି ଏହା ମୁଁ କହୁଛି ।

ତୋହର ବଂଶ ତୋହର ଆଗେ ଯାନ୍ତୁ ନାଶ

ଶ୍ରୀକୃଷ୍ଣଙ୍କୁ ଶାପ ଦେଲା ବହି ଅମରୀଷ ।

ସେହି ଦିନୁ କୃଷ୍ଣ ମନେ ଚିନ୍ତିତ ହୋଇଲେ

କାହାରି ଆଗରେ ସେହି କଥା ନ କହିଲେ ।

ଯାହା ତୁ ପଚାରିଥିଲୁ ଶୁଣିଲୁ କି ରାୟେ

ସୁଭଦ୍ରା ବିବାହ ଶୁଣି ପାପ କର କ୍ଷୟେ ।

କରପତ୍ର ଯୋଡ଼ି ରାଜା କରଇ ବିନତି

ଏଥିର ଉତ୍ତାରେ କିସ କଲେ ଲକ୍ଷ୍ମୀପତି ।

ମୁନି ବୋଇଲେକ ଶୁଣ ଏବେ ହୋ ରାଜନ

ହସ୍ତିନାପୁରୁ ଅର୍ଜୁନେ ଆଣିଲେ ମୋହନ ।

ଥୋକେ ଦିନ ପାର୍ଥ ଦ୍ୱାରକାରେ ଛନ୍ତି ରହି

ଗୋବିନ୍ଦ ତାଙ୍କୁ ଆଣିଲେ ସନ୍ନିଧିକୁ ରାଇ ।

ଚାଲ ପାତାଳ ପୁରକୁ ବେଗେ ଦୁହେଁ ଯିବା

ସେ ନାରାୟଣ ବିଷ୍ଣୁଙ୍କୁ ଦର୍ଶନ କରିବା ।

ଆଜ୍ଞା ଦେଇଥିଲେ ସେହୁ ଆମ୍ଭେ ଯିବାପାଇଁ

ଦରଶନ କରି ଆସିବାକ ବେଗ ହୋଇ ।

ଶ୍ରୀକୃଷ୍ଣଙ୍କର ମୁଖରୁ ଏସନକ ଶୁଣି

କରପତ୍ର ଯୋଡ଼ି ବଦୟନ୍ତି ଫାଲଗୁନି ।

ମୋହର ଯେ କିସ ଇଚ୍ଛା ପଚାରୁଛ ମୋତେ

ତୁମ୍ଭର ଇଚ୍ଛା ଅନ୍ୟଥା ନୁହେଁ କଦାଚିତେ ।

ଅର୍ଜୁନର ବାକ୍ୟ ଶୁଣି ଗୋବିନ୍ଦ ଉଠିଲେ

ହରି ଅର୍ଜୁନ ସେଠାରୁ ବେଗେ ଚଳିଗଲେ ।

ପାତାଳ ପୁରେ ମିଳିଲେ ଅତି ତ୍ୱରା ହୋଇ

ରଥରୁ ଓହ୍ଲାଇ ପଶିଲେକ ଭବଗ୍ରାହୀ ।

ନିରାକାର ବିଷ୍ଣୁଙ୍କର ନମିଲେ ପୟରେ

ନମସ୍କାର କଲେ ଯାଇ ବିଷ୍ଣୁ ସନ୍ନିଧିରେ ।

ତାହାଙ୍କୁ କଲ୍ୟାଣ କଲେ ନିରଞ୍ଜନ ଦେହୀ

ବୋଇଲେ ଏତେ ବିଳମ୍ୱ କଲ କାହିଁପାଇଁ ।

ପୃଥିବୀର ମହାଭାରା ହୋଇଲା ଉଶ୍ୱାସ

ଦୁଆପର ଯୁଗ ଆସି ହୋଇଲାକ ଶେଷ ।

ମର୍ତ୍ତ୍ୟରେ ଥିବା ତୁମ୍ଭର ଉଚିତ ନୁହଇ

ହରି ପାର୍ଥ ବଳରାମ ଆସ ବେଗ ହୋଇ ।

ଯେତେବେଳେ ଦ୍ୱାରକାରୁ ହୋଇବୁ ବାହାର

ଦ୍ୱାରକା ପୁର ବୁଡ଼ାଇ ଦେବୁ ତୁ ଜଳର ।

ବଳଦେବ ଆସିବେ ଯେ ଅତି ତ୍ୱରା ହୋଇ

ତୋହର ଆସନ୍ତେ ତୁଚ୍ଛା ହୋଇବ ସେ ମହୀ ।

ମାନବେ ଯାଇଣ ବାସ କରିବେ ତହିଁରେ

ଏଣୁକରି ସେ ପୁର ତୁ ବୁଡ଼ାଅ ଜଳରେ ।

କୁଶସ୍ଥଳୀ ଦ୍ୱାରକା ଯେ ଅଟେ ନାମ ତାର

ଅବତାର ପାଇଁ କରିଅଛି ବେଦବର ।

କୃଷ୍ଣ ଅବତାରେ ଲୀଳା କର ଭଗବାନ

ତେଣୁ କରିଣ ଦ୍ୱାରକା ଅଟେ ଗୁପ୍ତ ସ୍ଥାନ ।

ସେହି ପୁରକୁ ଅବଶ୍ୟ ଜଳେ ଭସାଇବ

ଏହି ପାତାଳପୁରକୁ ତ୍ୱରିତେ ଆସିବ ।

ନିରାକାର ବିଷ୍ଣୁ ମୁଖୁ ଏସନକ ଶୁଣି

କରପତ୍ର ଯୋଡ଼ି ବଦୟନ୍ତି ବେନୁପାଣି ।

ତୁମ୍ଭର ଆଜ୍ଞା ପ୍ରମାଣେ ଏତେକ କରିବୁ

କୁଶସ୍ଥଳି ଦ୍ୱାରକାକୁ ଜଳେ ବୁଡ଼ାଇବୁ ।

ପୃଥିବୀରେ ଯେତେକ ବା ଦୁଷ୍ଟ ଜୀବ ଥିଲେ

ତୋହର ହିଁ କୃପାରେ ସେ ସର୍ବେ ନାଶଗଲେ ।

ଆଉ ତ ପୃଥୀରେ ଦୁଷ୍ଟ ଜୀବ କେହି ନାହିଁ

ତୁହି ରହି ମହାସୁଖ ଭୋଗକଲୁ ତହିଁ ।

ତୋହର ପୁତ୍ର ନାତିଏ ଅଛନ୍ତି କି ଭଲେ

ସାତବଂଶ ଯାଦବ କି ଅଛନ୍ତି କୁଶଳେ ।

ଯଦୁବଂଶ ଯେବେ ଥିବେ ପୃଥିବୀ ମଣ୍ଡଳେ

ପୃଥିବୀଦେବୀ ଉଶ୍ୱାସ ନୁହେଁ କେତେବେଳେ ।

ତୋହର ସେ ପୁତ୍ର ନାତି ଯେତେକ ଅଛଇ

ତାଙ୍କୁ ଜିଣିବାକୁ ପୃଥ୍ୱୀ ମଧ୍ୟେ କେହି ନାହିଁ ।

ସେମାନେ ଥିଲେ ପୃଥିବୀ ନୋହିବ ଉଶ୍ୱାସ

ସେମାନଙ୍କୁ ନିବାରଣ କର ପୀତବାସ ।

ପୂର୍ବେ ଗାନ୍ଧାରୀ ଦେବୀର ଶାପ ତୋତେ ଅଛି

ଯୋଗବଳରେ ଆମ୍ଭକୁ ଦୃଶ୍ୟ ହେଉଅଛି ।

ଆହୁରି କଥା ଗୋଟାଏ ଶୁଣ ନରହରି

ଶାପ ଦେଇଛି ଦୁର୍ବାସା ନାମେ ତପଚାରୀ ।

ଏବେ ତୋତେ ସେହି କଥା ମେଣ୍ଟଣ ନୋହିବ

ତୋହର ବଂଶ ତୋହର ଆଗେ କ୍ଷୟଯିବ ।

ପଛରେ ଜରାଶବର ବିନ୍ଧିବଟି ବାଣ

ସେ ବାଣେ ଦେହ ତେଜିବୁ ଦେବ ନାରାୟଣ ।

ନିଦା ବିଷ୍ଣୁଙ୍କ ମୂଖରୁ ଏସନକ ଶୁଣି

ବିସ୍ମୟରେ ମନ ମଧ୍ୟେ ଭାଳେ କମ୍ୱୁପାଣି ।

ପଦ୍ମବନ ପରାୟେକ ବଢ଼ିଲେ ମୋ ବଂଶ

ଦଇବ ବଳେ ସେମାନେ ସର୍ବେ ଯିବେ ନାଶ ।

ଏଣେ ବିଚାର କରନ୍ତି ଦେବ ଚକ୍ରଧର

ଯାଅ ଯାଅ ବୋଲି ଆଜ୍ଞା ଦେଲେ ନିରାକାର ।

ତାହାଙ୍କ ବଚନେ ହରି ଅର୍ଜୁନ ଉଠିଲେ

ପ୍ରଭୁଙ୍କ ଚରଣରେ ନମସ୍କାର କଲେ ।

ପାତାଳପୁରୁ ଅଇଲେ ଅତି ବେଗ ହୋଇ

ବିବରଦ୍ୱାରେ ରଥରେ ବସି ଭାବଗ୍ରାହୀ ।

ତତକ୍ଷଣେ ଦ୍ୱାରକାରେ ହୋଇଲେ ପ୍ରବେଶ

ରଥ ଉପରୁ ଓହ୍ଲାଇ ଗଲେ ପୀତବାସ ।

ଅର୍ଜୁନ ବୀରର ହସ୍ତ ଧରି ଭାବଗ୍ରାହୀ

ଚନ୍ଦ୍ରଶାଳାପୁରେ ବିଜେ କଲେ ବେଗେ ଯାଇ ।

ବାର୍ତ୍ତା ପାଇଣ ଅଇଲେ ଯାଦବ କୁମରେ

ତହିଁ କୃଷ୍ଣର କୁମରେ ଆସିଣ ମିଳିଲେ ।

ଲକ୍ଷେ ଷାଠିଏ ଅଟନ୍ତି କୃଷ୍ଣର ନନ୍ଦନ

ସମସ୍ତେ ନମିଲେ ହରି ଅର୍ଜୁନ ଚରଣ ।

ହରି ଅର୍ଜୁନ ତାଙ୍କର କଲ୍ୟାଣ ବାଞ୍ଛିଲେ

ପୁତ୍ରକୁ ଚାହିଁଣ କୃଷ୍ଣ ବିସ୍ମୟ ହୋଇଲେ ।

ପଦ୍ମବନର ପରାୟେ ବଢ଼ିଲେ ମୋ ବଂଶ

ଏକାବେଳକେ ଦଇବ କରିବ ବିନାଶ ।

ଏତେ ବିଚାରି ବିକଳ ହ୍ୱନ୍ତି ଭାବଗ୍ରାହୀ

ହୃଦୟର ବେଦନା ସେ ନ ପାରନ୍ତି କହି ।

କୁମରଙ୍କୁ ବୋଇଲେକ ଯାଅ ବେଗେ ଚଳି

ଗାଣ୍ଡିବଧାରୀ ଅର୍ଜୁନ ଅଇଲେ ମୋ ପୁରୀ ।

ଅର୍ଜୁନଙ୍କୁ ଘେନି ସ୍ନାନ କଲେ ନାରାୟଣ

ଷଟ ପ୍ରକାର ରସରେ କରନ୍ତି ଭୋଜନ ।

ଭୋଜନ ଶେଷେ ସେମାନେ ଆଚମନ କଲେ

ଝୀବସନ ଘେନିଣ ଶ୍ରୀମୁଖ ପୋଛିଲେ ।

ଦ୍ୱାରକାରେ କିଛିଦିନ ରହିଲେ ଅର୍ଜୁନ

ତେଣେ ପାର୍ଥକୁ ସ୍ମରିଲେ ଧର୍ମର ନନ୍ଦନ ।

ଅର୍ଜୁନକୁ ସୁମରନ୍ତେ ଉଚ୍ଚାଟ ଲାଗିଲା

ଗୋବିନ୍ଦଙ୍କର ଛାମୁରେ ସବୁ ଜଣାଇଲା ।

ହସ୍ତିନାପୁରକୁ ଯିବି ଆଜ୍ଞା ଦିଅ ମୋତେ

ଅର୍ଜୁନକୁ ଚାହିଁ ବଦୟନ୍ତି ପଦ୍ମନେତ୍ରେ ।

ନିରାକାର ମହାପ୍ରଭୁ ଯେଉଁ ଆଜ୍ଞା ଦେଲେ

ସେହି କଥା ଅର୍ଜୁନ ତୁ ଶୁଣିଅଛୁ ଭଲେ ।

ସେ କଥା ଗୋଟିକ ବାବୁ ହୃଦେ ଧରିଥିବୁ

କାହାର ଆଗରେ ପରକାଶ ନ କରିବୁ ।

ଯେତେବେଳେ ମୋର ବଂଶ କରିବି ମୁଁ ନାଶ

ତହିଁକି ତୁ ଲୟେ କରିଥିବୁ ପଣ୍ଡୁ ଶିଷ୍ୟ ।

ଯେବେ ଶବର ବାଣରେ ନାଶଯିବ ମୁହିଁ

ସେ କଥା ଗୋଟିକ ଲୟେ କରିଥିବୁ ତୁହି ।

ମୋହର ପିଣ୍ଡରୁ ପ୍ରାଣ ଯେତେବେଳେ ଯିବ

ସମୁଦ୍ର କୂଳେ ମୋ ପିଣ୍ଡ ଦହନ କରିବ ।

ଆପେ ଧନୁ ଧରି ତୁହି ଦ୍ୱାରକା ଆସିବୁ

ମୋ କୁଟୁମ୍ୱ ସମ୍ଭାଳିଣ ହସ୍ତିନାକୁ ନେବୁ ।

ଏହା ଶୁଣିଣ ଅର୍ଜୁନ କମ୍ପେ ଥରହର

ବେନି ନୟନୁ ଲୋତକ ଗଡ଼େ ଝର ଝର ।

ହେ ଦୈବ ପୁରୁଷ ଏହା ବିଚାରିଲୁ ତୁହି

ଶ୍ରୀକୃଷ୍ଣ ଗଲେ କି ମୁହିଁ ଦେହ ଧରିବଇଁ ।

ଶ୍ରୀକୃଷ୍ଣ ବିହୀନେ ମୁହିଁ ହୋଇବି ଅନାଥ

ଜଗତେ ଶୁଭେ ପାଣ୍ଡବ ଜଗନ୍ନାଥ ଭୃତ୍ୟ ।

ଅରଜୁନର ବିକଳ ଜାଣି ଚକ୍ରପାଣି

ବୋଇଲେ ସେ କାହିଁ ପାଇଁ ଭାଳୁ ବୀରମଣି ।

ତୁହି ମୋର ପଞ୍ଚଭୂତ ଆତ୍ମାର କାରେଣୀ

ପିଣ୍ଡ ଗଲେ ପ୍ରାଣ କାହିଁ ସମ୍ଭାଳିବ ପୁଣି ।

ମୁହିଁ ପିଣ୍ଡ ଅଟଇ ତୁ ମୋର ପଞ୍ଚପ୍ରାଣ

ଏହି କଥା ଅର୍ଜୁନ ତୁ ଦୃଢ଼କରି ଜାଣ ।

ତୋତେ ଛାଡ଼ି ନ ପାରଇ ମୁହିଁ କଦାଚିତେ

ପ୍ରତି ଅବତାରେ ଥାଉ ମୋହର ସଙ୍ଗତେ ।

ଏତେ କହି ଅର୍ଜୁନକୁ ପ୍ରବୋଧ ସେ କଲେ

ଦିବ୍ୟ ରଥ ଗୋଟିଏକ ସଜାଜିଣ ଦେଲେ ।

ଓଳଗି ମେଲାଇ ପାର୍ଥ ବାହାର ହୋଇଲେ

ରଥରେ ଚଢ଼ିଣ ହସ୍ତିନାକୁ ଚଳିଗଲେ ।

ନିଜପୁରେ ପରବେଶ ହୋଇଲେକ ଯାଇ

ଯୁଧିଷ୍ଠିର ପାଦେ ନମସ୍କାର ସେ କରଇ ।

ଶ୍ରୀକୃଷ୍ଣଙ୍କର ଚରିତ ସମସ୍ତ କହିଲେ

ନିଶ୍ଚିନ୍ତ ହୋଇଣ ତହିଁ ଅର୍ଜୁନ ରହିଲେ ।

ଶୁଣ ହୋ ପରୀକ୍ଷା ରାଜା ଶୁକମୁନି ଭଣି

ପବିତ୍ର ଗଙ୍ଗାଜଳ ଏ ଭାଗବତ ବାଣୀ ।

କର୍ଣ୍ଣରେ ଶୁଣିଲେ ସର୍ବ ପାପ ହୁଏ ଧ୍ୱଂସ

ଅଚ୍ୟୁତ ଦାସକୁ ତ୍ରାହି କର ପୀତବାସ ।

 

କୃଷ୍ଣ ପୁତ୍ରମାନଙ୍କୁ ଦୁର୍ବାସା ଋଷିଙ୍କର ଅଭିଶାପ ଓ ଦ୍ୱାରକାଭୁବନରେ ଉତ୍ପାତ ଦର୍ଶନ

ଏଥୁ ଅନନ୍ତରେ ପୁଣି ଶୁକପାଦେ ପୂଜା

କରିଣ ବିନୟେ ପୁଛେ ପରୀକ୍ଷିତ ରାଜା ।

ଅର୍ଜୁନ ହସ୍ତିନାପୁରେ ହୁଅନ୍ତେ ପ୍ରବେଶ

ଦ୍ୱାରକା ଭୁବନେ କିସ କଲେ ହୃଷିକେଶ ।

ଏ କଥା ବିସ୍ତାରି ମୋତେ କହ ମୁନିବର

ଶ୍ରୀହରି ଚରିତ ଶୁଣି ଭବୁଁ ହେବି ପାର ।

ରାଜାର ବିନୟ ଦେଖି ବୋଲନ୍ତି ସେ ଋଷି

ସ୍ୱର୍ଗ ସଭା ମଣ୍ଡାଇଣ ସୁରପତି ବସି ।

ବୃହସ୍ପତିଙ୍କ ମୁଖକୁ ଚାହିଁଣ ପୁଛଇ

ଶ୍ରୀକୃଷ୍ଣ ଆସିବେ କେବେ ସ୍ୱର୍ଗପୁରକୁହିଁ ।

ବୃହସ୍ପତି ବୋଇଲେକ ଆସିବେ ସତ୍ୱର

ଦୁର୍ବାସା ଋଷି ଯାଆନ୍ତୁ ବେଗେ ମର୍ତ୍ତ୍ୟପୁର ।

ସଙ୍ଖୁଳିବାକୁ କୃଷ୍ଣଙ୍କୁ ମର୍ତ୍ତ୍ୟପୁରେ ଯିବେ

ତାହାଙ୍କ କୁମରମାନେ ବାଟରେ ଭେଟିବେ ।

ବାଳୁତ କୁମରମାନେ ଖେଳୁଥିବେ ରଙ୍ଗେ

କୌପୀନ ପିନ୍ଧ ବିଭୂତି ଲେପି ହୋଇ ଅଙ୍ଗେ ।

କୃଷ୍ଣ ନାମ ଗାଇ ଯାଉଥିବେ ଧୀରେ ଧୀରେ

ବାଳୁତ ମନୁଷ୍ୟ ଯାଇ ଯେମନ୍ତ ପ୍ରକାରେ ।

ସେହି ପରକାରେ ଯାଉଥିବେ ମହାଋଷି

ତାହାଙ୍କୁ ଦେଖିବେ ସେହି ଶ୍ରୀକୃଷ୍ଣର ଶିଷି ।

ହସିବାର ଦେଖି ଋଷି କୁପିତ ହୋଇବେ

ସେହିକ୍ଷଣି ସେ ପୁତ୍ରଙ୍କୁ ଅଭିଶାପ ଦେବେ ।

ବୃହସ୍ପତି କହନ୍ତେଣ ଏସନକ ବାଣୀ

ସ୍ୱର୍ଗୁ ଓହ୍ଲାଇ ଅଇଲେ ତହୁଁ ମୁନିମଣି ।

ଦେବଙ୍କର ବଚନରେ ଉଦବେଗ ଗଲେ

ଦ୍ୱାରକାପୁରକୁ ସେହୁ ତ୍ୱରିତେ ଚଳିଲେ ।

ନବରଙ୍ଗେ ବେଶ ହୋଇ ଯାଉଛନ୍ତି ମୁନି

ଅଚ୍ୟୁତ ଗୋବିନ୍ଦ ନାମ ସ୍ମରି ଚକ୍ରପାଣି ।

ବାଇର ପରାୟେ ଦିଶୁଛନ୍ତି ମୁନିବର

ଖଣ୍ଡେ ଦୂରରୁ ଦେଖିଲେ କୃଷ୍ଣଙ୍କ କୁମର ।

ଦଇବର ଭିଆଣ ବା କେ କରିବ ଆନ

ଆପଣେ ଭିଆଣ କରିଛନ୍ତି ନାରାୟଣ ।

ପ୍ରଦ୍ୟୁମ୍ନ ବୋଲନ୍ତି ଶୁଣ ଆରେ ଶାମ୍ବ ଗଦ

ଦେଖ ଦେଖ କେଉଁରୂପେ ଆସେ ମୁନିବୃଦ୍ଧ ।

ଉପହାସ କରି କଥାଏକ ପଚାରିବା

ତୋତେ ଗର୍ଭବତୀ ସ୍ତିରୀ ପରାୟେ କରିବା ।

ଏତେ କହିଣ ଶାମ୍ବକୁ ନାରୀବେଶ କଲେ

ସ୍ତିରୀବେଶ କରାଇଣ ବସ୍ତ୍ର ପିନ୍ଧାଇଲେ ।

ଗୁପତ ଭାବରେ ଲତା ଭିତରେ ରଖିଲେ

ତଦନ୍ତରେ ଯାଇ ମୁନି ପାଶରେ ମିଳିଲେ ।

ହରଷ ମନରେ ଯାଉଛନ୍ତି ମୁନିବର

ଆଗେ ଯାଇ ଓଗାଳିଲେ ପ୍ରଦ୍ୟୁମ୍ନ କୁମର ।

ନମସ୍କାର କରି ତାଙ୍କୁ ବିନୟରେ କହି

ବୋଲନ୍ତି ହେ ସାବଧାନେ ଶୁଣନ୍ତୁ ଗୋସାଇଁ ।

ଆମ୍ଭର ଏ ସ୍ତିରୀଗୋଟି ଗର୍ଭବାସ ହେଲା

କି କାରଣେ ଏତେ ଦିନେ ପ୍ରସବ ନୋହିଲା ।

ଅପାର କାଳରୁ ହୋଇଲାଣି ଅସକତ

ପୁତ୍ରକି ଦୁହିତା ହେବ ନ ପାଉଁ ତଦନ୍ତ ।

ମୁନି ବୋଇଲେ ଆଣ ହୋ ସେ ନାରୀତୁରିତେ

ପୁତ୍ର କି ଦୁହିତା ହେବ ଦେଖିବାଟି ନେତ୍ରେ ।

କୁମର ବୋଇଲେ ସେହୁ କେଭେ ନ ଆସଇ

ତୁମ୍ଭେ ସର୍ବଜ୍ଞ ପୁରୁଷ ଅଟ ପୁଣ୍ୟଦୋହୀ ।

ପରିହାସ କଥା ବୋଲି ଜାଣି ମୁନିବର

ବୋଇଲେ ସ୍ତିରୀର ଗର୍ଭେ ଅଛଇ କୁମର ।

ଆମ୍ଭେ ତ ସର୍ବଜ୍ଞ ତାହା ଜାଣିଲୁ ପ୍ରମାଣି

ଏ ଗର୍ଭରେ ଅଛି ଲୌହ ଶୂଳ ପୁଣି ।

ଏହିକ୍ଷଣି ସେହି ନାରୀ ପ୍ରସବ କରିବ

ସେ ଲୌହ ମୂଷଳେ ତୁମ୍ଭ ବଂଶ ନାଶ ଯିବ ।

ଯଦୁବଂଶଯାକ ତୁମ୍ଭେ ଲଭିବ ବିନାଶ

କୋପବହି ଶାପ ତାଙ୍କୁ ଦେଲେ ବ୍ରହ୍ମଶିଷ୍ୟ ।

ଅଭିଶାପ ଦେଇ ମୁନି ବେଗେ ଚଳିଗଲେ

ଦ୍ୱାରକା ଭୁବନେ ଯାଇ ପ୍ରବେଶ ହୋଇଲେ ।

ଦେଖିଲେ ସେ ଉଗ୍ରସେନ ବସିଛି ଆସ୍ଥାନେ

ସାତବଂଶ ଅଛନ୍ତି ଯେ ତାଙ୍କ ସନ୍ନିଧାନେ ।

ଉଦ୍ଧବ ଅକ୍ରୂର ବସୁଦେବଙ୍କ ସହିତେ

ରାମକୃଷ୍ଣ ବସିଛନ୍ତି ତାହାଙ୍କ ସଙ୍ଗତେ ।

ନନ୍ଦରାଜା ଆସିଅଛି ସଙ୍ଖୁଳିବା ପାଇଁ

ଏମନ୍ତ ବେଳେ ମିଳିଲେ ଯାଇଁ ମୁନିସାଇଁ ।

ମୁନିବରଙ୍କୁ ଦେଖିଣ ସମସ୍ତେ ଉଠିଲେ

ଏକାବେଳକେ ସମସ୍ତେ ନମସ୍କାର କଲେ ।

କଲ୍ୟାଣ କରିଣ ବସିଲେକ ମୁନିବର

ଉଗ୍ରସେନେ ପୁଚ୍ଛି ରାଜବିଧି ସମାଚାର ।

ସମସ୍ତ କୁଶଳ କହିଲେକ ନରସାଇଁ

କୃଷ୍ଣଙ୍କୁ ଦେଖି ପୁଚ୍ଛନ୍ତି ସେ ମୁନି ଗୋସାଇଁ ।

ତୋର ଶରୀର କୁଶଳେ ଅଛିଟି କି ହରି

ସେ ବୋଇଲେ ତୁମ୍ଭ ହେତୁ କୁଶଳ ମୋହରି ।

ଶୁକ ବଇଲେକ ଶୁଣ ଆହେ ମହୀପାଳ

ଲୌହ ଦେଖି ଭୟ କଲେ ଶ୍ରୀକୃଷ୍ଣର ବାଳ ।

ଯେଉଁ ଲୌହେ ଯଦୁକୁଳ ବିନାଶ ଲଭିବ

ଯାହା ସେ ଭିଆଣ କରି ଅଛି ଦଇବ ।

ମୁନିଙ୍କର ଅଭିଶାପ ଅନ୍ୟଥା ନୁହଇ

ଆଗହୁଁ ଦଇବ ତାହା ଅଛଇ ଭିଆଇ ।

ଲୌହ ତେଜ ଦେଖିକରି ସର୍ବେ ଭୟ କଲେ

କୃଷ୍ଣଙ୍କୁ ଦେଖାଇବାକୁ ମନେ ବିଚାରିଲେ ।

ପ୍ରଦ୍ୟୁମ୍ନ ଶାମ୍ବର ମୂଳେ ସକଳ ନନ୍ଦନ

ଉଗ୍ରସେନର ସଭାରେ ମିଳିଲେ ବହନ ।

ରାମକୃଷ୍ଣଙ୍କୁ ଦେଖିଣ ଓଳଗି ଶୋଇଲେ

ଖେଳର ଚରିତ ମାନ ସକଳ କହିଲେ ।

ପୁଣ୍ଡରୀକ ତୀର୍ଥେ ଖେଳୁଥିଲୁଁ ମହାହର୍ଷେ

ଶାମ୍ବେ ନାରୀବେଶ କରିଥିଲୁଁ ରଙ୍ଗରସେ ।

ଲୌହର ପାତ୍ର ଗୋଟିଏ ଗର୍ଭେ ଥିଲୁ ଦେଇ

ଗର୍ଭବତୀ ସ୍ତିରୀ ପ୍ରାୟ ଦିଶିଲାକ ସେହି ।

ନବରଙ୍ଗେ ଚାଲି ଆସିଥିଲେ ମୁନିବର

କଉତୁକେ ପୁଚ୍ଛା କଲୁଁ ତାହାଙ୍କ ଛାମୁର ।

ପୁତ୍ର ଦୁହିତା କି ଅଛି ଏହାର ଗର୍ଭରେ

ବିଚାର କରିଣ ଏବେ କହ ମୁନିବରେ।

ଉପହାସ ପ୍ରାୟ ତାହା ମଣିଲେକ ଋଷି

ଏବା ଗର୍ଭେ ପୁତ୍ର ଅଛି ଜାଣିଲୁ ବିଶେଷି ।

ଏହିକ୍ଷଣି ନାରୀବର ପ୍ରସବ କରିବ

ଜନମ ହୋଇଲେ ତୁମ୍ଭ ବଂଶ ନାଶ ଯିବ ।

ଏହି ଅଭିଶାପ ଦେଇ ମୁନି ଚଳିଗଲେ

ଶାମ୍ବର ବସନ ଫେଡ଼ି ପକାଇଲୁ ହେଳେ ।

ଲୌହର ଶୂଳ ଗୋଟିଏ ଭୂମିରେ ପଡ଼ିଲା

ପ୍ରଳୟ ଅଗ୍ନି ପରାୟେ ତେଜ ବିକାଶିଲା ।

ତାହା ଦେଖି ଆମ୍ଭେମାନେ ଚିତ୍ତେ ଭୟକରି

ତୁମ୍ଭର ଛାମୁରେ ଆସି କହିଲୁ ବିଚାରି ।

ଏମନ୍ତ ଶୁଣି ଶ୍ରୀକୃଷ୍ଣ ମନେ ବିଚାରିଲେ

ଦଇବର ଘଟସୂତ୍ର ଘଟେ ଏତେକାଳେ ।

ମହାଋଷିଙ୍କ ବଚନ ଅନ୍ୟଥା ନୁହଇ

ବ୍ରହ୍ମ-ଶାପ କିଏ ଅବା ମେଣ୍ଟେ ଦେହ ବହି ।

ଯୁଗ ଅବଶେଷେ ଆସି ହୋଇଲାକ ଯହୁଁ

ଦଇବ ପୁରୁଷ ତାହା ବିଚାରିଲେ ତହୁଁ ।

ଆସ୍ଥାନ ଉପରେ ବସିଥିଲେ ମହାଋଷି

ଶିଷ୍ୟଙ୍କୁ ଘେନିଣ ତତକ୍ଷଣେ ଗଲେ ଖସି ।

ମୁନି କେଉଁଠାକୁ ଗଲେ କେହି ନ ଦେଖିଲେ

କାହାର ହିଁ ବଦନରୁ ତଥ୍ୟ ନ ପାଇଲେ ।

ଅନ୍ତର୍ଦ୍ଧାନ ହୋଇ ଯହୁଁ ଗଲେ ମୁନିବର

ମନେ ବିଚାର କରନ୍ତି ନନ୍ଦନ କୁମର ।

ଉଗ୍ରସେନର ସଭାରୁ ଉଠି ଭଗବାନ

କୁମାରମାନଙ୍କୁ ଘେନି ଚଳନ୍ତି ବହନ ।

ବଳରାମ ଶୁଣି ମନେ ମହାଭୟ କଲେ

ଯୁଗ ଶେଷ ହେଲା ବୋଲି ମନେ ବିଚାରିଲେ ।

ରାମକୃଷ୍ଣ ଦୁଇଜଣ କୁମାରଙ୍କୁ ଘେନି

ପୁଣ୍ଡରୀକ ତୀର୍ଥେ ଯାଇ ମିଳିଲେ ତକ୍ଷଣି ।

ସେମାନଙ୍କୁ ପଚାରିଲେ ଲୌହ ଅଛି କାହିଁ

କୁମରେ ଦେଖାଇଦେଲେ ପଡ଼ିଅଛି ଯହିଁ ।

ଦେଖିକରି ଭୟ କଲେ ପ୍ରଭୁ ଭାବଗ୍ରାହୀ

ବୋଇଲେ ମହା କର୍କଶ ବଳବନ୍ତ ଏହି ।

ପରଚଣ୍ଡ ଅଗ୍ନି ଜାଣି ଜଳୁଅଛି ଶୂଳ

ଗୋବିନ୍ଦ ତାହା ଦେଖିଣ ହୋଇଲେ ବ୍ୟାକୁଳ ।

ତାହା ସଙ୍ଗତରେ ଥିଲେ ଯେଉଁ ଭୃତ୍ୟଗଣ

ସେମାନଙ୍କୁ ଆଜ୍ଞା ଦେଲେ ପ୍ରଭୁ ଭଗବାନ ।

ଏହି ଲୌହ ଘେନି ତୁମ୍ଭେ ଏଥୁଁ ଚଳିଯିବ

ନିଃଶେଷ କରିବା ପାଇଁ ଏହାକୁ ଘଷିବ ।

ଉତ୍ତର କୂଳରେ ଅଛି ଯେଉଁ ନୀଳଗିରି

ବୃକ୍ଷ ଲତାମାନଙ୍କରେ ଅଛଇ ସେ ପୂରି ।

ତହିଁର ଉତ୍ତର ପାର୍ଶ୍ୱେ ଯମନିକ ତୀର୍ଥ

ସହସ୍ରେକ ମନୁ ଯାଏ ତୀର୍ଥ ଉପଗତ ।

ସେହି ତୀର୍ଥମାନଙ୍କର ପଶ୍ଚିମ କୂଳର

ଚାରି କ୍ରୋଶ ଚଉଡ଼ାରେ ଅଛି ଗିରିବର ।

ସେହି ଗିରି ଉପରକୁ ବେଗେ ଚଳିଯିବ

ସେଥିର ଉପରେ ଏହି ଶୂଳକୁ ଘଷିବ ।

ସେ ଗିରି ଅଧେ ପଡ଼ିଛି ସମୁଦ୍ର ଭିତରେ

ଲବଣ ପାଣିରେ ତାହା ଘଷିବ ଦୃଢ଼ରେ ।

ନିଃଶେଷ କରି ଘଷିବ ନ ରହିବ ଶେଷ

ଏହିପରି ଆଜ୍ଞାଦେଲେ ପ୍ରଭୁ ନନ୍ଦଶିଷ୍ୟ ।

ଆଜ୍ଞା ପାଇ ଭୃତ୍ୟମାନେ ବେଗେ ଚଳିଗଲେ

ଜମ୍ଭୁଦ୍ୱୀପ ଯମନିକ ତୀର୍ଥରେ ମିଳିଲେ ।

ନୀଳଗିରିଠାରୁ ଛାଡ଼ ଚାରିକ୍ରୋଶ ଦୂର

ତହିଁ ଯାଇଁ ପରବେଶ ହୋଇଲେ ସତ୍ୱର ।

ସେହି ସ୍ଥାନରେ ସତ୍ୱର ପ୍ରବେଶିଲେ ଯାଇ

ଯେଉଁରୂପେ କହିଥିଲେ ପ୍ରଭୁ ଭାବଗ୍ରାହୀ ।

ଦେଖିକରି ପରଶଂସା କରି ଭୃତ୍ୟମାନେ

ସମୁଦ୍ରରେ ଅଧେ ପଡ଼ିଅଛି ବିଦ୍ୟମାନେ ।

ମହାପର୍ବତ ଉପରେ ଉଠିଲେକ ଯାଇ

ନାନାବିଧ ଫଳମାନ ସେଠାରେ ଅଛଇ ।

ପର୍ବତର ଉପରରେ ବୁଲି ଠାବ କଲେ

ନିର୍ଭୟରେ ପର୍ବତର ଶିଖରେ ରହିଲେ ।

ସମୁଦ୍ର ପାଣି ପକାଇ ଘଷନ୍ତି ନିଠାଇ

ଘଷନ୍ତେଣ ତହୁଁ ବେଗେ ଫେନ ଉପୁଜଇ ।

ମନ୍ଦା ମନ୍ଦା ହୋଇ ଫେନ ସାଗରେ ଭାସିଲା

ସମୁଦ୍ରକୁ ଫିଙ୍ଗି ଦେଲେ ଯାହା ଶେଷ ଥିଲା ।

ମାଛ ତାହାକୁ ଭକ୍ଷିଲା ଆନନ୍ଦିତ ହୋଇ

କାହିଁ ନ ଯାଇ ସେ ମାଛ ତହିଁ ଚରୁଥାଇ ।

ବିରୂପାକ୍ଷ ଶବର ଯେ କରେ ତହିଁ ବାସ

ପୁରୁଷାନୁକ୍ରମେ ସେହୁ କରଇ ନିବାସ ।

ସେହି ବନରେ ଅଟଇ ଶବରର ପଲ୍ଲୀ

ବସୁ ଶବର ଅଛଇ ତହିଁ ବାସ ତୋଳି ।

ବିରୂପାକ୍ଷର କୁମର କିରାତେଶ ହୋଇ

ସେହି ବନସ୍ତ ଗୋଟିକ ଆବୋରିଣ ଥାଇ ।

ମୃଗ ହରିଣ ପ୍ରଭୃତି ମାରିଆଣେ ନିତି

ମାଂସ ଭକ୍ଷିଣ ଶବର ଗର୍ଭକରେ ଶାନ୍ତି ।

କନ୍ଦମୂଳ ଫଳମାନ ବନରେ ଭକ୍ଷଇ

ଦେବ ମାନବ କାହାକୁ କେଭେ ନ ଡରଇ ।

ଫିରିକ ନାରାଚ ସେହୁ ହସ୍ତେ ଘେନି କରି

ବନସ୍ତରେ ବୁଲୁଥାଇ ଶମ୍ବରାଦି ମାରି ।

ଦିନେ ମୃଗ ନ ପାଇଣ ଭ୍ରମିଣ ଫୁଟିଲା

କଇବର୍ତ୍ତର ଦୁଆରେ ଯାଇଣ ବସିଲା ।

ଦେଖିକରି କଇବର୍ତ୍ତ କରଇ ସମ୍ମାନ

ଖାଇବାକୁ ପଦାର୍ଥ ସେ ଦେଲାକ ବହନ ।

ଖାଇଣ ସେହି ଶବର ସନ୍ତୋଷ ଲଭିଲା

କୈବର୍ତ୍ତ ତାହା ସଙ୍ଗତେ ମଇତ୍ର ହୋଇଲା ।

ଶବର ଶୁଣିଣ ହେଲା ଆନନ୍ଦିତ ମନ

ସୁକୃତ ସେମାନେ କଲେ ସମୁଦ୍ର ମଧ୍ୟେଣ ।

ଦୁହେଁ ଏକମନ ହୋଇ ବନରେ ଥାଆନ୍ତି

ଅପୂର୍ବ ପଦାର୍ଥମାନ ପରସ୍ପରେ ଦ୍ୟନ୍ତି ।

ଏମନ୍ତେଣ କିଛି କାଳ ତହୁଁ ଗଲା ବହି

ଦିନେ କୈବର୍ତ୍ତ ସମୁଦ୍ର ମଧ୍ୟେ ଜାଲ ବାହି ।

ଯେବଣ ମୀନଗୋଟିକ ଲୌହ ଗିଳିଥିଲା

ଦଇବବଶରେ ସେହୁ ଜାଲରେ ପଡ଼ିଲା ।

ତାହାକୁ ଘେନି କରିଣ ଅଇଲା କୈବର୍ତ୍ତ

ଭାର୍ଯ୍ୟାକୁ ବୋଇଲା ସେହୁ ଶୁଣ ଗୋ ସଙ୍ଗାତ ।

ବଡ଼ ମୀନ ଗୋଟିଏକ ପଡିଛି ଜାଲରେ

ଦେଇଆସ ବେଗେ ଯାଇ ମଇତ୍ରଙ୍କ ଘରେ ।

ଗୃହସ୍ଥ ବଚନ ଶୁଣି ଭାରିଯା ଉଠିଲା

ଚାଙ୍ଗୁଡ଼ା ଭିତରେ ନେଇ ମୀନ ପୂରାଇଲା ।

ସେ ଶବରର ପଲ୍ଲୀକି ବେଗେ ଚଳିଯାଇ

ମଇତ୍ରର ଘରେ ମୀନ ପକାଇଲା ନେଇ ।

ଦେଖିଣ ସେହି ଶବର ସନ୍ତୋଷ ଲଭିଲା

ହରିଣ ଗୋଟିଏ ସେହୁ ମାରି ଆଣିଥିଲା ।

ଶ୍ରଦ୍ଧାକରି ମିତଣୀର ହାତରେ ଦିଅଇ

କନ୍ଦମୂଳ ଗୁଡ଼ାଏକ ତହିଁରେଣ ଥୋଇ ।

ମୃଗ ଘେନିଣ କୈବର୍ତ୍ତୀ ଆସେ ନିଜ ଘରେ

ମିତ୍ର ଘର ଚର୍ଚ୍ଚା କହି ଗୃହସ୍ଥ ଆଗରେ ।

ଶୁଣିଣ ସେହି କୈବର୍ତ୍ତ ସନ୍ତୋଷ ଲଭିଲା

ଦଇବ ଭବିଷ୍ୟ ଶୁଣ ଅଭିମନ୍ୟୁ ବଳା ।

ଶରଧା କରି ଶବର ସେ ମୀନ କାଟିଲା

ବେକ ପାଖରୁ ତାହାକୁ ବେନିଖଣ୍ଡ କଲା ।

ଦେଖିଲା ପେଟ ଭିତରୁ ଶୁକ୍ଲବର୍ଣ୍ଣ ହୋଇ

ଲୌହ ଖଣ୍ଡିଏ ତହିଁରେ ଯତନେ ଅଛଇ ।

ମାଛକୁ କାଟିଣ ସେହୁ ରାନ୍ଧିବାକୁ ଦେଲା

କମାର ଗୃହକୁ ବେଗ ହୋଇ ଚଳିଗଲା ।

ସେହି ଲୁହା ଖଣ୍ଡି ନେଇ କମାରକୁ ଦେଇ

ଦେଖିଣ କମାର ପୁଅ ସନ୍ତୋଷ ଲଭଇ ।

ଏ ଲୁହା ଖଣ୍ଡିକ କାହୁଁ ପାଇଲୁ ବୋଇଲା

ତ୍ରିକେନା କରି ଶରେକ ତହୁଁ ଗଢ଼ି ଦେଲା ।

ଘେନିକରି ଶବର ତା ଆସେ ନିଜପୁର

ଏକମନେ ଶୁଣ ତୁ ହୋ ପରୀକ୍ଷ ନୃବର ।

ଏମନ୍ତ ପ୍ରକାରେ କିଛି ଦିନର ଅନ୍ତରେ

ନାରାୟଣ ବିଜେ କଲେ ଦ୍ଵାରକା ସଭାରେ ।

ବ୍ରହ୍ମଶାପ କଥାକୁ ଶ୍ରୀକୃଷ୍ଣ ଭୟ କଲେ

ଦିନୁ ଦିନ ପ୍ରଭୁ ତେଣୁ ଦୂର୍ବଳ ହୋଇଲେ ।

ନିରନ୍ତର ଚିନ୍ତାକଲେ ଦେବ ନାରାୟଣ

କେମନ୍ତେ ନାଶ କରିବି ଏତେକ ନନ୍ଦନ ।

କୁମାରମାନଙ୍କୁ ଚାହିଁ ଭାଳୁଥାନ୍ତି ହରି

ଅଙ୍ଗର ଫୁଲ ଚନ୍ଦନ ଲାଗେ ବିଷପରି ।

ସବୁ ବେଳରେ ନବର ମଧ୍ୟେ ପଶିଥାନ୍ତି

ଗୋବିନ୍ଦଙ୍କୁ କେହି କେଭେ ଭେଟ ନ ପାବନ୍ତି ।

ଏହିକାଳେ ଉତପାତ ହେଲା ଦ୍ଵାରକାରେ

କୁହୁଡ଼ି ମାଡ଼ିଲା ପ୍ରାୟ ଦିଶଇ ଦିନରେ ।

ଦଇବେ ବୈଶାଖ ମାସ ଗ୍ରୀଷମ ଅଟଇ

ସେ ଦିନରେ ବହୁତ କୁହୁଡ଼ି ପ୍ରକାଶଇ ।

ପ୍ରଚଣ୍ଡ ହୋଇଣ ବେଗେ ବହଇ ପବନ

କେତେବଡ଼ ନଗ୍ର ଗୋଟା ଦିଶେ ବିଲକ୍ଷଣ ।

ଭୂମିକମ୍ପ ହେଲେ ଯେହ୍ନେ ହୁଏ ବସୁନ୍ଧରୀ

ସେହି ପ୍ରକାରେ କମ୍ପଇ ଦ୍ଵାରକା ନଗରୀ ।

ମେଳି ହୋଇ ସାତ ପାଞ୍ଚ ବସିଣ ଭାବନ୍ତି

ଶ୍ରୀକୃଷ୍ଣଙ୍କର ଦର୍ଶନ ଦିନେ ନ ପାବନ୍ତି ।

ଯେଉଁ ଦ୍ଵାରକାପୁରରେ ଯମ ଭୟ ନାହିଁ

ସୁଦର୍ଶନ ଚକ୍ର ଯହିଁ ନିରତେ ଭ୍ରମଇଁ ।

ମାଛି ପଡ଼ିଲେ ଯହିଁରେ ହୁଏ ନବଖଣ୍ଡ

ତହିଁର ପରଜାମାନେ ହେଲେ ଲଣ୍ଡଭଣ୍ଡ ।

ଦଇବର କୃତ୍ୟ ଯାହା ଶୁଣ ନରସାଇଁ

ଋଷିଙ୍କ ଶାପକୁ ଭୟ କଲେ ଯଦୁସାଇଁ ।

ଏସନକ ଦ୍ୱାରକାରେ ହୋଇଲା ଉତ୍ସନ୍ନ

ଉଗ୍ରସେନ ନରପତି କରେ ବିଚାରଣ ।

ଉଦ୍ଧବ ଅକ୍ରୂରକୁ ସେ ଚାହିଁ ନରସାଇଁ

କି ବୁଦ୍ଧି କରିବା ବୋଲି କଥାନ୍ତ ପୁଛଇ ।

ଘୋର ଅନ୍ଧକାର ପୂର୍ଣ୍ଣ ହେଲା ବସୁନ୍ଧରୀ

ବୈଶାଖ ମାସେ କୁହୁଡ଼ି ଦେଖ ମାଡି ପଡ଼ି ।

ଦିବସରେ ଆକାଶରେ ଉଦେ ତାରାଗଣ

ଏସନ ଉତ୍ପାତ ହେଲା ଦ୍ଵାରକା ଭୁବନ ।

ନଗ୍ରେ ପଶିଣ ଶୃଗାଳ ବୁଲି ମାଳ ମାଳ

ପ୍ରଜା ଜନମାନେ ସର୍ବେ ହେଲେ ଖଳବଳ ।

ନଗର ଭିତରେ ପଶିଛନ୍ତି ଭାବଗ୍ରାହୀ

ରାମ ପୁଛନ୍ତି ଶ୍ରୀକୃଷ୍ଣ ରହିଛନ୍ତି କାହିଁ ।

ଉଗ୍ରସେନର ସଭାକୁ ଦିନେ ନ ଆସନ୍ତି

ଗୋବିନ୍ଦଙ୍କୁ ନ ଦେଖିଣ ବିକଳ ମୋ ମତି ।

ଏମନ୍ତ ପ୍ରକାରେ କେତେ କାଳ ବହିଗଲା

ତେଡ଼ବଡ଼ ନଗ୍ରଗୋଟା ଉଚ୍ଛନ୍ନ ହୋଇଲା ।

ଏକାନ୍ତରେ ଦିନକରେ ଉଦ୍ଧବ ଅଇଲେ

ଶ୍ରୀକୃଷ୍ଣଙ୍କ ଦରଶନ କରିବା ଭାଳିଲେ ।

ନିତ୍ୟକର୍ମମାନ ସବୁ ଉଦ୍ଧବ ସାରିଲେ

ଶ୍ରୀକୃଷ୍ଣଙ୍କର ନବର ଦ୍ଵାରରେ ମିଳିଲେ ।

ଉଦ୍ଧବର ଆସିବାର ଜାଣି ଦାମୋଦର

ତକ୍ଷଣେ ମିଳିଲେ ଯାଇ ତାଙ୍କ ନିକଟର ।

ବିନୟରେ ନମସ୍କାର କଲାକ ଚରଣେ

ବୋଇଲେ ସେ ଦୟା ମୋତେ କର ନାରାୟଣେ ।

ଉଠ ଉଠ ବୋଲି ତାଙ୍କୁ ପ୍ରଭୁ ଆଜ୍ଞା ଦେଲେ

ଶ୍ରୀହସ୍ତରେ ଉଦ୍ଧବକୁ ବହନ ତୋଳିଲେ ।

ଆଶ୍ଵାସନା କରି ବସାଇଲେ ସନ୍ନିଧିର

କର ଯୋଡ଼ିଣ ଉଦ୍ଧବ ବୋଲଇ ଛାମୁର ।

ନାରାୟଣଙ୍କୁ ବିରୂପ ଦେଖିଣ ଉଦ୍ଧବ

ବୋଲେ ଏ ପୁର ତେଜିବ କିବା ବାସୁଦେବ ।

ଏ କଳେବର ତେଜି କି ଯିବ ନିଜପୁରୀ

ଏସନ ପ୍ରକାର ମୋତେ ଦିଶୁଛି ମୁରାରି ।

ଶଙ୍ଖ ଚକ୍ର ଗଦା ପଦ୍ମ ନ ଶୋହେ ହସ୍ତର

ପଦ୍ମମୁଖ ଗୋଟିକ ତ ଦିଶେ ଅସୁନ୍ଦର ।

ଏହି ଚନ୍ଦ୍ରଶାଳାପୁର ଶୋଭା ପାଉନାହିଁ

ଅଲକ୍ଷଣ ପ୍ରାୟ ମୋତେ ଦିଶେ ଭାବଗ୍ରାହୀ ।

ରଙ୍ଗବତାର ତେଜିଲା ପ୍ରାୟ ମଣୁଅଛି

ବିଚାରିଣ ଆଜ୍ଞା ମୋତେ ଦିଅ ହେ ଶ୍ରୀବତ୍ସି ।

ଗୋବିନ୍ଦ ବୋଇଲେ ଯାହା ପଚାରିଲୁ ମୋତେ

ଏକମନ ହୋଇ ଶୁଣ କହିବଇଁ ତୋତେ ।

ଏ ଦ୍ଵାପର ଯୁଗ ଶେଷ ହୋଇଲାକ ଆସି

ଜଳରେ ଏହି ଦ୍ଵାରକାପୁର ଯିବ ଭାସି ।

ନିଜର କଳେବରକୁ ତେଜିବଇଁ ମୁହିଁ

ତଦନ୍ତରେ ନିଜଧାମେ ଅବଶ୍ୟ ଯିବଇଁ ।

ବ୍ରହ୍ମଶାପ ଫଳେ ମୋର ବଂଶ ଯିବ ନାଶ

ତୋହର ଆଗରେ ମୁହିଁ କହିଲି ସନ୍ଦେଶ ।

ଯେଣୁ ତୁହି ଅଟୁ ମୋର ପରମ ଭକତ

ତେଣୁକରି ତୋତେ ମୁହିଁ କହିଲି ଗୁପତ ।

ତୁହି ପରମ ଭକତ ଏଥେ ଅଛୁଁ ରହି

ତୁହି ଥିବାରୁ ଏ ପୁର ଜଳେ ନ ବୁଡ଼ଇ ।

ଯେତେବେଳେ ସିନ୍ଧୁମାଡ଼ି ଆସିବ ଏ ପୁର

ତେତେବେଳେ ମୁହିଁ ଛାଡ଼ିଯିବି କଳେବର ।

ଏହି କଥା ନିଶ୍ଚେଁକରି ଜାଣିଥାଅ ତୁହି

ଏଣୁକରି ଏହିପୁରେ ଥିବା ନ ଯୋଗାଇ ।

ଶ୍ରୀକୃଷ୍ଣଙ୍କର ମୁଖରୁ ଏସନକ ଶୁଣି

ସ୍ତମ୍ଭୀଭୂତ ହୋଇ ରହିଲାକ ବୀରମଣି ।

ବିକଳ ହୋଇଣ ସେହୁ କରଇ ରୋଦନ

ଅନାଥ କରିଣ ମୋତେ ଯିବୁ ଭଗବାନ ।

ତୋହର ଶ୍ରୀମୁଖ ମୁହିଁ ନିତ୍ୟ ଦେଖୁଥାଇ

ତୋହର ନିର୍ମାଲ୍ୟ ଗୋଟି ଗର୍ଭକୁ କ୍ଷେପଇ ।

ଗର୍ଭକୁ କ୍ଷେପି ଶରୀର କରଇ ନିର୍ମଳ

ଏହା ଛାଡ଼ି କାହିଁ ଯିବି କହ ଦାମୋଦର ।

ମୁହିଁ ସିନା ଅରକ୍ଷିତ ଅଟଇ ପାମର

ଶ୍ରୀଚରଣ ବ୍ୟତୀତ ମୁଁ ନ ଜାଣେ ଅପର ।

ଶ୍ରୀଚରଣ ବିନୁ ମୋର ଅନ୍ୟ ଆଶ୍ରେ ନାହିଁ

ଅନାଥର ନାଥ ମୋତେ ଛାଡ଼ୁ କାହିଁପାଇଁ ।

ଭୋଜନେ ଶୟନେ କେଭେ ନ ଛାଡ଼ ସଙ୍ଗତେ

ତୁ ଯେ ନିର୍ଦ୍ଦୟ ବଚନ କହୁଁ କିମ୍ପା ମୋତେ ।

ମୁହିଁ ଯେ ବିଚାରିଥିଲି ସୁଖେ ଯିବ ଦିନ

ଶ୍ରୀପଦ୍ମପାଦ ସେବିଣ ବିସର୍ଜିବ ପ୍ରାଣ ।

ଏତେକ ବୋଲି ଉଦ୍ଧବ ରୋଦନ କରଇ

କଣ୍ଠର ସ୍ଵର ତାହାର ଗଦ ଗଦ ହୋଇ ।

ବେନି ନୟନରୁ ଗଳୁଅଛି ଅଶ୍ରୁଜଳ

ତାହା ଦେଖିଣ ଶ୍ରୀକୃଷ୍ଣ ହୁଅନ୍ତି ବିକଳ ।

ଭକତର ବିକଳରେ ଭଣି ଜତଜ୍ଜେତା

ତୁହି କିପାଇଁ ମନରେ କରୁଅଛୁ ଚିନ୍ତା ।

ଏବେ ତୁହିଁ ନିଶ୍ଚିନ୍ତରେ ଥାଅ ଦ୍ଵାରକାରେ

ଯେତେବେଳେ ଯିବୁ ଆମ୍ଭେ ନେବୁ ସଙ୍ଗତରେ ।

ଭକତବତ୍ସଳ ପ୍ରଭୁ ଭକ୍ତେ ଦୟାକଲେ

ଏହା କାହାକୁ ନ କହ ପ୍ରଭୁ ଆଜ୍ଞା ଦେଲେ ।

ଯାଅ ଯାଅ ବୋଲି ତାକୁ ଶ୍ରୀମୁଖେ କହିଲେ

ଗୋପନୀୟ କଥା ଏହୁ ଜାଣିଥାଅ ଭଲେ ।

ପୟରେ ନମି ଉଦ୍ଧବ ହୋଇଲା ବାହାର

ଦେଖେ ଦିନରେ ଅନ୍ଧାର ଦ୍ଵାରାବତୀ ପୁର ।

ଅଦଭୁତ ଭୟଙ୍କର ଦିଶୁଅଛି ମହୀ

ମନୁଷ୍ୟଙ୍କର ଅଙ୍ଗରେ ଲକ୍ଷ୍ମୀ ନ ଦିଶଇ ।

ଯହିଁ ନିତ୍ୟ ଚରଚଇ ସିନ୍ଧୁର ଦୁହିତା

ସେ ପୁର ଗୋଟି ଦିଶଇ ଏଡ଼େକ ଅବସ୍ଥା ।

ଯେଉଁ କଥା ଶ୍ରୀମୁଖରେ ଭଣିଲେ ମୋହନ

ଏ ପୁର ନିଶ୍ଚେ ତେଜିବେ ନନ୍ଦର ନନ୍ଦନ ।

ଆପଣାର ଗୃହେ ଯାଇ ପ୍ରବେଶ ହୋଇଲା

ଜଗନ୍ନାଥଙ୍କୁ ମନରେ ସୁମରଣା କଲା ।

ଗୋବିନ୍ଦ ଗୋବିନ୍ଦ ବୋଲି ସୁମରଇ ମନେ

ଶ୍ରୀକୃଷ୍ଣ ନାମ ଗୋଟିକ ସ୍ମରି ଅନୁକ୍ଷଣେ ।

ରାମନାମ ସୁମରି ସେ ପୁହାଇ ରଜନୀ

ଗୋବିନ୍ଦଙ୍କର ଚରଣେ ଲଗାଇ ମୂର୍ଦ୍ଧନି ।

ହୃଦୟର କଷ୍ଟରେ ଯେ ବଞ୍ଚିଥାଇ ଦିନ

ବିଷର ପ୍ରାୟେ ମଣିଲା ଭୋଜନ ଶୟନ ।

ଶୁଣ ଆହେ ପରୀକ୍ଷିତ ଶ୍ରୀକୃଷ୍ଣ ଚରିତ

ହରିବଂଶ ଶୁଣି ପାପ ନ ଥାଉ ତୋ ଗାତ୍ର ।

 

ହରିବଂଶ (ସପ୍ତମ ଖଣ୍ଡ)

କୃଷ୍ଣଙ୍କର ଆଦେଶରେ ଅକ୍ରୂର ଉଦ୍ଧବର ବଦରିକାଶ୍ରମ ଗମନ ଓ ଦ୍ୱାରକପୁରେ କୋକୁଆ ଭୟ

ରାଜା ପଚାରଇ ବ୍ୟାସ ନନ୍ଦନଙ୍କୁ ଚାହିଁ

ଏଥୁ ଅନନ୍ତରେ କିସ କଲେ ଭାବଗ୍ରାହୀ ।

ସନ୍ତୋଷ ଚିତ୍ତରେ ମୋତେ କହ ମୁନିବର

ଶୁଣିଲେ କୃତାର୍ଥ ହେବ ମୋହର ଶରୀର ।

ଏକଥା ଶୁଣି ବୋଲନ୍ତି ବ୍ୟାସଙ୍କ ନନ୍ଦନ

ସାବଧାନ ହୋଇ ଶୁଣ ପରୀକ୍ଷ ରାଜନ ।

ଏକସ୍ଥାନେ ବସିଥାନ୍ତି କମଳାରମଣ

ଉଚ୍ଚାଟ ହୋଇଅଛଇ ପ୍ରଭୁଙ୍କର ମନ ।

ପୁତ୍ରମାନେ ଦିନେ ମାତ୍ର ଦର୍ଶନ ନ ପାନ୍ତି

ଅଷ୍ଟ ପାଟବଂଶୀମାନେ ଚରଣେ ଖଟନ୍ତି ।

ଦିନେ ଭକତ ଅକ୍ରୂରେ ସୁମରିଲେ ମନେ

ଶ୍ରୀକୃଷ୍ଣଙ୍କ ମନ ଜାଣି ଗଲା ସେ ତକ୍ଷଣେ ।

ଭିତରପୁରକୁ ସେହୁ ବେଗେ ପଶିଗଲା

ରହ ରହ ବୋଲିକରି କେହି ନ ବୋଇଲା ।

ଭୟ ନ କରି ଅକ୍ରୂର ଭିତରେ ପଶଇ

ରତ୍ନଖଟେ ବିଜେ କରିଅଛନ୍ତି ମାଧୋଇ ।

ଖଣ୍ଡେଦୁରୁ ପ୍ରଭୁଙ୍କର ଚରଣେ ନମିଲା

ସାଷ୍ଟାଙ୍ଗ ହୋଇ ଅକ୍ରୂର ପାଦରେ ଶୋଇଲା ।

ଉଠ ଉଠ ବୋଲି ତହୁଁ ମୁଖେ ଆଜ୍ଞା ଦେଲେ

ଉଠିଣ ଅକ୍ରୂର କର ଯୋଡ଼ିଣ ରହିଲେ ।

ଦେଖିଲା ପ୍ରଭୁଙ୍କ ଦେହ ଶୋଭା ନ ଦିଶଇ

ଯେ ଅଧରକୁ ସଂସାରେ ପଟାନ୍ତର ନାହିଁ ।

ସେହି ଅଧର ଏବେ ତ ଦିଶୁଛି ମଳିନ

ଦେଖିଲାକ ଅଲକ୍ଷଣ ଦିଶେ ପୁରମାନ ।

ଚନ୍ଦ୍ରଶାଳା ପୁର ଗୋଟି ଶୋଭା ପାଉନାହିଁ

ଦେଖିକରି ଅକ୍ରୂରର ବାକ୍ୟ ନ ସ୍ଫୁରଇ ।

କରପତ୍ର ଯୋଡ଼ି ଉଭା ହୋଇଛି ଅକ୍ରୂର

ହୃଦଗତରେ ଚିନ୍ତଇ ପ୍ରଭୁ ଚକ୍ରଧର ।

ଦେବକୀପୁତ୍ର ଅଟନ୍ତି କରୁଣାଜଳଧି

ସକଳ ବ୍ୟାଧିକି ଯାର ନାମ ମହୌଷଧି ।

ଦୁଃଖୀଜନଙ୍କର ବନ୍ଧୂ ଜଗତର ନାଥ

ସଂସାରର ଜନହିତେ ଶଙ୍ଖ ଚକ୍ର ହସ୍ତ ।

ମୁହିଁ ସିନା ଅରକ୍ଷିତ ଅଟଇ ଗୋସାଇଁ

ଦୟାକର ମୋତେ ପ୍ରଭୁ କମଳାର ସାଇଁ ।

ଏତେକ ସ୍ତୁତି କରିଣ ଚରଣେ ନମଇଁ

ମସ୍ତକରେ କର ଦେଇ ଉଭା ହୋଇ ରହି ।

ଗୋବିନ୍ଦ ମୁଖକୁ ଚାହିଁ ବୋଲଇ ବଚନ

ମୋତେ କିପାଇଁ ସ୍ମରଣ କଲ ଜନାର୍ଦ୍ଦନ ।

ମୋହର କି ପାପ କର୍ମ ଦେଖି ଦାମୋଦର

ମାୟା କରିଣ ଦେଖାଉ ଏ ରୂପ ତୋହର ।

ମୁହିଁ ଅରକ୍ଷିତ ଅଟେ ନ ଜାଣଇ କିଛି

ତୋହର ଏ ରୂପ ଦେଖି ବିକଳ ହେଉଛି ।

ଶ୍ରୀହସ୍ତକୁ ଶଙ୍ଖ ଚକ୍ର ଶୋଭା ପାଉନାହିଁ

ନୀଳବର୍ଣ୍ଣ ଦେହ ଗୋଟା ଅଶୋଭା ଦିଶଇ ।

ହା କୃଷ୍ଣ ହା କୃଷ୍ଣ ବୋଲି କରଇ ରୋଦନ

ଦୁଇ ନୟନରୁ ବହେ ଅଶ୍ରୁ ଜଳମାନ ।

ଗୋବିନ୍ଦ ବୋଇଲେ ଦୁଃଖ ନ କର ଅକ୍ରୂର

ତାହାର ହସ୍ତ ଧରିଣ ବସାନ୍ତି ପାଶର ।

ତହୁଁ ଅକ୍ରୂର ବୋଇଲେ ଶୁଣ ଭାବଗ୍ରାହୀ

ତୋ ଗତି ଦେଖି ମୋହର ଦେହ ନ ରହଇ

ମାୟା କରି ଏ ରୂପକୁ ଦେଖାଉଛ ମୋତେ

ଏ ରୂପ ଛାଡ଼ିବା ପ୍ରାୟ ଦିଶେ ଜଗନ୍ନାଥେ ।

ଅକ୍ରୂର ବଚନ ଶୁଣି କହନ୍ତି ଶ୍ରୀହରି

ତୁହି ମୋହର ପ୍ରାଣର ଅଟୁ ସମସରି ।

ତୁମ୍ଭଙ୍କୁ ଛାଡ଼ିଣ ମୁହିଁ କାହିଁକି ଯିବଇଁ

କେବେହେଁ ତୁମ୍ଭଙ୍କୁ ଛାଡ଼ି ନ ଯିବଇଁ ମୁହିଁ ।

ଏହିରୂପ ଛାଡ଼ିଣ ମୁଁ ଯିବି ନିଜଧାମ

ତୁହି ଏବେ ଚଳିଯାଅ ବଦରିକାଶ୍ରମ ।

ମୋହର ଏ ରୂପଗୋଟି ଆଗରେଣ ଥୋଇ

ତପସ୍ୟା  ଆରମ୍ଭ କରି  ବସିଥାଅ ତୁହି ।

ଏସନ କହନ୍ତେ ଭୟେ ଅକ୍ରୂର କହିଲା

ବିକଳ ହୋଇ ଗୋବିନ୍ଦ ଚରଣେ ନମିଲା ।

ଏଡ଼େ ନିର୍ଦ୍ଦୟ କିପାଇଁ ହେଉଛି ଗୋସାଇଁ

ତୋତେ ଛାଡ଼ି କିସ ତପ କରିବଇଁ ମୁହିଁ ।

ତୁହି ଏଡ଼େ କପଟ ନ କର ଜନାର୍ଦ୍ଦନ

ଶ୍ରୀଚରଣ ବିନୁ ମୁହିଁ ନ ଜାଣଇ ଆନ ।

ଶ୍ରୀଚରଣ ଉଦକ ମୁଁ ସର୍ବଦା ଭକ୍ଷଇ

ନୀଳ ବଦନ ଗୋଟିକ ନୟନେ ଦେଖଇ ।

ଏଡ଼େ ଲାଭ ଛାଡ଼ି ତପ ଆଚରିବି ପୁଣି

ଏଡ଼େ ନିର୍ଦ୍ଦୟ କିମ୍ପାଇ ହେଉ ଚକ୍ରପାଣି ।

ଏତେ କହିଣ ଅକ୍ରୂର କାନ୍ଦେ ପୁଣ ପୁଣ

ଅକ୍ରୂରର ବିକଳକୁ ଜାଣି ଭଗବାନ ।

ତାକୁ ଆଶ୍ଵାସନା କରି କହନ୍ତି ଗୋବିନ୍ଦ

କାହିଁ ପାଇ ଅକ୍ରୂର ତୁ ହେଉଛୁ ଅବୋଧ ।

ତୋହର ବିକଳ ମୁହିଁ ନ ପାରଇ ସହି

ମୋହର ଦେହର ପଞ୍ଚଆତ୍ମା ଅଟୁ ତୁହି ।

ରଙ୍ଗା ଅବତାର କେଳି ସମ୍ପୂର୍ଣ୍ଣ ହୋଇଲା

ଚିନ୍ତା ତୁହି ନ କର ହୋ ସଫଳାର ବଳା ।

ଯିବି ମୁହିଁ ନିଜ ଧାମ ନ ପାରଇ ରହି

ଦେବଦୂତ ଆସିଥିଲେ ମୋତେ ନେବା ପାଇଁ ।

ତୁମ୍ଭେ ଏଥୁ ଗଲେ ମୁହିଁ ଛାଡ଼ିବି ଏ ପୁର

ମୁହିଁ ଗଲେ ଜନ ପ୍ରଜା ହେବେ ନାରଖାର ।

ତୁମ୍ଭେ ତ ଧର୍ମ ପୁରୁଷ ଅଟ ହୋ ଅକ୍ରୂର

ତୁମ୍ଭେ ଥିଲେ ଦ୍ଵାରକା ନ ବୁଡ଼ିବ ଜଳର ।

ବଦରିକା ଆଶ୍ରମକୁ ଚଳ ଏହିକ୍ଷଣ

ମୋହର ଏହି ବଚନ ଦୃଢ଼ କରି ଶୁଣ ।

ନ ଗଲେଣ ଅଭିଶାପ ପାଇବୁ ତୁ ଭଲେ

ନିଶ୍ଚିନ୍ତ ହୋଇଣ ରହ ବଦ୍ରିକାଶ୍ରମରେ ।

ଗୋବିନ୍ଦଙ୍କର ମୁଖରୁ ଏସନକ ଶୁଣି

ଆତ୍ମାର ମଧ୍ୟରେ ସେହୁ ଭାଳି ପୁଣି ପୁଣି ।

ଅକ୍ରୂରର ମନ କଥା ଜାଣିଲେ ଅଚ୍ୟୁତ

ନାରାୟଣ ଶାଳଗ୍ରାମ ଘେନିଲେ ଶ୍ରୀହସ୍ତ ।

ଅକ୍ରୂର ହସ୍ତରେ ତାହା ବେଗେଦେଲେ ତୋଳି

ଏ ପ୍ରତିମା ଘେନି ଏହିକ୍ଷଣି ଯାଅ ଚଳି ।

ଏହି ରୂପକୁ ସ୍ଥାପିଣ ତପ ସ୍ଥାନେ ବସ

ଏହାର ଉଦକ ତୁହି କରୁଥିବୁ ଗ୍ରାସ ।

ଏହାର ନିର୍ମାଲ୍ୟ ତୁହି ନିତ୍ୟରେ ଭକ୍ଷିବୁ

ତୁଳସୀର ଜଳ ଘେନି ଏରୂପେ ପୂଜିବୁ ।

ଅନ୍ତଃକାଳେ ଆମ୍ଭେ ପୁଣି ଆସିଣ ସତ୍ଵରେ

ତୁମ୍ଭଙ୍କୁ ଲୀନ କରିବା ଆମ୍ଭର ଶରୀରେ ।

ଆଜ୍ଞା ପାଇଣ ଅକ୍ରୂର ତ୍ଵରିତେ ଉଠିଲା

ଶ୍ରୀଗୋପୀନାଥ ଚରଣେ ନମସ୍କାର କଲା ।

ଆଜ୍ଞା ପାଇ ଭକ୍ତବର ହୋଇଲା ବାହାର

ଲକ୍ଷ୍ମୀ ନାରାୟଣ ମୂର୍ତ୍ତି ଘେନିଣ ଶିରର ।

ଦ୍ଵାରକାଭୁବନୁ ବୀର ବାହାର ହୋଇଲା

ବଦରିକା ଆଶ୍ରମରେ ଯାଇଣ ମିଳିଲା ।

ଚିତ୍ର ବିଚିତ୍ର ପ୍ରାସାଦ ଗୋଟିଏ ଭିଆଇ

ଲକ୍ଷ୍ମୀ ନାରାୟଣ ମୂର୍ତ୍ତି ତହିଁରେ ସ୍ଥାପଇ ।

ସେହି ରୂପକୁ ସେ ଧ୍ୟାନ କରିଣ ବସିଲା

ଧନ ଜନ କୁଟୁମ୍ବାଦି ସବୁ ପାସୋରିଲା ।

ଶିରୀକୃଷ୍ଣ ନରହରି ମୁକୁନ୍ଦ ମୁରାରି

ନିଶ୍ଚିନ୍ତେ ଜପିଲା ସେହୁ ସକଳ ପାସୋରି ।

ଯେତେବେଳରେ ଅକ୍ରୂର ନିବାରଣ ଗଲା

ଗୋବିନ୍ଦଙ୍କ ମନ ତହୁଁ ଉସତ ହୋଇଲା ।

ପୁଣିହିଁ ସେ ଉଦ୍ଧବକୁ ସୁମରିଲେ ମନେ

ଉଦ୍ଧବ ଆସନ ଗୋଟି ଟଳେ ତତକ୍ଷଣେ ।

ଗୃହ ଭିତରୁ ଉଦ୍ଧବ ବାହାର ହୋଇଲା

ଗୋବିନ୍ଦଙ୍କ ଚରଣରେ ନମସ୍କାର କଲା ।

ନମସ୍କାର କରିଣ ସେ କହଇ ବଚନ

କି ନିମନ୍ତେ ସୁମରଣା କଲ ନାରାୟଣ ।

ଶ୍ରୀହରି ଆଜ୍ଞା ଦିଅନ୍ତି ଯାଅ ତପେ ତୁହି

ତୁ ଗଲେ ମୁହିଁ ଛାଡ଼ିବି ଏବେ ନିଜ  ଦେହୀ ।

ଏକଥା ଶୁଣି ଉଦ୍ଧବ ଚରଣେ ନମଇଁ

ଭୋ ପ୍ରଭୁ କେବେହେଁ ତୋତେ ନ ଛାଡ଼ିବି ମୁହିଁ ।

ଉଦ୍ଧବ ଭକ୍ତର ମନ ଜାଣି ଚକ୍ରପାଣି

ମାୟାକରି ତାର ମନ ମୋହିଲେ ସେ ପୁଣି ।

ତହୁଁ ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ମହାବୀର

ତପସ୍ଥାନେ ବେଗେ ଯାଅ ବିଳମ୍ବ ନ କର ।

ଏତେ କହି ଚରଣର ପାଦୁକା ଘେନିଲେ

ଉଦ୍ଧବର ହସ୍ତକୁ ସେ ବଢ଼ାଇଣ ଦେଲେ ।

ଏହା ଘେନି ବଦରିକା ଯାଅ ବେଗେ ଚଳି

ହରଷ ହୋଇଣ ଆଜ୍ଞା ଦ୍ୟନ୍ତି ବନମାଳୀ ।

ଉତ୍ତରାଙ୍କୁରେ ବସିଣ ତପ ଆରମ୍ଭିବୁ

ମୋହର ଏହି ରୂପକୁ ହୃଦରେ ଧରିବୁ ।

ଏହି ରୂପକୁ ମୋହର କରିଥିବୁ ଲୟେ

ଅନ୍ତଃକାଳେ ଲୀନ ହେବୁ ମୋହର ଏ କାୟେ ।

ଏତେକ ଶୁଣି ଉଦ୍ଧବ ସତ୍ଵରେ ଉଠିଲା

ଶ୍ରୀଚରଣର ପାଦୁକା ହସ୍ତରେ ଘେନିଲା ।

ମଥାରେ ଲଗାଇଣ ସେ ଉଠିଲା ବହନ

ଯିବି ତପସ୍ଥାନେ ଆଜ୍ଞା ଦିଅ ଭଗବାନ ।

ଗୋବିନ୍ଦଙ୍କର ଚରଣେ ନମସ୍କାର କରି

ଶ୍ରୀଚରଣ ପାଦୁକାକୁ ମସ୍ତକରେ ଧରି ।

ଉତ୍ତରକୁ ମୁଖ କରି ବାହାର ହୋଇଲା

ଶ୍ରୀକୃଷ୍ଣଙ୍କ ନାମଗୋଟି ହୃଦରେ ସ୍ମରିଲା ।

ପୁତ୍ର ଦାରା କୁଟୁମ୍ବର ଛାଡ଼ିଲାକ ଆଶ

ଶ୍ରୀନାରାୟଣ ଚରଣେ ଲଗାଇ ମୁହାଁସ ।

ପ୍ରଭାକର ତୀର୍ଥେ ସେହୁ ମିଳିଲା ବହନ

ପରମ ଗୁମ୍ଫା ମଧ୍ୟରେ ଲଗାଇ ଚୈତନ୍ୟ ।

ଶ୍ରୀକୃଷ୍ଣଙ୍କ ପାଦୁକାକୁ ହୃଦରେ ଲଗାଇ

ନିଶ୍ଚିନ୍ତେଣ ଗୋବିନ୍ଦଙ୍କ ପାଦେ ତପଧ୍ୟାୟି ।

ଶୁଣ ତୁ ହୋ ମହାରାଜା ପୁଣ୍ୟତମ ଧ୍ଵନି

ହରିବଂଶ ଶୁଣି ପାପ ଛଡ଼ାଅ ଏକ୍ଷଣି ।

ଯେତେବେଳରେ ଉଦ୍ଧବ ଦ୍ଵାରକାରୁ ଗଲା

କାଳପୁରୁଷ ସେ ପୁରେ ପ୍ରବେଶ ହୋଇଲା ।

ପ୍ରଭୁ ନାରାୟଣ ଏକ ଉପାୟ ରଚିଲେ

କଥା କହୁଁ କହୁଁ ଏକ ଜନ୍ତୁ ଭିଆଇଲେ ।

ଷଡ଼ ଗୋଟି ପକ୍ଷ ତାର ନବ ଗୋଟି ଆଖି

ସପତ ବ୍ରହ୍ମାଣ୍ଡ ଗର୍ଭେ ଯିବେ ତାର ଲାଖି ।

କନ କନ ହୋଇଣ ସେ ବୁଲେ ଏଣେତେଣେ

ଏ ଠାବରୁ ସେ ଠାବକୁ ପଳାଇ ତକ୍ଷଣେ ।

ମନୁଷ୍ୟ ଦେଖିଣ ସେହୁ ଭକ୍ଷଇ ଗୋଡ଼ାଇ ।

କୋକୁଆର ଭୟେ କେହି ରହି ନ ପାରଇ ।

କେ ବୋଲଇ ଆରେ ବାବୁ କେଣେ ଯାଉଅଛ

ଏ ବାଟେ କୋକୁଆ ଗଲା ଦେଖିଲି ପ୍ରତ୍ୟକ୍ଷ ।

ଷଡ଼ ଗୋଟି ପକ୍ଷ ତାର ନବ ଗୋଟି ଆକ୍ଷି

ମୋ ପୁତ୍ରକୁ ଏହିକ୍ଷଣି ଦେଉଥିଲା ଭକ୍ଷି ।

ଦଇବ ବଳେ ମୋହର ପୁଅ ପଳାଇଲା

ଏକ କହନ୍ତେ ଆରେକ ସେ କଥା ଶୁଣିଲା ।

ଯେଣିକି ଚାହିଁଲେ ତେଣେ ଦିଶଇ କୋକୁଆ

କେ ବୋଲଇ ସଖି ତୁ ଗୋ ପଳାଇଣ ଯାଆ ।

ଏକ୍ଷଣି ଆସି କୋକୁଆ ଭକ୍ଷିବ ଯେ ତୋତେ

ଘରକୁ ପଳାଅ ତୁ ନ ରହ କଦାଚିତେ ।

ଏମନ୍ତ ବିଚାର କରୁ ଶବଦ ଶୁଭିଲା

କୋକୁଆ କୋକୁଆ ହାଲହୁଳି ଯେ ପଡ଼ିଲା ।

ବେଳୁ ବେଳ ହାଲହୁଳି ହେଲା ଦ୍ଵାରେ ଦ୍ଵାରେ

ଭୟକରି କେହି ଜଣେ ନ ରହେ ଦାଣ୍ଡରେ ।

ବେଳ ପ୍ରହରେ ପର୍ଯ୍ୟନ୍ତ ନୁହନ୍ତି ବାହାର

ବେଳ ପ୍ରହରକେ ଥାଉଁ ପଡ଼ଇ ଦୁଆର ।

କେବଣ ସ୍ତିରୀ ବୋଲଇ ଏହିବାଟେ ଗଲା

ମୋହର ଗିରସ୍ତକୁ ସେ ଗିଳି ଦେଉଥିଲା ।

ଦଇବ ବଳରୁ ସେହୁ ଅଇଲା ପଳାଇ

କି ବୁଦ୍ଧି କରିବା ଏବେ କହ ପ୍ରାଣସହି ।

କୋକୁଆ ଭୟରେ ଆମ୍ଭେ ରହି ନ ପାରିବା

କେବଣ ସ୍ଥାନରେ ଯାଇଁ ପଳାଇ ପଶିବା ।

ସାତ ପାଞ୍ଚ ରୁଣ୍ଡ ହୋଇ କରନ୍ତି ବିଚାର

କୋକୁଆ ଭୟେ ତେଜିବା ଏବେ ଘରଦ୍ଵାର ।

ଲୋକଙ୍କର ବିକଳ ତ କହୁଁ ନ ସରଇ

ସାତପାଞ୍ଚ ମିଳିକରି ହ୍ଵନ୍ତି କୁହାକୁହି ।

ସହସ୍ରେ ପୁର ଦ୍ଵାରକା ହେଲା ହାଲହୁଳି

କୋକୁଆ କୋକୁଆ ବୋଲି ପଡ଼ଇ ବୋବାଳି ।

କୋକୁଆର ଭୟେ ଲୋକେ ନ ଚାଲିଲେ ବାଟ

କୋକୁଆ କୋକୁଆ ବୋଲି ହୁଅନ୍ତି ଉଚ୍ଚାଟ ।

ଘରୁ ବାହାରି ଏଣିକି ତେଣିକି ଚାହାନ୍ତି

ଯେଣିକି ଚାହାନ୍ତି ତେଣେ କୋକୁଆ ଦେଖନ୍ତି ।

ବିଚାରନ୍ତି କୋକୁଆ ଯେ ଆସୁଅଛି ଧାଇଁ

ଘରୁ ବାହାରି ପଳାନ୍ତି ଅତି ତ୍ଵରା ହୋଇ ।

ଉଗ୍ରସେନ ମହାରାଜା ପାଇଲେ ବାରତା

କୋକୁଆର ଭୟ ଶୁଣି ମନେ କଲେ ଚିନ୍ତା ।

ଏତେକାଳ ହୋଇଲା ମୁଁ ରାଜତ୍ଵ କରିଲି

କୋକୁଆ କେବଣ ଜନ୍ତୁ ତାକୁ ନ ଦେଖିଲି ।

ଯେଉଁଠାରେ ସୁଦର୍ଶନ ଚକ୍ର ବୁଲୁଥାଇ

ମାଛି ପଡ଼ିଲେହେଁ ନବ ଖଣ୍ଡେ ଛିଡ଼ିଯାଇ ।

ଶମନର କାଳଦଣ୍ଡ ନ ଲାଗେ ଯହିଁରେ

ମୃତ୍ୟୁ ବୋଲିଣ କେହି ନ ଜାଣନ୍ତି ଏ ପୁରେ ।

ଏବେ ସିନା ବିଧାତା ଯେ ଏଡ଼େ କୃତ୍ୟ କଲା

କୋକୁଆ ଭୟରେ କେହି ରହି ନ ପାରିଲା ।

ସଭାରେ ବସିଣ ରାୟେ ବିଚାରନ୍ତି ଏହା

ଭୃତ୍ୟଜନେ ରାଇ ଆଜ୍ଞା ଦେଲେ ନରନାହା ।

କାଲି ପ୍ରଭାତରେ ଥାଟ ସୈନ୍ୟ ସଜକରି

ସିଂହଦୁଆରେ ଆସିଣ ଥିବାକ ଉଭାରି ।

ଆଜ୍ଞା ଦେଇ ନୃପବର ଭିତରକୁ ଗଲା

ଇନ୍ଦୁମତୀ ଆଗେ ସବୁ ବାରତା କହିଲା ।

ସାବଧାନ ହୋଇ ତୁମ୍ଭେ ଶୁଣ ଗୋ ସଙ୍ଗାତ

କୋକୁଆ ବୋଲି ଜନ୍ତୁଏ ହେଲା ଉପଗତ ।

ନଗର ଭିତରେ ପଶି କୋକୁଆ ଭକ୍ଷଇ

ଦିବସରେ ଏହି ପୁର ଅନ୍ଧାର ଦିଶଇ ।

ନିରନ୍ତର ହାଲହୁଲି ଚହଳ ହୋଇଲା

କୋକୁଆ ଖାଉଛି ବୋଲି ଭାଳେଣି ପଡ଼ିଲା ।

କେହି ବୋଲଇ ମୋହର ଖାଇଲା ପୁଅକୁ

କେହୁ ବୋଲଇ ଖାଇଲା ମୋହର ସ୍ଵାମୀକୁ ।

କେହୁ ବୋଲଇ ମୋହର ଖାଇଲା ଶ୍ଵଶୁର

କେହୁ ବୋଇଲା ମୋହର ଖାଇଲା ଦିଅର ।

କେହୁ ବୋଲଇ ମୋହର ପିତାକୁ ଖାଇଲା

କେହୁ ବୋଲଇ ମୋହର ଘରେ ପଶୁଥିଲା ।

କବାଟ କିଳିଲି ବୋଲି ପଶି ନ ପାରଇ

ବାହାରେ ଥିଲା ଲୋକକୁ ଖାଇଲା ଗୋଡ଼ାଇ ।

କେହୁ ବୋଲଇ କୁଣିଆ ମୋର ଆସୁଥିଲା

ବାଟରେ ଆସନ୍ତେ ତାକୁ ଗୋଡ଼ାଇ ଖାଇଲା ।

ଏହିରୂପେ ହାଲହୁଳି ପଡ଼ିଛି ନଗରେ

ବେଳ ପ୍ରହରେକ ଥାଉଁ ପଶନ୍ତି ଗୃହରେ ।

ହେଉ ବେଳ ପ୍ରହରେକ ଫେଡ଼ି ଦ୍ଵାରମାନ

କୋକୁଆ ଭୟେ ଡରନ୍ତି ନର ନାରୀଗଣ ।

କି ବୁଦ୍ଧି କରିବା ଏବେ କହ ପ୍ରାଣସହି

ଇନ୍ଦୁମତୀ ବୋଲେ ରାମ କୃଷ୍ଣ ଛନ୍ତି କାହିଁ ।

ସଭାକୁ ସେ ନ ଆସନ୍ତି ବୋଲେ ଉଗ୍ରସେନ

ଦିନେ ମାତ୍ର ନ ଦେଖିଲି ଦେବ ଜନାର୍ଦ୍ଦନ ।

ଏକଦିନେ ବସୁଦେବେ ପଚାରିଲି ମୁହିଁ

ରାମ କୃଷ୍ଣ ସଭାକୁ ନ ଆସନ୍ତି କିପାଇଁ ।

ତହୁଁ ସେ ଉତ୍ତର ଦେଲେ ଅନ୍ତଃପୁରେ ଥାଇ

ନିତ୍ୟ କରମ କରନ୍ତି ଗୃହମଧ୍ୟେ ରହି ।

କେବଣ ଚରିତ ଏହା ନ ପାରିଲୁଁ ଜାଣି

ଦଇବ ପୁରୁଷ ଯାହା ଘଟାଇଛି ଆଣି ।

ଇନ୍ଦୁମତୀ ପୁଛେ ତାର କି ପ୍ରକାରେ ଗାତ୍ର

କେମନ୍ତ ବର୍ଣ୍ଣ ଅଟଇ କେଉଁଠାରେ ଜାତ ।

ଏହା ମୋତେ ବୁଝାଇଣ କହ ନରସାଇଁ

ଏସନକ ବୋଲି ରାଣୀ କରଯୋଡ଼ି କହି ।

ରାଣୀର ବଚନ ଶୁଣି ରାଜା ବଖାଣନ୍ତି

ଯାହା ତୁହି ପଚାରିଲୁ ଶୁଣ ରୂପବତି ।

ଷଡ଼ଗୋଟି ପକ୍ଷ ତାର ନବଗୋଟି ନେତ୍ର

ଷଡ଼ଗୋଟି ଗୋଡ଼ ତାର ଭୟଙ୍କର ଗାତ୍ର ।

ଜନ ମନୁଷ୍ୟ ବାଟରେ କେହି ନ ରହଇ

ଗୃହର ମଧ୍ୟରେ ପଶି ଭକ୍ଷଣ କରଇ ।

ଥାଟ ସଜ କରି ଆମ୍ଭେ କୋକୁଆ ମାରିବା

ତେବେ ସିନା ଲୋକଙ୍କର ଦୁଃଖ ପାସୋରିବା ।

ରାଣୀ ବୋଇଲେ ଏକଥା ବୋଲୁଛ କିପାଇଁ

ତୁମ୍ଭର ମାରନ୍ତେ କିବା କୋକୁଆ ମରଇ ।

ରାଣୀର ବଚନ ଶୁଣି ରାଜା ତୁନି ହେଲା

ଏସନକ ସମୟରେ ରଜନୀ ପାହିଲା ।

ଥାଟ ସଜ ହୋଇ ମିଳିଗଲେ ସିଂହଦ୍ଵାରେ

କୋକୁଆ ମାରିବେ ବୋଲି ସଜ ହୋଇଗଲେ ।

ହାତୀ ରଥୀ ପଦାତିକ ସମସ୍ତେ ଅଇଲେ

ଅଶ୍ଵାରୋହୀମାନେ ଅଶ୍ଵ ବେଗେ ଧୂଆଁଇଲେ ।

ଆଗେ ଭୁଡ଼ୁଙ୍ଗିୟାମାନେ କଢ଼ାଇଲେ ବାଟ

କୋକୁଆକୁ ମାରିବାକୁ ଚଳାଇଲେ ଥାଟ ।

ମାର ମାର ଧର ଧର ଶବଦ ଶୁଭଇ

ଅଦଭୁତେ ସେ କୋକୁଆ ବାହାର ହୁଅଇ ।

ଅଶ୍ଵାରୋହୀମାନେ ଦେଖି ଅଶ୍ଵ ଧୂଆଁଇଲେ

ସହସ୍ରେକ ଅଶ୍ଵାରୋହୀ କୋକୁଆ ବେଢ଼ିଲେ ।

କୁନ୍ତ ତୀକ୍ଷ୍‌ଣ ଶରମାନ ମାରନ୍ତି ନିଠାଇ

ଦୈବୀମାୟାରେ ତାହାର ଦେହେ ନ ବାଜଇ ।

ଯାହା ଜଗତର ନାଥ କରିଛି ଭିଆଣ

ତାହାକୁ କାହିଁ ଭେଟ ସେ ପାଇବ ରାଜନ ।

ମାୟାବୀ ପୁରୁଷ ସେହୁ ଅନ୍ତର୍ଦ୍ଧାନ ହେଲା

କୋକୁଆ ନ ଦେଖି ରାଜା ବାହୁଡ଼ି ଅଇଲା ।

ନବର ମଧ୍ୟରେ ରାୟେ ହୋଇଲେ ପ୍ରବେଶ

କୋକୁଆର ଚରିତକୁ କହି ରାଣୀ ପାଶ ।

ସଇନ୍ୟମାନେ ଚଳିଲେ ଯେ ଯାହାର ପୁର

ଶୁଣ ପରୀକ୍ଷିତ ରାଜା ନୃପତି ଶେଖର ।

କୋକୁଆ ଭୟରେ ଲୋକେ ରହି ନ ପାରିଲେ

ବୃଦ୍ଧ ଲୋକମାନେ ମିଳି କଥାନ୍ତ ଭାଳିଲେ ।

ବୟସ ଅଧିକ ଲୋକ କରନ୍ତି ବିଚାର

କୋକୁଆ ବୋଲିଣ ଜନ୍ତୁ ନ ଦେଖୁ ନେତ୍ରର ।

ଏଡ଼େ ବିପରୀତ ଜନ୍ତୁ କାହୁଁ ପ୍ରବେଶିଲା

ଏଡ଼େ ବଡ଼ ନଗ୍ରଗୋଟା ନାରଖାର କଲା ।

ଚାଲ ସର୍ବେ ପ୍ରବେଶିବା ଶ୍ରୀକୃଷ୍ଣ ଛାମୁର

ଜଗତର କର୍ତ୍ତା ସେହୁ ସବୁରି ଠାକୁର ।

ଦୀନବନ୍ଧୁ ଅଟନ୍ତି ସେ ଆରତଭଞ୍ଜନ

ଆମ୍ଭର ଦୁଃଖ କରିବେ ଅବା ନିବାରଣ ।

କୋକୁଆ ଭୟରୁ ଯେବେ କରିବେ ସେ ପାରି

ତେବେ ଜନ ଜନ୍ତୁ ରକ୍ଷା ହେବେ ଏହି ପୁରୀ ।

ଏସନକ ବିଚାରକୁ କରି ନଗ୍ରଜନ

ଆଗ ଯାଇ ଗୋବିନ୍ଦଙ୍କୁ କରିବା ଦର୍ଶନ ।

ଆମ୍ଭମାନଙ୍କୁ ଯଦ୍ୟପି କରିବେ ସେ ଦୟା

ତେବେ ରକ୍ଷା ହେବ ଆମ୍ଭମାନଙ୍କର କାୟା ।

ଏ ସମୟେ ଜଣେ ବୃଦ୍ଧ କଥାଏ ବୋଇଲା

କୁଳକ୍ଷୟ ହେବା ପ୍ରାୟେ ମୋତେ ଦୃଶ୍ୟ ହେଲା ।

ଯାହାଙ୍କ ଭୟରେ ଯମ ନ ପାରଇ ପଶି

ସେ ନଗ୍ରେ କୋକୁଆ ଭୟ ହୋଇଲାକ ଆସି ।

ଯେ ଜଗନ୍ନାଥ ଅଟନ୍ତି ତ୍ରିଭୁବନ ପତି

କୋକୁଆକୁ ଭୟ କିପାଁ କରିବେ ଶ୍ରୀପତି ।

ଏହି ସକାଶରୁ ମୁହିଁ ବିଚାରୁଛି ଏହା

ଏ ପୁର ନିଶ୍ଚୟ ତେଜି ଯିବେ ଚଉବାହା ।

ଯାଦବଙ୍କ ପରମାୟୁ ହେଲା ଆସି କ୍ଷୟ

ବଞ୍ଚିବା ପାଇଁକି ନାହିଁ କାହାରି ଉପାୟ ।

ଏମନ୍ତ ବିଚାରି ସର୍ବେ ହୁଅନ୍ତି ବିରସ

ଅଚ୍ୟୁତ କହଇ ନାଶଯିବ ଯଦୁବଂଶ ।

 

ଯଦୁବଂଶ ଧ୍ୱଂସ ଓ କୃଷ୍ଣଙ୍କର ଦେହତ୍ୟାଗ

ଏଥୁ ଅନନ୍ତରେ ପୁଣ ଶୁଣ ନରସାଇଁ

ଉଗ୍ରସେନର ସଭାକୁ ଯାନ୍ତି ଭାବଗ୍ରାହୀ ।

ପ୍ରଜାମାନଙ୍କର ଯହୁଁ ବିକଳ ଶୁଣିଲେ

ଭାଳନ୍ତି ନିଜ ଧାମକୁ ଯିବା ଆମ୍ଭେ ଭଲେ ।

ଗୁପତ କଥା ଆମ୍ଭର ହୋଇବ ପ୍ରଘଟ

ଏହା ବିଚାରି ବାହାର ହେଲେ ନନ୍ଦ ଚାଟ ।

ନରପତିର ସଭାରେ ମିଳିଲେ ସେ ଯାଇଁ

ଉଗ୍ରସେନେ ନମସ୍କାର କଲେ ଯଦୁସାଇଁ ।

ଶ୍ରୀକୃଷ୍ଣଙ୍କ ମୁଖ ଯହୁଁ ସମସ୍ତେ ଦେଖିଲେ

ବିରୂପ ଦେଖିଣ ଏହା ମନେ ବିଚାରିଲେ ।

ଆସ୍ଥାନର ଉପରରେ ବସିବା ବେଳରେ

ବଳରାମ ପ୍ରଭୁ ଯାଇ ମିଳିଲେ ସେଠାରେ ।

ତାହାଙ୍କୁ ଦେଖି ଶ୍ରୀକୃଷ୍ଣ ଓଳଗି ହୋଇଲେ

ଭାଇଙ୍କି ଦେଖିଣ ସେହୁ ବଚନ ଭାଷିଲେ ।

କୋକୁଆ ଭୟ ଏ ପୁରେ ହୋଇଲା ଅପାର

କି ବୁଦ୍ଧି କରିବା ଏବେ କହ ହଳଧର ।

 

ବଳରାମ ଏହା ଶୁଣି ଅଳପ ହସିଲେ

କାଲି କୋକୁଆ ମାରିବା ନିଶ୍ଚେ ପ୍ରଭାତରେ ।

ଉଗ୍ରସେନ ଚାହିଁ ବଦୟନ୍ତି ନାରାୟଣ

କେମନ୍ତ ପ୍ରକାରେ ତାକୁ ମାରିବା ରାଜନ ।

ନୃପତି ବୋଲନ୍ତି ମୁହିଁ ଥାଟ ସଜ କରି

ମାରିବା ନିମନ୍ତେ ଗଲି କୋକୁଆକୁ ହେରି ।

ଥାଟ ସଜ କରି ମୁହିଁ କୋକୁଆ ବେଢ଼ିଲି

କୁନ୍ତ ଯଷ୍ଟି ନାରାଚ ମୁଁ ଅନେକ ମାଇଲି ।

ମାୟାବୀ ଅଟଇ ସେହୁ କେଣେ ପଳାଇଲା

ଦେଖୁ ଦେଖୁ ବେଗେଯାଇ କାହିଁ ଲୀନହେଲା ।

ଖୋଜି ଖୋଜି ମୁହିଁ ଆଉ ନ ପାଇଲି ଭେଟ

ବାହୁଡ଼ିଣ ଅଇଲି ମୁଁ ଘେନି ନିଜ ଥାଟ ।

ଶ୍ରୀକୃଷ୍ଣ ବୋଇଲେ ଚିନ୍ତା ନ କର ହୋ ରାୟେ

ରାତ୍ର ପ୍ରଭାତ ହୋଇଲେ କରିବା ଉପାୟେ ।

ଥାଟ ଘେନି ତୁମ୍ଭେମାନେ ଯିବି ଏକ ଆଡ଼େ

ବଳରାମଙ୍କୁ ଘେନି ମୁଁ ଯିବି ଅନ୍ୟଆଡ଼େ ।

ଯହୁଁ ସଭାରେ ପ୍ରତିଜ୍ଞା କଲେ ଆଦିକନ୍ଦ

ପ୍ରଜାମାନଙ୍କ ମନରେ ଜନ୍ମିଲା ଆନନ୍ଦ ।

ଏସନକ ବିଚାରକୁ କରି ହୃଷୀକେଶ

ଏକାନ୍ତେ ବଳରାମଙ୍କୁ ହକାରିଲେ ପାଶ ।

କାଲି ପ୍ରଭାତରେ ତୁମ୍ଭେ ନନ୍ଦନଙ୍କୁ ଘେନି

ଆପେ ମଧ୍ୟ ବାହାର ଯେ ହେବ ତତକ୍ଷଣି ।

ଆମ୍ଭେ ପୁତ୍ର ନାତି ଘେନି ହୋଇବୁ ବାହାର

ନଗ୍ର ଜନଙ୍କର ଭୟ ହେବ ତହୁଁ ପାର ।

କୋକୁଆକୁ ବେଢ଼ି ମାରିବାଟି ତେତେବେଳେ

ସ୍ନାହାନ କରିବା ଯାଇ ପ୍ରଭାସ ତୀର୍ଥରେ ।

ଦୁର୍ବାସା ମହର୍ଷିଙ୍କର ଶାପ ଅଛି ମୋତେ

ଯଦୁବଂଶଯାକ ନାଶ ହୋଇବେ ସମସ୍ତେ ।

ବ୍ରହ୍ମ ଅଭିଶାପ କଭେ ଅନ୍ୟଥା ନୁହଇ

ଦାନ ଧ୍ୟାନ କଲେ ବ୍ରହ୍ମ କଳୁଷ ଖଣ୍ଡଇ ।

ମିଷ୍ଟାନ୍ନ ଦେଇଣ ବିପ୍ରମାନଙ୍କୁ ତୋଷିବା

ଚାଟୁ କରିଣ ତାହାଙ୍କୁ ବଚନ କହିବା ।

ଆମ୍ଭର ବଚନେ ବିପ୍ରେ ଆନନ୍ଦ ଲଭିଲେ

ବ୍ରାହ୍ମଣର ଅଭିଶାପୁଁ ପାର ହେବା ଭଲେ ।

ପ୍ରଭାସ ତୀର୍ଥର ଜଳେ ସ୍ନାନ କରନ୍ତେଣ

ବ୍ରହ୍ମ ଅଭିଶାପ ଅବା ହୋଇବ ଖଣ୍ଡନ ।

ମାୟାରେ ବଳରାମଙ୍କୁ ଶ୍ରୀକୃଷ୍ଣ ମୋହିଲେ

ଗୋବିନ୍ଦଙ୍କର ମାୟା ସେ ଜାଣି ନ ପାରିଲେ ।

ତାହାଙ୍କର ଦୈବୀ ମାୟା ଲାଗିଲା ସବୁଙ୍କୁ

ବଳରାମ ପ୍ରତେ ଗଲେ କୃଷ୍ଣ ବଚନକୁ ।

ସଙ୍କର୍ଷଣ ପ୍ରବେଶିଲେ ତାଙ୍କ ନିଜପୁର

ରେବତୀଙ୍କ ସଙ୍ଗେ ସେହୁ କରନ୍ତି ବିଚାର ।

ଶ୍ରୀକୃଷ୍ଣ ମିଳିଲେ ଯାଇ ଆପଣା ମନ୍ଦିର

ଅଷ୍ଟ ପାଟବଂଶୀ ଆସି ମିଳିଲେ ଛାମୁର ।

ରୁକ୍ମିଣୀ ସତ୍ୟଭାମାଙ୍କୁ ନିକଟକୁ ରାଇ

ବୋଲନ୍ତି କୋକୁଆ କଥା ଶୁଣ ପ୍ରାଣସହି ।

ନଗର ଭିତରେ ପଶି ମନୁଷ୍ୟ ଭକ୍ଷଇ

ନଗର ଯାକରେ ହାଳହୁଳି ପଡ଼ିଛଇ ।

କାଲି ପ୍ରଭାତ ସମୟେ ପୁତ୍ର ନାତି ଘେନି

କୋଜିଣ ତାକୁ ମାରିବି ଶୁଣ ଗୋ ମିତଣି ।

ସତ୍ୟଭାମା ରୁକ୍ମିଣୀ ଯେ କୃଷ୍ଣଙ୍କୁ ପୁଛନ୍ତି

କୋକୁଆ ବୋଲିଣ ସେହୁ ଅଟେ କେଉଁ ଜାତି ।

ଗୋବିନ୍ଦ ବୋଇଲେ ତାର ଷଡ଼ଗୋଟି ପକ୍ଷି

ଛଅ ଗୋଟି ଗୋଡ଼ ତାର ନଅ ଗୋଟି ଆକ୍ଷି ।

ନଖ ମୁଖ ନାରାଚର ପରାୟେ ଦିଶଇ

ଦନ୍ତ ମୁଖ କୁନ୍ତମୁନ ପରୟେ ଲଗାଇ ।

ଜନ ମନୁଷ୍ୟ ସକଳ ପଡ଼ିଲେ ଛାମୁରେ

ନିର୍ଭୟରେ ଭକ୍ଷଇ ସେ ନ ଡରି କାହାରେ ।

ଦ୍ୱାରକାପୁରର ଲୋକେ ରହିଲେ ଗୁପତେ

ଜନ ମନୁଷ୍ୟ କୋକୁଆ ଭକ୍ଷେ ଅପ୍ରମିତେ ।

ତାହାର ଭୟରେ କେହି ନ ଚାଲନ୍ତି ବାଟ

ସହସ୍ରେ ପୁର ଦ୍ୱାରକା ହୋଇଲା ଉଚ୍ଚାଟ ।

ବିକଳରେ ପ୍ରଜାମାନେ ଗୁହାରି କରିଲେ

ମାରି ନ ପାରିଣ ରାଜା ବାହୁଡ଼ି ଅଇଲେ ।

କାଲି ପ୍ରଭାତରେ ବଳରାମଙ୍କୁ ଘେନିଣ

ପୁତ୍ର ନାତି ମିଳି ଆମ୍ଭେ ମାରିବୁ ବହନ ।

ସେମାନେ ଶୁଣି ମନରେ ହରଷ ହୋଇଲେ

ଗୋବିନ୍ଦ ଭୟରେ କେହି କଥା ନ କହିଲେ ।

ବୋଇଲେ ଦଇବ ଯାହା କରିଛି ଘଟନ

ଅନ୍ୟଥା କରିବ କିଏ ତାହାର ଲିଖନ ।

ଏଥୁ ଅନନ୍ତେଣ ପୁଣ ଦେବ ନାରାୟଣ

ପ୍ରଦ୍ୟୁମ୍ନ ଶାମ୍ବକୁ ପାଶେ ହକାରି ବହନ ।

ତ୍ୱରିତେ ମିଳିଲେ ଆସି ସମସ୍ତ କୁମର

ନମସ୍କାର କଲେ ବେଗେ ପିତାଙ୍କ ପୟର ।

କରପତ୍ର ଯୋଡ଼ି ଅଗ୍ରତରେ ଉଭା ହେଲେ

କି ନିମନ୍ତେ ହକାରିଲେ ବୋଲିଣ ବୋଇଲେ ।

ଶ୍ରୀକୃଷ୍ଣ ବୋଇଲେ ଶୁଣ ସକଳ କୁମରେ

ଅସ୍ତ୍ର ଘେନିଣ ମିଳିବ ସର୍ବେ ସିଂହଦ୍ୱାରେ ।

କୋକୁଆ ଜନ୍ତୁ ପଶିଣ ଦୁଷ୍ଟପଣ କଲା

ନଗରେ ପ୍ରବେଶ ହୋଇ ମନୁଷ୍ୟ ଖାଇଲା ।

ସମସ୍ତେ ବେଢ଼ି ତାହାକୁ କରିବା ବିନାଶ

ତେଣୁକରି ପୃଥ୍ୱୀଦେବୀ ଲଭିବେ ଉଶ୍ୱାସ ।

ଯାହାଙ୍କର ମାୟାବଳେ ଭୁଲିଲେ ଈଶ୍ୱର

ବ୍ରହ୍ମାଙ୍କୁ ଯା ମାୟାଗୋଟି ଅଟେ ଅଗୋଚର ।

ସେ ମାୟା କୁମରମାନେ ଜାଣିବେ କେମନ୍ତେ

ତାହାଙ୍କୁ ମାୟାରେ ଭୁଲାଇଲେ ଜଗନ୍ନାଥେ ।

କୁମରମାନେ ବୋଇଲେ ଆଜ୍ଞା ପରମାଣେ

ଶସ୍ତ୍ରମାନ ଘେନି ଆମ୍ଭେ ମିଳିବୁ ବହନେ ।

ପ୍ରତିଜ୍ଞା କଲେ ସେମାନେ ଶ୍ରୀକୃଷ୍ଣ ଆଗରେ

କୋକୁଆକୁ ମାରିବାଟି ପାଇବା ଯେଠାରେ ।

ସପତ ବ୍ରହ୍ମାଣ୍ଡେ ଯେବେ ପଶିବ ପାପିଷ୍ଠ

ଗୋଡ଼ାଇଣ ତାହାକୁ ହିଁ କରିଦେବୁ ନଷ୍ଟ ।

କୁମରଙ୍କର ପ୍ରତିଜ୍ଞା ଶୁଣି ଭାବଗ୍ରାହୀ

ବହୁତ ଚିନ୍ତା କରନ୍ତି କମଳାର ସାଇଁ ।

ଏହାଙ୍କ ପରାୟେ ପୁତ୍ର ପ୍ରାତେ ଯିବେ ନାଶ

ଏତେକ କୁଟୁମ୍ବ ଅର୍ଜି ହୋଇଲି ନିରାଶ ।

ଷଠୀ ଲେଖିଅଛି ଯାହା ମୋହର କପାଳେ

ପୁଛିଲେ ହିଁ ନ କହିଲେ କିଛି ତେତେବେଳେ ।

ଗାନ୍ଧାରୀ ଦେବୀର ଶାପ ଫିଟିଲାକ ଆସି

ଆବର ସାପ ଦେଇଛି ଦୁର୍ବାସା ମହର୍ଷି ।

କାହାର ହିଁ ବୋଲେ ତାହା ନୋହିବ ଅନ୍ୟଥା

ଏତେ ବୋଲିଣ ଚିନ୍ତିତ ହ୍ୱନ୍ତି ଜଗଜ୍ଜେତା ।

କୁମରଙ୍କୁ ବୋଇଲେ ସେ ଯାଅ ନିଜପୁର

ରାତ୍ର ପ୍ରହରକେ ଥାଉଁ ହୋଇବ ବାହାର ।

ଓଳଗି ମେଲାଣି ମାଗି ସେମାନେ ଚଳିଲେ

ଯେ ଯାହାର ମନ୍ଦିରରେ ଯାଇଁ ପ୍ରବେଶିଲେ ।

ଶ୍ରୀକୃଷ୍ଣଙ୍କର ଅଟନ୍ତି ବହୁତ ନନ୍ଦନ

ଆପଣା ରଥ ସାଜନ୍ତି ହୋଇ ଉଦବିଗ୍ନ ।

ସାରଥିଏ ରଥମାନ ମଣ୍ଡିଣ ଆଣିଲେ

ନାନାବିଧ ଅସ୍ତ୍ରମାନ ତହିଁରେ ଥୋଇଲେ ।

ସୁଦିବ୍ୟ ବେଶ ହୋଇଣ ବସିଲେ ରଥର

ଦେବତାମାନଙ୍କୁ ତାହା ନୁହଇ ଗୋଚର ।

ରାତ୍ର ପ୍ରହରେକ ଥାଉଁ ଆସିଣ ମିଳିଲେ

ସବୁ ନାତିମାନେ ଅଶ୍ୱ ଗଜରେ ଚଢ଼ିଲେ ।

ରାତ୍ର ପ୍ରହରେକ ଥାଉଁ ମିଳି ସିଂହଦ୍ୱାର

ସମୁଦ୍ର ଗର୍ଜନ ପ୍ରାୟେ ଶୁଭଇ ଚହଳ ।

ଆସ ଆସ ଚାଲ ଚାଲ ଶୁଭଇ ଶବଦ

ଆଷାଢ଼ ମାସରେ ଯେହ୍ନେ ଶୁଭେ ମେଘନାଦ ।

ଦାରୁକାକୁ ରାଇ ବୋଇଲେକ ଦାମୋଦର

ତୁରିତେ ସଜ କରିଣ ଆଣ ରହୁବର ।

ଆଜ୍ଞା ପାଇଣ ଦାରୁକ ବେଗେ ଚଳିଗଲା

ଦେବ ଦୁର୍ଲ୍ଲଭ ରଥ ସେ ମଣ୍ଡାଇ ଆଣିଲା ।

ଗୋବିନ୍ଦଙ୍କର ଛାମୁରେ ରଥ କଲା ଆଣି

ରଥ ଦେଖିଣ ପ୍ରଶଂସା କଲେ ଚକ୍ରପାଣି ।

ନାନାବିଧ ଶସ୍ତ୍ରମାନ ଥୋଇଲେ ରଥରେ

ଧନୁଶର ଯେତେ ଥିଲା ରଖିଲେ ତହିଁରେ ।

ଆପଣେ ସୁଦିବ୍ୟ ବେଶ ହୋଇଲେ ମାଧୋଇ

ଶଙ୍ଖ ଚକ୍ର ଗଦାପଦ୍ମ ଚତୁର୍ଭୁଜ ହୋଇ ।

ଶୁଭ ଅନୁକୂଳେ ସେହୁ ହୋଇଲେ ବାହାର

ବେଗେ ଯାଇ ବିଜେକଲେ ରଥର ଉପର ।

ଜଗନ୍ନାଥେ ଗୁଣ୍ଡିଚାକୁ ଯିବା ପ୍ରାୟ ହୋଇ

ତେସନେକ ପରକାରେ ଶୋଭାପାଏ ମହୀ ।

ଶୁଣ ପରୀକ୍ଷିତ ରାଜା ଉତ୍ତରା ନନ୍ଦନ

ସବୁ ଭିଆଇ ଅଛନ୍ତି ପ୍ରଭୁ ଭଗବାନ ।

ତେଣେ ବଳରାମ ସଜ ହୋଇଣ ରହିଲେ

ତାଳଧ୍ୱଜ ରଥ ବେଗେ ସାରଥି ସାଜିଲେ ।

ହଳ ମୂଷଳ ହସ୍ତରେ ଧରି ବଳରାମ

ରଥର ଉପରେ ଉଠି କଲେକ ବିଶ୍ରାମ ।

ଆନନ୍ଦାନନ୍ଦ ରଥର ଉପରେ ଚଢ଼ିଲେ

ନାନାବିଧ ଶସ୍ତ୍ରମାନ ଯତନେ ରଖିଲେ ।

ଯେଝା ଅନୁରୂପ ସଜ ହୋଇଣ ଯାଦବେ

ସିଂହଦ୍ୱାରେ ପରବେଶ ହୋଇଲେ ସରବେ ।

ନବରରୁ ଜଗନ୍ନାଥ ବାହାର ହୋଇଲେ

ଦକ୍ଷିଣ ମୂରତି ହୋଇ ରଥ ଚଳାଇଲେ ।

ମାର ମାର ଧରଧର ସମସ୍ତେ ବୋଲନ୍ତି

କୋକୁଆକୁ ମାର ବୋଲି ଆଣ୍ଟେ ଡାକଦ୍ୟନ୍ତି ।

ଶବଦ ଶୁଣି କୋକୁଆ ହୋଇଲା ବାହାର

ଘୋର ନାଦ କରିଣ ସେ ପଲାଏ ସତ୍ୱର ।

ଦ୍ୱାରକାକୁ ଛାଡ଼ି ପଞ୍ଚବିଂଶ ଯୁଣ ଗଲା

ସର୍ବେ ଦେଖନ୍ତି କୋକୁଆ ଜୀବ ପଳାଇଲା ।

ହରି ବଳରାମ ତାହା ଦେଖି ନୟନରେ

ରଥ ଧୂଆଇଁଣ ଗଲେ ତାହାର ପଛରେ ।

ରାମକୃଷ୍ଣ ଧାଇଁବାର ଦେଖନ୍ତେ ନୟନେ

ସକଳ ଯାଦବମାନେ ଧାମନ୍ତି ବହନେ ।

ଏକା ନିଶ୍ୱାସକେ ପଞ୍ଚବିଂଶ ଯୁଣଗଲେ

ଯମୁନା ନିକଟେ ଯାଇ ତକ୍ଷଣେ ମିଳିଲେ ।

ନଦୀର ଗୋଧିକା ଘାଟ ପଶ୍ଚିମ ପାଖରେ

ମାୟାବୀ କୋକୁଆ ଭେଟ ପାଇଲେ ସେଠାରେ ।

ମାୟା କରିଣ କୋକୁଆ କୃଷ୍ଣ ଦେଖାଇଲେ

ଏହିଟି ବୋଲିଣ ରଥ ବେଗେ ଧୂଆଁଇଲେ ।

କୁନ୍ତମୂନ ମାଇଲେକ ତାକୁ ନାରାୟଣ

ଖସି ପଳାଇଲା ତହୁଁ ନ ବାଜିଲା ମୁନ ।

ବେଗେ କଦମ୍ବମୂଳକୁ ତହୁଁ ଖସିଗଲା

ଖଣ୍ଡେ ଦୂରୁ ବଳରାମ ଦୃଷ୍ଟିରେ ପଡ଼ିଲା ।

ଆପେ ବଲରାମ ପ୍ରଭୁ ରଥରୁ ଓହ୍ଲାଇ

ମୂଷଳେ ତାକୁ ପିଟିଲେ ଅତି ବେଗେ ଯାଇ ।

ସେ ମୂଷଳ ନ ବାଜିଣ କୋକୁଆ ଅଙ୍ଗରେ

ବିଷମ ଆଘାତ ହେଲା କଦମ୍ବ ବୃକ୍ଷରେ ।

ମାୟା କୋକୁଆ ସେଠାରୁ କେଣେ ପଳାଇଲା

ସେ ବୃକ୍ଷର କାଦମ୍ବରୀ ଫୁଟି ବାହାରିଲା ।

ପଥଶ୍ରମେ ବଳରାମ ଶ୍ରାନ୍ତ ହୋଇଥିଲେ

ତୃଷାରେ ସେ କାଦମ୍ବରୀ ମଦ୍ୟପାନ କଲେ ।

ତାହା ଦେଖି ରୁଣ୍ଡହୋଇ ସକଳ କୁମରେ

କାଦମ୍ବରୀ ପାନ କଲେ ଯେ ଯାହା ଇଚ୍ଛାରେ ।

କାଦମ୍ବରୀ ପାନେ ସର୍ବେ ଉନମତ୍ତ ହୋଇ

କିଏ ପର କେ ଆପଣା ନ ଜାଣିଲେ କେହି ।

ମାୟାପଟଳ ଭିଆଣ କରିଛନ୍ତି ହରି

ପୁଣି ସେ କୋକୁଆ ଜୀବ ସେଠାରୁ ବାହାରି ।

ବଳରାମ ଦୃଷ୍ଟିପଥେ ପଳାଇଲା ବେଗେ

ତା ଦେଖି ରାହିଣୀ ସୁତ ଉଠି ଅତି ରାଗେ ।

ଏହିଟି କୋକୁଆ ବୋଲି ଆପଣେ ଧାଇଁଲେ

ପଞ୍ଚଚାଳିଶ ଯୋଜନ ପଥ ବାହିଗଲେ ।

ବିଶ୍ୱରୂପ ଧରିଛନ୍ତି ସ୍ୱାମୀ ହଳଧର

ଧାମନ୍ତେଣ ବସୁମତୀ କମ୍ପେ ଥରହର ।

ଶ୍ରୀ ନୀଳକନ୍ଦର ବନେ ଯାଇଣ ମିଳିଲେ

ସେଠାରେ କଳପବଟ ବୃକ୍ଷକୁ ଦେଖିଲେ ।

ସେ ବଟତଳେ କୋକୁଆ ଜୀବ ଗୋପ୍ୟ ହେଲା

ବଳରାମଙ୍କ ନଜର ତହିଁରେ ପଡ଼ିଲା ।

ମୂଷଳ ଉଞ୍ଚାଇ ପ୍ରଭୁ ଧାମନ୍ତେ କ୍ରୋଧରେ

ଆକାଶ ବଚନ ତାଙ୍କୁ ଶୁଭିଲା ସେଠାରେ ।

ଆସ ଆସ ବଳରାମ ବିଳମ୍ବ ନ କର

ଅନନ୍ତ ଶର୍ଯ୍ୟାରେ ନିଦ୍ରା କର ଯୋଗେଶ୍ୱର ।

ସର୍ପରୂପ ଧରି ପ୍ରଭୁ ଆସ ବେଗ ହୋଇ

ଦେବଙ୍କ ବଚନ ଶୁଣି ରେବତୀର ସାଇଁ ।

ଶ୍ୱେତ ନାଗରୂପ ତହୁଁ ହେଲେ ହଳପାଣି

ମସ୍ତକରେ ଶୋଭାବନ ଦିଶେ ସପ୍ତଫେଣୀ ।

ପାତାଳ ପୁରକୁ ପ୍ରଭୁ ବେଗେ ଗଲେ ଖସି

ବଟପୁରର ଭିତରେ ଶୋଇଲେକ ଆସି ।

ସର୍ପରୂପ ଧରି ଯହୁଁ ବଳରାମ ଗଲେ

ତାହା ଦେଖି ନାରାୟଣ ସନ୍ତୋଷ ହୋଇଲେ ।

କୁମରଙ୍କୁ ସେହି କଥା ନୋହିଲା ଗୋଚର

ସର୍ବେ ଜାଣିଲେ ଭକ୍ଷିଲା କୋକୁଆ ପାମର ।

ମାୟାବୀ କୋକୁଆ ତହୁଁ ହୋଇଲା ବାହାର

ପଶ୍ଚିମକୁ ମୁଖ କରି ଗଲା ଖରତର ।

ଖଣ୍ଡେଦୂରେ ଥାଇଁ ଜାଣିଲେକ ଚକ୍ରପାଣି

ଆପେ ଚକ୍ରଘେନି ଧାଇଁଛନ୍ତି ଯଦୁମଣି ।

ସନ୍ତରା ବନରେ ଯାଇ କୋକୁଆ ପଶଇ

କୁମରଙ୍କୁ ଘେନି ହରି ଗଲେ ତହୁଁ ଧାଇଁ ।

ସେହି ବନରେ ସମସ୍ତେ ଯାଇଁ ପ୍ରବେଶିଲେ

କଦମ୍ବ ମଦରେ ଅନ୍ଧ ସମସ୍ତେ ହୋଇଲେ ।

ସନ୍ତରା ବନେ ଅଭୁତ ଚହଲ ଶୁଭିଲା

ଜଗତଯାକ ସମସ୍ତ ଅନ୍ଧାର ଦିଶିଲା ।

କୁମରମାନେ ଦିଶିଲେ କୋକୁଆ ପ୍ରକାର

ତାହାଙ୍କ ପଛେ ଧାଇଁଲେ ପ୍ରଦ୍ୟୁମ୍ନ କୁମର ।

ତୀକ୍ଷ୍‌ଣ ଧାର ଖଣ୍ଡା ଏକ ବେଗେ ସେ ଧଇଲା

ଶାମ୍ବ କୁମରର ପୁଅ ବେକରେ ହାଣିଲା ।

ବେନିଖଣ୍ଡ ହୋଇ ପଡ଼ିଗଲା ସେ କୁମର

ପଛେ ପଛେ ତାହାର ଯେ ଧାଏଁ ଗଦବୀର ।

ଖଣ୍ଡାଏକ ଧରିଣ ସେ ଧାଇଁଲା ପ୍ରଦ୍ୟୁମ୍ନ

ତ୍ରିଶିରା ଖଣ୍ଡାଏ ନେଇ ମାରି ବହନ ।

ଅନିରୁଦ୍ଧର ଉପରେ ନେଇ ପ୍ରହାରିଲା

ମୁଣ୍ଡ ଛିଡ଼ିଣ ତାହାର ଭୂମିରେ ପଡ଼ିଲା ।

ତାହାର ପଛରେ ଯେଉଁ ଗଦବୀର ଥିଲା

ଜାମ୍ବବତୀର ସୁତକୁ ଆକର୍ଷି ଧଇଲା ।

ଯେଉଁ ତ୍ରିଶିରା ଖଣ୍ଡାକୁ ଧରିଥିଲା କର

ଗଦର ଉପରେ ସେହୁ କଲାକ ପ୍ରହାର ।

ଗଦର ମୁଣ୍ଡ ଛିଡ଼ିଣି ପଡ଼ିଲା ତଳର

ମୁଣ୍ଡଗୋଟି ତାହାର ଯେ କମ୍ପେ ଥରହର ।

ଆନନ୍ଦ କୁମରକୁ ଯେ ସାନନ୍ଦ ମାଇଲା

ତୀକ୍ଷ୍‌ଣ ତ୍ରିଶିରାରେ ତାହା ମୁଣ୍ଡ ଛିଡ଼ିଗଲା ।

ଦେଖିଣ ଶ୍ରୀକୃଷ୍ଣଚନ୍ଦ୍ର ବଡ଼ ଦୁଃଖ କଲେ

ପଞ୍ଚଭୂତ ଆତ୍ମାରେ ସେ ବିକଳ ହୋଇଲେ ।

ଦୁଇଯୋଜନ ଅଟଇ ସନ୍ତରା କାନନ

ତିଳେ ଛଡ଼ା ନାହିଁ ଘଞ୍ଚ ଅତି ବିତପନ ।

ପରସ୍ପର ମଧ୍ୟରେ ସେ ହେଲେ ହଣାହଣି

ଆପଣା ପର ସେମାନେ ନ ପାରିଲେ ଜାଣି ।

ଯୋଡ଼ି ଯୋଡ଼ି ହୋଇ କରୁଛନ୍ତି ମହାରଣ

ଆପଣାର ଶସ୍ତ୍ରମାନ ପକାଇ ତଳେଣ ।

ତୀକ୍ଷ୍‌ଣ ପତ୍ର ଘେନି ପୁଣି ହ୍ୱନ୍ତି ମରାମରି

ବ୍ରହ୍ମ ଅଭିଶାପେ ସେହି ବୃକ୍ଷ ଅବତରି ।

ସନ୍ତରାବନେ ଯାଦବ ହୋଇଲେ ନିଧନ

ଆଗହୁଁ ବିଧାତା ତାହା କରିଛି ଭିଆଣ ।

ରାତ୍ର ଦିନ ନ ମାନିଣ କଲେ ଘୋର ଯୁଦ୍ଧ

ଲକ୍ଷେ ଷାଠିଏସହସ୍ର ହେଲେ ଶିରଚ୍ଛେଦ ।

ସନ୍ତରା ବନରେ ବହିଗଲା ରକ୍ତନଦୀ

ସକଳ ଯାଦବମାନେ ହେଲେ ଶିରଚ୍ଛେଦି ।

ଦେଖି କରିଣ ବିସ୍ମୟ ହେଲେ ଭାବଗ୍ରାହୀ

ପଦ୍ମଲୋଚନରୁ ଅଶ୍ରୁ ଯାଉଅଛି ବହି ।

ବିଶ୍ୱନାଥ ଶିରରୁ କି ଗଙ୍ଗା ବହିଯାଏ

ତେସନ ଅଶ୍ରୁରେ ମହୀ କରଦମ ହୁଏ ।

ଏହି ପରକାରେ ତହିଁ ବହେ ଅଶ୍ରୁଧାର

ଚାରିଆଡ଼କୁ ଚାହିଁଲେ ଦିଶେ ଅନ୍ଧକାର ।

ମଡ଼ାର ଉପରେ ମଡ଼ା ପଡ଼ୁଅଛି ମାଡ଼ି

ଦେଖିକରି ଗୋପୀନାଥ ମୁଣ୍ଡ ହ୍ୱନ୍ତି କୋଡ଼ି ।

ଧାର ଧାର ହୋଇଣ ଯେ ବହଇ ଶୋଣିତ

ବରଷାକାଳରେ ଯେହ୍ନେ ବହେ ନଦୀ ସ୍ରୋତ ।

ଏମନ୍ତ ପ୍ରକାରେ କୃଷ୍ଣ ନିରେଖି ଚାହିଁଲେ

ପୃଥିବୀଭରା ଉଶ୍ୱାସ ହେଲା ବିଚାରିଲେ ।

ବ୍ରହ୍ମ ଅଭିଶାପ ମୋତେ ହୋଇଲା ପ୍ରାପତ

ଗାନ୍ଧାରୀର ବଚନ ତ ନୋହେ ଅନ୍ୟମତ ।

ଯେତେବେଳେ କୁରୁବଳ ଲଭିଲେ ବିନାଶ

କୋପ କରଣ ବୋଇଲା ଶୁଣ ପୀତବାସ ।

ମୋ ଆଗେ ମୋହର ପୁତ୍ର ମରାଇଲୁ ହରି

ତୋ ଆଗେ ତୋ ପୁତ୍ରେ ଯାନ୍ତୁ ଶମନ ନଗରୀ ।

ତାହାର ବଚନ କେଭେ ନୋହିଲା ମେଣ୍ଟନ

ଆବର ବଚନେକ ସେ କହିଥିଲା ପୁଣ ।

ବୋଇଲା ଭୋ ନାରାୟଣ ଏହା ଜାଣିଥିବୁ

ମୋହର ଏ ବଚନକୁ ଦୃଢ଼ ତୁ ମଣିବୁ ।

ମୋହର ମୃତ୍ୟୁ ବେଳକୁ ଏକ କେହି ନାହିଁ

ତୋ ମୃତ୍ୟୁବେଳେ ସଙ୍ଗରେ ନ ଥିବେଟି କେହି ।

ଏମନ୍ତ ବୋଲିଣ ମୋତେ ଦେଇଅଛି ଶାପ

ସେହିକଥା କେତେବେଳେ ନ ହୋଇବ ଲୋପ ।

ମନେ ମନେ ଏସନକ ଭାଳି ହୃଷକେଶୀ

ଏମନ୍ତ ବେଳେ ପଦ୍ମନ ମିଳିଲାକ ଆସି  

ତାକୁ ଦେଖି ଜଗନ୍ନାଥ କୋପଭର ହେଲେ

ସୁଦର୍ଶନ ଚକ୍ରକୁ ସେ ବେଗେ ଫିଙ୍ଗି ଦେଲେ ।

ପଦ୍ମନର ଗ୍ରୀବାଦେଶେ ପଡ଼େ ଚକ୍ରଧର

ତାହାର ମୁଣ୍ଡ ଛିଡ଼ିଲା ପଡ଼ିଲା ଭୂମିର ।

ପଦ୍ମନର ଶିର ଚ୍ଛେଦି ଚକ୍ର ଚଳିଗଲା

ଶ୍ରୀକୃଷ୍ଣ  ହସ୍ତକୁ ଆଉ ଲେଉଟି ନଇଲା ।

କ୍ଷୀରୋକ ମଧ୍ୟେ ବିଷ୍ଣୁଙ୍କ ଶୟନ ମନ୍ଦିରେ

ପ୍ରବେଶ ହୋଇଲା ସେହୁ ଯାଇଁ ଧାତିକାରେ ।

ଚକ୍ରପେଷି ମହାପ୍ରଭୁ ପଦ୍ମନେ ନାଶିଲେ

ବିକଳ ହୋଇଣ କୃଷ୍ଣ ଅନେକ ଭାଳିଲେ ।

ତଦନ୍ତରେ ଖଣ୍ଡେ ଦୂର ବେଗେ ଗଲେ ଚଳି

ଶିଆଳିର ଲତାଏକ ଦେଖି ବନମାଳୀ ।

ଖଟ ଦୋଳୀ ପରାୟେ ସେ ହୋଇଛି ପ୍ରତ୍ୟକ୍ଷ

ଦେଖିକରି ସନ୍ତୋଷ ଯେ ଲଭିଲେ ପଦ୍ମାକ୍ଷ ।

ମହା ଶୋକ ମନ ମଧ୍ୟେ ଜନ୍ମିଲା ତାଙ୍କରି

ପଦ୍ମଲୋଚନକୁ ତାଙ୍କର ବହେ ଅଶ୍ରୁବାରି ।

ପାଦର ଉପରେ ପ୍ରଭୁ ପାଦେକ ଦେଇଣ

ଶିଆଳୀ ଲତା ଉପରେ କଲେକ ଶୟନ ।

ଦକ୍ଷିଣା ପବନ ତହିଁ ବହେ ଧୀର ଧୀର

ପୂର୍ବେ ମୁଣ୍ଡକରି ଶୋଇଲେକ ଦାମୋଦର ।

ସମୟରେ ମହାନିଦ୍ରା ତହିଁ ପ୍ରବେଶିଲା

ଆଳସ୍ୟ ଜନ୍ମନ୍ତେ ତନ୍ଦ୍ରା ନୟନେ ଘାରିଲା ।

କ୍ଷଣକାଳ ଚକ୍ଷୁବୁଜି ତହିଁ ନିଦ୍ରାଗଲେ

ଚିନ୍ତାଭରେ ନୟନ ସେ ଫେଡ଼ିଣ ଚାହିଁଲେ ।

ଏମନ୍ତେଣ ରାତ୍ର ଗଲା ପ୍ରହରେକ ବହି

ଦଇବର ମାୟା କେଭେ ଅନ୍ୟଥା ନୁହଇ ।

ଦେବର ମାୟା ଲାଗିଲା ଜରା ଶବରକୁ

ଭାରିଯାର ନାମ ଧରି ଡାକିଲା ପାଶକୁ ।

ବୋଇଲା ବଚନ ମୋର ଶୁଣ ପ୍ରାଣମିତ

ଫିରିକି କାଠ ନାରାଚ ଦିଅ ମୋର ହାତ ।

ମୃଗୟା ବିନୋଦେ ମୁହିଁ ଏକ୍ଷଣି ଯିବଇଁ

ହରିଣ ମୃଗ ପ୍ରଭୃତି ମାରି ଆଣିବଇଁ  

ଶବରୂଣୀକି କହଣ ବାହାର ହୋଇଲା

ଫିରିକି କାଠ ଧନୁରେ ଶର ଚଢ଼ାଇଲା ।

ସୁରେଶ୍ୱର ବନଯାକ ବୁଲିଲା ଶବର

କାହିଁ ନ ଦେଖିଲା ସେହୁ ହରିଣ ଶମ୍ବର ।

ରାତ୍ର ପ୍ରହରେକ ଥାଉଁ ବୁଲିଲା ବନସ୍ତ

କାହିଁ ନ ଦେଖିଲା ସେହୁ ଜୀବ ଜନ୍ତୁ ମାତ୍ର ।

ଦଇବୀ ଘଟନା ତୁମ୍ଭେ ଶୁଣ ହେ ରାଜନ

ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମାର ଦିନ ।

ଆୟୁଷ୍ମାନ ଯୋଗ ପୁଣି ରେବତୀ ନକ୍ଷତ୍ର

ମୀନ ଚନ୍ଦ୍ର ଯୋଗେ ଦିନ ଅଟଇ ପବିତ୍ର ।

ଶଉରିର ବାରଗୋଟି ସେ ଦିନ ଅଟଇ

ପୌର୍ଣ୍ଣମାସୀ ଦିବସରେ ଚନ୍ଦ୍ରକ୍ଷୟ ନାହିଁ ।

ସେ ରାତିରେ ପୃଥ୍ୱୀଯାକ ଶୁକଳ ଦିଶଇ

ଦିନର ପରାୟେ ପୃଥ୍ୱୀ ଦେବୀ ଶୋଭାପାଇ ।

ରାତ୍ର ପାହିବାକୁ ଆଉ ଅଛି ଚାରିଦଣ୍ଡ ।

ମୃଗ ନ ପାଇ ଶବର ମନରେ ବିଖଣ୍ଡ ।

ଖୋଜି ଖୋଜି କିଛିଦୂର ତହୁଁ ଚଳିଗଲା

ପ୍ରଭୁଙ୍କ ବାମ ଚରଣ ଅଙ୍ଗୁଷ୍ଠି ଦେଖିଲା ।

ମୃଗର କର୍ଣ୍ଣ ପରାୟେ ମଣିଲା ଶବର

ଶରକୁ ସନ୍ଧାନ କରି ବିନ୍ଧିଲା ସତ୍ୱର ।

ପ୍ରଭୁଙ୍କ ଚରଣେ ଯାଇ ଯେଣୁ ସେ ବାଜିଲା

ତତକ୍ଷଣେ ତାହାଙ୍କର ନିଦ୍ରାଭଙ୍ଗ ହେଲା ।

କାଣ୍ଡ ଯାଇ ବାଜନ୍ତେଣ ଜାଣିଲେ ଶ୍ରୀହରି

ଜରା-କାଣ୍ଡ ବୋଲି ଜାଣିଲେକ ଦଇତ୍ୟାରି ।

ଏହି କାଣ୍ଡରେ ବାଳିକି ମାରିଥିଲି ମୁହିଁ

ଜାଣିଣ ଜରାଶବର ବିନ୍ଧିଲା ମୋତେ ହିଁ  

ଏସନକ ବିଚାରକୁ କରି ନନ୍ଦନାନ

ଅଚେତନ ହୋଇ ଶୋଇଗଲେ ଭଗବାନ ।

ବାଣ ବାନ୍ଧି ସେ ଶବର ଧାଇଁଣ ଅଇଲା

ଶତଦଳ ପଦ୍ମପ୍ରାୟ ମୁଖ ନିରେଖିଲା ।

ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜେ ଶୋହି

ଶିଆଳୀ ଲତା ମଧ୍ୟରେ ଛନ୍ତି ଦେବ ଶୋଇ ।

ଦେଖିଣ ସେହି ଶବର ତାଟକା ହୋଇଲା

ପାଦରେ କାଣ୍ଡ ଲାଗିଛି ନୟନେ ଦେଖିଲା ।

ଭୋ ଧର୍ମ ଦେବତା ବୋଲି ସ୍ମରଇ ହୃଦରେ

ବ୍ୟାଧ ଜାତିରେ ଜନମ ଲଭିଲି ମର୍ତ୍ତ୍ୟରେ ।

ଧିକ ଧିକ ମୋ ଜୀବନ ଅଛଇ ଜୀବିତ

ଜନ୍ତୁଙ୍କର ଶରୀରରେ କରି ଶତଘାତ ।

ସେମାନଙ୍କୁ ମାରିଣ ମୁଁ କରଇ ଭୋଜନ

ପାପିଷ୍ଠପାମର ମୁହିଁ ଅଟେ ଜାତି ହୀନ ।

ଏଡ଼େ ବଡ଼ ପ୍ରଭୁ ଠାରେ ଦ୍ରୋହ ଅର୍ଜିଲଇଁ

ସପତ ବ୍ରହ୍ମାଣ୍ଡ ମଧ୍ୟେ ରଖନ୍ତା କେ ନାହିଁ ।

ଜରାଶବର ବହୁତ ବିକଳ ହୋଇଲା

ଭୟକରି ପ୍ରଭୁଙ୍କର ପାଶକୁ ନ ଗଲା ।

ଖଣ୍ଡେ ଦୂରରେ ଥାଇଣ କରଇ ସେ ସ୍ତୁତି

ଦୟା ତୁମ୍ଭେ କର ମୋତେ କମଳାର ପତି ।

ଜରାଶବରର ମନ ଜାଣି ଭାବଗ୍ରାହୀ

ଆସ ଆସ ଶବର ତୁ ଭୟ କର ନାହିଁ ।

ମୋହର ସନ୍ନିଧିକୁ ତୁ ଆସ ହେ ଶବର

ଭୟ କରିଣ ଶବର ନ ପଶେ ପାଖର ।

ଗୋବିନ୍ଦ ବୋଇଲେ ଜରା ନ କର ତୁ ଭୟ

ପୂର୍ବରୁ ଏହି କଥାର ହୋଇଛି ଉପାୟ ।

ଆଶ୍ୱାସ ବାକ୍ୟେ ଶବର ତହୁଁ ଶାନ୍ତ ହେଲା

କରପତ୍ର ଯୋଡ଼ିଣ ସେ କିରାତ ରହିଲା ।

ଶ୍ରୀକୃଷ୍ଣ ବୋଇଲେ ଶୁଣରେ ଶବରମଣି

ହସ୍ତିନାର ଭୁବନକୁ ଯାଆ ତୁ ଏକ୍ଷଣି ।

ପଞ୍ଚପାଣ୍ଡବେ ଅଛନ୍ତି ହସ୍ତିନା ନଗରେ

ତାହାଙ୍କୁ ଘେନିଣ ତୁହି ମିଳିବୁ ଏଠାରେ ।

କରପତ୍ର ଯୋଡ଼ିଣ ସେ କିରାତ ବୋଲଇ

ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଁ ।

ଶ୍ରୀପାଦପଦ୍ମରୁ ମୁହିଁ କାଢ଼ିବି ନାରାଜ

ଫୁଙ୍କିଣ ଘାଆ ଶୁଖାଇ ଦେବି ଦେବରାଜ ।

କାଣ୍ଡ ଘାଆ ଶୁଖିବାର ଜାଣଇ ମୌଷଧି

ତୁମ୍ଭେ ଆଜ୍ଞା ଦିଅ ମୋତେ କରୁଣା ବାରିଧି ।

ଶବର ମୁଖରୁ ପ୍ରଭୁ ଏସନକ ଶୁଣି

ବୋଇଲେ ଶ୍ରୀଅଙ୍ଗ ତୁ  ନ ଛୁଇଁ ବୀରମଣି ।

ବିଳମ୍ବ ନ କରି ଯାଅ ହସ୍ତିନା ନବର

ପାଣ୍ଡବଙ୍କୁ ଆଣି ଦିଅ ମୋହର ଛାମୁର ।

ଆମ୍ଭର ଶ୍ରୀଅଙ୍ଗ ଗୋଟି ଜଳୁଣ ଅଛଇ

ପାର୍ଥ ଛୁଅନ୍ତେ ଶୀତଳ ହେବ ମୋର ଦେହୀ ।

ଆଜ୍ଞା ପାଇଣ ଶବର ତ୍ୱରିତ ଉଠିଲା

ଶ୍ରୀଗୋବିନ୍ଦଙ୍କ ପୟରେ ଓଳଗି ଶୋଇଲା ।

ଫିରିକ କାଠ ନିର୍ମିତ ଧନୁ ଏକ ଧରି

ଉତ୍ତର ମୁଖ ହୋଇଣ ଚଳେ ମହାବଳୀ ।

ହସ୍ତିନା ନଗରେ ଯାଇ ହୋଇଲା ପ୍ରବେଶ

ଭୃତ୍ୟଜନଙ୍କୁ କହଇ କରିଣ ବିଶ୍ୱାସ ।

ଯୁଧିଷ୍ଠିରଙ୍କ ଛାମୁରେ ଜଣା ବେଗେ ଯାଇ

ଗୋବିନ୍ଦ ପାଖରୁ ଜଣେ ଦୂତ ଆସିଛଇ  

ଏହା ଶୁଣି ଭୃତ୍ୟମାନେ ଭିତରକୁ ଗଲେ

କୃଷ୍ମ ଦୂତ ଆସିଅଛି ବୋଲିଣ ବୋଇଲେ  

ଯୁଧିଷ୍ଠିର ଆଜ୍ଞା ଦେଲେ ଭିତରକୁ ଆଣ

କିସ ଆଜ୍ଞା ଦେଇଛନ୍ତି ଦେବ ନାରାୟଣ ।

ଠାକୁରଙ୍କ ଆଜ୍ଞା ତୁମ୍ଭେ ଶୁଣ ହେ ଶବର

ଉତ୍ତର ଜଗତୀଠାକୁ ଚଳ ତତପର ।

ରାଜା ଆଜ୍ଞାରେ ଶବର ତହୁଁ ଗଲା ଚଳି

ଯୁଧିଷ୍ଠିରଙ୍କ ଛାମୁରେ କରେ ନିଉଛାଳି ।

କରପତ୍ର ଯୋଡ଼ିଣ ସେ ବୋଲର ବଚନ

ଆଜ୍ଞା କରିଛନ୍ତି ମହାପ୍ରଭୁ ଭଗବାନ ।

ସୁରେଶ୍ୱର ବନମଧ୍ୟେ ଛନ୍ତି ଜଗନ୍ନାଥ

ଆଜ୍ଞା କରିଛନ୍ତି ଘେନି ଆସ ପ୍ରାଣବନ୍ତ ।

ଚାରି ଭାଇ ନ ଆସିବେ ଯେବେ ତାହାଙ୍କର

କେବଳ ଘେନି ଆସିବୁ ବାସବ କୁମର ।

ଆସ ଆସ ବେଗ ହୋଇ ନ ପାରଇ ସହି

ବିଳମ୍ବରେ କୁପିତ ଯେ ହେବେ ଭାବଗ୍ରାହୀ ।

ଯୁଧିଷ୍ଠିର ନିରେଖିଲେ ଅର୍ଜ୍ଜୁନ ବଦନ

କି ନିମନ୍ତେ ଲୋଡ଼ୁଛନ୍ତି ପ୍ରଭୁ ନାରାୟଣ ।

ଅର୍ଜ୍ଜୁନ ପୁଛନ୍ତି ପୁଣ ହେ କିରାତ ଭାଇ

କେବଣ କଥା ନିମନ୍ତେ ଡକରା ହୁଅଇ ।

ଶବର ବୋଇଲେ ମୁହିଁ ନ ଜାଣଇଁ କିଛି

ଆଜ୍ଞାରେ ତୁମ୍ଭଙ୍କୁ ନେବା ପାଇଁ ଆସିଅଛି ।

ବିସ୍ମୟରେ ବୋଲନ୍ତି ଯେ ଅନ୍ୟ ଚାରିଭାଇ

ଭୀମସେନ କହି ଯୁଧିଷ୍ଠିର ମୁଖ ଚାହିଁ  

ସହଦେବଙ୍କୁ ପଚାର ତହିଁର ବୃତ୍ତାନ୍ତ

କିମ୍ପାଇ ଲୋଡ଼ୁ ଅଛନ୍ତି ଦେବ ଜଗନ୍ନାଥ ।

ସୁରେଶ୍ୱର ବନମଧ୍ୟେ ଛନ୍ତି ଭାବଗ୍ରାହୀ

ଭଲ ପ୍ରାୟ ମୋତେ ଏହି କଥା ନ ଦିଶଇ ।

ତରକ କରିଣ ଏହୁ କଥାଏ କହିଲା

ଯୁଧିଷ୍ଠିରଙ୍କ ମନକୁ ସେ କଥା ରୁଚିଲା ।

ତହୁଁ ନକୁଳ ବୋଲଇ କହ ସହଦେବ

ଯିବାପାଇଁ ଡାକୁଛନ୍ତି କିମ୍ପା ବାସୁଦେବ ।

ଯୁଧିଷ୍ଠିର ଦେବଙ୍କର ଆଜ୍ଞା ପରମାଣେ

ସହଦେବ ଚାହିଁ କରି ବୋଇଲେ ତକ୍ଷଣେ ।

କର ଚାହିଁ ସହଦେବ ବିସ୍ମୟ ମଣିଲା

ଦୁଇ ଖଣ୍ଡ ପରିଯନ୍ତ କଥା ନ କହିଲା  

ତହୁଁ ଭୀମସେନ ବୋଲେ କହରେ କୁମାର

କି ନିମନ୍ତେ ଲୋଡ଼ୁଛନ୍ତି ପ୍ରଭୁ ଚକ୍ରଧର ।

ତହୁଁ ସହଦେବ ବୋଲେ ଶୁଣିମା ଗୋସାଇଁ

ବିପରୀତ କଥା ଗୋଟି ଉପୁଜି ଅଛଇ ।

ଶ୍ରୀଜଗନ୍ନାଥ ପ୍ରଭୁଙ୍କୁ ବିପତ୍ତି ପଡ଼ିଲା

ସନ୍ତରା ବନରେ କୃଷ୍ଣ ବଂଶ ନାଶ ଗଲା ।

ଏହି ଶବର କୃଷ୍ଣଙ୍କୁ ବିନ୍ଧିଅଛି ଶର

ଅର୍ଜ୍ଜୁନ ଠାକୁର ଗଲେ ଛାଡ଼ିବେ ଶରୀର ।

କାଣ୍ଡ ଘାଆରେ ପ୍ରଭୁଙ୍କ ଜଳୁଅଛି ଦେହୀ

ଶିଆଳୀ ଲତାରେ ଶୋଇଛନ୍ତି ଭାବଗ୍ରାହୀ ।

ଲକ୍ଷେ ଷାଠିଏ ସହସ୍ର ତାହାଙ୍କ ନନ୍ଦନ

ସନ୍ତରା ବନରେ  ସର୍ବେ ଲଭିଲେ ନିଧନ ।

ଅନନ୍ତ ଚଳି ଗଲେଣି ତାଙ୍କ ନିଜଧାମ

ତିନି ଦିବସ ଛାଡ଼ିଲେ ଦ୍ୱାରକା ଆଶ୍ରମ ।

ତାହାଙ୍କଠାରୁ  ଅର୍ଜ୍ଜୁନ ଯିବେ ଯେତେବେଳେ

ଠାକୁରେ ବୋଲିବେ ପାର୍ଥ ଧରମୋତେକୋଳେ ।

ତୋଦେହ ଲାଗୁଁ ଶୀତଳ ହେବ ମୋ ଶରୀର

ପାର୍ଥ ଅଙ୍ଗ ଲାଗୁଁ  କୃଷ୍ଣ ଯିବେ ନିଜପୁର ।

ଅର୍ଜ୍ଜୁନ ଠାକୁର ଦେହେ ବିଷ୍ଣୁ କଳା ଅଛି

ତାହା ନ ହେଲେ କେମନ୍ତେ  ଯିବେଟି ଶ୍ରୀବତ୍ସି ।

ଅର୍ଜ୍ଜୁନ ଠାକୁର ତହିଁ ଯାନ୍ତୁ ଏହିକ୍ଷଣି

କେତେବେଳେ ନ ଛୁଇଁବେ ତାଙ୍କ ଦେହ ପୁଣି ।

ଗୁପ୍ତ କଥା କହନ୍ତେଣ ମାଦ୍ରୀର ନନ୍ଦନ

ଯୁଧିଷ୍ଠିର ମହାରାଜା ହରାଇଲେ ଜ୍ଞାନ ।

କି ବୁଦ୍ଧି  କରିବା ବୋଲି କରନ୍ତି ବିଚାର

ଶବର ବୋଲଇ ଉଠ ବିଳମ୍ବ ନ କର ।

ଶବର ବଚନେ ବୋଲୁଛନ୍ତି ପାଞ୍ଚଭାଇ

ଆମ୍ଭ ଯିବାଯାଏ ଥିବେଟିକି ଭାବଗ୍ରାହୀ ।

ଶବର ବୋଲଇ ଦେବ ନ କର ହୋ ଚିନ୍ତା

ବେଗେ ଆସ ଦେଖିବଟି ଯେବେ ଜଗଜ୍ଜିତା ।

ଯୁଧିଷ୍ଠିର  ପୁଛନ୍ତି ହୋ ଶୁଣ ସହଦେବ

କିମ୍ପାଇଁ ଶବର ଶର ବିନ୍ଧେ ବାସୁଦେବ ।

ଏଥିର ଚରିତ ମୋତେ  କହ ହୋ ବୁଝାଇ

ସନ୍ଦେହର କଥା ମୁଁ  ତୋ ମୁଖୁଁ ଶୁଣିବଇଁ  

ଏହା ଶୁଣି ସହଦେବ କରକୁ ଚାହିଁଲା

ତ୍ରେତୟା ଯୁଗର କଥା ମାନ ବଖାଣିଲା  

ସାବଧାନ ହୋଇ ତୁମ୍ଭେ  ଶୁଣିମା ଗୋସାଇଁ

ଦଶରଥ ଗୃହେ  ଜନ୍ମିଥିଲେ  ଭାବଗ୍ରାହୀ ।

ରାବଣର  ଭୟେ  ଦେବେ  ରହି ନ ପାରିଲେ

ବିଷ୍ଣୁ ପାଶେ ଯାଇ ସର୍ବେ ଗୁହାରି କରିଲେ ।

ମର୍ତ୍ତ୍ୟ ପୁରେ ଅବତାର ହେଲେ ନାରାୟଣ

ଦଶରଥ ରାଜାଙ୍କର ହୋଇଲେ ନନ୍ଦନ ।

ବାଳକାଳେ ବିଶ୍ୱାମିତ୍ର ଯାଗ ରକ୍ଷାକଲେ

ତାଡ଼କାସୁରୀକି ଯାଇ ନାରାଚେ ମାଇଲେ  

ବାୟୁଶରେ ମାରୀଚକୁ ଦେଲେକ ଉଡ଼ାଇ

ଅସୁର ମାରିଣ ଯାଗ ରଖି ରଘୁସାଇଁ ।

ସୁଖେ ଦେବତାଏ ହବିର୍ଭାଗ ପ୍ରାପ୍ତ ହେଲେ

ଋଷିମାନେ ଶ୍ରୀରାମଙ୍କ କଲ୍ୟାଣ ବାଞ୍ଚିଲେ  

ବିଶ୍ୱାମିତ୍ର ଶସ୍ତ୍ର ଶାସ୍ତ୍ର ବିଦ୍ୟା ଶିଖାଇଲେ

ଶ୍ରୀରାମ ପାଦେ ଅହଲ୍ୟା ମୁକତି ଲଭିଲେ  

ତଦନ୍ତରେ  ମିଥିଳାକୁ ଗଲେ  ରାମ ରାଣ

ତହିଁ ଯାଇଁ ଶିବଧନୁ କଲେକ ଭଗନ ।

ସୀତାଙ୍କୁ ବିବାହ ହୋଇ ତହୁଁ ବାହୁଡ଼ିଲେ

ପଥେ ପର୍ଶୁରାମଙ୍କର ଦର୍ପ ଚୂର୍ଣ୍ଣକଲେ  

ଅଯୋଧ୍ୟା କଟକେ ଆସି ହୋଇଲେ ପ୍ରବେଶ

ସୀତାଙ୍କୁ  ଘେନିଣ  ଦିନ ବଞ୍ଚି ରଘୁଶିଷ୍ୟ ।

ଏହିରୂପେ କିଛଦିନ ହୁଅନ୍ତେ  ଅନ୍ତର

ଶ୍ରୀରାମଙ୍କୁ  ରାଜା କର ବୋଲି ନୃପବର ।

କଇକେୟୀ ପାଶେ  ରାଜା ସତ୍ୟ କରିଥିଲେ

ସତ୍ୟ ପାଳିବାକୁ  ରାମ ବନବାସ ଗଲେ  

ପିତାଙ୍କର ସତ୍ୟ କେଭେ  ଅନ୍ୟଥା ନ କଲେ

ସୀତାଙ୍କୁ ଘେନିଣ ରାମ ବନବାସୀ ହେଲେ ।

ବନେ ଭ୍ରମିଣ ରହିଲେ  ଗୋଦାବରୀ କୂଳ

ସୀତାଙ୍କୁ  ଚୋରାଇ ନେଲା ବିଶ୍ରବାର ବାଳ ।

ଲଙ୍କାଗଡ଼କୁ ନେଇଣ ଗୋପନେ ରଖିଲା

ଅଶୋକବନରେ ନେଇ ତାହାଙ୍କୁ ଥୋଇଲା ।

ମାୟା ମୃଗ ମାରିବାକୁ ଯାଇଥିଲେ ରାମ

ବାହୁଡ଼ି ଆସିଣ ତହିଁ ଦେଖିଲେ ଶ୍ରୀରାମ ।

ସୀତାଙ୍କୁ ନ ଦେଖି ରାମ ବିକଳ ହୋଇଲେ

ଘୋର ବନସ୍ତରେ ବୁଲି ତାହାଙ୍କୁ  ଲୋଡ଼ିଲେ ।

ଜଟାୟୁ ପକ୍ଷୀ କହିଲା ରାମଙ୍କ ପାଶେଣ

ସୀତୟାଙ୍କୁ ଘେନିଗଲା  ଲଙ୍କାର ରାବଣ ।

ବାର୍ତ୍ତା ପାଇ ରାମଚନ୍ଦ୍ର ବିସ୍ମୟ ହୋଇଲେ

ହା ସୀତା  ହା ସୀତା ବୋଲି ଉଚ୍ଚରେ ରୋଦିଲେ ।

ଏହିପରି କିଛିଦିନ ଗତ ହୋଇବାରେ

ଋଷ୍ୟମୂକ ପର୍ବତରେ  ଶ୍ରୀରାମ ମିଳିଲେ  

ବାଳି ଭୟ ରେ ସୁଗ୍ରୀବ ପର୍ବତରେ ଥିଲା

ବାଳୀର ଏ ଦୂତ ବୋଲି ଭୟେ ପଳାଇଲା ।

ହନୁମନ୍ତ ବୋଇଲା ତୁ କାହିଁକି ପଳାଉ

ଧନୁର୍ଦ୍ଧରଙ୍କୁ ଦେଖିଣ ମନେ ଭୟ ପାଉ ।

ଏତେ କହି ହନୁମନ୍ତ ହୋଇଲା ବାହାର

ଖଣ୍ଡେ ଦୂର ଯାଇକରି ଦେଖେ ରଘୁବୀର ।

ତହୁଁ  ବ୍ରାହ୍ମଣ ସ୍ୱରୂପ ଗୋଟି ସେ ଧଇଲା

ଶ୍ରୀରାମଙ୍କର ଛାମୁରେ ଯାଇଣ ମିଳିଲା ।

ନୀରେଖି ଜାଣି ପାରିଲେ ପ୍ରଭୁ ରଘୁରାଣ

ସକଳ କଥା କହିଲା ତାଙ୍କୁ ହନୁମାନ ।

ହନୁମନ୍ତ ସଙ୍ଗେ  ରାମ ଲକ୍ଷ୍ମଣ ଚଳିଲେ

ସୁଗ୍ରୀବର ସଙ୍ଗତରେ ମଇତ୍ର ହୋଇଲେ ।

ମଇତ୍ରର ଛଳେ ରାମ କିଷ୍କିନ୍ଧ୍ୟାକୁ ଗଲେ

ସୁଗ୍ରୀବର ଦୁଃଖ ଦେଖି ବାଳିକି କୋପିଲେ ।

ଦୁଇଭାଇ ଡାକିହାକି କରନ୍ତେ ସମର

ବାଳିକି ବିନ୍ଧିଲେ  ରାମ ବାଛି ତୀକ୍ଷଣଶର ।

ସେ କାଣ୍ଡରେ ବାଳିବୀର ଢଳିଣ ପଡ଼ିଲା

ଶ୍ରୀରାମଙ୍କୁ  ଚାହିଁ  ସେହୁ ଏମନ୍ତ କହିଲା ।

ମୁଁ ତୋହର କେତେବେଳେ ନୁହଇ ବଇରୀ

ଅକାରଣେ ମାଇଲୁ ତୁ ମୋତେ ଶସ୍ତ୍ର ଧରି  

ଏତେ କହି ବାଳି ତହିଁ ହରାଇଲା ପ୍ରାଣ

କିଷ୍କିନ୍ଧ୍ୟାରେ ସୁଗ୍ରୀବକୁ କଲେକ ରାଜନ ।

ସୁଗ୍ରୀ ସତ୍ୟକଲା ଚତୁର୍ମାସ୍ୟା ଶେଷ ହେଲେ

ରାବଣେ ବଧି ସୀତାଙ୍କୁ ଆଣିବି ମୁଁ ବୋଲେ ।

ଏହା ଶୁଣି ରାମଚନ୍ଦ୍ର ତହୁଁ ଚଳିଗଲେ

ମାଲ୍ୟବନ୍ତ ପର୍ବତରେ  ଯାଇଣ ମିଳିଲେ ।

ଚତର୍ମାସ୍ୟା  ପହିବାରେ  ସୁଗ୍ରୀବ ଅଇଲା

ଶ୍ରୀରାମଚନ୍ଦ୍ର ଚରଣେ ଯାଇଣ ଖଟିଲା ।

ସେ ସୁଗ୍ରୀବ  ଚତୁର୍ଦ୍ଦିଗେ ଦୁତ ବରଗିଲେ

ଲଙ୍କାପୁରେ  ହନୁମନ୍ତ ସୀତା ଠାବକଲେ  

ରୂକ୍ଷକପି ଘେନି ରାମ ବାନ୍ଧି ସେତୁ ବନ୍ଧ

ଯାଇଣ ରହିଲେ  ସୁବଳୟା ଗିରି ମଧ୍ୟ ।

ଇନ୍ଦ୍ରଜିତ କୁମ୍ଭକର୍ଣ୍ଣ ସବୁଙ୍କୁ ମାଇଲେ

ରାମ ପାଦେ ବିଭୀଷଣ ଶରଣ ପଶିଲେ ।

ଆପଣେ ଶ୍ରୀରଘୁନାଥ ମାଇଲେ ରାବଣ

ସୀତାଙ୍କୁ ଘେନିଣ ତହୁଁ ବାହାରିଲେ ପୁଣ ।

ଅଯୋଧ୍ୟାପୁରେ ଆସିଣ ପ୍ରବେଶ ହୋଇଲେ

ସୀତାଙ୍କୁ ଘେନିଣ ରାମ ଅଭିଷେକ ହେଲେ ।

ଅଭିଷେକ ବିଧାନକୁ ସାରି ରଘୁନାଥ

ଆସ୍ଥାନ ଉପରେ ବିଜେ କଲେ ସୀତାକାନ୍ତ ।

ରୂକ୍ଷ କପିମାନେ ତହୁଁ ପଟୁଆରେ  ରହି

ଆସ୍ଥାନ ତଳେ ରହିଲେ ସର୍ବେ ଉଭା ହୋଇ ।

ଜଣେ ଜଣେ ଋକ୍ଷ କପିମାନଙ୍କୁ ରାଇଣ

ଶାଢ଼ୀ ପ୍ରସାଦ ତାହାଙ୍କୁ ଦ୍ୟନ୍ତି ରାମରାଣ ।

ଯେ ଯାହାର ମନକଥା ସମସ୍ତ ଜାଣିଲେ

ଏକାନ୍ତ ସ୍ଥାନକୁ ଅଙ୍ଗଦକୁ ହକାରିଲେ ।

ବୋଇଲେ ଅଙ୍ଗଦ ଯାହା ବାଞ୍ଛା କଲ ମନେ

ସେ କଥା କହଇ ଶୁଣ ତୁହି ଏକମନେ ।

ଅକାରଣେ ତୋ ପିତାକୁ ଆମ୍ଭେ ନାଶ କଲୁ

କିଷ୍କିନ୍ଧ୍ୟାରେ ସୁଗ୍ରୀବକୁ ରାଜା କରାଇଲୁଁ ।

ଯଥାର୍ଥ ହିଁ ଆମ୍ଭେ ଅଟୁ ତୋ ପିତା ବଇରୀ

ପୁତ୍ର ହୋଇ ଯେବେ ପିତା କାର୍ଯ୍ୟ ସେ ନ କରି ।

ସେହି ପୁତ୍ର ଗୋଟି ପଶୁ ସଙ୍ଗେ ଗଣ୍ୟହୋଇ

ଜୀବନ ଧରିବା ତାର ବିଅର୍ଥ  ଅଟଇ ।

ତୁ ଏବେ ଆମ୍ଭ ବଚନ ହେତୁ କରିଥିବୁ

ଯେମନ୍ତେ ପିତୃ ଋଣରୁ  ମୁକତି ହୋଇବୁ ।

ଏହି ତ୍ରେତା ଯୁଗ ଗଲେ ଦ୍ୱାପର ଯୁଗରେ

ଆମ୍ଭେ ଜନ୍ମ  ହେବୁ ଆସି ବସୁଦେବ  ଘରେ  

ପୃଥ୍ୱୀଭାରା ନିବାରଣେ ମର୍ତ୍ତ୍ୟେ ହୋଇ ଜାତ

ଅନେକ ଅସୁରବଳ କରିବୁ ନିପାତ ।

ତହିଁର ଅନ୍ତରେ ପୁଣ ଯୁଗ ଶେଷ କାଳେ

ତୁହି ଜାତ ହେବୁ ବସୁ ଶବର ଗୃହରେ  

ଜାରାଶବର ବୋଲିଣ ନାମ ହେବ ତୋର

ଏକଥାକୁ ହେତୁ କରିଥିବୁ ତୁ ମନର ।

ବାଳିକି ମାଇଲା କାଣ୍ଡ ତାକୁ ତୋଳିଦେଲେ

ଦ୍ୱାପରରେ ପିତୃ କାର୍ଯ୍ୟ କରିବୁ ବୋଇଲେ ।

ବ୍ରହ୍ମଶାପ ଫଳେ ମୋର ପୁତ୍ରେ ରୁଣ୍ଡ ହୋଇ

ସନ୍ତରାବଣେ ମରିବେ  ହଣା ହଣି ହୋଇ ।

ଲକ୍ଷେ ଷାଠିଏ ସହସ୍ର ଅଶୀଏ ନନ୍ଦନ

ଏକାବେଳେକରେ ସର୍ବେ  ହାରିବେ ଜୀବନ ।

ତେତେବେଳେ ଯାଇ ଆମ୍ଭେ ଶୀଆଳିଲତାରେ

ସୁଖେ ନିଦ୍ରା କରିଥିବୁ  ତହିଁର ଉପରେ  

ସେତେବେଳେ  ମୃଗୟାରେ  ତୁହି ଆସିଥିବୁ

ମୃଗ ଶମ୍ବର  ନ ପାଇ ବିମନ ହୋଇବୁ  

ପାଦପରେ ପାଦ ଦେଇ ମୁହିଁ ଥିବି ଶୋଇ

ଶ୍ରୀଚରଣ ଗୋଟି ହଲାଉଣଥିବି ମୁହିଁ ।

ମୃଗ କର୍ଣ୍ଣ ପ୍ରାୟ ତାହା ମଣିବୁ ମନରେ

ନ ନାରାଚ ପ୍ରହାରିବୁ ଆମ୍ଭର ପୟରେ  

ବାମ ପାଦରେ କନିଷ୍ଠ  ଅଙ୍ଗୁଳିରେ ଯାଇ

ବାଜନ୍ତେ  ତୁ ପିତୃଋଣ  ଶୁଝିବୁ ତନୟୀ ।

ଏତେ କହି ଅଙ୍ଗଦକୁ ମେଲାଣି ସେ ଦେଲେ

ଯେଉଁରୂପେ  ପ୍ରଭୁ ତାକୁ ଆଜ୍ଞା ଦେଇଥିଲେ  

ସେ କାଳର କଥା ଏବେ ସ୍ୱରୂପ ଘଟିଲା

ଶବର ରୂପ ଧରିଣ ଅଙ୍ଗଦ ଜନ୍ମିଲା ।

ନୋହିଲେ  କୃଷ୍ଣଚନ୍ଦ୍ରଙ୍କୁ ବିନ୍ଧନ୍ତା କି ସେହି

ଦେବାଧି ଦେବତାଙ୍କର ପ୍ରଭୁ ଯେ ଅଟଇ ।

ଏହା ଶୁଣି ଯୁଧିଷ୍ଠିର ଅର୍ଜ୍ଜୁନେ ଚାହିଁଲେ

ସହଦେବ ମୁଖୁ ଯହୁଁ ଏସନ ଶୁଣିଲେ ।

ତହୁଁ ପଣ୍ଡୁସୁତମାନେ ଏକତ୍ରିତ ହୋଇ

ସୁରେଶ୍ୱର ଅରଣ୍ୟକୁ ଯାଆନ୍ତି ଚଳାଇ ।

ଆଗେ ଆଗେ ଶବର ଯେ କଢ଼ାଉଛି ବାଟ

ପଛରେ ଗୋଡ଼ାଇଛନ୍ତି  ପଣ୍ଡୁଙ୍କର ଚାଟ।

ଯେଉଁଠାରେ  ପଡ଼ିଛନ୍ତି ପ୍ରଭୁ ନାରାୟଣ

ସେ ସ୍ଥାନେ ମିଳିଲେ ଯାଇ ପଣ୍ଡୁଙ୍କର ନାନ ।

ଦେଖିଲେ ଉତ୍ତାନ ଶୋଇଛନ୍ତି ନାରାୟଣ

ଜାରାଶବର ନାରାଚ ପାଦରେ ବାଜିଣ ।

ପଦ୍ମଲୋଚନରୁ ବହୁଅଛି  ଅଶ୍ରୁଧାର

ପାଣ୍ଡବ ଆଗମ ଚାହିଁ ଅଛନ୍ତି ଶ୍ରୀଧର ।

ବେନିଗୋଟି ନୟନକୁ କୃଷ୍ଣ ଛନ୍ତି ବୁଜି

ନାରାଚ ଆଘାତ ଚିହ୍ନ ଅଙ୍ଗୁଳିରେ ରାଜି ।

ଏମନ୍ତବେଳେ ମିଳିଲେ ତହିଁ ପାଞ୍ଚ ଭାଇ

ଦେଖି ଭୀମ ଅର୍ଜ୍ଜୁନାଦି ପ୍ରଣମନ୍ତି ଯାଇ ।

ପାଣ୍ଡବଙ୍କର  ଆସିବା ଜାଣି ଦାମୋଦର

ଚକ୍ଷୁ ଫେଡ଼ି ନିରେଖିଲେ  ବଦନ ତାଙ୍କର ।

ଦେଖିଲେ ପାଦର ତଳେ ଉଭା ଅରଜୁନ

ଗଦ ଗଦ ହୋଇ ତାଙ୍କୁ ବୋଲନ୍ତି ବଚନ ।

ସତ୍ୱର ଆସ ହେ ପାର୍ଥ କତିକି ମୋହର

ନାରାଚ ଆଘାତେ ଜଳୁଅଛି ମୋ ଶରୀର ।

ତୋହର ଅଙ୍ଗ ଲାଗନ୍ତେ  ଶୀତଳ ହୋଇବ

ଚାହିଁ ରହିଅଛି ଦୈବେ ମିଳିଲୁ ମୋ ଠାବ ।

ଅନେକ ବିକଳେ ଡାକ  ଦ୍ୟନ୍ତି ଜଗନ୍ନାଥ

ଜଳୁଛି ଶରୀର କୋଳେ ଧର ବୀର ପାର୍ଥ ।

ବହୁତ ବିକଳ ହୋଇ ଡାକନ୍ତି ଗୋସାଇଁ

କେବେହେଁ ସେ ଅରଜୁନ ପାଶେ ନ ଆସଇ ।

ସହଦେବ ବାକ୍ୟ ଧରିଅଛି ଦୃଢ଼ କରି

ଛୁଇଁଲେ ମୁଁ ଜୀବନକୁ ଛାଡ଼ିବେ ଦୈତାରି ।

ତହୁଁ ଅର୍ଜ୍ଜୁନ ବୋଇଲେ ଶୁଣିମା ଗୋସାଇଁ

ଯୁଧିଷ୍ଠିରଙ୍କର ଛୁଇଁବାକୁ ଆଜ୍ଞା ନାହିଁ ।

ଏହା ଶୁଣିଣ କୁପିତ ହେଲେ ଜଗନ୍ନାଥ

ବୋଇଲେ ଜାରଜାତକା ଅଟୁ ପାଣ୍ଡୁ ସୁତ ।

ତୁମ୍ଭପାଇଁ ମୁହିଁ କେତେ ଦୁଃଖ ପାଇନାହିଁ

ପ୍ରାଣ ଯିବାବେଳେ ମୋତେ ନ ଛୁଇଁଲୁ ତୁହି ।

ଏମନ୍ତ ପ୍ରକାରେ ଗାଳି ଦେଲେକ ବହୁତ

ବୋଇଲେ ଜାରଜାତକା ନାହିଁ କୁଳଗୋତ୍ର ।

ଏସନକ ପରକାରେ ବହୁ ଗାଳି ଦେଲେ

କେବେହେଁ ଅର୍ଜ୍ଜୁନ ତାଙ୍କ ଅଙ୍ଗ ନ ଛୁଇଁଲେ ।

ଅର୍ଜ୍ଜୁନ ଅଙ୍ଗରେ  ଏକ କଳା ଥୋଇଛନ୍ତି

ପଞ୍ଚଦଶ କଳା ଘେନି ଆପେ ଜନ୍ମିଛନ୍ତି ।

ଅରଜୁନ ନ ଛୁଇଁଲେ ଯହୁଁ ତାଙ୍କ ଗାତ୍ର

ପ୍ରାଣ ବିକଳରେ କୃଷ୍ଣ ହୋଇ ଉତ୍କଣ୍ଠିତ ।

ଜାଣିଲି ଅର୍ଜ୍ଜୁନ ମୋତେ ନ ଛୁଇଁଲା ଭୟେ

ତେଣୁ ଛଦ୍ମେ ଡାକ ଦ୍ୟନ୍ତି ପ୍ରଭୁ ଦେବରାୟେ ।

ଡାକି ଡାକି ଜଗନ୍ନାଥ ନିରାଶ ହୋଇଲେ

ଅର୍ଜ୍ଜୁନ ବୀରର ଦୃଢ଼ ବଚନ ଜାଣିଲେ  

ବୋଲନ୍ତି ଅର୍ଜ୍ଜୁନ ଯେବେ  ନ ଛୁଇଁବୁ ମୋତେ

ଧନୁହୁଳ ଗୋଟିକ ତୁ ଦିଅ ମୋର ହସ୍ତେ ।

ଗୋବିନ୍ଦର ମାୟା ପାର୍ଥ ଜାଣି ନ ପାରିଲେ

ଧନୁହୁଳ ଗୋଟିକ ସେ ବଢ଼ାଇଣ ଦେଲେ ।

ଦନୁହୁଳ ଗୋଟି ହରି ଧରି ବାମକରେ

ଅର୍ଜ୍ଜୁନର ମୁଖକୁ ସେ ଚାହିଁଲେ  ସଧୀରେ  

ବୋଇଲେ ଅର୍ଜ୍ଜୁନ  ତୁହି କଥାଏ କରିବୁ

ଦ୍ୱାରକା ଭୁବନକୁ ତୁ ଏହିକ୍ଷଣି ଯିବୁ ।

ମୋହର ଭାର୍ଯ୍ୟା କୁଟୁମ୍ବ ଆଣିବୁ ସମ୍ଭାଳି

ହସ୍ତିନାପୁରେ ଥୋଇବୁ ତାଙ୍କୁ ଯତ୍ନକରି ।

ତୋଠାରୁ ବିଶ୍ୱାସୀ ଆଉ ନାହିଁ ମୋର କେହି

ଯେତେବେଳେ କୁଟୁମ୍ବ  ମୋ ଆଣିବୁ କଢ଼ାଇ ।

ତକ୍ଷଣେ ଦ୍ୱାରକାପୁର ଜଳେ ବୁଡ଼ିଯିବ

ତେଡ଼େ ବଡ଼ ନଗ୍ର ଜଳେ ନିମଗ୍ନ ହୋଇବ ।

ମୋହର ଏହି ବଚନ ଦୃଢ଼ କରି ଘେନ

ଏତେ ବୋଲି ଜୀବନକୁ ତେଜିଲେ ମୋହନ ।

ଶୁଣ ହୋ ପରୀକ୍ଷ ରାଜା ଶୁକମୁନି କହି

ଯେତେବେଳେ ଦେହ ଛାଡ଼ିଗଲେ ଭାବଗ୍ରାହୀ ।

ନିଜ ସ୍ଥାନେ ଯାଇଣ ସେ ହୋଇଲେ  ପ୍ରବେଶ

ନିଶ୍ଚିନ୍ତ ହୋଇ ଶୟନ କଲେ ପୀତବାସ ।

ଏକାହୋଇ ଶୋଇଲେ ସେ ସଙ୍ଗେ କେହିନାହିଁ

କମଳାଦେବୀ ଅଛନ୍ତି ମର୍ତ୍ତ୍ୟେ ଦେହବହି ।

କଳେବର ଛାଡ଼ି ହରି ଗଲେ ନିଜ ଧାମ

ପିଣ୍ଡଗୋଟି ପଡ଼ି ରହେ ମର୍ତ୍ତ୍ୟ ଭୁବନେଣ ।

ଛାମୁରେ ଉଭା ହୋଇଣ ଅଛନ୍ତି ଅର୍ଜ୍ଜୁନ

ଆକୁଳରେ ପଣ୍ଡୁସୁତେ କରନ୍ତି ରୋଦନ ।

ହା ଜଗନ୍ନାଥ ଅନାଥ କରି କେଣେ ଗଲୁ

ଏଭାବ ସମୁଦ୍ରେ ଆମ୍ଭ ଭେଳା ବୁଡ଼ାଇଲୁ ।

ଅନାଥର ନାଥ ତୁମ୍ଭେ କରୁଣା ସାଗର

ପଞ୍ଚ ପାଣ୍ଡବେ ତୁମ୍ଭର ସର୍ବଦା କିଙ୍କର ।

ସମସ୍ତେ କହନ୍ତି  ତୁମ୍ଭେ ପାଣ୍ଡବଙ୍କ ହରି

ତୁମ୍ଭ ସକାଶୁ ପାଣ୍ଡବେ  କାହାକୁ ନ ଡରି ।

ଯୁଧିଷ୍ଠିର ଦେହ ରାଜସୂୟ ଯାଗ କଲେ

ତୋହର ଆଜ୍ଞାରେ  ଲକ୍ଷେ ରାଜା ପ୍ରବେଶିଲେ ।

ତୋ ହେତୁ ଆମ୍ଭ ମହିମା  ଗୋଟି ବିକାଶିଲ

ଏତେ କହି ପାର୍ଥବୀର ବହୁତ ରୋଦିଲା ।

ତୋହର ହିଁ ଆଜ୍ଞାରେ ଯେ ଆମ୍ଭଙ୍କୁ ତ୍ରିପୁରେ

କ୍ଷତ୍ରିୟ ସମ ନୋହିଲେ  ସମର କ୍ଷେତ୍ରରେ  

ଏବେ ତ ଅନାଥ କରି ଗଲ ଜଗନ୍ନାଥେ

କେସନେ ରହିବେ ଏବେ କହ ପଣ୍ଡୁସୁତେ ।

ଦିବସରେ ଆମ୍ଭଙ୍କୁ ତ ଲାଗେ ଅନ୍ଧକାର

ରାଜ୍ୟ ଛାଡ଼ି  ଆମ୍ଭେ ସିନା  ପଶିବୁଁ ବନର ।

ସହଦେବ ବୋଇଲେ  ହୋ କାନ୍ଦନାହିଁ କେହି

ଶ୍ରୀକୃଷ୍ଣ ପିଣ୍ଡଗୋଟିକ ଦଗ୍‌ଧ କର ନେଇ ।

ସହଦେବଙ୍କ ବଚନେ  ଯୁଧିଷ୍ଠି ବୋଲନ୍ତି

ଚିନ୍ତାକଲେ  ଶତ୍ରୁ  ଛିଦ୍ର ପାଇବେ  ଏଘାନ୍ତି ।

ଏ କଥା ଭାବି ପାଣ୍ଡବେ  ଶୋକ ନିବାରିଲେ

ଦାହ କରିବା ନିମନ୍ତେ  ମନ ବଳାଇଲେ  

ଚନ୍ଦନ କାଠରେ ଖଟ ନିର୍ମାଣ କରାଇ

କୃଷ୍ଣଙ୍କର ମୃତପିଣ୍ଡ ଶୁଆଇଲେ  ତହିଁ ।

ସୁରଶ୍ୱର ଅରଣ୍ୟକୁ ଚାରି କ୍ରୋଶ ଦୂର

ପିଣ୍ଡ ଘେନି ଚଳିଗଲେ  ପଣ୍ଡୁଙ୍କ  କୁମର ।

ପର୍ବତକୁ କୋଶେ  ଛଡ଼ା  ଅଟେ ମହୋଦଧି

ତହିଁରେ ପିଣ୍ଡ ଦହିଲେ  ସ୍ୱର୍ଗପଥ ଭେଦି ।

ନୀଳଗିରିର ମଧ୍ୟରେ  କଳ୍ପବଟ  ଅଛି

ଏଣେ ମହୋଦଧି  ତୀର୍ଥ ତାହାକୁ ଘୋଟିଛି ।

ସେ ସ୍ଥାନକୁ ଯାଇ କରି ମରେ ଯେଉଁ ଜନ

ଅମର ବୈକୁଣ୍ଠେ ଯାଇ ବସଇ ତକ୍ଷଣ ।

ପାରିଜାତ ପୁଷ୍ପ ସେହୁ ମଥାରେ ବାନ୍ଧଇ

ସର୍ବଦା କାଳେ ଅମୃତ ଭୋଗ ସେ କରଇ ।

ଦେବତାଙ୍କର ସଙ୍ଗରେ  ନିତ୍ୟ ବସିଥାନ୍ତି

ନକ୍ଷତ୍ର ମଧ୍ୟରେ ରହି ସଂସାର ଦେଖନ୍ତି ।

ସେ ପ୍ରାଣୀକି ଯମଦେବ କେବେ ନ ଦଣ୍ଡଇ

ବଟସାଗର ମଧ୍ୟରେ ଯେ ଜନ ମରଇ ।

ସ୍ୱର୍ଗକୁ ଯିବାକୁ ସେହି ସ୍ଥାନେ ଅଛି ଦ୍ୱାର

ତେଣୁକରି ନାମଗୋଟି ଅଟେ ସ୍ୱର୍ଗଦ୍ୱାର ।

ଏସନକ ଭେଦ ତହିଁ ପାଣ୍ଡବେ ଜାଣିଲେ

ପ୍ରଚଣ୍ଡ ଅନଳ ନେଇ ପିଣ୍ଡ ଦାହ କଲେ ।

ଅନଳ ଯହୁଁ  ଲାଗିଲା ପ୍ରଭୁଙ୍କ ଶରୀରେ

ଲୋମେକ  ନ ଟଳିବାର ପାଣ୍ଡବେ  ଦେଖିଲେ ।

ଅନଳେ ସ୍ୱର୍ଣ୍ଣ ଦହିଲା ପରାୟକ  ହୋଇ

ଉଜ୍ଜଳ ହୋଇ ଉଠଇ  ପ୍ରଭୁଙ୍କର  ଦେହୀ ।

ରାତ୍ର ଦିବସ ସେମାନେ  ଶରୀର  ଦହିଲେ

ଲୋମେକ ନ ପୋଡ଼ିବାର ସେମାନେ  ଦେଖିଲେ ।

ପୁଣିହିଁ  ଚନ୍ଦନ କାଷ୍ଠ ପଣ୍ଡୁ ସୁତେ ଆଣି

ବର୍ଷା ହେଲା ପ୍ରାୟ  ଘୃତେ  ନିଉଡ଼ନ୍ତି  ପୁଣି ।

ଏମନ୍ତ ପ୍ରକାରେ ପାଞ୍ଚ ରାତ୍ର ଗଲା ବହି

ପ୍ରଭୁଙ୍କର  ନିଜ କାୟା  ଦଗଧ ନୁହଇ  

ନିରସ୍ତ  ହୋଇଣ  ତହୁଁ  ପାଣ୍ଡବେ  ରହିଲେ

ଦଇବ ମାୟା  ଚକ୍ରରେ  ମୋହିତ  ହୋଇଲେ  

ମାୟା ଶରୀର  ତାଙ୍କର ଦହିଯ୍ୟ ନୋହିଲା

ମାୟା ଶରୀରର ଲୋମ  ଗୋଟେ  ନ ପୋଡ଼ିଲା ।

ମହାଶୂନ୍ୟ  ପୁରୁଷଟି  ଯାର ଅନ୍ତ ନାହିଁ

ସଂସାର  ନିମନ୍ତେ  ପାଦ ପାଣି  ଛନ୍ତି ବହି ।

ନାସିକା  ଶ୍ରବଣ ଚକ୍ଷୁ  ଅଧର ସହିତେ

ଏହା ବହିଥିଲେ ଦୈତ୍ୟ ନିବାରଣ ଅର୍ଥେ ।

ଯେତେବେଳେ  ପୃଥ୍ୱୀଭାରା  ହୋଇଲା ଉଶ୍ୱାସ

ତେତେବେଳେ  ନାରାୟଣ କଲେ ସ୍ୱର୍ଗବାସ ।

ଅଣାକାର  ପୁରୁଷ ଯେ ବର୍ଣ୍ଣ ଗୁପ୍ତ କଲେ

ଅଲକ୍ଷଣ ରୂପ ସେହୁ ଆପେ  ପ୍ରକାଶିଲେ  

ପାଣି ପବନ  କାହିଁରେ  ନୁହନ୍ତି  ସେ କ୍ଷୟ

ବାଇ ପ୍ରାୟ  ହୋଇଛନ୍ତି  ପଣ୍ଡୁଙ୍କ ତନୟ ।

ନିରାକାର ପୁରୁଷ ଯା ଆକାରହିଁ ନାହିଁ

ଅଛିଦ୍ର  ପୁରୁଷ  ସେହୁ ଛିଦ୍ର  କି ଅଛଇ  

ଶୁଣ ପରୀକ୍ଷ ରାଜନ ଗୋବିନ୍ଦର ମାୟା

କେଭେ ଦହିଯ୍ୟ ନୋହିଲା  ତାହାଙ୍କର କାୟା ।

ମହା ବିସ୍ମୟ ପାଇଲେ  ପଣ୍ଡୁଙ୍କ କୁମରେ

କିବୁଦ୍ଧି କରିବା ବୋଲି ଭାଳନ୍ତି ମନରେ ।

ଆକାଶରୁ ଏରୂପରେ  ଶୁଭିଲା  ଶବଦ

ବାଇ ହୋଇଲ କି ତୁମ୍ଭେ ଯୁଧିଷ୍ଠିର ଦେବ।

ଏ ବାଇ ବୁଦ୍ଧି ତୁମ୍ଭଙ୍କୁ କିଏ ଅବା ଦେଲା

ଦାହ କରିବାକୁ ଜଗତ୍‌ବନ୍ଦ୍ୟଙ୍କୁ କହିଲା ।

ଅଗ୍ନି ପବନ ପାଣିରେ ବିନାଶ ନୁହଇ

ତୁମ୍ଭେ ଦହନ କରୁଛ ବାଇପ୍ରାୟ ହୋଇ ।

ଶୀତଳ କର ହୋଇ ଅଙ୍ଗ ତୀର୍ଥର ଜଳରେ

ସମୁଦ୍ରରେ  ମେଲି  ଦେଇ ଯାଅ ନିଜପୁରେ  

ସାତ ରାତ୍ର ସାତଦିନ ଦାହ ତୁମ୍ଭେ କଲ

ଲୋମେକ ଜଳାଇ  ଅଙ୍ଗମଧ୍ୟୁ ନ ପାରିଲ ।

ଆକାଶବାଣୀ  ଶୁଣିଲେ  ଯହୁଁ  ପଞ୍ଚବୀରେ

ସମୁଦ୍ରରେ  ମେଲି ଦେଇ  ଗଲେ ନିଜ ପୁରେ ।

ପୁଣି ହିଁ ଦଇବ ବାଣୀ ହୋଇଲା ତତ୍‌କ୍ଷଣେ

ଏହି ପିଣ୍ଡ ଲାଗିବ  ଯେ ଏ ବାଙ୍କି ମୁହାଣେ ।

କଳିଯୁଗ ପ୍ରବେଶନ୍ତେ ଏ ନୀଳଗିରିରେ

ବଉଦ୍ଧ ରୂପ ଧରିଣ ବସିବେ  ତହିଁରେ  

ଥୋକାଏ ଦିନ ତାହାଙ୍କୁ  ଶବର ପୁଜିବ

ପଛେ ଇନ୍ଦ୍ରଦ୍ୟୁମ୍ନ ରାଜା ପ୍ରାସାଦ କରିବ ।

ଏହି ରୂପେ  ହୋଇବେ  ଯେ ଚତୁର୍ଦ୍ଧା ମୁରତି

ଦାରୁବ୍ରହ୍ମ ସ୍ୱରୂପରେ  ହେବେ ଉତପତ୍ତି ।

ଏତେ କହି ଦେବତାଏ  ଅନ୍ତର୍ଦ୍ଧାନ ହେଲେ

ପିଣ୍ଡ ପକାଇ  ପାଣ୍ଡବେ  ତୀର୍ଥେ ସ୍ନାନ କଲେ ।

ହସ୍ତିନା ନଗରକୁ ଯେ ଗଲେ ଚାରିଭାଇ

ଆଜ୍ଞା ପ୍ରମାଣେ ଅର୍ଜ୍ଜୁନ ଦ୍ୱାରକା ଚଳଇ ।

ପରୀକ୍ଷିତ ପଚାରନ୍ତି  ଶୁକମୁନି ପାଶ

କଥାଏ ମୁହିଁ  ପୁଛିବି  ଶୁଣ  ବ୍ରହ୍ମଶିଷ୍ୟ ।

ଗୋଟିଏ କଥା ମୋହର ପଡ଼ିଲା  ମନର

ତୁମ୍ଭେ ସର୍ବଜ୍ଞ ପୁରୁଷ ଅବଧାନ କର ।

ଯେତେବେଳେ  ପାଣ୍ଡବଙ୍କୁ  ଶବର ଆଣିଲା

ଜଗନ୍ନାଥଙ୍କ ଛାମୁରେ ପୈଠ ଆଣିକଲା ।

ଶବର କି କୀର୍ତ୍ତି କଲା ସେଠାବରେ ରହି

ସେହି କଥା ଗୋଟିଏ ହେ ପଚାରୁଛି ମୁହିଁ ।

ପରୀକ୍ଷିତ ପଚାରନ୍ତେ  ଶୁକ ହାସ୍ୟ କଲେ

କରକୁ ଚାହିଁଣ ମୁନି ବଚନ ଭାଷିଲେ  

ପାସୋରି ଥିବାରୁ ଆମ୍ଭେ ନ କହିଲୁ ତାହା

ତୋର ଯେବେ ଶ୍ରଦ୍ଧା ହେଲା ଶୁଣ ନରନାହା ।

ଯେତେବେଳେ ପାର୍ଥ ଧନୁ ବଢ଼ାଇଣ ଦେଲା

ଅର୍ଜ୍ଜୁନ ଦେହରୁ ବିଷ୍ଣୁ  କଳା ଛାଡ଼ିଗଲା ।

ଗୋବିନ୍ଦ ବୋଇଲେ ଏବେ ଦେହ ଛାଡ଼ିବଇଁ

ଦେଖିଲେ  ଶବର କର ଯୋଡ଼ିଣ ଅଛଇ  

ଶବରର ମନକଥା ଜାଣି ଦାମୋଦର

ହସ୍ତ ଠାରିଣ କହନ୍ତି ଭୟ ତୁ ନ କର ।

ପୂର୍ବଜନ୍ମେ ଥିଲୁ ତୁହି ଆମ୍ଭର ଭକତ

ପିତୃଋଣ ଶୁଝିବାକୁ ଜନ୍ମିଅଛୁ ଏଥ ।

ଏହି ଦେହ ଘେନି ତୁହି ଯାଅ ସ୍ୱର୍ଗପୁର

ନକ୍ଷତ୍ର ହୋଇବୁ ଯାଇ ଆକାଶ ପଥର ।

ଆମ୍ଭେ ତିନି ମୁରତି ଯେ ହେବୁଁ ଆକାଶରେ

ନକ୍ଷତ୍ର ହୋଇ ଉଦୟ ହୋଇବୁ ଶୂନ୍ୟରେ ।

ଆମ୍ଭର ପାଖରେ  ଥାଇ ଉଦେ ହେଉଥିବୁ

ଯୁଗ ଯୁଗାନ୍ତର କାଳେ କ୍ଷୟ ତୁ ନୋହିବୁ ।

ଏତେକ କହିଣ ଦେବ ଛାଡ଼ିଲେ ଶରୀର

ସେହି ଦେହରେ ଶବର ଗଲା ଶୂନ୍ୟପୁର ।

ନକ୍ଷତ୍ର ହୋଇଣ ସେହି ଦିଶିଲା ଶୂନ୍ୟରେ

ଏ ପର୍ଯ୍ୟନ୍ତ ଅଛଇ ସେ ପ୍ରଭୁଙ୍କ ସଙ୍ଗରେ ।

ଶୁଣିଲୁଟିକି ହେ ପରୀକ୍ଷିତ  ମହୀପାଳ

ସେହି ବେଳରେ  ଶବର ଗଲା ସ୍ୱର୍ଗଆଳ ।

ଜୟ ଜୟ ଜଗନ୍ନାଥ ଜଗତ ଜୀବନ

ଜଗତର ହିତେ ତୋର ଶଙ୍ଖ ଚକ୍ର ଚିହ୍ନ ।

ସଂସାର ଜନମାନଙ୍କୁ ନିସ୍ତାରିବା  ପାଇଁ

ବଉଦ୍ଧ ରୂପ ତୁ ବହୁ କମଳାର ସାଇଁ ।

ତେଣୁ ନୀଳଗିରିରେ ତୁ ବିହାର  କରିବୁ

ନାସିକା ଶ୍ରବଣ ପାଦ ପାଣି ନ ବହିବୁ ।

ନୀଳଗିରି  ଶିଖରେ ତୁ ବିମ୍ବାଧର ବହି

ଅମୃତ ପାନ କରିବୁ ପ୍ରଭୁ ଭାବଗ୍ରାହି ।

ଅତି ଦୀନହୀନ ମୁହିଁ ଅଚ୍ୟୁତ ଅଟଇ

ଶ୍ରୀରଙ୍ଗାଚରଣ ବିନୁ ମୋର ଆଶ୍ରା ନାହିଁ ।

 

ସମୁଦ୍ର ଜଳରେ ଦ୍ୱାରକା ନିମଗ୍ନ ଓ ପ୍ରଭାସ ତୀର୍ଥରେ ଅଷ୍ଟପାଟବଂଶୀଙ୍କର ଦେହତ୍ୟାଗ

ଶୁକମୁନି ଚରଣରେ କରିଣ ବିନତି

କରଯୋଡ଼ି ପଚାରଇ ପରୀକ୍ଷ ନୃପତି ।

ଏଥୁଅନନ୍ତରେ କିସ ହୋଇଲା ଗୋସାଇଁ

ସାବଧାନେ  କହ ମୋତେ  ସୁପ୍ରସନ୍ନ ହୋଇ ।

ଶୁକ କହନ୍ତି ରାଜନ ଶୁଣ ସାବଧାନେ

ଅର୍ଜ୍ଜୁନ ବୀର ଚଳଇ ଦ୍ୱାରକା  ଭୁବନେ ।

ଚାରିପାଣ୍ଡବେ  ରହିଲେ  କୁଞ୍ଜଗଳ ଦେଶେ

ଦୁଃଖରେ ଦିନ ବଞ୍ଚନ୍ତି  ମନର ବିରସେ ।

ମାତାଙ୍କ ଛାମୁରେ ଯାଇ ବାରତା କହିଲେ

କୃଷ୍ଣଅବସାନ ଶୁଣି କୁନ୍ତୀ ଶୋକ କଲେ ।

ଶ୍ରୀକୃଷ୍ଣର ନାମ ଗୁଣି ବହୁତ ରୋଦନ୍ତି

ଏବେ ଅନାଥ ହୋଇଲା  ଯୁଧିଷ୍ଠି  ନୃପତି ।

ମନ ଦୁଃଖ କରି ପାର୍ଥ ତ୍ୱରିତେ ଚଳିଲା

ଅତି ଦୁଃଖେ ଦ୍ୱାରକାରେ ପ୍ରବେଶ ହୋଇଲା ।

ନନ୍ଦ ବସୁଦେବଙ୍କୁ ସେ ଡାକି  ସନ୍ନିଧିର

ଦେବକୀ  ଯଶୋମତୀକି ବସାଇ ପାଖର  

ଓଳଗି  ହୋଇଣ ସେହୁ କହଇ ବଚନ

ସାତଦିନ ହେଲା  କୃଷ୍ଣ ଛାଡ଼ିଲେ ଜୀବନ ।

ଲକ୍ଷେ ଷାଠିଏ ସହସ୍ର ଅଶୀ ଯେ ନନ୍ଦନ

ଆପେ ହଣାହଣି  ହୋଇ  ତେଜିଲେ  ଜୀବନ ।

ସର୍ପ ସ୍ୱରୂପ  ଧରିଣ  ବଳରାମ ଗଲେ

ତାହାଙ୍କର  ପୁତ୍ରମାନେ  ଦେହତ୍ୟାଗ  କଲେ  

ବଂଶ ବିନାଶ  କରିଣ  ଦେବ ଚକ୍ରଧର

ଶବରବାଣରେ ହତ ହେଲେ  ଦାମୋଦର ।

ଶୁଣି ନନ୍ଦ  ଯଶୋମତୀ ହୋଇଲେ  ବିକଳ

ଦେବକୀ ବସୁଦେବ ଯେ ଲୋଟନ୍ତି ଭୂତଳ ।

ହା କୃଷ୍ଣ ହା କୃଷ୍ଣ ବୋଲି କରନ୍ତି ରୋଦନ

ଅନାଥ କରିଣ କେଣେ ଗଲୁ ଜନାର୍ଦ୍ଦନ ।

ପୁତ୍ର ନାତି  ସଙ୍ଗେ ଘେନି ଆପେ ଚଳିଗଲୁ

ଅକୂଳ ସମୁଦ୍ରେ ଆମ୍ଭ ଭେଳା ବୁଡ଼ାଇଲୁ ।

ଏକକୁ ଆରେକ ଦରି କରନ୍ତି କାରୁଣ୍ୟ

ବାରତା ପ୍ରାପ୍ତ ହୋଇଲେ ଉଗ୍ରସେନ ରାଣ ।

ଇନ୍ଦୁମତୀଙ୍କ ସହିତ କରନ୍ତି ରୋଦନ

ଏରୂପେ ଉତ୍ସନ୍ନ ହେଲା  ଦ୍ୱାରକା ଭୁବନ ।

ସମସ୍ତେ  ଶୁଣି ବହୁତ ବିକଳ ହୋଇଲେ

ଶ୍ରୀକୃଷ୍ଣର ନାମ ଧରି ଅନେକ କାନ୍ଦିଲେ ।

ଶ୍ରୀକୃଷ୍ଣର ମାତାମାନେ ଯାଇ ସ୍ନାନ କଲେ

ଶୁଣିକରି ବନ୍ଧୁମାନେ  ଶଙ୍ଖୁଳି ଅଇଲେ ।

ଶୁଣ ଆହେ ପରୀକ୍ଷିତ ଏଥୁ ଅନନ୍ତରେ

ଅର୍ଜ୍ଜୁନ ପ୍ରବେଶ ହେଲେ କୃଷ୍ଣର ମନ୍ଦିରେ ।

ଷୋଳ ସହସ୍ର ନାୟିକା  ଅଷ୍ଟ  ପାଟବଂଶୀ

ଦାସୀ ପରିବାରୀ ଘେନି ଏକସ୍ଥାନେ  ବସି ।

କୃଷ୍ଣ ଗୁଣ ଗୁଣି ସର୍ବେ ରୋଦନ କରନ୍ତି

ପୁତ୍ରଙ୍କର ଗୁଣ ଗୁଣି ତରୁଣୀ ରୋଦନ୍ତି ।

ଏମନ୍ତ ସମୟେ ଯାଇଁ ଅର୍ଜ୍ଜୁନ ମିଳିଲେ

ରୁକ୍ମଣୀ ସତ୍ୟଭାମାଙ୍କୁ  ନମସ୍କାର କଲେ ।

ମସ୍ତକେ  ହସ୍ତ ଦେଇଣ  ବୋଲଇ ବଚନ

ସାତ ଦିନ ହେଲା କୃଷ୍ଣ ତେଜିଲେ  ଜୀବନ ।

ପୁତ୍ର ନାତି  ଯେତେ ଥିଲେ ସର୍ବେ ନାଶଗଲେ

ଆପେ  ପ୍ରଭୁ ନାରାୟଣ ବଂଶ ନାଶ କଲେ ।

କୃଷ୍ଣଙ୍କର ନାରୀମାନେ  ସର୍ବେ  ଶୋକ କରି

ଉଚ୍ଚସ୍ୱରରେ  କାନ୍ଦନ୍ତି  ପାର୍ଥ  ପାଦଧରି ।

ପ୍ରବୋଧ ଦେଇ  ଅର୍ଜ୍ଜୁନ ଶୋକ ଶାନ୍ତି କଲେ

ବୋଇଲେ କୃଷ୍ଣର ଆଜ୍ଞା ଶୁଣ ତୁମ୍ଭେ ଭଲେ  

ଚାଲ ଚାଲ ସର୍ବେ ଯିବା  ହସ୍ତିନା ନବର

ଆଜ୍ଞା ମୋତେ  ଦେଇଛନ୍ତି  ପ୍ରଭୁ ଦାମୋଦର ।

ରୁକ୍ମିଣୀ ଦେବୀ  ବୋଲନ୍ତି  ପାର୍ଥ ମୁଖ ଚାହିଁ

ଏତେଦିନେ ପୁତ୍ରକଷ୍ଟ ଦେଲେ ଭାବଗ୍ରାହୀ ।

ଏବେ କିସ କରିବୁଁ ହୋ ବୋଲ ମହାବୀର

ଦିବସରେ  ଆମ୍ଭଙ୍କୁ  ତ ଦିଶେ  ଅନ୍ଧକାର ।

ଅର୍ଜ୍ଜୁନ ବୋଲନ୍ତି  ତୁମ୍ଭେ ସ୍ଥିର ହୋଇ

ଗୁପ୍ତକଥା କହିଛନ୍ତି  ପ୍ରଭୁ ଭାବଗ୍ରାହୀ ।

ସପତ ଦିନେ  ଦ୍ୱାରକା  ଜଳେ ଯିବ ନାଶ

ଭବିଷ୍ୟତ  କଥା  କହିଗଲେ  ପୀତବାସ ।

ଦୈବର ଘଟନା  ଏହା କେ  କରିବ ଆନ

ହସ୍ତିନା ପୁରକୁ ଏବେ ଚାଲ ଗୋ ବହନ ।

ସମୁଦ୍ର ଆସିବ ଏହିକ୍ଷଣି ନିଶ୍ଚେ ଘୋଟି

ଏକ୍ଷଣି ଜାଣ ବୁଡ଼ିବ ଦ୍ୱାରକା ନଗ୍ରଟି ।

ଏହା ଶୁଣିଣ ଚକିତ ହୋଇଲେ ତରୁଣୀ

ଧନୁ ଧରି ଉଭାଛନ୍ତି ବରା ଚୂଡ଼ାମଣି ।

ସମସ୍ତଙ୍କୁ  ଘେନି ବୀର ବାହାର ହୋଇଲା

ଗୋବିନ୍ଦ ଗୋବିନ୍ଦ ସ୍ମରି  ପଥ କଢ଼ାଇଲା ।

ପଶ୍ଚିମକୁ ମୁଖ କରି ଯାନ୍ତି  ନାରୀମାନେ

ଧନୁ ଧରି ଆଗେ ବାଟ କଢ଼ାନ୍ତି ଅର୍ଜ୍ଜୁନେ ।

ଦ୍ୱାରକା ପୁରରୁ ବେଗେ ଗଲେ ପଥ ବାହି

ପ୍ରଭାସ ନାମକ ତୀର୍ଥେ ପ୍ରବେଶିଲେ  ଯାଇ ।

ଅର୍ଜୁନ ମୁଖକୁ ଚାହିଁ ରୁକ୍ମିଣୀ ବୋଲନ୍ତି

କ୍ଷଣେ ରହ ଅର୍ଜୁନ ହୋ ସ୍ନାନ କରୁ ଏଥି ।

ଅର୍ଜ୍ଜୁନ ବୋଇଲେ  ଏଥେ ତୁମ୍ଭେ ସ୍ନାନ କର

ବିଧବା ଅବସ୍ଥାରୁ ଯେ ସର୍ବେ ହୁଅ ପାର ।

ପୁଣି ପାର୍ଥ ବୋଲଇ ମୁଁ କରିବି ସ୍ନାହାନ

ତେବେ ମୋର ପାପଭରା  ହୋଇବ ଦହନ ।

ଏତେକ ବୋଲି ଅର୍ଜ୍ଜୁନ ଜଳରେ ବୁଡ଼ିଲା

ଗାଣ୍ଡୀବ ଧନୁ ଗୋଟିକ କୂଳରେ ଥୋଇଲା ।

ଗୋବିନ୍ଦ ଗୋବିନ୍ଦ ସ୍ମରି ଜଳରେ ବୁଡ଼ଇ

ସ୍ନାନସାରି ବେଗେ ଆସି କୂଳରେ ମିଳଇ ।

ଅଷ୍ଟ ପାଟବଂଶୀମାନେ ଏଥୁ ଅନନ୍ତରେ

ନାରାୟଣଙ୍କୁ ସୁମରି ପଶିଲେ  ଜଳରେ।

ତାଙ୍କ ସଙ୍ଗତେ ପଶିଲେ ସକଳ ନାୟିକା

ପୋଇଲୀ ପରିବାରୀଏ ଯେତେ ଥିଲେ ସଖା ।

କୃଷ୍ଣ କୃଷ୍ଣ ବୋଲି ପଶିଲେକ ଜଳେ ଯାଇ

ହରି ହରି ଶବଦରେ  କୂର୍ମ ଉଛୁଳଇ ।

କୃଷ୍ଣ କୃଷ୍ଣ ଶବଦ ଯେ ସ୍ୱର୍ଗକୁ ଶୁଭିଲା

ଦେବଗଣଙ୍କ ମନରେ ଉଲ୍ଲାସ ଜନ୍ମିଲା ।

ଶ୍ରୀକୃଷ୍ଣଙ୍କ ନାରୀମାନେ  କରନ୍ତି  ସ୍ନାହାନ

ଅଧାସ୍ୱର୍ଗେ ଥାଇ ଦେଖୁଛନ୍ତି  ଦେବଗଣ ।

ଦଇବ ରଚନା କଥା କେ କରିବ ଆନ

ଆପେ ନାରାୟଣ ଯାହା କରିଛି ଭିଆଣ ।

ତେଣେ ଶ୍ରୀହରି  ଗୋଟିଏ ମାୟା ବିରଚିଲେ

ଏକାବେଳକେ  ବୁଡ଼ିଲେ କେହି ନ ଦେଖିଲେ ।

ଭୀଷଣ ଆକାର ଧରି ଉଠିଲା ଲହରୀ

ଚାହିଁ ଅଛନ୍ତି ଅର୍ଜ୍ଜୁନ ସର୍ବେ ଗଲେ ବୁଡ଼ି ।

ପ୍ରହରେକ  ପରିଯନ୍ତେ  ଅର୍ଜ୍ଜୁନ ଚାହିଁଲେ

କନ୍ୟାଙ୍କ ମଧ୍ୟରୁ ଜଣେ କେହି ନ ଉଠିଲେ ।

ଦେଖି ଅନେକ ବିକଳ ହେଲେ ମହାବୀର

ଏତେକ ଭିଆଣ ସିନା କଲେ ଚକ୍ରଧର ।

ଦେଖୁଁ ଦେଖୁଁ କନ୍ୟାମାନେ ଜଳରେ ଭାସିଲେ

ଗୋବିନ୍ଦଙ୍କୁ ସୁମରିଣ ପାର୍ଥ ଚଳିଗଲେ ।

କୂଳରେ ଯେଉଁ ଗାଣ୍ଡୀବ ଧନୁ ଥିଲେ ଥୋଇ

ଯାଇଣ ସେହି ଧନୁକୁ ଅର୍ଜ୍ଜୁନ ତୋଳଇ ।

ଉଠାଇ ନ ପାରି ପାର୍ଥ ବିମୁଖ ହୋଇଲା

ବିଷ୍ଣୁ ତେଜ ଯେଣୁକରି ଶରୀରରୁ ଗଲା ।

ତେଣୁକରି  ବୀରବର ହୋଇଲା ଦୁର୍ବଳ

ହୃଦଗତେ ସୁମରଇ ଦେବକୀର ବାଳ ।

ଗୋବିନ୍ଦ ସୁମରି ଧନୁ ଦୁଇହସ୍ତେ ନେଲା

ମଥାର ଉପରେ ନେଇ ତାହାକୁ ଥୋଇଲା ।

ମନେ ବିଚାରେ ଯେ ଧନୁ ଧରଇ ମୋ ହାତ

ସେହି ଗାଣ୍ଡୀବ ଧନୁକୁ ଧଇଲା ମୋ ମାଥ ।

କୃଷ୍ଣର ଗୁଣ ସୁମରି ପଥେ ଚଳିଗଲା

ହସ୍ତିନା ନବରେ ଯାଇ ପ୍ରବେଶ ହୋଇଲା ।

ଯୁଧିଷ୍ଠିରଙ୍କୁ ଦେଖିଣ ଓଳଗି ମେଲାଇ

ବେନି ହସ୍ତେ ଧନୁଶର ମଥାରୁ ଓହ୍ଲାଇ ।

ଯୁଧିଷ୍ଠିରଙ୍କ ଛାମୁରେ ସମସ୍ତ କହିଲା

କୃଷ୍ଣ ନାରୀମାନେ ଜଳେ ଭାସିଲେ ବୋଇଲା ।

ଶୁଣି ଯୁଧିଷ୍ଠିର ରାଜା ବହୁ ଶୋକ କଲେ

ଅନାଥ ହୋଇଲୁଁ ବୋଲି ବଚନ ଭାସିଲେ ।

ବିଷ୍ଣୁ ନାମ ସୁମରିଣ ରହିଲେ ସ୍ୱଦେଶ

ଗୋବିନ୍ଦଙ୍କ ପାଦପଦ୍ମେ ଲଗାଇ ବିଶ୍ୱାସ ।

ଶୁଣ ଆହେ ପରୀକ୍ଷିତ ଭଣି ଶୁକ ଯତି

ଏଥୁ ଅନନ୍ତରେ ପୁଣ ହେଲା ଯେଉଁ ରୀତି ।

ଯେତେବେଳେ କୃଷ୍ଣ ନାରୀମାନେ ଭାସଗଲେ

କ୍ଷୀର ସମୁଦ୍ର ତଟରେ ନିରଞ୍ଜନ ଥିଲେ ।

ବରୁଣ ଦେବତାଙ୍କୁ ସେ ସନ୍ନିଧିକୁ ରାଇ

ବୋଇଲେ କଥା ଗୋଟିଏ କର ଜଳସାଇଁ ।

କୁଶସ୍ଥଳୀ ଦ୍ୱାରକା ତୁ ଜଳେ ବୁଡ଼ାଇବୁ

ରହସ୍ୟ ଦ୍ୱାରକାପୁର ପାଣିରେ ମାଡ଼ିବୁ ।

ଆଜ୍ଞା ପାଇଣ ବରୁଣ ବେଗ ହୋଇଗଲେ

ସମସ୍ତ ଦ୍ୱାରକାପୁର ଜଳେ ବୁଡ଼ାଇଲେ  

ଜଳମୟ ହେଲା ଯହୁଁ ଦ୍ୱାରକା ନଗର

ପ୍ରଜାଜନମାନେ ତହୁଁ ଭାସିଲେ ଜଳର ।

ଉଗ୍ରସେନ ବାସୁଦେବ ସମସ୍ତେ ଭାଷିଲେ

ନନ୍ଦ ଯଶୋଦାଦି ଷୋଳସସ୍ର ଗୋପୀମୂଳେ ।

କହି ଅବା କେ ପାରିବ କେଣେ ଗଲେ ଭାସି

ଦଇବ ବଳେ ଲାଗିଲା ଆସି କାଳଫାଶୀ ।

କୁଶସ୍ଥଳୀ ଦ୍ୱାରକା  ଯେ ଜଳେ ଭାସିଗଲା

ରଙ୍ଗାଅବତାର ଏହିଠାରୁ ଶେଷ ହେଲା ।

ଦ୍ୱାପର କଥା ଶୁଣିଲ କି ହୋ ନୃପସାଇଁ

ରଙ୍ଗାଅବତାର କଥା ବିଚିତ୍ର ଅଟଇ ।

ଶୁଣିକରି ନୃପବର କୃତ୍ୟକୃତ୍ୟ ହେଲା

ମୁନିଙ୍କ ଚରଣ ବେନି ହସ୍ତରେ ଧଇଲା ।

ତୁମ୍ଭର ପ୍ରସାଦେ ମୁହିଁ କୃତାର୍ଥ ହୋଇଲି

ମଥୁରା ମଙ୍ଗଳ କଥା ଶ୍ରବଣେ ଶୁଣିଲି ।

ଦେବକୀ ନନ୍ଦନ ପାଦପଦ୍ମରେ ନମଇଁ

ରଙ୍ଗାବତାର ହୋଇଲୁ ପ୍ରଭୁ ଭାବଗ୍ରାହୀ ।

ଦୈତ୍ୟ ବିନାଶ କରନ୍ତେ ନାମ ଦଇତ୍ୟାରି

ଦଇତ୍ୟାରି ବାନା ଗୋଟି ବହୁ ମଧୁହାରୀ ।

ପୃଥିବୀର ମହାଭରା ଉଶ୍ୱାସ କରିଣ

ଅନ୍ତେ ବୈକୁଣ୍ଠପୁରକୁ ଗଲ ହୋ ଆପଣ ।

ଯାଇଣ କ୍ଷୀର ସମୁଦ୍ରେ ନିଶ୍ଚିନ୍ତେ ଶୋଇଲ

ଲକ୍ଷ୍ମୀ ସରସ୍ୱତୀଙ୍କି ଯେ ପାଦେ ଖଟାଇଲ ।

କଳିଯୁଗେ ନୀଳଗିରି ଶିଖରେ ବସିବ

ଭୟ ଭୟ ନାଶି ମ୍ଳେଚ୍ଛ ଜନଙ୍କୁ ତାରିବ ।

ଲକ୍ଷ୍ମୀ ନାରାୟଣ ପାଦପଦ୍ମେ ମୋର ଆଶ

ଅଚ୍ୟୁତଦାସଙ୍କୁ ରଖ କମଳା ବିଳାସ ।

 

ନୀଳାଚଳରେ ଶବରର ବିଷ୍ଣୁ ପ୍ରତିମା ପୂଜା ଓ ଦାରୁବ୍ରହ୍ମ ରୂପେ ଜଗନ୍ନାଥଙ୍କର ଅବସ୍ଥିତି

ଏଥୁଅନନ୍ତରେ ଶୁଣ ପରୀକ୍ଷ ନୃପତି

ଶୁକ ମହାମୁନିଙ୍କର ଚରଣେ ନମନ୍ତି ।

ସାବଧାନେ ମୋ ବଚନ ଶୁଣ ମୁନିବର

କଥାଏ ପୁଛିବି ମୁହିଁ ଅବଧାନ କର ।

ଦ୍ୱାପର ଯୁଗ ଯେ ଶେଷ ହୋଇଲା ଗୋସାଇଁ

କଳିର ପୂର୍ବବୃତ୍ତାନ୍ତ କହ ଭାବଗ୍ରାହୀ ।

ଦୟା କରି କହ ମୋତେ ହେ ମୁନିପୁଙ୍ଗବ

ତେବେ ମହାପାପ ମୋର ଛେଦନ ହୋଇବ ।

ରାଜାର ବଚନେ ଶୁକ ଅଳପ ହସିଲେ

ନରବରଙ୍କୁ ଚାହିଁଣ ବଚନ ଭାସିଲେ ।

କୃଷ୍ଣଙ୍କୁ ପାଣ୍ଡବମାନେ  ସମୁଦ୍ରେ  ମେଲିଲେ

ଭାସି ଭାସି ଦେବ ବାଙ୍କିମୃହାଣେ ଲାଗିଲେ ।

ଦଇବ ରଚନା କଥା କେ କରିବ ଆନ

ଆପେ ନାରାୟଣ ଯାହା କରିଛି ଭିଆଣ ।

ଶୁଣ ପରୀକ୍ଷା ରାଜନ ପୁଣ୍ୟମୟ ଧ୍ୱନି

ସେ ଜରାଶବର ପ୍ରଭୁଙ୍କର ଆଜ୍ଞା ଘେନି ।

ବଇକୁଣ୍ଠପୁରେ ଯାଇ ବସିଲେ  ନିଶ୍ଚିନ୍ତେ

ଆପେ ତାଙ୍କୁ ଆଜ୍ଞା ଦେଇ ଗଲେ  ଜଗନ୍ନାଥେ ।

ତାର ପୁତ୍ର ଅଟେ ବସୁ ନାମରେ ଶବର

ସୁରେଶ୍ୱର ବନମଧ୍ୟେ ଅଟେ ତାର ଘର ।

କନ୍ଦମୂଳ ଫଳମୂଳ ବନରୁ ଆଣଇ

ପତ୍ନୀ ସହିତରେ ତାହା ଭକ୍ଷଣ କରଇ ।

ପୂର୍ବଭାଗ୍ୟ କଥା ତାର ଅଛଇ ମନର

ଅନୁକ୍ଷଣେ ବିଷ୍ଣୁ କଥା ସୁମରେ ହୃଦର ।

ତହୁଁ ଚାରିକ୍ରୋଶ ନୀଳସୁନ୍ଦର ପର୍ବତ

ପ୍ରତିଦିନ ସେ ବନକୁ ଆସଇ କିରାତ ।

ବାଉଁଶ ଗୁଣ ଧାମଣା କାଷ୍ଠରେ ଲଗାଇ

ମୃଗ ଶମ୍ବର ମାରିଣ ଆଶ୍ରମେ  ଆସଇ ।

ଏହିପରି ପ୍ରତିଦିନ ଶବର କରଇଁ

ପର୍ବତ ଶିଖରେ ବୁଲି ଚାରି ଦିଗେ ଚାହିଁ ।

କଳପ ବଟରତଳେ ଥାଇ ଠଣା ଗୋଟି

ଦୈବ ବଳରେ ତାହାକୁ ଦିଶେ ଦେବଗୋଟି ।

ମୂଢ଼ ଶବର କେମନ୍ତେ ସେ କଥା ଜାଣିବ

ବିଷ୍ଣୁ ସ୍ଥାନ ବୋଲିଣ ସେ ନ ଜାଣଇ ଭାବ ।

ଗନ୍ଧ ଚନ୍ଦନ କର୍ପୂର ଆତଯାତ ହୋଇ

ବଟ ବୃକ୍ଷ ତଳେ ଠଣା ଗୋଟିଏ ଅଛଇ ।

ସେ ଗଛ ମୂଳକୁ ଗଲେ ତା ଦେହ ବାସଇ

ବିଷ୍ଣୁଙ୍କର ସ୍ଥାନ ସେହୁ ଜାଣି ନ ପାରଇ  

ଏମନ୍ତ ପ୍ରକାରେ କିଛିଦିନ ବହିଗଲା

ଏକ ଦିନରେ ଶବର ପୁଣି ଯାଇଥିଲା ।

ସେ ଦିନ ସେ ବଟତଳେ  ବସିଲାକ ଯାଇ

ଆଗେ ଦେଖିଲା ଚନ୍ଦନ ବୃକ୍ଷେକ ଅଛଇ  

କୁଣ୍ଡ ଗୋଟିଏ ଦେଖିଲା ଅଛଇ ତା ତଳେ

ସେ କୁଣ୍ଡଟି ପରିପୂର୍ଣ୍ଣ ହୋଇଅଛି ଜଳେ ।

ତା ଉପରେ ଏକ ବୃଦ୍ଧ କାକ ବସିଥିଲା

ନିଦ ଲାଗନ୍ତେ ସେ କାକ ତହିଁରେ ପଡ଼ିଲା ।

ଚତୁର୍ଭୁଜ ହୋଇଣ ସେ ବୈକୁଣ୍ଠକୁ ଯାଇ

କଳ୍ପବଟ ତଳେ ଥାଇ ଶବର ଦେଖଇ ।

କାକ ଚତୁର୍ଭୁଜ ହେଉଁ ତରସ୍ତ ହୋଇଲା

ଦେବତାର ସ୍ଥାନ ବୋଲି ମନେ ବିଚାରିଲା ।

ଦଇବ ବଳେ ତାହାକୁ ନିଦ୍ରା ଆକର୍ଷଇ

ସେଠାରେ ଶୋଇଲା ଦକ୍ଷିଣକୁ ଶିର ଦେଇ ।

ସ୍ୱପନରେ ତାକୁ ଦେଖା ଦେଇ ଚକ୍ରଧର

ବୋଇଲେ ଆମ୍ଭର ବାକ୍ୟ ଶୁଣ ହୋ ଶବର ।

ଏହିକ୍ଷଣି ତୁହି ବାଙ୍କିମୁହାଣକୁ ଯିବୁ

ଆମ୍ଭ ରୂପ ସମୁଦ୍ରର କୂଳରେ ଦେଖିବୁ ।

ପ୍ରତିମା ଗୋଟିକ ତୁହି ଘେନିଆସ ଯାଇ

କ୍ଷଣେ ନ ରହି ଏକ୍ଷଣି ଯାଅ ବେଗେ ଧାଇଁ  

ରୂପ ଗୋଟି ଆଣି ବଟତଳରେ ଥୋଇବୁ

କନ୍ଦମୂଳ ଭୋଗ ଦେଇ ଆମ୍ଭଙ୍କୁ ପୂଜିବୁ ।

ଏ ନୀଳ ସୁନ୍ଦର ଗିରି ଆମ୍ଭ ରମ୍ୟ ଭୂମି

ଏଥେ ବିହରନ୍ତି ଦେବେ ଗୁପ୍ତଭାବେ ପୁଣି ।

କେବେହେଁ ମୁଁ ଏହି ସ୍ଥାନ ଛାଡ଼ି ନ ପାରଇ

କୋଟି କୋଟି ଯୁଗ ଏଥେ ଗଲାଣି ଯେ ବହି  

ଗୋଲେକ ଭୂମି ଏ ଅଟେ ମୋର ରମ୍ୟସ୍ଥଳ

ରାଧାଙ୍କୁ ଘେନିଣ ମୁହିଁ କରଇ ବିହାର ।

ଏ ଭୋଗ ଭୁଞ୍ଜିବା ପାଇଁ ଥୋକେଦିନ ମନ

ପ୍ରତିଦିନ ଭୋଗ ଦେଇ କରିବୁ ପୂଜନ ।

ପ୍ରତିମା ଆଣିଣ ତୁହି ଥୁଅ ବଟତଳ

ସେ ପ୍ରତିମା ଯୋଗେ ତୋର ହେବ ବହୁଫଳ ।

ଆମ୍ଭର ଆଜ୍ଞାରେ ତୁହି ଏହିକ୍ଷଣି ଯିବୁ

ବିଳମ୍ବ କଲେ ନିଶ୍ଚୟ ଭସ୍ମରାଶି ହେବୁ ।

ଏତେକ କହିଣ ପ୍ରଭୁ ଅନ୍ତର୍ଦ୍ଧାନ ହେଲେ

ନାରାୟଣ ଯାଇ ବାଙ୍କୀ ମୁହାଁଣେ ଲାଗିଲେ ।

ଚେତିଣ ଶବରମଣି ଉଠଇ ତକ୍ଷଣେ

ବିଚାର କରଇ ସେହୁ ଆପଣାର ମନେ ।

ସ୍ୱପ୍ନଯୋଗେ ମୁହିଁ ବିଶ୍ୱମୂର୍ତ୍ତି ଦେଖିଲଇଁ

ସତ୍ୟ ବୋଲି କି ପ୍ରକାରେ  ଏହା ଜାଣିବଇଁ  

ଯେବଣ ପୁରୁଷ ମୋତେ ଏହା କହୁଥିଲେ

ସେ ପୁରୁଷ ବର୍ତ୍ତମାନ କେଉଁଠାକୁ ଗଲେ ।

ମନେ ମନେ ଏହି କଥା ବିଚାରେ ଶବର

ଆଜ୍ଞା ମୋତେ ଦେଇଗଲେ ଦେବଚକ୍ରଧର ।

ଦେବତାଙ୍କ ସ୍ଥାନ ବୋଲି ଜାଣି ନ ପାରଇ

ଦେଖିଲଇଁ କାକ ଗଲା ଚତୁର୍ଭୁଜ ହୋଇ ।

ପୁଣ ପୁଣ ଏହି କଥା  ବିଚାରେ ମନରେ

ବାଙ୍କୀମୁହାଁଣ ପାଖକୁ ଯିବି ମୁହିଁ ଥରେ ।

ଏତେ ବିଚାରି ଶବର ବାହାର ହୋଇଲା

ବାଙ୍କୀମୁହାଁଣ ପାଖରେ ତ୍ୱରତ ମିଳିଲା ।

ଦେଖିଲା ବିଷ୍ଣୁ ପ୍ରତିମା ଗୋଟିଏ ଭାସୁଛି

ଶଙ୍ଖଚକ୍ର ଗଦାପଦ୍ମ ଦେହରେ ବହିଛି ।

କୋଟିଏ ଚନ୍ଦ୍ର କି ସେହିଠାରେ ଅଛି ଉଇଁ

ଏସନକ ରୂପ ଗୋଟି ତହିଁ ଅଛି ରହି ।

ନାସିକା ଶ୍ରବଣ ଚକ୍ଷୁ କିଛି ଦିଶୁନାହିଁ

ଦେଖିଣ କିରାତ ମନେ ବିଚାର କରଇ ।

କେମନ୍ତ ପ୍ରକାରେ କନ୍ଦମୂଳ ଏ ଭକ୍ଷିବ

ଏହି କଥା ଗୋଟି ମୋତେ ଅଟେ ଅସମ୍ଭବ ।

ଶବରର ମନକଥା ଜାଣି ନାରାୟଣ

ଶୂନ୍ୟରେ ଥାଇଣ ପ୍ରଭୁ କହନ୍ତି ବଚନ ।

ପାଦ ପାଣି ନାହିଁ ବୋଲି ଭାବିଲୁ ଶବର

ତୋହର ହସ୍ତ ଲାଗନ୍ତେ  ହୋଇବ ବାହାର ।

କିଛି ନ ବିଚାରି ତୁହି ମୋତେ  ଘେନିଚଳ

କେମନ୍ତେ ପୂଜିବୁ ବୋଲି ବିଚାରୁ ମନର ।

ମନ୍ତ୍ର କିଛି ଜାଣୁ ନାହିଁ କରୁଅଛୁ ଭୟେ

ତହିଁର ବିଚାର ଆମ୍ଭେ କହିବା ଥୋକାଏ ।

ଶିଆଳୀ ପତ୍ରରେ ଦନା ଗୋଟିଏ କରିବୁ

ଏହିରୂପେ ଦନା ତିନିଗୋଟି ସଜାଡ଼ିବୁ ।

ସେ କନ୍ଦମୂଳ ରୋହିଣୀ କୁଣ୍ଡରେ ଧୋଇବୁ

ଦନାରେ ପୂରାଇ ଆମ୍ଭ ଛାମୁରେ ଥୋଇବୁ ।

ହସ୍ତରେ ଧରି କରିବୁ ଆମ୍ଭେ ତାକୁ ଗ୍ରାସ

ତାଳି ମାରିଶ ବୋଲିବୁ ଭୁଞ୍ଜ ପୀତବାସ ।

ଚନ୍ଦନ ବୃଷରୁ ଖଣ୍ଡେ ଭାଙ୍ଗିଣ ଆଣିବୁ

ମର୍କତ ଶିଳା ଉପରେ ତାହାକୁ ଘଷିବୁ ।

ସେ ଚନ୍ଦନ ଆମ୍ଭ ଅଙ୍ଗେ ବୋଳିବୁ ତୁ ନେଇ

ତୁଳସୀ ଆବର ଫୁଲ ଶିରେ ଦେବୁ ଥୋଇ ।

ବୃଷରୁ ବକଳ ଆଣି ପିନ୍ଧାଇଣ ଦେବୁ

ଏହି ପ୍ରକାରେ ଆମ୍ଭଙ୍କୁ ପୂଜା ତୁ କରିବୁ ।

ରୋହିଣୀ କୁଣ୍ଡ ମଧ୍ୟରୁ ଆଣିଥିବୁ ଜଳ

ସେ ଜଳେ ଆମ୍ଭର ଅଙ୍ଗ କରିବୁ ନିର୍ମଳ ।

ଆବର କଥା ଗୋଟିଏ  କରିବୁ ଶବର

କନ୍ଦମୂଳେ  ପକାଇବୁ ତୁଳସୀ ପତର ।

ଏତେକରେ  ସନ୍ତୋଷ ଯେ ହେବ ଆମ୍ଭ ଦେହି

କିଛି ନ ଭାଳି ଆମ୍ଭଙ୍କୁ ନିଅ ଏଥୁ ବହି ।

ବିଚାରୁଛୁ ଶ୍ରୀଅଙ୍ଗ ମୁଁ କେହ୍ନେ  ଛୁଇଁବଇଁ

ତୁ ଛୁଇଁଲେ  ପୁଲକିତ ହେବ ଆମ୍ଭ ଦେହୀ ।

ତୁ ଆମ୍ଭ ସେବକ ସିନା ଅଟୁରେ କିରାତ

ତୋହର ଛୁଅନ୍ତେ  ଅଙ୍ଗ ହେବ ପୁଲକିତ ।

ଶୂନ୍ୟରେ ଏହି ଶବଦ ଶୁଭିଲାକ ଯହୁଁ

ମନ ମଧ୍ୟରେ ଉସତ ହୋଇଲାକ ତହୁଁ ।

ଜଳର ଭିତରେ ଯେଉଁ ପ୍ରଭୁ ଭାସୁଥିଲେ

ତତକ୍ଷଣେ ଆସିଣ ସେ କୂଳରେ ଲାଗିଲେ  

ଧାଇଁଯାଇଣ ଶବର ଧରେ କୋଳକରି

ବେନି ହସ୍ତେ ଧରି ବକ୍ଷେ ଲଦି ଧୀର କରି ।

ଯେତେବେଳେ ସେ ଶବର  ପ୍ରଭୁଙ୍କୁ  ଛୁଇଁଲା

ପାଦ ପାଣି ତାହାଙ୍କର ସମସ୍ତ ଦିଶିଲା ।

ନାସିକା ଶ୍ରବଣ ଚକ୍ଷୁ ସକଳ ଦିଶଇ

ଚତୁର୍ଭୁଜ ମୂର୍ତ୍ତି ଦେଖାଇଲେ ଭାବଗ୍ରାହୀ ।

ଘେନିଣ ନୀଳସୁନ୍ଦର ପର୍ବତକୁ ଗଲା

ବଟମୂଳେ ଦିବ୍ୟସ୍ଥାନ ଗୋଟିଏ ରଚିଲା ।

ଜଗଦବନ୍ଦ୍ୟ ପ୍ରଭୁଙ୍କୁ  ତହିଁରେ ବସାଇ

ଜଳ ନିମନ୍ତେ  ରୋହିଣୀ କୁଣ୍ଡକୁ ଚଳଇ  

ଜଳ ଆଣି ପ୍ରଭୁଙ୍କୁ ସେ ସ୍ନାନ କରାଇଲା

ଗଛରୁ ବକଳ ଆଣି ତାଙ୍କୁ ପିନ୍ଧାଇଲା ।

ଚନ୍ଦନ ଗଛରୁ କାଠ ଖଣ୍ଡିଏ ଭାଙ୍ଗଇ

ମର୍କତ ଶିଳା ଉପରେ ତାହାକୁ ଘଷଇ ।

ପ୍ରଭୁଙ୍କର ଶ୍ରୀଅଙ୍ଗରେ ବୋଳିଲାକ ନେଇ

ତୁଳସୀପତ୍ରଗୁଡ଼ିଏ ତୋଳିଣ ଆଣଇ ।

ପ୍ରଭୁଙ୍କର ମଥାପରେ ଏକ ନେଇ ଦେଲା

ଯତ୍ନକରି ତିନିଗୋଟି ଦନା ନିର୍ମାଣିଲା ।

କନ୍ଦମୂଳଗୁଡ଼ିଏ ସେ ଖୋଜିଣ ଆଣଇ

ରୋହିଣୀ କୁଣ୍ଡରେ ତାକୁ ଯତନେ ଧୁଅଇ ।

ତୁଳସୀର ପତ୍ର ସେହି ଦନାରେ ପକାଇ

ବୋଲଇ ମନ୍ତ୍ର ମୁହିଁ ତ କିଛି ନ ଜାଣଇ ।

ସନ୍ତୋଷ ହୋଇଣ ଏହା ଭୁଞ୍ଜ କମଳାକ୍ଷ

ମୋହର ଦୋଷ କ୍ଷମିବ ନୋହିଣ ବିମୁଖ ।

ତହୁଁ ସନ୍ତୋଷ ଲଭିଣ ଦେବ ନାରାୟଣ

ଆନନ୍ଦ ମନରେ ତାହା କରନ୍ତି ଭୋଜନ ।

ଦେଖିଣ ଶବର ମନେ ଆନନ୍ଦ ଲଭିଲା

ନିସ୍ତରିଲି ବୋଲିଣ ସେ ପାଦରେ ଶୋଇଲା ।

ରବି ଅସ୍ତ ହେଲା ସନ୍ଧ୍ୟା ଆସି ହେଉଅଛି

ବୋଇଲା ଆଜ୍ଞା ହୋଇଲେ ଯିବି ଶିରୀବତ୍ସି ।

ତାକୁ ହସ୍ତ ଠାରିଦେଲେ ଦେବ ଶିରୀହରି

ଆଜ୍ଞା ପାଇଣ ଶବର ଗଲା ନିଜପୁରୀ ।

ଶୁଣିଲଟିକି ହୋ  ପରୀକ୍ଷିତ ନୃପବର

ଏସନକ ପରକାରେ  ଦେବ ଚକ୍ରଧର ।

ପ୍ରତିଦିନ ସେ ଶବର ଆସିଣ ପୂଜଇ

ଶ୍ରୀଜଗନ୍ନାଥ ଭୁଞ୍ଜନ୍ତି ଆନନ୍ଦିତ ହୋଇ ।

ଏହିପରି କିଛିଦିନ ତହିଁ ବହିଗଲା

ଶବର ପୂଜନ୍ତେ ମନେ ସନ୍ତୋଷ ଜନ୍ମିଲା ।

ଗୋବିନ୍ଦଙ୍କୁ ସେ ଶବର ନିରତେ ପୂଜଇ

କଳିଯୁଗୁଁ ଦଶସସ୍ର ବର୍ଷ ଗଲା ବହି ।

ଶୁଣିକରି ପରୀକ୍ଷିତ କୃତକୃତ୍ୟ ହେଲା

ମୁନିଙ୍କ ଚରଣ ତଳେ ଦଣ୍ଡବତ କଲା ।

ଶୁଣିଲଇଁ  ମୁହିଁ  ସାତଖଣ୍ଡ ହରିବଂଶ

ପାପ ଅତିପାତକାଦି ହେଲା ମୋର ଧ୍ୱଂସ ।

ତୁମ୍ଭ ପ୍ରସାଦେ କୃତାର୍ଥ ହୋଇଲଇଁ ମୁହିଁ

ଆବର ଭବିଷ୍ୟ କଥା ମୁହିଁ ପୁଛିବଇଁ ।

ମୁନି ବୋଇଲେ ଭବିଷ୍ୟ ପଚାରିଲୁ ମୋତେ

ଯାହା ଦୃଶ୍ୟ ହେଲା କିଛି କହିଦେବା ତୋତେ ।

ଏହି ପରକାରେ କିଛି ଦିନ ଗଲା ବହି

ପ୍ରତ୍ୟହ ଶବର ନୀଳଗିରିକି ଆସଇ ।

କନ୍ଦମୂଳ ଭୋଗ ଦେଇ ବିଷ୍ଣୁ ପୂଜାକରେ

ଭୁଞ୍ଜନ୍ତି ଶ୍ରୀଜଗନ୍ନାଥ ଆନନ୍ଦ ମନରେ ।

ଦିନକରେ ତାର ଭାର୍ଯ୍ୟା ପଚାରଇ ତୋଷେ

ତୋ ଦେହେ ନିତ୍ୟ ଚନ୍ଦନ ଗନ୍ଧ କିପାଁ ବାସେ ।

ତହୁଁ ଶବର ବୋଇଲା ଶୁଣ ପ୍ରାଣସହି

ନୀଳଗିରି ବନେ ଜଗନ୍ନାଥଙ୍କୁ ପୂଜଇ ।

ଏହି କଥା ଗୋଟି ସଖି ନ ଜାଣନ୍ତି ଆନ

ତୋହର ଆଗେ କହିଲି ଗୁପତ ବଚନ ।

ସ୍ତିରୀ ବୋଇଲା ମୋତେ ତା ଦେଖାଇବ ନେଇ

ଶବରୀକି ଘେନିଣ ସେ ନୀଳଗିରି ଯାଇ ।

ପ୍ରବେଶିଣ ନିତ୍ୟ କର୍ମ ସମସ୍ତ ସାରିଲା

ରୋହିଣୀ କୁଣ୍ଡକୁ ଯାଇ ଜଳ ସେ ଆଣିଲା ।

ଜଳ ନେଇ ପ୍ରଭୁଙ୍କର ଶିରରେ ଢାଳଇ

ଖଣ୍ଡେ ନୂତନ ବକଳ ତାହାଙ୍କୁ ପିନ୍ଧାଇ ।

ଅଗୁରୁ ଚନ୍ଦନ ଘଷି ଲେପେ ଶ୍ରୀଅଙ୍ଗରେ

ତୁଳସୀର ପତ୍ର ଆଣି ଦିଏ ମସ୍ତକରେ ।

ତିନିଗୋଟି ଦନାରେ ସେ ଦିଅଇ ଭୋଜନ

ଆପଣେ ତାହା ଭୁଞ୍ଜନ୍ତି ପ୍ରଭୁ ନାରାୟଣ ।

ଖଣ୍ଡେଦୂର ଥାଇ ତାହା ଶବରୀ ଦେଖିଲା

ତାର କୋଟି ଜନ୍ମ ପାପ ଦହନ ହୋଇଲା ।

ଏଥୁ ଅନନ୍ତରେ ରାୟେ ଶୁଣ ଦିବ୍ୟ ରସ

ଶବର ଶବରୀ ଦୁହେଁ ଗେ ନିଜ ବାସ ।

ରଜନୀ ପ୍ରଭାତେ ପୁଣି ଅଇଲା ଶବର

ନିତ୍ୟକର୍ମ ବେଭାରେ ସେ ପୂଜେ ଦାମୋଦର ।

ତିନି ଦନା କନ୍ଦମୂଳ ଛାମୁରେ ଥୋଇଲା

ଏକାନ୍ତ ଭକ୍ତିରେ ତାହା ସମର୍ପଣ କଲା ।

ପ୍ରତିଦିନ ଶ୍ରୀହସ୍ତରେ ନେଉଥାନ୍ତି ହରି

ସେ ଦିନ ନ ଦେଲେ ତାହା ରହିଲା ସେପରି ।

ଏହା ଦେଖି ଦୁଃଖମନେ ବୋଲଇ କିରାତ

ପ୍ରତ୍ୟହ ଶ୍ରୀହସ୍ତ ପାତି ଭୁଞ୍ଜନ୍ତି ଅଚ୍ୟୁତ ।

ମୁଁ ତ ଜାଣିବାରେ କରିନାହିଁ ଅପରାଧ

ଆଜ କିପାଁ ନ ଭୁଞ୍ଜିଲେ ପ୍ରଭୁ କରି କ୍ରୋଧ ।

ଶବର ବିନୟ ଭାବ ଜାଣି ନାରାୟଣ

ଶୂନ୍ୟରେ ଥାଇଣ ପ୍ରଭୁ କହନ୍ତି ବଚନ ।

ଭୋଗରେ ଇଛା ଆମ୍ଭର ହେଲା ଏତେକାଳ

ଏଥିପାଇଁ ଚିନ୍ତା ତୁହି ନ କର ଶବର ।

ଶୂନ୍ୟବାଣୀ ଶୁଣି ଶାନ୍ତ ଶବର ହୋଇଲା

ଗୋବିନ୍ଦଙ୍କର ଚରଣେ ଚିତ୍ତ ଲଗାଇଲା ।

ସେ ରାତ୍ରେ ଇନ୍ଦ୍ରଦ୍ୟୁମ୍ନକୁ ପ୍ରଭୁ ଆଜ୍ଞା ଦେଲେ

ନୀଳଗିରିରେ ଦେଉଳ ତୋଳାଅ ତୁ ଭଲେ ।

ଆଜ୍ଞା ପାଇ ନରପତି ବହନ ଉଠିଲା

ଥାଟ ସୈନ୍ୟ ସଜ କରି ବେଗେ ବାହାରିଲା  

ନୀଳଗିରି ପାଞ୍ଚକ୍ରୋଶ ପ୍ରଦକ୍ଷିଣ କଲା

ବୁଲି ବୁଲିଣ ଅପୋଡ଼ା ଭୂମି ଠିକ କଲା ।

ଅପୋଡ଼ା ଭୂମି ନୃପତି ତହିଁ ଠାବ କରି

ପ୍ରାସାଦ ଗୋଟିଏ ତୋଳାଇଲେ ଦଣ୍ଡଧାରୀ ।

ସେହି କ୍ଷେତ୍ର ଅଟଇ ଯେ ଶଙ୍ଖର ଆକାର

ହୀରା ନୀଳାରେ ଦେଉଳ ତୋଳାଇ ଅପାର ।

ଅଟ୍ଟାଳିକା ଦେଉଳ ସେ ନିର୍ଭା କରାଇଲା

ଦେବତା ନାହାନ୍ତି ବୋଲି ମନରେ ଭାଳିଲା ।

ଯେରୂପ ଶବର ବଟମୂଳେ ପୂଜୁଥିଲା

ସେହି ପ୍ରତିମା ଗୋଟିକ ଗୁପତ ହୋଇଲା ।

ଆପେ ଚନ୍ଦନ କାଷ୍ଠରେ ଦାରୁବ୍ରହ୍ମ ହେଲେ

ବାଙ୍କୀ ମୁହାଁଣ ସଳଖେ ଯାଇଣ ଲାଗିଲେ ।

ନୃପତିଙ୍କି ସ୍ୱପନରେ କହିଲେ ଶ୍ରୀଧର

ମୋତେ ଏ ସ୍ଥାନକୁ ନେଇ ଦେଉଳରେ ଭର ।

ସେ ଦାରୁକୁ ରତ୍ନସିଂହାସନେ ସେ ଥୋଇଲେ

ଆପଣା ଇଛାରେ  ପ୍ରଭୁ ନିର୍ମିତ ହୋଇଲେ ।

ଚତୁର୍ଦ୍ଧା ମୂରତି ତହିଁ ହେଲେ ଭଗବାନ

ବଳଭଦ୍ର ଜଗନ୍ନାଥ ଭଦ୍ରା ସୁଦର୍ଶନ ।

କପାଟ  ଫିଟାଇ ରାଜା ନୟନେ ଦେଖିଲା

କୋଟି କୋଟି ଜନମର ପାତକ ଧ୍ୱଂସିଲା ।

ଛତିଶି ନିୟୋଗ କରି ଭୋଗ ସେ ଖଞ୍ଜାଇ

ତିନି ଧୂପ ପାଞ୍ଚ ଅବକାଶକୁ କରାଇ ।

ସେ କ୍ଷେତ୍ରର ଜଗୁଆଳି ହେଲେ ଛଅ ଜଣ

ମାର୍କଣ୍ଡେଶ୍ୱର ରହିଲେ ଉତ୍ତର ପାଶେଣ ।

ଯମେଶ୍ୱର ରହି ଶଙ୍ଖ ଦକ୍ଷିଣ ଦିଗରେ

ଲାଉକେଶ୍ୱର ରହିଲେ ଶଙ୍ଖର ମୁଣ୍ଡରେ ।

ବାଲୁକେଶ୍ୱର ରହିଲେ ଶଙ୍ଖର ନାଭିରେ

କପାଳମୋଚନ ରହି ଶଙ୍ଖର ପେଟରେ ।

ନୀଳକଣ୍ଠେଶ୍ୱର ରହି ସଙ୍ଖର ମଧ୍ୟରେ

ଶଙ୍ଖର ଛଅ ସ୍ଥାନରେ ଛ ଲିଙ୍ଗ ରହିଲେ ।

ଏମନ୍ତେଣ ପ୍ରଭୁଙ୍କର ନିଜସ୍ଥାନେ ଖଟି

ସେବକ ରହିଲେ ଦେବ ତିନିତ୍ରିଂଶ କୋଟି ।

ନୀଳାଚଳେ ଜଗନ୍ନାଥ ଏମନ୍ତେ ରହିଲେ

ଭୋ ପରୀକ୍ଷ ଭବିଷ୍ୟ ତୁ ଶୁଣିଲୁ କି ଭଲେ ।

ଆଗତ ଭବିଷ୍ୟ କଥା କହି ମହାମୁନି

ଅନ୍ତର୍ଦ୍ଧାନ ହେଲେ କୃଷ୍ଣ ନାମ ଗୁଣି ଗୁଣି ।

ବନ୍ଦଇ ଶ୍ରୀ ଜଗନ୍ନାଥ କମଳାର ସାଇଁ

ଆରତ ଜନଙ୍କ ଦୁଃଖ ଫେଡ଼ ଭାବଗ୍ରାହୀ ।

ରତ୍ନ ସିଂହାସନ ପରେ ବିଜେ ଚକ୍ରଧର

ଶଙ୍ଖ ଚକ୍ର ଗଦା ପଦ୍ମ ଧରିଛ ହସ୍ତର ।

ଭୃତ୍ୟ ଜନଙ୍କର ଦୁଃଖ ଦେଖି ଜଗନ୍ନାଥ

ତାଙ୍କ ଦୁଃଖରେ ଦୁଃଖିତ ହେଉ ତୁ ନିୟତ ।

ଯେଣୁ ଦୀନ ଜନଙ୍କର ଦୁଃଖ ଖଣ୍ଡୁ ତୁହି

ଦୀନବନ୍ଧୁ ନାମ ଗୋଟି ତୋହର ଅଟଇ ।

ମୁହିଁ ଅତି ଦୀନହୀନ ଅଟେ ଅରକ୍ଷିତ

ଜଗନ୍ନାଥ ବିନୁ ନୋହେ କାହାରି ଆଶ୍ରିତ ।

ଅଧମ ଦେଖିଣ ମୋତେ ତୁମ୍ଭେ ଦୟା କଲ

ମୁକତି ପାଇବା ପଥ ଆଣି ଦେଖାଇଲ ।

ରଣପୁର ମଧ୍ୟ ଗ୍ରାମେ ବାସ କରିଥାଇ

ପଦ୍ମ ନରେନ୍ଦ୍ର ପୋଷନ୍ତି ଅନ୍ନ ବସ୍ତ୍ର ଦେଇ ।

ଶୂଦ୍ର ମଧ୍ୟରେ ଗଣନା ମୁହିଁ ତ ଅଟଇ

ଦୀକ୍ଷା ଗୋଟି ପାଇଅଛି ଗୋପ କୁଳେ ଥାଇ ।

ସବୁ ଗୋପାଳ ମାନଙ୍କୁ ନାମ ଦୀକ୍ଷା ଦିଏ

ଶ୍ରୀକୃଷ୍ଣ ପାଦ ପଦ୍ମରେ ଚିତ୍ତ ମୋର ଥାଏ ।

ତେଣୁ ଗୋପାଳ କୁଳରେ ବୋଲାଇ ମହନ୍ତ

ଦୟା କରିଛନ୍ତି ଯହୁଁ କମଳାର କାନ୍ତ ।

ଗୋପୀନାଥ ଚରଣକୁ ସଦା ମୋର ଆଶ

ଅଚ୍ୟୁତ ଦାସ କବିକୁ ରଖ ପୀତବାସ ।

ସପ୍ତଖଣ୍ଡ ଏହିଠାରେ ହୋଇଲା ସମ୍ପୂର୍ଣ୍ଣ

ଦୋଷ ମୋର ନ ଧରିବ ଆହେ ସୁଜ୍ଞଜନ ।